#ବ୍ରହ୍ମପୁର ପାଣିପାଗ ପଞ୍ଜିକାରେ ଶୀତର ଠିକଣା ଜାନୁୟାରୀ ମାସରେ ଲାଖି ରହେ । ସାରା ଦେଶରେ ସାଧାରଣତଃ ନଭେମ୍ୱରରୁ ଫେବୃୟାରୀ ଶୀତ ଋତୁ ଅନୁଭୂତ ହେଉଥିବା ସ୍ଥଳେ ସ୍ଥାନୀୟ ପାଣିପାଗରେ ଶୀତର ପ୍ରକୋପ ଡିସେମ୍ୱର ଶେଷ ଖ୍ରୀଷ୍ଟୀୟ ବଡ଼ଦିନ ପୂର୍ବରୁ ଆରମ୍ଭ ହୋଇ ଜାନୁୟାରୀ ଶେଷ ବା ଫେବୃୟାରୀ ଆରମ୍ଭ ସ୍ୱରସ୍ୱତୀ ପୂଜା ଯାଏଁ ଜାରୀ ରହୁଥିବା ଦେଖିବାକୁ ମିଳେ ।
ପାଣିପାଗ
ଗବେଷକଙ୍କ ମତରେ ବ୍ରହ୍ମପୁରରେ ବର୍ଷକ ମଧ୍ୟରେ ପ୍ରାକ୍-ମୌସୁମୀ, ମୌସୁମୀକାଳୀନ ଓ
ମୌସୁମୀ-ପରବର୍ତ୍ତୀ ତିନିଗୋଟି ମୁଖ୍ୟ ଋତୁ ଅନୁଭୂତ ହୋଇଥାଏ । ମୌସୁମୀକାଳୀନ ସ୍ଥିତି ଜୁଲାଇ,
ଅଗଷ୍ଟ, ସେପ୍ଟେମ୍ୱର ଓ ଅକ୍ଟୋବର ଚାରିମାସ ବଳବତ୍ତର ରହେ । ଏହି ସମୟସୀମାରେ ଦକ୍ଷିଣ-ପଶ୍ଚିମ
ମୌସୁମୀ ବାୟୁ ସହରରେ ବୃଷ୍ଟିପାତ କରାଏ । ବ୍ରହ୍ମପୁରରେ ଜୁନ ୧୦ ତାରିଖ ସୁଦ୍ଧା ମୌସୁମୀ
ପ୍ରବେଶ କରିବା କୁହାଯାଉଥିଲେହେଁ ଖାସ ସହରର ପରିସୀମାରେ କ୍ୱଚିତ ବର୍ଷା ହେଉଥିବା ଅଭିଜ୍ଞତାରୁ
ଜଣାଯାଏ । ଏଠାରେ ସାଧାରଣତଃ ଜୁନ ଶେଷ ଓ ଜୁଲାଇ ମାସ
ଆରମ୍ଭରୁ ମୌସୁମୀ ବର୍ଷା ଦେଖାଦିଏ ।
ଜୁଲାଇ
ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ ଚାରିମାସକୁ ପ୍ରାକ୍-ମୌସୁମୀ ଗ୍ରୀଷ୍ମଋତୁ ରୂପେ ଗ୍ରହଣ
କରାଗଲେ ଅକ୍ଟୋବର ପର ନଭେମ୍ୱର, ଡିସେମ୍ୱର, ଜାନୁୟାରୀ ଓ ଫେବୃୟାରୀ ଚାରିମାସ ମୌସୁମୀ
ପରବର୍ତ୍ତୀ ଶୀତ ଋତୁକୁ ବୁଝାଏ ।
ବ୍ରହ୍ମପୁରରେ
ମୌସୁମୀ ପରବର୍ତ୍ତୀ ଋତୁ ପାଣିପାଗ ଦୃଷ୍ଟିରୁ ଉପଭୋଗ୍ୟ । ଗ୍ରୀଷ୍ମଋତୁରେ ଗରମ ଓ ମୌସୁମୀକାଳୀନ
ବର୍ଷାଋତୁରେ ଗୁଳଗୁଳି ଲାଗି ରହୁଥିବା ସ୍ଥଳେ କୁମାର ପୂର୍ଣ୍ଣିମା ପରଠାରୁ ଉଭୟ ଗରମ ଓ
ଗୁଳଗୁଳିରୁ ମୁକ୍ତି ମିଳେ । ଏହି ପରିବେଶ ଶିବରାତ୍ରୀ ଯାଏଁ ବଳବତ୍ତର ରହେ ।
ମୌସୁମୀ
ପରବର୍ତ୍ତୀ ଅକ୍ଟୋବର, ନଭେମ୍ୱର ଓ ଡିସେମ୍ୱର ମାସରେ ବ୍ରହ୍ମପୁରରେ ଉତ୍ତର-ପୂର୍ବ ବାୟୁ
