Tuesday, December 1, 2020

Maritime Memory / ସ୍ମୃତିରେ ନୌ-ବାଣିଜ୍ୟ




କାର୍ତ୍ତିକ ପୂର୍ଣ୍ଣିମା ପାଖେଇ ଆସିଲେ କଳିଙ୍ଗ ସାଧବ ପୁଅଙ୍କ ନୌବାଣିଜ୍ୟର ସ୍ମୃତି ଉପକୂଳ ଓଡ଼ିଶା ଜନମାନସରେ ଉଜ୍ଜୀବିତ ହୁଏ । ଇଂଲିଶ ଶାସନ ପ୍ରବର୍ତ୍ତିତ ହେବା କିଛି କାଳ ପୂର୍ବରୁ #ବ୍ରହ୍ମପୁର ସହର ଏକ ବାଣିଜ୍ୟ କେନ୍ଦ୍ର ଭାବେ କ୍ରମବିକଶିତ ହୋଇଥିବା ଅବସରରେ ପ୍ରାଥମିକ ପର୍ଯ୍ୟାୟରେ ଗଞ୍ଜାମ ଓ ପରବର୍ତ୍ତୀ ପର୍ଯ୍ୟାୟରେ ମନସୁରକୋଟା ବା ଗୋପାଳପୁର ବନ୍ଦର ସହ ଯୋଡ଼ି ହୋଇ ରହିଆସିଥିଲା । ବ୍ରହ୍ମପୁର ଚ଼େନ୍ନାଇ-କୋଲକତା ଜାତୀୟ ରାଜପଥ ଓ ରେଳପଥରେ ସଂଯୁକ୍ତ ହେବା ପୂର୍ବରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ଜଳପଥ ହିଁ ପରିବହନର ଏକମାତ୍ର ସୂତ୍ର ବିବେଚ଼ିତ ହେଉଥିଲା । ସମକାଳରେ ବ୍ରହ୍ମପୁରର ଉତ୍ତର ପାର୍ଶ୍ୱରେହୁମା ଓ ରମ୍ଭା ମଧ୍ୟରେ ଅବସ୍ଥିତ ପାଲୁର ସମେତ ଦକ୍ଷିଣରେ ସୋନପୁର, ବାରୁଆ ବନ୍ଦର ନୌ-ପରିବହନ କେନ୍ଦ୍ରରୂପେ କାର୍ଯ୍ୟ କରୁଥିଲା । ଇଂଲିଶ ଶାସନର ପ୍ରାକକାଳରେ ଗଞ୍ଜାମ ସହରରେ ମହାମାରୀ ବ୍ୟାପିବା ହେତୁ ସେଠାକାର ବନ୍ଦରର କାରବାର ପ୍ରଭାବିତ ହେଲା ଏବଂ ଗୋପାଳପୁର ଊନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଗୁରୁତ୍ୱଲାଭ କରିଥିଲା ।

 

ଗୋପାଳପୁର ବନ୍ଦର ଦେଇ ଉଭୟ ମାଲ ଓ ଯାତ୍ରୀ ପରିବହନ ଚାଲୁଥିଲା । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରମାଳାଞ୍ଚଳର ବନଜାତ ଦ୍ରବ୍ୟ ରପ୍ତାନୀ ହେଉଥିବା ସ୍ଥଳେ ଚିନି, ବସ୍ତ୍ର ଭଳି ଶିଳ୍ପଜାତ ଦ୍ରବ୍ୟ ଆମଦାନୀ ହେଉଥିଲା । ବ୍ରହ୍ମପୁର ବଡ଼ବଜାରର ବ୍ୟବସାୟୀମାନେ ବାଣିଜ୍ୟ ପରିଚାଳନା କରୁଥିଲେ । ଗୋପାଳପୁର ବନ୍ଦରରୁ ରେଙ୍ଗୁନକୁ ଯାତ୍ରୀ ପରିବହନର ବ୍ୟବସ୍ଥା ଥିଲା । ଦେଶାନ୍ତରୀ ଶ୍ରମିକମାନେ ବର୍ମା କୃଷିକ୍ଷେତ୍ରରେ ଶ୍ରମ ନିଯୁକ୍ତି ପାଇଁ ଯାଉଥିଲେ । ୧୮୬୫ରେ ସଂଘଟିତ ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତୀ ଅବସ୍ଥାରେ ଗଞ୍ଜାମର ଶ୍ରମିକମାନେ ବନ୍ଦର ସୁବିଧା ଥିବା ହେତୁ ଦେଶାନ୍ତର ଯାତ୍ରା କରିବା ପ୍ରଥା ଆରମ୍ଭ ହୋଇଥିବା ଅନୁମାନ କରାଯାଇପାରେ । ପରବର୍ତ୍ତୀ ଅବସ୍ଥାରେ ରେଳପଥ ସଂଯୋଗ ପରେ ଶ୍ରମିକ ଚାଲାଣ ପ୍ରକ୍ରିୟା ଜାରୀ ରହିଲା ଏବଂ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେଦେଶାନ୍ତର ଶ୍ରମ ନିଯୁକ୍ତି ଏକ ମୁଖ୍ୟ ଗ୍ରାମୀଣ ରୋଜଗାର ପନ୍ଥା ।

