ରାମଲିଙ୍ଗ
ବନ୍ଧ #ବହ୍ମପୁର ଜନଜୀବନର ଏକ ଅଭିନ୍ନ ଅଙ୍ଗ
। ଦୀର୍ଘକାଳ ଧରି ମଧ୍ୟ-ବ୍ରହ୍ମପୁର ସହରବାସୀଙ୍କ ଦୈନନ୍ଦିନ ବ୍ୟବହାର ସାଙ୍ଗକୁ ସାନ୍ଧ୍ୟ ଅବସର
ବିନୋଦନ ସ୍ଥଳୀ । ରାମଲିଙ୍ଗେଶ୍ୱର ମନ୍ଦିର ଓ ତତ୍ ସଂଲଗ୍ନ ବନ୍ଧ ଏକ ଟ୍ରଷ୍ଟ ମାଲିକାନାରେ
ପରିଚାଳିତ ହେଉଥିଲେ ହେଁ ସହରବାସୀଙ୍କ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ବ୍ରହ୍ମପୁର ପୌରପାଳିକା
ପକ୍ଷରୁ ପର୍ଯ୍ୟାୟକ୍ରମେ ବନ୍ଧ ଓ ହୁଡ଼ାର ରକ୍ଷାଣବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇ ଆସିଥିଲା ।
ବିଗତ ଶତାଦ୍ଦୀ ଶେଷଭାଗରେ ରାମଲିଙ୍ଗ ବନ୍ଧ ନବୀକରଣ ପ୍ରସ୍ତାବକୁ ନେଇ ଟ୍ରଷ୍ଟ ଓ ପୌରପାଳିକା
ମଧ୍ୟରେ ବିବାଦ ସୂତ୍ରପାତ ହୋଇ ସୁପ୍ରିମକୋର୍ଟ ଯାଏଁ ମାଲିମକଦ୍ଦମା ଯାଇଥିଲା । ତେବେ ଚଳିତ
ଶତାଦ୍ଦୀ ପ୍ରାରମ୍ଭରୁ ଦୁଇପକ୍ଷ ମଧ୍ୟରେ ବିବାଦ ମୀମାଂସା ନିମନ୍ତେ କ୍ରମାଗତ ଉଦ୍ୟମ କରାଯାଇ ବୁଝାମଣାରେ
ପହଞ୍ଚିଥିଲେ । ଫଳରେ ବହୁ ପ୍ରତୀକ୍ଷିତ ରାମଲିଙ୍ଗ ବନ୍ଧ ନବୀକରଣ ରୂପାୟନ ସଂଭବପର ହୋଇପାରିଛି ।
‘କୋଭିଡ଼-୧୯’ କାଳରେ ନିର୍ମାଣ କାର୍ଯ୍ୟ
ସମାପ୍ତ ହୋଇସାରିଥିବା ସ୍ଥଳେ ମହାମାରୀ କଟକଣା କୋହଳ ହେବାପରେ ନବବର୍ଷ ୨୦୨୧ ପ୍ରାରମ୍ଭରେ
ନବୀକରଣ ବ୍ୟବସ୍ଥା ଲୋକାର୍ପଣ କାର୍ଯ୍ୟକ୍ରମ ସମ୍ଭବ ।
ଷଷ୍ଠଦଶ
ଶତାଦ୍ଦୀ ଶେଷାର୍ଦ୍ଧରେ ମହୁରିରାଜ୍ୟର ନୂତନ ରାଜଧାନୀ ରୂପେ ବ୍ରହ୍ମପୁର ବିକଶିତ ହେବାପରେ
ଅଷ୍ଟାଦଶ ଶତାଦ୍ଦୀ ମଧ୍ୟଭାଗରେ ରାଜ୍ୟ ଶାସନଭାର ଇଂଲିଶ ସରକାରଙ୍କ ହାତକୁ ଯାଇଥିଲା । ଏହି
ଅବସରରେ ସ୍ଥାୟୀ ସୈନ୍ୟ ଛାଉଣୀ ଅଧୁନା ଷ୍ଟାଡ଼ିୟମର ବାରକ୍ସ ଗ୍ରାଉଣ୍ଡରେ ସ୍ଥାପିତ ହୋଇଥିଲା ।
ସେନାବାହିନୀ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ବସବାସ ଲାଗି ମିଲଟରୀ ଲାଇନ ଗଢ଼ି ଉଠିଥିଲା
। କ୍ରମଶଃ ତାହାକୁ ଲାଗି ଦ୍ୱିତୀୟ ମିଲଟରୀ ଲାଇନ ଏବଂ ପୋଲିସ ଲାଇନ ସଂପ୍ରସାରିତ ହୋଇଥିଲା ।
ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁର ପୌରପାଳିକା ଗଠିତ ହେବାପରେ ମିଲଟରୀ ଲାଇନ
ପଶ୍ଚିମ ପାର୍ଶ୍ୱରେ ଭାପୁର ବଜାର ଓ ପୂର୍ବପାର୍ଶ୍ୱରେ ଚିକିତ୍ସାଳୟ ନିର୍ମାଣ କରାଯାଇଥିଲା ।
ଅତୀତରେ
ବ୍ରହ୍ମପୁରର ସୀମା ଆଜିକାର ପୌରକାର୍ଯ୍ୟାଳୟ ସଂଲଗ୍ନ ସାନଠାକୁରାଣୀ ମନ୍ଦିର ଯାଏଁ ସୀମିତ
ରହିଥିଲା । ବ୍ରହ୍ମପୁର ଓ ଭାପୁର ମଧ୍ୟରେ ଉତ୍ତରପାର୍ଶ୍ୱରେ ତାମେୟା ବନ୍ଧ ହୁଡ଼ାରେ ଶନିବାର
ଦିନ ସାପ୍ତାହିକ ହାଟପଦା ବସୁଥିଲା । ଦକ୍ଷିଣ ପାର୍ଶ୍ୱରେ ରାମଲିଙ୍ଗ ବନ୍ଧ ଖନନ କରାଯାଇଥିଲା ।
ଏହି ସାର୍ବଜନୀନ ଜମି ଟ୍ରଷ୍ଟ ମାଲିକନାକୁ ଆସିଥିଲେ ହେଁ ଉଭୟ ଟ୍ରଷ୍ଟ ଓ ପୌରପାଳିକାଙ୍କ ଦ୍ୱାରା
ବହୁବାର ବନ୍ଧ ହୁଡ଼ା ନବୀକରଣ ହୋଇଥିବା ଜଣାଯାଏ ।
ବ୍ରହ୍ମପୁର
ଜନ୍ମକାଳରୁ ମନ୍ଦିର ଓ ପୁଷ୍କରଣୀମୟ ଜନପଦ ରୂପେ ଖ୍ୟାତି ଲାଭ କରିଆସିଥିଲା । ରାମଲିଙ୍ଗ ବନ୍ଧ
ପଶ୍ଚିମ ପାର୍ଶ୍ୱରେ ରାମଲିଙ୍ଗେଶ୍ୱର ତଥା ପୂର୍ବ ପାର୍ଶ୍ୱରେ ହନୁମାନ ଓ ସତ୍ୟନାରାୟଣ
ମହାପ୍ରଭୁଙ୍କ ମନ୍ଦିର ବିଦ୍ୟମାନ । ତାମେୟା ବନ୍ଧ କେନାଳ ଯୋଗେ ରାମଲିଙ୍ଗ ବନ୍ଧ ସହ ସଂଯୁକ୍ତ
ଥିଲା । ତାମେୟା ବନ୍ଧରୁ ପାଣି ରାମଲିଙ୍ଗ ବନ୍ଧରେ ପହଞ୍ଚି ଉଦବୃତ୍ତ ଅଂଶ ଅଧୁନା ଧର୍ମନଗରରେ
ପୂର୍ବରୁ ଥିବା ଧାନକ୍ଷେତକୁ ଯାଉଥିଲା । ଅନ୍ୟଏକ କେନାଳ ବର୍ତ୍ତମାନର ଚଳଚଞ୍ଚଳ ଗାନ୍ଧୀନଗର
ରାସ୍ତାରେ ପ୍ରବାହିତ ହୋଇ ବିଜିପୁର ବନ୍ଧ ସହ ମିଶୁଥିଲା । ଜନପଦର ବନ୍ଧଗୁଡ଼ିକୁ କେନାଳ ଯୋଗେ
ସଂଯୁକ୍ତ କରିବା ବ୍ରହ୍ମପୁରର ଏକ ବିଶେଷତ୍ୱ ଥିଲା ବୋଲି କୁହାଯାଇପାରେ ।
ରାମଲିଙ୍ଗ
ବନ୍ଧ ସମ୍ମୁଖରେ ଦୀର୍ଘ ଅତୀତ ଅବଧିରେ ସହରର ତିନିଗୋଟି ପ୍ରମୁଖ ପରିବାରଙ୍କ ବାସଗୃହ ରହିଥିଲା ।
ପ୍ରଥମତଃ, ଶଶିଭୂଷଣ ରଥ ବର୍ତ୍ତମାନର ସୁଉଚ୍ଚ ହନୁମାନ ପ୍ରତିମୂର୍ତ୍ତୀ ନିକଟସ୍ଥ ଦୁଇ ମହଲା
କୋଠା କିଣି ଉତ୍ତର-ଜୀବନରେ ବସବାସ କରୁଥିଲେ । ଶଶିଭୂଷଣ ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ
