ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଆ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ, ସ୍ୱାଧୀନତା ସଂଗ୍ରାମ ଓ ସାମାଜ ସଂସ୍କାର କ୍ଷେତ୍ରରେ ଗଞ୍ଜାମ ଅଞ୍ଚଳର ଯେଉଁ ମନୀଷିଗଣ ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ଶ୍ରୀବତ୍ସ ପଣ୍ଡା ଅନ୍ୟତମ । ୧ ଅକ୍ଟୋବର ୨୦୨୦ ତାଙ୍କରି ୧୫୦ ତମ ଜୟନ୍ତୀ ଦିବସ ।
ଶ୍ରୀବତ୍ସ
ପଣ୍ଡାଙ୍କ ଘର ବେଲଗୁଣ୍ଠା ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ । ୧୮୮୯ରେ ଉଚ୍ଚଶିକ୍ଷା ନିମନ୍ତେ ସେ
ବ୍ରହ୍ମପୁର ପହଞ୍ଚି ବିଜିପୁରରେ ପାଞ୍ଚବର୍ଷ ରହି ଖଲ୍ଲିକୋଟ କଲେଜରୁ ମାଟ୍ରିକ ଓ ଏଫ.ଏ. ପାଶ
କରିଥିଲେ । ରାଜମହେନ୍ଦ୍ରୀରୁ ବି.ଏ. ପାଶ କଲାପରେ ସରକାରୀ କର୍ମଚାରୀରୂପେ ନିଯୁକ୍ତ ହୋଇଥିଲେ ।
୧୯୦୧ରେ ସବରେଜିଷ୍ଟାର ଭାବେ ବ୍ରହ୍ମପୁରରେ ବର୍ଷେ କାର୍ଯ୍ୟ କରିଥିଲେ । ପରେ ଭଞ୍ଜନଗର,
ସୋମପେଟା, ପାର୍ବତୀପୁରମ, ପୁରୁଷୋତ୍ତମପୁର, ଦିଗପହଣ୍ଡି, ଆସିକା ଇତ୍ୟାଦି ସହରରେ ଅବସ୍ଥାପିତ
ହୋଇ ୧୯୨୦ରେ ଅବସର ଗ୍ରହଣ କରିଥିଲେ ।
ଶ୍ରୀବତ୍ସ
ପଣ୍ଡା ବ୍ରହ୍ମପୁରରେ ଛାତ୍ରଥିବା ସମୟରେ ଏଠାକାର ସାମାଜିକ ବ୍ୟବସ୍ଥାରେ ତେଲୁଗୁ ସଂସ୍କୃତିର
ପ୍ରବଳ ପ୍ରଭାବ ରହିଥିଲା । ଉଦାହରଣରେ ପୁରୁଷମାନେ ମୁଣ୍ଡର ବାଳ ନକାଟି ଲମ୍ୱା କେଶରେ ଜୁଡ଼ା
ବାନ୍ଧିବା ସହ ହାତରେ ଖଡୁ ପିନ୍ଧୁଥିଲେ । ଛାତ୍ର ଶ୍ରୀବତ୍ସ ପଣ୍ଡା ଏହି ଚ଼ଳଣୀ ବିରୁଦ୍ଧରେ
ସ୍ୱର ଉତ୍ତୋଳନ କରି ନିଜ ବାଳ କାଟି ଛୋଟ କରିବା ଆରମ୍ଭ କରିଥିଲେ । ଏହା ଗୁରୁଜନମାନଙ୍କ
ନାପସନ୍ଦ ହୋଇଥିଲା । ତେବେ ସେ ହତୋତ୍ସାହ ନହୋଇ
ସହପାଠୀମାନଙ୍କୁ ଏକତ୍ରୀତ କରି ସାମାଜିକ ସଂସ୍କାର ନିମନ୍ତେ ବିଚାରବିମର୍ଷ ଛାତ୍ରାବସ୍ଥାରୁ
ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ଜୀବନରେ ଆର୍ଯ୍ୟ ସମାଜପ୍ରତି ଆକର୍ଷିତ ହୋଇ ନାରୀ ଶିକ୍ଷା,