 

ଗୋପାଳପୁର ବନ୍ଦରରୁ ରେଙ୍ଗୁନ ଯାତ୍ରୀ ପରିବହନ ନିମନ୍ତେ ଏଜେଣ୍ଟ ବା ମଧ୍ୟସ୍ଥି ବ୍ରହ୍ମପୁରରେ ଅବସ୍ଥାପିତ ଥିଲେଆଶାଦୈନିକ ଆଶାର ପ୍ରକାଶକ ସମ୍ପାଦକ ତଥା ବିଂଶ ଶତାବ୍ଦୀର ଦ୍ୱିତୀୟରୁଚ଼ତୁର୍ଥତିନି ଦଶନ୍ଧିର ଲୋକପ୍ରିୟ ନେତା ଶଶିଭୂଷଣ ରଥ ଜାହାଜ ଯାତ୍ରୀ ଏଜେଣ୍ଟ ରୂପେ କିଛି କାଳ ନିଯୁକ୍ତ ହୋଇଥିଲେ । ଗଞ୍ଜାମ ଓ ପଡ଼ୋଶୀଜିଲ୍ଲାଗୁଡ଼ିକରୁ ଗ୍ରାମୀଣ ଶ୍ରମିକମାନେ ରଥ ଏବଂ ତାଙ୍କରି ସହକର୍ମୀମାନଙ୍କ ଜରିଆରେ ରେଙ୍ଗୁନ ଯାତ୍ରା ନିମନ୍ତେ ଟିକଟ ଖରିଦ କରୁଥିଲେ । ଶଶିଭୂଷଣ ଯାତ୍ରୀମାନଙ୍କ ଭଲମନ୍ଦ ବୁଝିବା ନିମନ୍ତେ ବନ୍ଦରରେ ଜାହାଜ ଲାଗିବା ଅବସରରେ ବ୍ରହ୍ମପୁରରୁ ଗୋପାଳପୁରକୁ ଘୋଡ଼ାଟଣାଝାଟକାରେ ଯାତ୍ରା କରୁଥିଲେ । ଏଠାକାର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରାରେ ବୋଇତ ରଥ ନିର୍ମାଣ ଗୋପାଳପୁର ବନ୍ଦର ସହ ବ୍ରହ୍ମପୁର ବଣିକ ସଂପ୍ରଦାୟର ସଂପୃକ୍ତିର ସ୍ମୃତି ବହନ କରିଥାଏ ।

 

ଗୋପାଳପୁର ବନ୍ଦର ଦେଇ ନୌ-ବାଣିଜ୍ୟ ବ୍ରହ୍ମପୁରର ବାଣିଜ୍ୟ ବ୍ୟବସାୟକୁ ସମୃଦ୍ଧ କରିବାରେ ସହାୟକ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ରେଳପଥ ଓ ସଡ଼କପଥ ପରିବହନ ନୌ-ପରିବହନର ସ୍ଥାନ ଅଧିଗ୍ରହଣ କରିଥିଲା । ଗୋପାଳପୁରରେ ବୃହତ ଗୋଦାମ ମାନ ନିର୍ମିତ ହୋଇ ମାଲ ମହଜୁଦ ରଖାଯାଉଥିବା ସ୍ଥଳେ ବ୍ୟବସାୟୀମାନେ ବ୍ରହ୍ମପୁରରେ ଅବସ୍ଥାନ କରୁଥିଲେ । ବ୍ରହ୍ମପୁରରୁ ଗୋପାଳପୁରକୁ ଯିବା ଆସିବା ଲାଗି ରହୁଥିଲା । ଗୋପାଳପୁର ବନ୍ଦର ଦେଇ ଉଚ୍ଚବର୍ଗର ଯାତ୍ରୀଙ୍କ ସାମାୟିକ ରହେଣୀ ପାଇଁ ଏକ ବଡ଼ ହୋଟେଲ ଚାଲୁଥିଲା । ବନ୍ଦର ଶୀଥିଳହୋଇପଡ଼ିବା ପରେ ତାହା ଓବରାଇଗୃପ କିଣି ନେଇଥିଲେ । ବର୍ତ୍ତମାନ ହୋଟେଲଟିଓଡ଼ିଶାଭିତ୍ତିକ ମେଫେୟାରଗୃପ ଅଧୀନକୁ ଆସିଛି ।

