ଇଂଲିଶ ଶାସନ କାଳରେ #ବ୍ରହ୍ମପୁର ବିକଶିତ ହୋଇଥିବା ଏବଂ ପ୍ରଶାସନିକସ୍ତରରେ ଦାକ୍ଷିଣାତ୍ୟସହ ସଂଯୁକ୍ତି କାରଣରୁ ସହରରେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ବିଂଶ ଶତାଦ୍ଦୀ ପ୍ରାରମ୍ଭରେ ସମଗ୍ର ୨୫,୦୦୦ ଜନସଂଖ୍ୟାର ପ୍ରାୟ ୪୫ ପ୍ରତିଶତ ରହିଥିଲା । ଫଳରେ ତେଲୁଗୁ ଭାଷା, ସଂସ୍କୃତି ଓ ପର୍ବପର୍ବାଣୀ ଏଠାକାର ମୂଳ ସାମାଜିକ ସ୍ରୋତର ଅଂଶବିଶେଷ ହୋଇପଡ଼ିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ କେନ୍ଦ୍ର ପାଲଟିବା ଅବସରରେ ଅବିଭକ୍ତ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରୁ ବହୁ ସଂଖ୍ୟକ ଓଡ଼ିଆ ପରିବାର ସ୍ଥାୟୀ ବସବାସ ନିମନ୍ତେ ବ୍ରହ୍ମପୁର ପହଞ୍ଚିବା ପରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା କ୍ରମାଗତଭାବେ ବଢ଼ିବାରେ ଲାଗିଲା । ଅପରପକ୍ଷେ ସ୍ୱତନ୍ତ୍ର ଆନ୍ଧ୍ର ପ୍ରଦେଶ ଗଠନ ପରେ ବିଶାଖପାଟଣା, ବିଜୟନଗର ଓ ଶ୍ରୀକାକୁଲମର ଗୁରୁତ୍ୱ ବୃଦ୍ଧି ହେତୁ ଅଧିକ ତେଲୁଗୁ ପରିବାର ଆଉ ବ୍ରହ୍ମପୁର ମୁହାଁ ହେଲେ ନାହିଁ । ବ୍ରହ୍ମପୁରରୁ କିଛି ତେଲୁଗୁ ପରିବାର ଶ୍ରମନିଯୁକ୍ତି ଉଦ୍ଦେଶ୍ୟରେ ଆନ୍ଧ୍ର, ଚାଲିଗଲେ । ଫଳରେ ସହରରେ ତେଲୁଗୁ ଭାଷାଭାଷୀଙ୍କ ଜନସଂଖ୍ୟା ସ୍ଥିର ରହିଲା ।
ମକର ସଂକ୍ରାନ୍ତି ତେଲୁଗୁମାନଙ୍କ ମୁଖ୍ୟ ପର୍ବ । ମକର ସଂକ୍ରାନ୍ତି
ପୂର୍ବ ଦିନ ‘ଭୋଗୀ’ ପାଳିତ ହୋଇଥାଏ । ଅତୀତ ବ୍ରହ୍ମପୁରରେ ତେଲୁଗୁ ଓ ଓଡ଼ିଆ,
ମୁଖ୍ୟତଃ କିଶୋରବର୍ଗରେ ଭୋଗୀ ଆୟୋଜନ ଲାଗି ମାସାଧିକ କାଳ ଧରି ପ୍ରସ୍ତୁତି ଲାଗି ରହୁଥିଲା ।
ଭୋଗୀରେ ରାତି ଥାଉ ଥାଉ ବଡ଼ି ସକାଳୁ ବିଭିନ୍ନ ସାହୀ ରାସ୍ତାକଡ଼ର ଅପେକ୍ଷାକୃତ ଖୋଲା ସ୍ଥାନରେ
ଗୋଲାକାର ତ୍ରିସ୍ତରୀୟ ପ୍ରଶସ୍ତ ଗର୍ତ୍ତ ଖନନ କରି ସେଥିରେ କାଠ ଜମାରଖି ଅଗ୍ନି ସଂଯୋଗ
କରାଯାଇଥାଏ । ଭୋଗୀ ଚାରିପଟେ ସ୍ଥାନୀୟ ଅଞ୍ଚଳବାସୀ ଭିଡ଼ ଜମାଇ ନିଆଁ ପୋଇଁଥାନ୍ତି । ସକାଳର
ପ୍ରଥମ ପ୍ରହର ଯାଏଁ ଏହି ପର୍ବ ଚାଲେ । ଭୋଗୀ ନିଆଁରେ କନ୍ଦମୂଳ ସିଝାଯାଇ ସମସ୍ତଙ୍କୁ ବଣ୍ଟାଯାଏ
