Friday, December 18, 2020

Cake, Pastry O Muaa-ra Dina / କେକ, ପେଷ୍ଟ୍ରି ଓ ମୁଆଁର ଦିନ



ଡ଼ିସେମ୍ୱର ମାସରେ ଖ୍ରୀଷ୍ଟମାସ ପାଖେଇଆସିଲେ #ବ୍ରହ୍ମପୁର ସହରରେ ଖ୍ରୀଷ୍ଟ ଧର୍ମବଲମ୍ୱୀମାନଙ୍କ ଜନଜୀବନ ସାଧାରଣ ଚର୍ଚ୍ଚା ପରିସରକୁ ଆସିଥାଏ ।

 

ମହୁରି ରାଜ୍ୟର ନୂତନ ରାଜଧାନୀ ରୂପେ ବ୍ରହ୍ମପୁର ପଞ୍ଚଦଶ ଶତାଦ୍ଦୀର ଶେଷାର୍ଦ୍ଧରେ ବିକଶିତ ହୋଇଥିଲା ଏବଂ ୧୮୫୦ ଅକ୍ଟୋବର ୭ ତାରିଖ ଦିନ ଇଂଲିଶ ସରକାର ମହୁରି ରାଜ୍ୟକୁ ବାଜ୍ୟାପ୍ତ କରିବା ପରେ ଆପାତତଃ ବ୍ରହ୍ମପୁର ବ୍ରିଟିଶ ଶାସନାଧୀନ ହେଲା । ମାଡ୍ରାସ ପ୍ରେସିଡ଼େନ୍ସିରେ ସମଗ୍ର ମହୁରି ରାଜ୍ୟ ବ୍ରହ୍ମପୁର ରେଭିନ୍ୟୁ ତାଲୁକାଭାବେ ଘୋଷଣା କରାଯାଇଥିଲା । ଏହି ଘଟଣାର ୨୫ ବର୍ଷ ପୂର୍ବରୁ ଖ୍ରୀଷ୍ଟିୟ ମିସନାରୀ ଆମୋଷ ସଟନ ୧୮୨୫ରେ ବ୍ରହ୍ମପୁରରେ ଖ୍ରୀଷ୍ଟଧର୍ମ ପ୍ରଚାର କରିଥିବା ତଥା ୧୮୨୭ ଡ଼ିସେମ୍ୱର ଖ୍ରୀଷ୍ଟମାସ ଦିନ ରାମଲିଙ୍ଗମ ବନ୍ଧ କୂଳରେ ଜଣେ ସ୍ଥାନୀୟ ତେଲୁଗୁ ଭଦ୍ରବ୍ୟକ୍ତି ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ବିଗତ ଦିନର ପ୍ରବନ୍ଧିକ ସିମସନ ବେହରାଙ୍କ ବିବରଣୀ ଅନୁଯାୟୀ ୧୮୩୬ରେ ଏକ ପୁରାତନ ଗୃହ କ୍ରୟ କରାଯାଇ ଖ୍ରୀଷ୍ଟିୟ ଉପାସନା ଆରମ୍ଭ ହୋଇଥିଲା ଏବଂ ସେଠାରେ ୧୮୪୪ରେ ନୂତନ ଗୀର୍ଜା ପ୍ରତିଷ୍ଠା କରାଯାଇଥିଲା ।

 

୧୯୦୧ ମସିହାର ଜନଗଣନା ଅନୁଯାୟୀ ବ୍ରହ୍ମପୁର ମୋଟ ଜନସଂଖ୍ୟା ୨୫,୭୨୯ ଥିବା ସ୍ଥଳେ ହିନ୍ଦୁ ୨୩,୮୫୭, ମୁସଲମାନ ୧,୨୨୪ ଓ ଖ୍ରୀଷ୍ଟିଆନ ୬୪୧ ଜଣ ଅନ୍ତର୍ଭୁକ୍ତ ଥିଲେ । ସହରର ଖ୍ରୀଷ୍ଟିଆନ ଧର୍ମାବଲମ୍ୱୀମାନେ ମୁଖ୍ୟତଃ ଦୁଇଗୋଟି ସାହୀରେ ବସବାସ କରୁଥିଲେ । ବାପଟିଷ୍ଟ ଚର୍ଚ୍ଚ ସଂଲଗ୍ନ ପୁରୁଣା ଖ୍ରୀଷ୍ଟିଆନ ସାହୀ ଏବଂ ହିଲପାଟଣାର ନୂତନ ଖ୍ରୀଷ୍ଟିଆନ ସାହୀ । ହିଲ ନାମକ ଜଣେ ସାହେବଙ୍କ ଦ୍ୱାରା ନୂତନ ଖ୍ରୀଷ୍ଟିଆନ ସାହୀ ୧୮୫୪ରେ ସ୍ଥାପିତ ହୋଇଥିବା ସ୍ଥଳେ ତାଙ୍କରି ନାମ ଅନୁଯାୟୀ ହିଲପଟଣା ନାମକରଣ କରାଯାଇଥିବା ଜଣାଯାଏ ।

