ମଶାଙ୍କ ପ୍ରାଦୁର୍ଭାବରେ #ବ୍ରହ୍ମପୁର ବାସିନ୍ଦା ଅତିଷ୍ଠ । ସେପ୍ଟେମ୍ୱର ୨୦୨୦ ଶେଷ ସପ୍ତାହରେ ଆମେ ‘ବ୍ରହ୍ମପୁର ଡ଼ାଏରୀ’ ପୃଷ୍ଠାରେ ‘ନିରୁଦ୍ଦିଷ୍ଟ ବର୍ଷା’ ସଂପର୍କରେ ଆଲୋଚନା କରିବା ପରେ ସହରକୁ ବର୍ଷା ଆସିଯାଇଥିଲା । ଚିରାଚରିତ ଢାଞ୍ଚାରେ ଜନବସତିର ବହୁ ଛୋଟବଡ଼ ଖାଲୁଆ ସ୍ଥାନରେ ପାଣି ଭର୍ତ୍ତି ହୋଇ ରହିବା ଫଳରେ ମଶାମାନେ ଅଣ୍ଡା ଦେବା ପାଇଁ ପରିବେଶ ସୃଷ୍ଟି ହୋଇଥିଲା । ଅଣ୍ଡା ଫୁଟି ମଶା ଲାର୍ଭା ଜନ୍ମନେଲେ । ଅକ୍ଟୋବର ମଧ୍ୟଭାଗରୁ ଚଳିତ ବର୍ଷର ନୂଆ ପ୍ରାପ୍ତବୟସ୍କ ମାଈ ମଶା ନିଜ ଛୁଆଙ୍କଲାଗି ଆହାର ଖୋଜିବା ଉଦ୍ଦେଶ୍ୟରେ ଆମମାନଙ୍କର ଘର ବାରଣ୍ଡା, ଅଗଣାଠାରୁ ଆରମ୍ଭ କରି ବୈଠକଖାନା, ଶୟନକକ୍ଷ, ରୋଷେଇଶାଳ, ପାଇଖାନା ଯାଏଁ ସବୁଠି ଦିନରାତି ମନୁଷ୍ୟ ରକ୍ତ ସଂଗ୍ରହରେ ଲାଗି ପଡ଼ିଲେ । ଘରେ ଘରେ ବଜାରରୁ ମଶା ନିବାରକ ଧୂପ ଓ ବିଦ୍ୟୁତ ଚାଳିତ ତରଳ ପ୍ରତିରୋଧକ କିଣି ଆଣି ଜଳାଗଲା । ତେବେ ଏ ବର୍ଷର ମଶା ଏଡ଼ିକି ଅମାନିଆ ଯେ ନିବାରକ ଚ଼ର୍ତୁଦ୍ଦିଗରେ ଚକର କାଟିବାକୁ ପଛାଉ ନାହାନ୍ତି !
ମଶାଙ୍କ
ବ୍ୟବହାର ସଂପର୍କରେ ବୈଜ୍ଞାନିକମାନେ ଗବେଷଣା କରିଥାନ୍ତି । କାଲିଫର୍ଣ୍ଣିଆ ଇନଷ୍ଟିଟିଉଟ ଅଫ
ଟେକନୋଲଜିର ମାର୍କିନ ଗବେଷକମାନଙ୍କ ମତରେ ମଶାମାନେ ମୁଖ୍ୟତଃ ତିନିଗୋଟି ସୂତ୍ର ଆୟୁଧ କରି
ମନୁଷ୍ୟ ଶରୀର ନିକଟରେ ପହଞ୍ଚନ୍ତି । ପ୍ରଥମତଃ, ମନୁଷ୍ୟର ନିଶ୍ୱାସ ପ୍ରଶ୍ୱାସରେ ନିର୍ଗତ
ଅଙ୍ଗାରକାମ୍ଳ ବାୟୁ ଗନ୍ଧରୁ ମଶା ଶୀକାର ଠାବ କରନ୍ତି । ସେମାନେ ୧୫୦ ଫୁଟ ଦୂରରୁ ଗନ୍ଧ ବାରି
ପାରନ୍ତି । ଦ୍ୱିତୀୟତଃ, ମଶାମାନଙ୍କ ଦୃଷ୍ଟିଶକ୍ତି ତୀକ୍ଷଣ । ସେମାନେ ୧୬ ରୁ ୩୨ ଫୁଟ ଦୂରରୁ ଦେଖିପାରନ୍ତି
। ମଶା ମୁଣ୍ଡରେ ଦୁଇଟି ଚକ୍ଷୁପୁଞ୍ଜ ଥାଏ ଏବଂ ପ୍ରତ୍ୟେକ ପୁଞ୍ଜରେ ସନ୍ନିବଶିତ ଅସଂଖ୍ୟ ଚକ୍ଷୁରେ
