Friday, January 29, 2021

Social Media / ସୋସିଆଲ ମିଡ଼ିଆ




କୋଭିଡ଼-୧୯ ମହାମାରୀଜନିତ ଜନପଦ ବନ୍ଦ ଲକଡ଼ାଉନ ପରିବେଶରେ ଭାରତୀୟ ସାମାଜିକ ଆଙ୍ଗିକରେ ସଂଘଠିତ ବିଭିନ୍ନ ପରିବର୍ତ୍ତନ ମଧ୍ୟରେ ଜନସାଧାରଣଙ୍କ ସ୍ମାର୍ଟଫୋନ ବ୍ୟବହାର ସମୟ ଅବଧି ବୃଦ୍ଧି ଅନ୍ୟତମ ଉଲ୍ଲେଖନୀୟ ବିଷୟ । ଏକ ଖ୍ୟାତନାମା ଗବେଷଣା ସଂସ୍ଥା ପକ୍ଷରୁ ପ୍ରକାଶିତ ବିବରଣୀ ଅନୁଯାୟୀ ୨୦୨୦ରେ ଏଠାକାର ସ୍ମାର୍ଟଫୋନ ଉପଭୋକ୍ତାମାନେ ହାରାହାରି ଦୈନିକ ଚାରିଘଣ୍ଟା ୩୬ ମିନଟ ଯାଏଁ ମୋବାଇଲ ବ୍ୟବହାର କରୁଥିଲେ ।

 

ମହାମାରୀରେ ଦୀର୍ଘ ସମୟ ବ୍ୟାପୀ ଗୃହାବଦ୍ଧ ତଥା ସଂକ୍ରମଣ ଭୟରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ଅଭ୍ୟାସରେ ମୋବାଇଲ ଫୋନରେ କଥାବାର୍ତ୍ତା ସାଙ୍ଗକୁ ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନ ଓ ମନୋରଞ୍ଜନ ଇତ୍ୟାଦି ଯୋଡ଼ି ହୋଇଯିବା ଯୋଗୁଁ ବ୍ୟବହାର ବୃଦ୍ଧି ପାଇଥିବା ମୁଖ୍ୟ କାରଣ ରୂପେ ଧରି ନିଆଯାଏ । ହିସାବ ଅନୁଯାୟୀ ୨୦୧୯ ସୁଦ୍ଧା ଉପଭୋକ୍ତା ପିଚ୍ଛା ହାରାହାରି ଦୈନିକ ତିନିଘଣ୍ଟା ୧୮ ମିନଟ ଥିବା ସ୍ଥଳେ ୨୦୨୦ରେ ବାର୍ଷିକଭିତ୍ତିରେ ୩୯ ପ୍ରତିଶତ ବୃଦ୍ଧି ପାଇଥିଲା ।

 

ଭାରତରେ ଫେସବୁକ ଓ ହ୍ୱାଟସଆପ ସର୍ବାଧିକ ବ୍ୟବହୃତ ସୋସିଆଲ ମିଡ଼ିଆ ଆପ୍ଲିକେସନ । ପ୍ରତ୍ୟେକ ଉପଭୋକ୍ତା ହାରାହାରି ମାସିକ ୨୧ ଘଣ୍ଟା ୧୮ ମିନଟ ଯାଏଁ ଏହି ଦୁଇ ଆପରେ ସମୟ ବିନିଯୋଗ କରିଥାନ୍ତି । ଫେସବୁକ ବ୍ୟବହାର ୨୦୧୯ ତୁଳନାରେ ୨୦୨୦ରେ ୧୫ ପ୍ରତିଶତ ଏବଂ ହ୍ୱାଟସଆପ ୨୫ ପ୍ରତିଶତ ବୃଦ୍ଧି ପାଇଥିଲା ।

 

ଜାତୀୟସ୍ତରରେ ଦୀର୍ଘ ସମୟଧରି ସ୍ମାର୍ଟଫୋନ ବ୍ୟବହାର ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ଊଣାଅଧିକେ #ବ୍ରହ୍ମପୁର ସହରବାସୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତରେ ପ୍ରାୟ ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ଗଣତି କରାଯାଏ । ସହରାଞ୍ଚଳରେ ୪୨ ପ୍ରତିଶତ ଯାଏଁ ପରିବାର ଇଣ୍ଟରନେଟ ସଂଯୁକ୍ତଥିବା ତଥା ୩୦ରୁ ୩୫ ପ୍ରତିଶତ ଜନସାଧାରଣ ସ୍ମାର୍ଟଫୋନ ବ୍ୟବହାର କରୁଥିବା ହିସାବକୁ ବିଚାରକୁ ନେଲେ ବ୍ରହ୍ମପୁରରେ ଏକଲକ୍ଷ ୩୫ ହଜାରରୁ ୪୨ ହଜାର ଯାଏଁ ସ୍ମାର୍ଟଫୋନ ଉପଭୋକ୍ତା ଆକଳନ କରାଯାଇପାରେ । ସେମାନଙ୍କ ମଧ୍ୟରୁ ପ୍ରାୟ ଅଶୀ ପ୍ରତିଶତ ନିୟମିତ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ତଥ୍ୟରୁ ବ୍ରହ୍ମପୁରରେ ମାସିକଭିତ୍ତିରେ ସକ୍ରିୟ ମନଥିଲି ଏକ୍ଟିଭଙ୍କ ସଂଖ୍ୟା ଏକ ଲକ୍ଷ ପାଞ୍ଚ ହଜାରରୁ ଏକ ଲକ୍ଷ ବାର ହଜାର ।