ପ୍ରବାହିତ ହୁଏ । ଦେଶରେ ଜୁନରୁ ସେପ୍ଟେମ୍ୱର ଚାରିମାସ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁଜନିତ
ବର୍ଷାଋତୁ ସାଙ୍ଗକୁ ଅକ୍ଟୋବରରୁ ଡ଼ିସେମ୍ୱର ତିନିମାସ ଉତ୍ତର-ପୂର୍ବ ମୌସୁମୀ ଦ୍ୱାରା
ଦକ୍ଷିଣାଞ୍ଚଳ ତାମିଲନାଡୁ ଭଳି ଅଞ୍ଚଳରେ ବର୍ଷା ହୋଇଥାଏ । ବ୍ରହ୍ମପୁରରେ ୯୦ ପ୍ରତିଶତ ବର୍ଷା
ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହରୁ ହେଉଥିବା ସ୍ଥଳେ ସ୍ୱଳ୍ପ ମାତ୍ରାରେ ଉତ୍ତର-ପୂର୍ବ ମୌସୁମୀ
ପ୍ରବାହରେ ମଧ୍ୟ ବର୍ଷା ହୋଇଥାଏ । ତେଣୁ ସହରରେ ନଭେମ୍ୱର ଓ ଡ଼ିସେମ୍ୱରରେ ସମୟେ ସମୟେ ବର୍ଷା
ଦେଖା ଦେଇଥାଏ ।
ଶୀତଋତୁରେ
ବ୍ରହ୍ମପୁରର ପାଣିପାଗକୁ ନାତିଶୀତୋଷ୍ଣ ପର୍ଯ୍ୟାୟଭୁକ୍ତ କରାଯାଏ । ସହରଟି ବଙ୍ଗୋପସାଗରଠାରୁ
ଅନତିଦୂରରେ ଅବସ୍ଥିତ ଥିବା ହେତୁ ଶୀତ ଦିନରେ ଏଠାକାର ଜଳବାୟୁ ଶୁଷ୍କ ହୋଇନଥାଏ । ବାୟୁମଣ୍ଡଳରେ
ଆଦ୍ରତା ‘ହ୍ୟୁମୁଡିଟି’ ୬୦ ପ୍ରତିଶତ ଯାଏଁ ରହେ । ବିଶେଷଜ୍ଞମାନଙ୍କ ବିଶ୍ଳେଷଣ ଅନୁଯାୟୀ ବାୟୁମଣ୍ଡଳରେ ପର୍ଯ୍ୟାପ୍ତ
ମାତ୍ରାରେ ଜଳକଣା ଉପସ୍ଥିତ ରହୁଥିବା ହେତୁ ସେଗୁଡ଼ିକର ଅନ୍ତର୍ନିହିତ ଉତ୍ତାପ ପ୍ରଭାବ ସହରରେ
ଥଣ୍ଡାର ପ୍ରକୋପ ହ୍ରାସର ମୁଖ୍ୟ କାରଣ । ଫଳରେ ବ୍ରହ୍ମପୁରବାସୀ ସମୁଦ୍ରକୂଳଠାରୁ ଦୂରବର୍ତ୍ତୀ
ଅଞ୍ଚଳ, ଉଦାହରଣରେ ଭୁବନେଶ୍ୱର ତୁଳନାରେ କମ ଶୀତ ଅନୁଭବ କରିଥାନ୍ତି ।
କିନ୍ତୁ
ଜାନୁୟାରୀ ଓ ଫେବୃୟାରୀ ମାସରେ ବର୍ଷା ଅଭାବ ଓ ଆପେକ୍ଷିକ ଆଦ୍ରତା କମିଯିବା ଫଳରେ ବ୍ରହ୍ମପୁରରେ
ଥଣ୍ଡା ଅନୁଭୂତ ହୋଇଥାଏ । ଏତଦ୍ ବ୍ୟତୀତ
ଏହି ଦୁଇମାସରେ ଉତ୍ତର-ଭାରତରୁ ପ୍ରବାହିତ ଶୀତ ଲହରି ମଧ୍ୟ ସହରରେ ତାପମାତ୍ରା ହ୍ରାସର ଅନ୍ୟତମ
କାରଣ । ଶୀତ ଲହରି ହେତୁ ଭୂମି ଥଣ୍ଡା ହୋଇଯାଏ । ଡ଼ିସେମ୍ୱର ମାସରେ ବ୍ରହ୍ମପୁରର ହାରାହାରି
ଉତ୍ତାପ ୨୪ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ରହୁଥିବା ସ୍ଥଳେ ଜାନୁୟାରୀମାସରେ ୨୩ ଡ଼ିଗ୍ରୀ
ସେଣ୍ଟିଗ୍ରେଡ଼ ଗଣନା କରାଯାଏ ।
No comments:
Post a Comment