ଆଶା ଓ ଦୈନିକ ଆଶାର ପ୍ରକାଶକ, ସମ୍ପାଦକ । ସେ କିଛି କାଳ ପୌରପାଳିକାର ଉପ-ନଗରପାଳ ଦାୟିତ୍ୱ
ସମ୍ପାଦନ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଭୂମିକା ଅନନ୍ୟ । ଦ୍ୱିତୀୟତଃ,
ସତ୍ୟନାରାୟଣ ମନ୍ଦିର ସଂଲଗ୍ନ ବାସଗୃହ ପି.ଭି.ଜଗନ୍ନାଥ ରାଓଙ୍କ ପୈତୃକ ସମ୍ପତ୍ତି । ଜଗନ୍ନାଥ
ରାଓ ଷଷ୍ଠ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ
ପଦ ପାଇଥିଲେ । ତୃତୀୟତଃ, ପ୍ରାୟ ମଧ୍ୟଭାଗରେ ପୂର୍ବତନ ରାଜ୍ୟ ମୁଖ୍ୟଶାସନ ସଚ଼ିବ ଆଦିତ୍ୟ
ପ୍ରସାଦ ପାଢ଼ୀ ଓ ତାଙ୍କରି ପିତା ଡ଼ାକ୍ତର ନୃସିଂହ ଚ଼ରଣ ପାଢ଼ୀଙ୍କ ପୈତୃକ ବାସଭବନ । ଆଦିତ୍ୟ
ପ୍ରସାଦ ପାଢ଼ୀଙ୍କ ବିଦ୍ୟାଳୟ ଶିକ୍ଷା ବ୍ରହ୍ମପୁରରେ କଟିଥିଲା । ତାଙ୍କରି ଚାକିରୀକାଳରେ
ରାମଲିଙ୍ଗ ବନ୍ଧ ନବୀକରଣ ପ୍ରସ୍ତାବ କାର୍ଯ୍ୟକାରୀ ସ୍ତରକୁ ଆସିଥିବାରୁ ଏହାର ଶ୍ରେୟରୁ ତାଙ୍କୁ
ବଞ୍ଚିତ କରାଯାଇ ନପାରେ । ରଥ ଓ ପାଢ଼ୀଙ୍କ ବାସଗୃହଗୁଡ଼ିକ ପରବର୍ତ୍ତୀ ଅବସ୍ଥାରେ ବିକ୍ରୀ
ହୋଇଯାଇଛି । ରାଓଙ୍କ ବାସଭବନରେ ଏକାଂଶରେ ତାଙ୍କରି
ଉତ୍ତରାଧିକାରୀମାନେ ବସବାସ କରୁଛନ୍ତି । ଅନ୍ୟତକ ବ୍ୟବସାୟିକ ସଂସ୍ଥାକୁ ଭଡ଼ା ଲଗାଯାଇଛି ।
ଓଡ଼ିଆ ଶବ୍ଦକୋଷରେ ବନ୍ଧ ଶବ୍ଦର ଅର୍ଥ ‘ହୁଡ଼ାଦିଆ ପୋଖରୀ’ ଓ ‘ପୁଷ୍କରିଣୀ’ର ଅର୍ଥ ‘ପଦ୍ମପୂର୍ଣ୍ଣ ସରୋବର’ । ରାମଲିଙ୍ଗ ବନ୍ଧ ନବୀକରଣ ପରେ ଏହାର ହୁଡ଼ାରେ ବ୍ୟାପକ କଂକ୍ରିଟ ନିର୍ମାଣ କରାଯାଇଛି, ବନ୍ଧରେ ପାଣି ମଧ୍ୟରେ ଦେବତାଙ୍କ ମୂର୍ତ୍ତି ସ୍ଥାପନ ସାଙ୍ଗକୁ ନୌକାରେ ଜଳବିହାରର ଯୋଜନା କରାଯାଇଛି । ଆଧୁନିକ ରୁଚ଼ି ଦୃଷ୍ଟିରୁ ଏହା ଏକ ଧରଣର ‘ୱାଟର ପାର୍କ’ ପ୍ରତୀୟମାନ ହେବ । ତେବେ ‘ବନ୍ଧ’, ‘ପୁଷ୍କରିଣୀ’ରୁ ‘ଜଳାଶୟ’ସ୍ତରକୁ ରୂପାନ୍ତରିତ ହୋଇଛି ବୋଲି କହିବାକୁ ହେବ ।
(‘ଅନୁପମ ଭାରତ’ / ୨ ଜାନୁୟାରୀ ୨୦୨୧/ ପୃଷ୍ଠା : ୮)
No comments:
Post a Comment