ଆଜକୁ ପଚାଶ ବର୍ଷ ପୂର୍ବେ ଦେଶ ସାରା ନୂଆ ସିନେମା ରିଲିଜରେ ଶୁକ୍ରବାର ‘ଫାଷ୍ଟ-ଡ଼େ, ଫାଷ୍ଟ-ସୋ’ ଗୁରୁତ୍ୱ ବହନ କରୁଥିବା ସ୍ଥଳେ #ବ୍ରହ୍ମପୁର ‘ଫାଷ୍ଟ-ଡ଼େ, ମାଟିନୀ-ସୋ’ ଲାଗି ପ୍ରସିଦ୍ଧି ଲାଭ କରିଥିଲା । ସହରରେ ଚଳଚ୍ଚିତ୍ର ପ୍ରଦର୍ଶନ ବିଂଶ ଶତାଦ୍ଦୀର ତୃତୀୟ ଦଶକ ଶେଷରୁ ଆରମ୍ଭ ହୋଇଥିଲେ ସୁଦ୍ଧା ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରୁ ନବମ ଦଶକ ଯାଏଁ ଦୀର୍ଘ ୪୦ ବର୍ଷ ଧରି ଆଧିପତ୍ୟ ବଜାୟ ରଖିଥିଲା । ଅଷ୍ଟମ ଦଶକ ଆରମ୍ଭରୁ ଦୂରଦର୍ଶନ ଓ ନବମ ଦଶକ ଆରମ୍ଭରୁ କେବଲ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପରେ କ୍ରମଶଃ ଦର୍ଶକଙ୍କ ସିନେମା ଦେଖା ଅଭ୍ୟାସ ପରିବର୍ତ୍ତିତ ହେବାରେ ଲାଗିଲା । ଶତାଦ୍ଦୀ ଶେଷରେ ମହାବାତ୍ୟାରେ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡ଼ିକ ଭାଙ୍ଗିରୁଜି ଦୀର୍ଘକାଳ ବନ୍ଦ ରହିବା ପରେ ପୁଣି ଥରେ ସଚଳ ହେବା ବେଳକୁ ରୂପେଲୀ ପରଦାକୁ ଦର୍ଶକ ପୂର୍ବବତ୍ ଫେରିଲେ ନାହିଁ ।
ବ୍ରହ୍ମପୁରରେ
ନୂଆ ଚଳଚ୍ଚିତ୍ର ଲାଗି ‘ଫାଷ୍ଟ-ଡ଼େ, ଫାଷ୍ଟ-ସୋ’ ବଦଳରେ ‘ମାଟିନୀ-ସୋ’ ଲୋକପ୍ରିୟତା ଏଠାକାର ଦର୍ଶକଙ୍କ ମାଟିନୀ-ସୋ ଠାରୁ
ଫାଷ୍ଟ-ସୋ ଯାଏଁ ଆଉ ତିନି ଘଣ୍ଟା ଅପେକ୍ଷାରେ ଆବେଗ ନିୟନ୍ତ୍ରଣ ଅଭାବକୁ ମୁଖ୍ୟ କାରଣ ରୂପେ
ଚ଼ିହ୍ନଟ କରାଯାଇପାରେ । ଦେଶର ବିଭିନ୍ନ ପ୍ରାନ୍ତରେ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡ଼ିକରେ
ମୁଖ୍ୟତଃ ଦୁଇଗୋଟି ସୋ ସନ୍ଧ୍ୟା ୬ଟା ଓ ରାତି ୯ଟାରେ ସୀମିତ ରହୁଥିବା ସ୍ଥଳେ ବ୍ରହ୍ମପୁରରେ
ଅପରାହ୍ନ ୩ଟା ମାଟିନୀ-ସୋ ମୁଖ୍ୟତଃ ଯୁବବର୍ଗର ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା
। ଏହାର ତିନିଗୋଟି କାରଣ ଚ଼ିହ୍ନଟ କରାଯାଇପାରେ ।
ପ୍ରଥମତଃ,
ସହରର କିଶୋର ଓ ଯୁବବର୍ଗ କଳେ-ବଳେ-କୌଶଳେ ସିନେମା ହଲରେ ପହଞ୍ଚିବାକୁ ସକ୍ଷମ ହେଉଥିଲେ । ସେ
କାଳରେ ସିନେମା ଦେଖାକୁ ପାରବାରିକସ୍ତରରେ ନାପସନ୍ଦ କରାଯାଉଥିବା ହେତୁ ମାଟିନୀ-ସୋ ଦେଖାର
ଖୋଜଖବର ସହଜରେ ଅଭିଭାବକଙ୍କ ନିକଟରେ ପହଞ୍ଚି ପାରୁନଥିଲା । ଦ୍ୱିତୀୟତଃ, ବ୍ରହ୍ମପୁରରେ ବହୁ