ଖଚିତ ପ୍ରତ୍ୟେକ ଲେନସରେ ସେ ଚ଼ତୁର୍ଦ୍ଦିଗ ନିରୀକ୍ଷଣ କରିପାରେ । ଯେଉଁମାନଙ୍କ ଫୋଟୋଗ୍ରାଫିରେ
ଧାରଣା ଅଛି, ସେମାନେ ବୁଝିନେବା ଉଚ଼ିତ ଯେ ମଶାର ଚକ୍ଷୁପୁଞ୍ଜ ଗୁଡ଼ାଏ ‘୩୬୦ ଡ଼ିଗ୍ରୀ କ୍ୟାମରା’ର
କାମ କରେ । ତୃତୀୟତଃ, ମନୁଷ୍ୟର ଶରୀରର ଉତ୍ତାପ ମାପି ମଶା ମନୁଷ୍ୟ ପାଖେ ଆସି ପହଞ୍ଚିଯାଏ ।
ଅବଶ୍ୟ ମଶା ତିନିଫୁଟରୁ କମ ଦୂରରୁ ହିଁ ଉତ୍ତାପ ମାପିପାରେ । ତାପ ମାପିବା ଲାଗି ମଶାର ମୁଣ୍ଡରେ
ଏକ ଏଣ୍ଟିନା ଥାଏ ।
ଜାପାନର
ବୈଜ୍ଞାନିକମାନେ କହିଥାନ୍ତି ଯେ କେତେକ ବର୍ଗର ରକ୍ତବିଶିଷ୍ଟ ମନୁଷ୍ୟ ଶରୀରପ୍ରତି ମଶାମାନେ
ଅଧିକ ଆକର୍ଷିତ ହୋଇଥାନ୍ତି । ରକ୍ତବର୍ଗ ‘ଏ’ ତୁଳନାରେ ‘ଓ’ ବର୍ଗର ଶରୀର
ନିକଟରେ ଅଧିକ ମଶା ପହଞ୍ଚନ୍ତି । ମନୁଷ୍ୟର ଶ୍ୱାସପ୍ରଶ୍ୱାସ ସମେତ ଝାଳ ମଧ୍ୟ ମଶାକୁ ଆକର୍ଷିତ
କରେ । ଯେଉଁମାନଙ୍କ ଶରୀରରେ ୟୁରିକ ଏସିଡ଼, ଲେକ୍ଟିକ ଏସିଡ଼ ଓ ଆମୋନିଆର ପରିମାଣ ଅଧିକ
ସେମାନଙ୍କ ଝାଳରେ ଏହି ସବୁ ରସାୟନ ଅଂଶବିଶେଷ ଉପସ୍ଥିତ ଥିବା ହେତୁ ଅଧିକ ସଂଖ୍ୟାରେ ମଶାଙ୍କୁ
ଆକର୍ଷିତ କରିଥାଏ ।
ମଶାମାନେ
ଆଲୋକ ବଦଳରେ ଅନ୍ଧାରକୁ ପସନ୍ଦ କରନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡ଼ା
ବିଶ୍ୱବିଦ୍ୟାଳୟରେ ଏକ ପରୀକ୍ଷଣରୁ ଜଣାଯାଇଥିଲା ଯେ ମଶାମାନେ କଳା, ଗାଢ଼ ନୀଳ ଓ ନାଲି ଭଳି ରଂଗ
ପ୍ରତି ଅଧିକ ମାତ୍ରାରେ ଆକର୍ଷିତ । ମଶାମାନଙ୍କ ଚକ୍ଷୁ ଉଚ୍ଚଶକ୍ତି ସମ୍ପନ୍ନ ଓ ଦୃଷ୍ଟିଶକ୍ତି
ତୀକ୍ଷଣ ହୋଇଥିବା ହେତୁ ମଶାଙ୍କ ଦାଉରୁ ବର୍ତ୍ତିବା ଲାଗି ଧଳା ବା ହାଲକା ରଙ୍ଗର ପୋଷାକ
ପିନ୍ଧିବା ଉଚିତ । ତେବେ ଡ଼ିସେମ୍ୱର-ଜାନୁୟାରୀର
ଶୀତରେ ସମସ୍ତଙ୍କ ସୁଇଟର ଓ ଶାଲର ରଙ୍ଗ ଗାଢ଼ ହେବା ତ ନିଶ୍ଚିତ !