 

ଅର୍ଥାତ ସହରର ଏକ ଚତୁର୍ଥାଂଶ ନାଗରିକଙ୍କ ସହ ସୋସିଆଲ ମିଡ଼ିଆ ଦ୍ୱାରା ସୂଚନା, ସମ୍ୱାଦ ଓ ଅଭିମତ ଆଦାନ ପ୍ରଦାନ ସଂଭବ । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରେ ଟେଲିଭିଜନ ସହରର ୯୦ ପ୍ରତିଶତରୁ ଅଧିକ ପରିବାରଙ୍କଠାରେ ପହଞ୍ଚି ସାରିଥିବା ସ୍ଥଳେ ସୋସିଆଲ ମିଡ଼ିଆ ଯୋଗାଯୋଗ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅବତୀର୍ଣ୍ଣଜନଗଣନାରେ ୬୦ ପ୍ରତିଶତ ୩୫ ବର୍ଷରୁ କମ ବୟସ୍କ ପର୍ଯ୍ୟାୟଭୁକ୍ତ ତଥା ଯୁବବର୍ଗ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆରେ ଅଧିକମାତ୍ରାରେ ସଂଯୁକ୍ତ ରହୁଥିବା ହେତୁ ସହରର ସାମୂହିକ ବିକାଶ ନିମନ୍ତେ ସକଳ କାର୍ଯ୍ୟକ୍ରମରେ କ୍ରମଶଃ ସୋସିଆଲ ମିଡ଼ିଆ ମଞ୍ଚର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡୁଥିବା ବିଚାର କରାଯାଇପାରେ ।

 

ସହରର ପରିମଳରକ୍ଷା, ପରିବେଶ ସଂରକ୍ଷଣ, ପୌରସେବା, ପ୍ରଶାସନ ଓ ସୁରକ୍ଷାଜନିତ କାର୍ଯ୍ୟକ୍ରମମାନ ପରିଚାଳନା କ୍ଷେତ୍ରରେ ସୂଚନା ପ୍ରସାରଣ ଓ ପାରସ୍ପରିକ ଯୋଗାଯୋଗ ଅପରିହାର୍ଯ୍ୟ । ବାଣିଜ୍ୟ କ୍ଷେତ୍ରରେ ଇ-କମର୍ସ ମଞ୍ଚଗୁଡ଼ିକ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାରରେ ଆଗୁଆ ରହି ଥିବା ସ୍ଥଳେ ସରକାରଙ୍କ ପ୍ରଶାସନିକ କାର୍ଯ୍ୟାବଳୀ ମଧ୍ୟ କ୍ରମଶଃ ଅନଲାଇନ ପରିବେଶରେ ପହଞ୍ଚିଲାଣି । ତେବେ କ୍ଷୋଭର ବିଷୟ ଏହିଯେ ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବା କ୍ଷେତ୍ରରେ ସୋସିଆଲ ମିଡ଼ିଆ ଉପଯୋଗର ଉଦାହରଣ ପ୍ରାୟତଃ ବିରଳ । ସାଧାରଣ ଜୀବନଯାତ୍ରାରେ ପାରସ୍ପରିକ ସାହାଯ୍ୟ-ସହଯୋଗ ଓ ସାମୂହିକ ସାଂଗଠିନକ ଉଦ୍ୟମ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବା ସ୍ଥଳେ ସମକାଳୀନ ସହରୀଜୀବନରେ ସେଥିପ୍ରତି ଆମେ ଅଗ୍ରାଧିକାର ଦେଇ ପାରୁନଥିବା ସାମାଜିକ ତୃଟି ରୂପେ ବିଚାର କରାଯାଇପାରେ ।

 

ସ୍ମାର୍ଟଫୋନରେ ପ୍ରତ୍ୟେକ ଉପଭୋକ୍ତା ୨୦୨୦ ବର୍ଷକ ମଧ୍ୟରେ ହାରାହାରି ପ୍ରାୟ ଦୁଇ ମାସ ନଅ ଦିନ କଟାଇଥିବା ଏବଂ ସେଥିମଧ୍ୟରୁ ବହୁ ସମୟ ସୋସିଆଲ ମିଡ଼ିଆରେ ଉପସ୍ଥିତ ରହିଥିବା ପରିସଂଖ୍ୟାନ ପରିବର୍ତ୍ତିତ ପରିସ୍ଥିତିରେ ଜନଜୀବନକୁ ମୋବାଇଲ ପ୍ରଭାବିତ କରୁଥିବା ସୁସ୍ପଷ୍ଟ । ସୋସିଆଲ ମିଡ଼ିଆର ସମୁଚିତ ଉପଯୋଗରେ ସହରର ସାମାଜିକ ଜୀବନ ପରିପୁଷ୍ଠ କରାଇବା ଦିଗରେ ସର୍ଜନଶୀଳ ପ୍ରକଳ୍ପମାନ ପ୍ରଯୋଜନା ସମୟର ଆହ୍ୱାନ ।


(ଅନୁପମ ଭାରତ / ୩୦ ଜାନୁୟାରୀ ୨୦୨୧/ ପୃଷ୍ଠା : ୮)


Illustration : "Social Media" by magicatwork is licensed under CC BY 2.0

No comments:

Post a Comment