। ଭୋଗୀ ନିଆଁରେ ପିତଳ ମାଠିଆରେ ପାଣି ଗରମ କରି ଅନେକ ପରିବାର ସକାଳୁଆ ଗାଧୁଆ ସାରିଥାନ୍ତି ।
ଭୋଗୀ
ଏକ ସାର୍ବଜନୀନ ପର୍ବ । ଏହି ଉତ୍ସବ ଆୟୋଜନ ଲାଗି କିଶୋରବର୍ଗ ସାହୀ ବାସିନ୍ଦାଙ୍କଠାରୁ ଚାନ୍ଦା
ଆଦାୟ କରନ୍ତି । ସେଥିରେ କାଠ ଓ କନ୍ଦମୂଳ କିଣାଯାଏ । ସ୍ଥଳ ବିଶେଷରେ ଭୋଗୀ ଉପଲକ୍ଷେ ଡ଼ାକବାଜି
ଯନ୍ତ୍ର ମାଧ୍ୟମରେ ସଙ୍ଗୀତ ପରିବେଷଣର ବ୍ୟବସ୍ଥା କରାଯାଏ । ଭୋଗୀ ପାଇଁ କାଠ ସଂଗ୍ରହ ନିମନ୍ତେ
ବହୁ ପୂର୍ବରୁ ଉଦ୍ୟମ ହୋଇଥାଏ । ଶୁଖିଲା ଡ଼ାଳପତ୍ର ଏକ ସୁରକ୍ଷିତ ସ୍ଥାନରେ ଜମା ରଖାଯାଇଥାଏ ।
ମୋଟା କାଠ ଗଣ୍ଡିରେ ନିଆଁ ଲଗାଯିବା ଫଳରେ ଭୋଗୀ ନିଆଁ ଦିନ ସାରା କୁହୁଳୁଥିବା ଦେଖାଯାଏ ।
ଭୋଗୀ
ଆନ୍ଧ୍ର ପ୍ରଦେଶ, ତେଲଙ୍ଗନା ସାଙ୍ଗକୁ ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପାଳିତ ହୁଏ ।
ଭୋଗୀ ପୂର୍ବରୁ ଘରଦ୍ୱାର ସଫାସୁତୁରା କରି ଅଦରକାରୀ କାଠ ସାମଗ୍ରୀ ନଷ୍ଟ ଉଦ୍ଦେଶ୍ୟରେ ସାଇତି
ରଖାଯାଇଥାଏ । ସେଗୁଡ଼ିକ ଭୋଗୀ ପ୍ରଭାତରେ ଅଗ୍ନି ସଂଯୋଗ ପ୍ରଥା ପ୍ରଚଳିତ । ପୁରୁଣାକୁ ଛାଡ଼ି
ନୂଆ ବ୍ୟବହାର ଏହି ଉତ୍ସବର ମହତ୍ତ୍ୱ ।
ଦୀର୍ଘ
ବ୍ୟବହୃତ ସାମଗ୍ରୀ ପ୍ରତି ଆସକ୍ତିରୁ ମୁକ୍ତ ହେବା ନିମନ୍ତେ ଭୋଗୀ ସୁଯୋଗ ସୃଷ୍ଟି କରେ । ମନ୍ଦ
ଅଭ୍ୟାସ, ଖଳ ପ୍ରକୃତିର ବନ୍ଧୁତ୍ୱ ପରିତ୍ୟାଗ କରି ଉତ୍ତମ ଆଚାର, ସମ୍ୱେଦନଶୀଳ ବନ୍ଧୁତ୍ୱ
ସ୍ଥାପନକୁ ଅଗ୍ରାଧିକାର ଦିଆଯାଏ । କେତେକ ଅଞ୍ଚଳରେ ଫସଲକଟା-ପର ଭୋଗୀ ଉତ୍ସବରେ ବର୍ଷା
ଦେବତାଙ୍କୁ କୃତଜ୍ଞତା ଜ୍ଞାପନ କରି ଆଗାମୀ ବର୍ଷରେ ପର୍ଯ୍ୟାପ୍ତ ବର୍ଷା ନିମନ୍ତେ ପ୍ରାଥର୍ନା
କରାଯାଏ । ‘ଭୋଗ’
ଶବ୍ଦରୁ ‘ଭୋଗୀ’ ନାମକରଣ ହୋଇଥିବା
ବ୍ୟାକରଣବିତମାନଙ୍କ ମତ । ଅନ୍ୟ କେତେକ ଅଞ୍ଚଳରେ ଭୋଗୀଦିନ ବୁଦ୍ଧଦେବ ଦେହତ୍ୟାଗ କରିଥିବା
ବିଶ୍ୱାସ ପ୍ରଚଳିତ । ଭୋଗୀ ଦିନ ଉତ୍ତରଭାରତରେ ‘ଲୋରୀ’ ନାମକ ସମଧରଣର ଉତ୍ସବ ପାଳିତ ହୋଇଥାଏ ।
No comments:
Post a Comment