ମଶା
ଦଂଶନରେ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହେବା ସହ ସ୍ଥଳବିଶେଷରେ ମ୍ୟାଲେରିଆ, ଡେଙ୍ଗୁ, ପଶ୍ଚିମ
ନୀଳ ଓ ଜାଇକା ଭୂତାଣୁ ସଂକ୍ରମଣ ହୋଇଥାଏ । ଏହି ସମସ୍ତ ରୋଗ
ପୀଡ଼ାଦାୟକ ଓ ଘାତକ । ମଶାମାନେ ଜନ୍ମ ନେବା ପରେ ଅନ୍ତତଃପକ୍ଷେ
ତିନି ସପ୍ତାହ ଯାଏଁ ବଞ୍ଚିଥାନ୍ତି । ଏହି ସମୟସୀମାରେ ମାଈ ମଶାମାନେ ପାଞ୍ଚ ଥର ଅଣ୍ଡା ଦିଅନ୍ତି
ଏବଂ ପ୍ରତ୍ୟେକ ଥର ପ୍ରାୟ ଶହେ ଅଣ୍ଡା ହିସାବ କରାଯାଏ । ଅର୍ଥାତ ଗୋଟିଏ ପୀଢ଼ିର ମଶାଙ୍କ
ଦୌରାତ୍ମ୍ୟ ତିନି ସପ୍ତାହ ସହ୍ୟ କରିବାପରେ ପ୍ରତ୍ୟେକ ମଈ ମଶା ସୌଜନ୍ୟରେ ଆଉ ପାଞ୍ଚ ଶହ ଏବଂ
ପରବର୍ତ୍ତୀ ଅବସ୍ଥାରେ ପାଞ୍ଚଶହ ଗୁଣନ ପାଞ୍ଚ ଶହ ଏଭଳି ପରିସଂଖ୍ୟାନ ଆଶା କରାଯାଇପାରେ ।
ମଶାଙ୍କ
ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ମହାମାରୀ କାଳରେ ଜାରୀ ରାତି କର୍ଫ୍ୟୁ ଭଳି ମଶାରିରେ ଶୋଇ
ଆଠ ଘଣ୍ଟା ବର୍ତ୍ତିଯିବା ବ୍ୟତୀତ ଅନ୍ୟ ଷୋହଳ ଘଣ୍ଟା ପାଇଁ ନିଶ୍ଚିତ ପ୍ରତିକାର ନାହିଁ । ଘରକୁ
ସଫା ସୁତୁରା ରଖାଯାଇପାରେ, ତେବେ ଘର ପାଚେରିକୁ ଘେରି ସାହୀପଡ଼ିଶା କିମ୍ୱା ସାମୂହିକ ପରିବେଶକୁ
ସଫା ରଖିବା କାହା ଆୟତ୍ତରେ ଅଛି ? ଧୂପ, ଔଷଧ ସଜାଡ଼ିବା
ପରେ ମଶାମରା ବ୍ୟାଟ ଧରି ମଶାଙ୍କ ପଛରେ ଘୁରି ବୁଲିଲେ ମଶାମରା ସାଙ୍ଗକୁ ସାମାନ୍ୟ ବ୍ୟାୟମ ମଧ୍ୟ
ସଂଭବ ହୋଇପାରୁଛି ବୋଲି ପ୍ରବୋଧନା ଦିଆଯାଇପାରେ । କିନ୍ତୁ ମଶାଙ୍କ ପ୍ରାଦୁର୍ଭାବ ବଳବତ୍ତର ରହେ
!
https://www.futurity.org/mosquitoes-senses-961632
No comments:
Post a Comment