 

ଖ୍ରୀଷ୍ଟଧର୍ମର ଅନ୍ୟ ବୃହତ ଗୋଷ୍ଠୀ ରୋମାନ କ୍ୟାଥଲିକମାନେ ଏକ କନଭେଣ୍ଟ ପ୍ରତିଷ୍ଠା କରିଥିଲେ । କିଛି କାଳପରେ ଏହାର ମୁଖ୍ୟ କାର୍ଯ୍ୟାଳୟ ସୋରଡ଼ାକୁ ସ୍ଥାନାନ୍ତରିତ ହୋଇଥିଲା । ସହରରେ ବାପଟିଷ୍ଟ ଜନସଂଖ୍ୟା ତୁଳନାରେ ଅନ୍ୟ ମତବାଦୀଙ୍କ ସଂଖ୍ୟା କମ । ଗିରି ରୋଡ଼ରେ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ସାଙ୍ଗକୁ ଟାଉନହଲ ରୋଡ଼ରେ ସେଣ୍ଟ ଷ୍ଟିଫେନ୍ସ, ପୁରୁଣା ବସଷ୍ଟାଣ୍ଡରେ କ୍ୟାଥଲିକ ଓ ଗିରିମାର୍କେଟରେ ତେଲୁଗୁ ୟୁନିୟନ ବାପ୍ଟିଷ୍ଟ ଚର୍ଚ୍ଚ ପ୍ରତିଷ୍ଠିତ ।

 

ଖ୍ରୀଷ୍ଟ ଧର୍ମାବଲମ୍ୱୀମାନଙ୍କ ପକ୍ଷରୁ ଖ୍ରୀଷ୍ଟମାସ, ଗୁଡ ଫ୍ରାଇଡ଼େ ଓ ଇଷ୍ଟର ଇତ୍ୟାଦି ପର୍ବ ପାଳନ ଅବସରରେ ସହରବାସୀ ସାମିଲ ହୋଇଥାନ୍ତି । ଖ୍ରୀଷ୍ଟମାସ ଓ ନିଉ-ଇୟର ଅବକାଶରେ କେକ, ପେଷ୍ଟ୍ରି ଇତ୍ୟାଦି ମିଷ୍ଟାନ୍ନ ବିକ୍ରୀ ନିମନ୍ତେ ସ୍ଥାନୀୟ ଦୋକାନ ବଜାରରେ ସ୍ୱତନ୍ତ୍ର ଆୟୋଜନ କରାଯାଏ । ଗତ ଶତାଦ୍ଦୀ ସପ୍ତମ ଦଶକ ଯାଏଁ ଭାପୁର ବଜାର ମଧ୍ୟଭାଗ ପାନବିକା ସାହୀ ଛକରେ ଦୁଇଗୋଟି ଏବଂ ହିଲପାଟଣାରେ ଗୋଟିଏ ବେକରୀ ଦୋକାନ ସୀମିତ ଥିବା ସ୍ଥଳେ ଶେଷ ତିନି ଶତାଦ୍ଦୀରେ ସହରର ପରିସୀମା ବୃଦ୍ଧି ତଥା ନୂତନ ଜନବସତି ସ୍ଥାପନ କାରଣରୁ ବିଭିନ୍ନ ପ୍ରାନ୍ତରେ ନୂତନ ଦୋକାନମାନ ଖୋଲିଲାଚଳିତ ଶତାଦ୍ଦୀ ଦ୍ୱିତୀୟ ଦଶନ୍ଧି ଆରମ୍ଭରୁ ଭୁବନେଶ୍ୱରରୁ ବ୍ରାଣ୍ଡେଡ଼ ବେକେରୀ ଉତ୍ପାଦ ବ୍ରହ୍ମପୁରରେ ବିକ୍ରୀ ପାଇଁ ଆଭିଜାତ୍ୟପୂର୍ଣ୍ଣ ଦୋକାନମାନ ଆରମ୍ଭ ହେଲା । ପୂର୍ବେ କେବଳ ଖ୍ରୀଷ୍ଟମାସ ଓ ନିଉ-ଇୟର ପାଳନ ବେଳେ କେକ, ପେଷ୍ଟ୍ରିର ଚାହିଦା ରହୁଥିବା ସ୍ଥଳେ ବିଗତ ଚାରି ଦଶନ୍ଧି ଧରି ଟେଲିଭିଜନ ସଂସ୍କୃତି ପ୍ରବେଶ ପରେ ଜନ୍ମଦିନ ଓ ବିବାହ ବାର୍ଷକୀରେ କେକ କାଟିବା ସହରବାସୀଙ୍କ ଜନଜୀବନରେ ଅବିଚ୍ଛେଦ୍ୟ ଅଂଗ ପାଲଟିଯାଇଛି ।