 

ଓଡ଼ିଶାର ପାଣିପାଗ ପଞ୍ଜିକାରେ କାର୍ତ୍ତିକ ପୂର୍ଣ୍ଣିମା ପରେ ବଙ୍ଗୋପସାଗରରେ ଏକପକ୍ଷରେ ମୌସୁମୀ ବର୍ଷା ପ୍ରତ୍ୟାବର୍ତ୍ତନ କରିବା ସାଙ୍ଗକୁ ଅପରପକ୍ଷରେ ଲଘୁଚାପଜନିତଝଡ଼ବାତ୍ୟାର ପ୍ରକୋପ କମିଯାଏ । ଫଳରେ ଡ଼ିସେମ୍ୱରରୁ ମେ ଯାଏଁ ଛଅମାସ ବ୍ୟାପୀ ସମୁଦ୍ର ବକ୍ଷରେ ନୌ-ଚାଳନାର ପଥ ସୁଗମ ହୋଇଥାଏ । ଏହି କାରଣରୁ କାର୍ତ୍ତିକ ପୂର୍ଣ୍ଣିମାରୁଓଡ଼ିଶା ଉପକୂଳର ବ୍ୟବସାୟୀମାନେ ନୌ-ବାଣିଜ୍ୟ କାରବାର ଆରମ୍ଭ କରୁଥିଲେ ।

 

ଅତୀତରେ ଗୋପାଳପୁର ବନ୍ଦର ବର୍ତ୍ତମାନର ବିଚ଼ ଅଞ୍ଚଳରେ ସ୍ଥାପିତ ହୋଇଥିବା ସ୍ଥଳେ ଏହି ବନ୍ଦର ବନ୍ଦ ହୋଇଯିବା ପରେ ମାଲଗୋଦାମଗୁଡ଼ିକ ଅବ୍ୟବହୃତ ଅବସ୍ଥାରେ ଦୀର୍ଘକାଳ ପଡ଼ିରହିଭାଙ୍ଗିରୁଜି ଯାଇଥିଲା । ଆଖପାଖର କୋଠାବାଡ଼ିବେଙ୍ଗାଲ-ନାଗପୁର ରେଳୱେରେସେବାନିବୃତ୍ତଆଙ୍ଗ୍ଳୋ-ଇଣ୍ଡିଆନମାନେ କିଣି ଅବସର ଜୀବନ ଯାପନ କରିବା ଆରମ୍ଭ କରିଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ନୂତନ ବନ୍ଦର ଗୋପାଳପୁରଠାରୁ କିଛି ଦୂରରେ ଛତ୍ରପୁର ନିକଟରେ ନିର୍ମିତ ହେଲା । ଗୋପାଳପୁର ବନ୍ଦରର ମୁଖ୍ୟକର୍ମକର୍ତ୍ତାଭାବେ ଦୀର୍ଘକାଳ ଧରି ଇଞ୍ଜିନିୟରଦୁର୍ଗାଚରଣ ପତି ଅବସ୍ଥାପିତ ହୋଇଥିଲେ । ତାଙ୍କରି ପୃଷ୍ଠପୋଷକତାରେ କଳିଙ୍ଗ ସାଧବ ପୁଅଙ୍କ ନୌ-ବାଣିଜ୍ୟ ସ୍ମୃତି ଚାରଣ ନିମନ୍ତେ ୧୯୯୪ ବେଳକୁ ଥରେ ଦୁଇ ଥର ତଅପୋଇ ନାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ।

 

ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣିମା ପ୍ରଭାତରେ ବୋଇତ ଭସାଣ ପରମ୍ପରା ଅତୀତର ନୌ-ବାଣିଜ୍ୟର ସ୍ମୃତି ବହନ କରେ । କେତେକ ପରିବାରରେ ଏହା ଖୁବ ନିଷ୍ଠାର ସହ ପାଳିତ ହୋଇଥାଏ । ସଂଭବତଃ ସେହି ପରିବାରର ପୂର୍ବଜମାନେ ନୌବାଣିଜ୍ୟ ସହ ସଂପୃକ୍ତ ଥିଲେ ମହାମାରୀରେ ଭିଡ଼ଏଡ଼ାଇବାଲାଗି କଟକଣା ହେତୁ ୨୦୨୦ରେ ବୋଇତ ଭସାଣ ବନ୍ଦ କରାଯାଇଛି । ସ୍ମୃତିଚାରଣ କେବଳ ଭର୍ଚୁଆଲ ପରିବେଶରେ ଆବଦ୍ଧ ରହିବ ।


(ଅନୁପମ ଭାରତ / ୨୮ ନଭେମ୍ୱର ୨୦୨୦ /ପୃ. ୮)

No comments:

Post a Comment