Friday, October 16, 2020

A Different Dasahara Festivity / ନିଆରା ଦଶହରା



#ବ୍ରହ୍ମପୁର ସାର୍ବଜନୀନ ଦୁର୍ଗାପୂଜା ୨୦୨୦ରେ ଆଡ଼ମ୍ୱର କରୋନାଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରଶାସନିକ ନିଷ୍ପତ୍ତି ହେତୁ ବନ୍ଦ ରହିବ । ପୂଜାତ୍ସୋବ କେବଳ ନୀତିକାନ୍ତିରେ ସୀମିତ ରଖିବା ସ୍ଥିରୀକୃତ ହୋଇଛି । ଏମିତିରେ ସହର ଇତିହାସରେ ଦୁର୍ଗାପୂଜା ପାଳନରେ ଏକାଧିକବାର ବିଶୃଙ୍ଖଳା ଘଟିଛି ଲଘୁଚାପଜନିତ ବାତ୍ୟାହେତୁ ନିକଟ ଅତୀତରେ ଦୁଇଥର ଦୁର୍ଗାମେଢ଼ ଆୟୋଜନ ବ୍ୟାହତ ହୋଇଥିଲା
 
ଓଡ଼ିଶା ମହାବାତ୍ୟା ୧୯୯୯ ଦୁଇଗୋଟି ପର୍ଯ୍ୟାୟରେ ଆସିଥିଲା । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶା ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର-ପୁରୀ-କଟକ ସମେତ ଉତ୍ତର ଓଡ଼ିଶାରେ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।
 
ମହାବାତ୍ୟାରେ ବ୍ରହ୍ମପୁରରେ ସପ୍ତମୀ ଯାଏଁ ସାମାନ୍ୟ ମେଘୁଆ ପାଗ ଲାଗି ରହିଥିଲେ ହେଁ ସମ୍ଭାବ୍ୟ ବାତ୍ୟା ସଂପର୍କରେ କେହି କଳ୍ପନା ବି କରିନଥିଲେ । ସହର ସାରା ଦୁର୍ଗାପୂଜା ମେଢ଼ଗୁଡ଼ିକର ସାଜସଜ୍ଜା ପ୍ରାୟ ସରିଆସିଥିଲା । ଦିନ ଗୋଟାଏ ବେଳକୁ ମେଘ ପବନ ଘୋଟି ଆସିଲା । ତୁହାକୁ ତୁହା ବର୍ଷାପରେ ଅପରାହ୍ନ ଚାରିଟା ବେଳକୁ ବର୍ଷା ଛାଡ଼ିବା ବେଳକୁ ସାରା ସହର ଜଳାର୍ଣ୍ଣବ । ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂଜାଛୁଟୀ ପୂର୍ବ ଶେଷ-କାର୍ଯ୍ୟ-ଦିବସ ସାରି ଲୋକେ ସଅଳ ସଅଳ ଘରମୁହାଁ ହେଲେ । ବର୍ଷାପାଗ ହେତୁ ଗ୍ରାହକ ଅଭାବରେ ଦୋକାନ ବଜାର ଆପେ ବନ୍ଦ ହୋଇଆସିଥିଲା ।
 
ରାତି ଆଠଟା ବେଳକୁ ପବନର ପ୍ରକୋପ ବଢ଼ିବା ସଙ୍ଗେ ବିଦ୍ୟୁତ ଚାଲିଗଲା । ବାତ୍ୟା ସଂପର୍କରେ ଆଗୁଆ ସୂଚ଼ନା ନଥିଲା । ବିଦ୍ୟୁତ ଅଭାବରେ ଟେଲିଭିଜନ ପ୍ରସାରଣରୁ ବଞ୍ଚିତ ହୋଇ ସହରବାସୀ ବ୍ୟାଟେରୀ ଚାଳିତ ଟ୍ରାଞ୍ଜିଷ୍ଟର ଖୋଜିଲେ । ତେବେ ତଳୁଆ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର କୋଠାବାଡ଼ିରେ ପାଣି ମାଡ଼ିଯିବା ହେତୁ କିଛି ସମୟ ପରେ ରେଡ଼ିଓ ପ୍ରସାରଣ ମଧ୍ୟ ବନ୍ଦ ହୋଇଗଲା ।
 