ବିଧବା ବିବାହ, ବିଭିନ୍ନ ଧାର୍ମିକ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଜନଜାଗରଣମୂଳକ କାର୍ଯ୍ୟକ୍ରମରେ
ସଂପୃକ୍ତ ରହିଥିଲେ ।
ସ୍ୱାଧୀନୋତ୍ତର
ଅବସ୍ଥା ଯାଏଁ ଗଞ୍ଜାମରେ ବାଲ୍ୟବିବାହ ପ୍ରଥାର ବ୍ୟାପକ ପ୍ରଚଳନ ଥିଲା । ପୁଅ ଓ ଝିଅମାନଙ୍କ
ଖୁବ୍ କମ ବୟସରେ ବିବାହ ସମ୍ପନ୍ନ ହେଉଥିଲା । ଅନ୍ୟାନ୍ୟ କାରଣ ମଧ୍ୟରେ ଜନସାଧାରଣରେ କମ
ଜୀବଦ୍ଦଶା ପ୍ରଧାନ । ସ୍ୱାଧୀନତା ପ୍ରାପ୍ତି ବେଳକୁ ଆମ ଦେଶର
ହାରାହାରି ଜୀବନ ସୀମା ମାତ୍ର ୩୨ ବର୍ଷ ରହିଥିଲା । ପୁଅଙ୍କ ତୁଳନାରେ ଝିଅମାନେ ଆହୁରି କମ
ବୟସରେ ବିବାହ କରୁଥିବା ହେତୁ ବିଭିନ୍ନ ସ୍ୱାସ୍ଥ୍ୟଗତ ଓ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଥିଲେ
। ହଇଜା, ବସନ୍ତ, ଯକ୍ଷ୍ମା ଭଳି ସଂକ୍ରାମକ ରୋଗାକ୍ରାନ୍ତ ହୋଇ ନବବିବାହିତ ପତି ମୃତ୍ୟୁବରଣ କଲେ
ଦାମ୍ପତ୍ୟଜୀବନ ଆରମ୍ଭ କରିବା ପୂର୍ବରୁ ପତ୍ନୀ ଜୀବନସାରା ବିଧବା ରହିବାକୁ ବାଧ୍ୟ ହେଉଥିଲେ ।
ଏହି
ସମସ୍ୟାର ସମାଧାନ ନିମନ୍ତେ ଊନବିଂଶ ଶତାଦ୍ଦୀର ଜନଜାଗରଣ କାଳରେ ଦେଶବ୍ୟାପୀ ସମାଜ
ସଂସ୍କାରକମାନେ ସ୍ୱରଉତ୍ତୋଳନ କରିଥିଲେ । ଗଞ୍ଜାମରେ ଶ୍ରୀବତ୍ସ ପଣ୍ଡା ବିଂଶ ଶତାଦ୍ଦୀର
ପ୍ରଥମଭାଗରେ ବିଧବା ବିବାହ ପ୍ରଚଳନ ନିମନ୍ତେ ନେତୃତ୍ୱ ନେଇଥିଲେ । ସରକାରୀ କର୍ମଚାରୀ ରୂପେ
ଅଧୁନା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପାର୍ବତୀପୁରମଠାରେ ଅବସ୍ଥାପିତ ଥିବା ଅବସରରେ
ବିଧବା ବିବାହ ଆୟୋଜନ କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ।
ଶ୍ରୀବତ୍ସ
ପଣ୍ଡା ବ୍ରହ୍ମପୁରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ନିମନ୍ତେ ‘ଗଞ୍ଜାମ ସମ୍ମିଳନୀ’
ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଏହି ସମ୍ମିଳନୀରେ ମଧୁବାବୁଙ୍କ ସହ ଓଡ଼ିଆ