 

ସଂଯୋଗବଶତଃ ଖ୍ରୀଷ୍ଟମାସ ଓ ନିଉ-ଇୟର ପୂର୍ବରୁ ହିନ୍ଦୁ ପର୍ବ ଧନୁ ସଂକ୍ରାନ୍ତି ପାଳିତ ହୋଇଥାଏ । ବ୍ରହ୍ମପୁରରେ ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଯାଏଁ ମାସେ ଧନୁ ମୁଆଁର ରାଜୁତି । ମୁଆଁ ଦେବଦେବୀଙ୍କ ଭୋଗରେ ଲାଗେ । ସ୍ଥାନୀୟ ମିଷ୍ଟାନ୍ନ କାରିଗରମାନେ କିସମ କିସମର ମୁଆଁ ପ୍ରସ୍ତୁତ କରି ବଜାରରେ ବିକ୍ରୀ କରନ୍ତି ।

 

ବ୍ରହ୍ମପୁରରେ ଧନୁ ମୁଆଁ ଲୋକପ୍ରିୟତାର ବିଭିନ୍ନ କାରଣ ମଧ୍ୟରେ ମାର୍ଗଶୀର ମାସରେ ନୂଆ ଧାନ ଅମଳ ଓ ପଡ଼ୋଶୀ ଆସିକା ଅଞ୍ଚଳରେ ବ୍ୟାପକ ଆଖୁଚାଷ ହେତୁ ଧାନରୁ ଲିଆ, ଆଖୁରୁ ଗୁଡ଼ ଓ ଗୋପାଳପୁରରୁ ନଡ଼ିଆ ମୁଆଁ ପ୍ରସ୍ତୁତିରେ ସହାୟକ ହୋଇଥିବା ବିଶ୍ୱାସ କରାଯାଇପାରେ । ଅତଏବ ଧନୁ ମୁଆଁ ଫସଲ ଅମଳପର ପୋଷ୍ଟ-ହାରଭେଷ୍ଟ ମିଷ୍ଠାନ୍ନ । ଅନ୍ୟପକ୍ଷରେ ବ୍ରହ୍ମପୁର ତଥା ସହରତଳି ଅଞ୍ଚଳରେ ବହୁ ସଂଖ୍ୟକ ଠାକୁରାଣୀ, ଗ୍ରାମଦେବତୀ ମନ୍ଦିର ଏବଂ ଦେବୀଙ୍କଠାରେ ଭୋଗରେ ନଡ଼ିଆ କଦଳୀ ସହ ମୁଆଁ ଏକ ମୁଖ୍ୟ ସାମଗ୍ରୀ ରୂପେ ବ୍ୟବହୃତ ହେଉଥିବା ହେତୁ ବର୍ଷ ତମାମ ମୁଆଁ ପ୍ରସ୍ତୁତି ଏବଂ ପୌଷ ମାସରେ ଅଧିକ ଗୁରୁତ୍ୱ ପାଉଥିବା ଲକ୍ଷ୍ୟ କରାଯାଇପାରେ ।

 

ମୁଆଁ ବ୍ରହ୍ମପୁର ସଂସ୍କୃତିର ଅନ୍ୟତମ ବିଭବ । ବ୍ରହ୍ମପୁରବାସୀ ଅନ୍ୟତ୍ର ବସବାସ କରୁଥିବା ବନ୍ଧୁବାନ୍ଧବଙ୍କୁ ଏଠାକାର ମୁଆଁ ଉପହାର ଦେବାକୁ ଭୁଲି ନଥାନ୍ତି ।

Photo by : damien_thorne is licensed under CC BY-NC-ND 2.0

No comments:

Post a Comment