ସଂଖ୍ୟକ ଯୁବଶ୍ରମିକ ଆତ୍ମନିଯୁକ୍ତ ଥିବା ହେତୁ ସମୟ ନିଜ ଆୟତ୍ତରେ ରଖିପାରୁଥିଲେ । ସିନେମା
ଦେଖା ପାଇଁ ଟାଇମଟେବୁଲ ବନାଇବାରେ ଅସୁବିଧା ନଥିଲା । ତୃତୀୟତଃ, ବ୍ରହ୍ମପୁରର ପଡ଼ୋଶୀ
ଗ୍ରାମାଞ୍ଚଳରୁ ଯୁବ ଓ ବ୍ୟବସାୟୀବର୍ଗ ମାଟିନୀ-ସୋ ସାରି ବସ ଯୋଗେ ସନ୍ଧ୍ୟାରେ ଘରକୁ ଫେରିବା
ସେମାନଙ୍କ ଟାଉନ ଟୁରକୁ ବେଶ ସୁହାଉଥିଲା ।
ସ୍ୱାଧୀନୋତ୍ତର
ବ୍ରହ୍ମପୁରରେ ଦୂରଦର୍ଶନ ପ୍ରସାରଣ ପହଞ୍ଚିବା ଯାଏଁ ଦୀର୍ଘ ତିନି ଦଶକ ସ୍ଥାନୀୟ ଯୁବବର୍ଗଙ୍କୁ
ଦେଶବିଦେଶର ଜନଜୀବନ ସଂପର୍କରେ ପରିଚିତ ହେବାପାଇଁ ସମ୍ୱାଦପତ୍ର, ପତ୍ରପତ୍ରିକା, ପୁସ୍ତକ ପରକୁ
ସିନେମା ହିଁ ଏକମାତ୍ର ମଧ୍ୟମ ଥିଲା । ଇଣ୍ଟେରନେଟ, ଗୁଗୁଲ, ୟୁ-ଟ୍ୟୁବ ଓ ଏସଭିଓଡ଼ି ‘ସବସ୍କ୍ରିପସନ-ଭିଡ଼ିଓ-ଅନ-ଡ଼ିମାଣ୍ଡ’ରେ ଅଭ୍ୟସ୍ତ ୨୦୨୦ରେ ଯୁବବର୍ଗ ସେମାନଙ୍କ ଜେଜେବାପାମା-ଅଜାଆଈମାନେ କିପରି ସିନେମାଟିଏ
ଦେଖିବା ପାଇଁ ଅଗ୍ରହ ସହକାରେ ଦିନ ଦିନ ଅପେକ୍ଷା କରୁଥିଲେ କଳ୍ପନା ହିଁ କରିପାରିବେ ନାହିଁ ।
ଭଲ ହିନ୍ଦି ସିନେମାଟିଏ ବମ୍ୱେରେ ରିଲିଜ ହେବାର ତିନିରୁ ଛଅ ମାସ ପରେ ବ୍ରହ୍ମପୁରରେ ପ୍ରଦର୍ଶିତ
ହେଉଥିଲା । ଚଳଚ୍ଚିତ୍ରପ୍ରେମୀମାନେ ପିକଚ଼ର ପୋଷ୍ଟ, ଫିଲ୍ମଫେୟାର, ସ୍କ୍ରିନ ତଥା ସେହିଭଳି
ଅସଂଖ୍ୟ ପତ୍ରପତ୍ରିକାର ମୁଦ୍ରିତ ପୃଷ୍ଠାରେ ଚଳଚ୍ଚିତ୍ରର ସମୀକ୍ଷା, ଚ଼ିତ୍ରତାରକାଙ୍କ
ଜୀବନଚର୍ଯ୍ୟା ପଢ଼ି ପଢ଼ି ଦୀର୍ଘକାଳ ଅପେକ୍ଷାରେ ବିତାଇବାକୁ ପଡୁଥିଲା । ଥରେ ଚଳଚ୍ଚିତ୍ର
ପ୍ରଦର୍ଶିତ ହୋଇ ଚାଲିଯିବାପରେ ପୁଣି ଥରେ ଦେଖିବାର ସୁଯୋଗ ପ୍ରାୟ ନଥିଲା ।
ମାଟିନୀ-ସୋ
ସାଙ୍ଗକୁ ବ୍ରହ୍ମପୁରରେ ମର୍ଣ୍ଣିଂ-ସୋ ସୀମିତ ସଂଖ୍ୟକ ଦର୍ଶକଙ୍କୁ ନେଇ ଚାଲୁଥିଲା । ଏସଏସଭିଟି,
ବିଜୟା ଓ ଉତ୍କଳରେ ହଲିଉଡ଼ ସିନେମା ମର୍ଣ୍ଣିଂ-ସୋ ରେ ପ୍ରଦର୍ଶିତ ହେଉଥିଲା । ଏଠାକାର
ଉଚ୍ଚଶିକ୍ଷିତ ଯୁବବର୍ଗ ଇଲଷ୍ଟ୍ରେଡ଼ ଉଇକ୍ଳି ସାଙ୍ଗକୁ ଆଙ୍ଗୁଠିଗଣତି କପି ଲାଇଫ, ଟାଇମ ଓ
ନ୍ୟାସନାଲ ଜିଓଗ୍ରାଫି ପତ୍ରିକାରେ ଦେଖିଥିବା ବିଦେଶର ଚ଼ିତ୍ର ମର୍ଣ୍ଣି-ସୋ ଇଂଲିଶ ସିନେମାରେ
ପ୍ରାୟ ପ୍ରାଣବନ୍ତ ଅବସ୍ଥାରେ ପାଉଥିଲେ । ମର୍ଣ୍ଣିଂ-ସୋ ସାଙ୍ଗକୁ ସପ୍ତମ ଦଶକ ମଧ୍ୟ ଭାଗରୁ ଅଷ୍ଟମ
ଦଶକ ମଧ୍ୟଭାଗ ଯାଏଁ ନୁନ-ସୋ’ ମଧ୍ୟ ଆୟୋଜିତ
ହେଉଥିଲା ।
No comments:
Post a Comment