ଭାଷାଭାଷୀ ଅଞ୍ଚଳରୁ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ‘ଉତ୍କଳ ସମ୍ମିଳନୀ’ ଜନ୍ମ ନେଇଥିଲା ଏବଂ ସ୍ୱତନ୍ତ୍ର ଓଡ଼ିଶା
ପ୍ରଦେଶ ଗଠନ ନିମନ୍ତେ ସଫଳ ସଂଗ୍ରାମ କରିଥିଲା । ଦକ୍ଷିଣ ଓଡ଼ିଶାର ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ
ଭାଷା ବ୍ୟବହାର ଲାଗି ଆନ୍ଦୋଳନରେ ଶ୍ରୀବତ୍ସ ପଣ୍ଡା ପୁରୋଧା ସାଜିଥିଲେ ।
ଉତ୍କଳ
ପ୍ରଦେଶ କଂଗ୍ରେସ କମିଟି ୧୯୨୧ରେ ଗଠନ ଅବସରରେ ଶ୍ରୀବତ୍ସ ପଣ୍ଡା ଗଞ୍ଜାମ ଜିଲ୍ଲା କଂଗ୍ରେସ
କମିଟିର ପ୍ରଥମ ସଭାପତିଭାବେ ମନୋନୀତ ହୋଇଥିଲେ । ଦୀର୍ଘକାଳ ଧରି ସ୍ୱାଧୀନତା ସଂଗ୍ରାମର
ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କରି ଯୋଗଦାନ ରହିଥିଲା ।
ଶ୍ରୀବତ୍ସ
ପଣ୍ଡା ଜଣେ ସୁସାହିତ୍ୟିକ । ଶଶିଭୂଷଣ ରଥଙ୍କୁ ‘ଆଶା’ ପତ୍ରିକା ପ୍ରକାଶନ ନିମନ୍ତେ ନୀଳମଣି ବିଦ୍ୟାରତ୍ନ, ହରିହର ପଣ୍ଡାଙ୍କ ସହ ସେ ପ୍ରୋତ୍ସାହିତ
କରିଥିଲେ । ତାଙ୍କରି ରଚ଼ନା ବରାବର ‘ଆଶା’
ପତ୍ରିକାରେ ପ୍ରକାଶିତ ହେଉଥିଲା ।
ଶ୍ରୀବତ୍ସ ପଣ୍ଡା ୧୮୭୦ ଅକ୍ଟୋବର ପହିଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ୭୩ ବର୍ଷ ବୟସରେ ୧୯୪୩ ମେ ୧୧ ତାରିଖରେ ତାଙ୍କର ପରଲୋକ ଘଟିଥିଲା । ଗଞ୍ଜାମରେ ସାମାଜିକ ପ୍ରଗତି, ମୁଖ୍ୟତଃ ମହିଳା ସଶକ୍ତିକରଣର ପ୍ରଥମ ପଦକ୍ଷେପ ଶ୍ରୀବତ୍ସ ପଣ୍ଡାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେଭଳି ମନୀଷିଙ୍କ ଦୂରଦୃଷ୍ଟି ହେତୁ ବ୍ରହ୍ମପୁର ଓଡ଼ିଶାରେ ସାମିଲ ହୋଇଛି ଏବଂ ଦକ୍ଷିଣାଞ୍ଚଳର ମୁଖ୍ୟ ସହରରୂପେ ଗଢ଼ି ଉଠିଛି । ତେବେ ପରିତାପର ବିଷୟ ଶ୍ରୀବତ୍ସ ପଣ୍ଡାଙ୍କ ୧୫୦ ତମ ଜୟନ୍ତୀକୁ ଆମେ ଯେଉଁ ଢ଼ଙ୍ଗରେ ସ୍ମରଣ କରିବା କଥା ତାହା ହୁଏ ତ ସଂଭବ ହୋଇପାରି ନାହିଁ ।
No comments:
Post a Comment