ଅନ୍ଧକାରାଚ୍ଛନ୍ନ ସହରରେ ଭୀତତ୍ରସ୍ତ ଗୃହାବଦ୍ଧ ସହରବାସୀଙ୍କ ଲାଗି ରାତି ଦଶରୁ ପାଖାପାଖି ରାତି ଚାରିଟା ଯାଏଁ ଛଅ ଘଣ୍ଟା ବ୍ୟାପୀ ପ୍ରବଳ ବାତ୍ୟା ଆଣି ଦେଇଥିଲା ଅବର୍ଣ୍ଣନୀୟ ଅନୂଭୂତି । ପ୍ରତ୍ୟେକ ପରିବାରର ଅଭିଜ୍ଞତା ଏକ ଭିନ୍ନ କାହାଣୀ । ବିନା ପ୍ରାକ-ପସ୍ତୁତିରେ ବାତ୍ୟା ସାମ୍ନା କରିବା ହେତୁ ବହୁ ସମ୍ପତ୍ତି ନଷ୍ଟ ହେଲା, ଗଛପତ୍ର ଉପୁଡ଼ି ଗଲା, ରାସ୍ତାଘାଟ ସଂଯୋଗ ଚ୍ଛିନ୍ନ ହେଲା ।
 
ଓଡ଼ିଶାରେ ୧୯୯୯ ମହାବାତ୍ୟା ସୁଦ୍ଧା ଦେଶରେ ପାଣିପାଗ ପୂର୍ବାନୁମାନ ନିମନ୍ତେ ଉଚ୍ଚ କ୍ଷମତାସମ୍ପନ୍ନ ଡ଼ପଲାର ରାଡ଼ାର ଭଳି ସାଜସରଞ୍ଜାମ ବ୍ୟବସ୍ଥା କରାଯାଇ ପାରିନଥିଲା । ପ୍ରସ୍ତୁତି ଅଭାବରୁ ବିପଦର ମୁକାବିଲା ନିମନ୍ତେ ଜନସାଧାରଣ ଏବଂ ପ୍ରଶାସନିକସ୍ତରରେ ସ୍ଥାଣୁତା ଅନୁଭୂତ ହୋଇଥିଲା । ଅପରପକ୍ଷରେ ବାତ୍ୟା ପରଅବସ୍ଥାରେ ଯୋଜନାବଦ୍ଧ ଉଦ୍ୟମ ଅଭାବ ହେତୁ ସାଧାରଣ ସ୍ଥିତି ଫେରିବା ଲାଗି ଦୀର୍ଘ ସମୟ ଆବଶ୍ୟକ ପଡ଼ିଥିଲା ।
 
ତେବେ ଚଉଦ ବର୍ଷ ପରେ ୨୦୧୩ ଫାଇଲିନ ବାତ୍ୟାବେଳକୁ ପରିସ୍ଥିତି ବଦଳିଯାଇଥିଲା । ପ୍ରାୟ ତିନିଶହ କୋଟି ଟଙ୍କା ନିବେଶରେ ଅତ୍ୟାଧୁନିକ ପାଣିପାଗ ସର୍ବେକ୍ଷଣ ସୁବିଧା ସ୍ଥାପନ ହେତୁ ବାତ୍ୟାର ପୂର୍ବାନୁମାନ ସପ୍ତାହକ ଆଗରୁ ସହରବାସୀଙ୍କ ନିକଟରେ ପହଞ୍ଚି ସାରିଥିଲା । ସଭିଏଁ ବ୍ୟାଗ ଭର୍ତ୍ତି ଆଳୁ, ପିଆଜ, ବେକରି, ବାରମଜା, ବ୍ୟାଟେରି ଘରେଘରେ ସଜାଡ଼ି ରଖିଥିଲେ । ଦକ୍ଷିଣ ଚ଼ୀନ ସାଗରରେ ଅକ୍ଟୋବର ୬ ତାରିଖରେ ବାତ୍ୟାର ଉତ୍ପତ୍ତିଠାରୁ କ୍ରମାଗତ ପାଣିପାଗ ଆକଳନ ଜାରୀ ରହିଥିଲା । ଅକ୍ଟୋବର ୮ ରୁ ୧୪ ଯାଏଁ ଝଡ଼ିବର୍ଷା ଲାଗି ରହି ଅକ୍ଟୋବର ୧୨ ତାରିଖ ରାତି ସାଢ଼େ ଦଶଟାରେ ଗୋପାଳପୁର-ଭଞ୍ଜବିହାର ମଧ୍ୟ ଭାଗରେ ବାତ୍ୟାର ଲ୍ୟାଣ୍ଡଫଲ ହୋଇଥିଲା ।
 
ମହାବାତ୍ୟା ଓ ଫାଇଲିନ ଉଭୟ ବାତ୍ୟା ଅବସରରେ ବ୍ରହ୍ମପୁର ସାର୍ବଜନୀନ ଦୁର୍ଗାପୂଜା ମେଢ଼ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ସେହି ଦୁଇ ବର୍ଷ ଦୁର୍ଗାପୂଜାର ଆଡ଼ମ୍ୱର ଉଭେଇ ଯାଇଥିଲା । ମହାମାରୀ ହେତୁ ଚଳିତ ବର୍ଷ ତଦ୍ ଅନୁରୂପ ପରିବେଶ ସୃଷ୍ଟି କରିଛି । ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ୟୁରୋପରେ କୋଭିଡ଼-୧୯ ଦ୍ୱିତୀୟ ତରଙ୍ଗ ସଂକ୍ରମଣ ହେତୁ ଲକଡ଼ାଉନ ପ୍ରାୟ ପରିସ୍ଥିତି ଉପୁଜିଥିବା ସ୍ଥଳେ ସର୍ବତ୍ର ସତର୍କତା ଜରୁରୀ ହୋଇପଡ଼ିଛି ।
 
ବ୍ରହ୍ମପୁରରେ ଦଶହରା ମହାଳୟାଠାରୁ କୁମାର ପୂର୍ଣ୍ଣିମା ଯାଏଁ ତିନି ସପ୍ତାହ ଖୁସିର ମାହୋଲ । ପର୍ବ ପାଳନ ପାରିବାରିକ ସ୍ତରରୁ ନିକଟ ସଂପର୍କୀୟ, ବନ୍ଧୁବର୍ଗ, ସାମାଜିକ ପରିଧିକୁ ବ୍ୟାପିଥାଏ । ବାହ୍ୟ ପରିବେଶରେ ଦେଖାସାକ୍ଷାତ, ଆଳାପ-ଆଲୋଚ଼ନା, ଭ୍ରମଣ, ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣରେ ସମୟ କଟିଥାଏ । ସାର୍ବଜନୀନ ପୂଜା ମଣ୍ଡପକୁ ନେଇ ଗଢ଼ି ଉଠୁଥିବା ଦଶହରାର ଉତ୍ସବମୁଖର ପରିବେଶ ଚଳିତ ବର୍ଷ ୨୦୨୦ରେ ତ ଅଟକିଲା, ଆଗାମୀ ବର୍ଷ ୨୦୨୧ରେ କେତେଦୂର ଅନୁକୂଳ ହେବ ତାହା ମଧ୍ୟ ସନ୍ଦେହ ଘେରକୁ ଟାଣି ହୋଇ ଆସେ !

(ଅନୁପମ ଭାରତ / ୧୬ ଅକ୍ଟୋବର ୨୦୨୦/ ପୃଷ୍ଠା : ୨)

Photo by : Nilanjan Sasmal is licensed under CC BY-NC-SA 2.0

No comments:

Post a Comment