Friday, January 15, 2021

Local Issues / ସ୍ଥାନୀୟ ସମସ୍ୟା


ସମାଜରେ ମୁଖ୍ୟତଃ ଦୁଇ ଶ୍ରେଣୀର ସମସ୍ୟାରେ ଜନଜୀବନ ଭାରାକ୍ରାନ୍ତ ହୋଇଥାଏ
। ଗୋଟିଏ ବ୍ୟକ୍ତିଗତ ଓ ଅନ୍ୟଟି ସାମୂହିକ । #ବ୍ରହ୍ମପୁର ସହରର ସମସ୍ୟା ଏଠାରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରେ । ବ୍ୟକ୍ତିଗତ ସମସ୍ୟା ସମାଧାନ ଲାଗି ଆମେ ଅହରହ ସଂଗ୍ରାମ କରୁଥିବା ସ୍ଥଳେ ସାମୂହିକ ସମସ୍ୟାବଳୀ ସମାଧାନରୁ ସାଧାରଣରେ ଦୂରେଇ ଯାଉ । ତେବେ ସାମୂହିକ ସମସ୍ୟାର ସମାଧାନରେ ବହୁ ବ୍ୟକ୍ତିଗତ ସମସ୍ୟା ଉପଶମ ଯେ ସମ୍ଭବ, ଏକଥା ଭୂଲି ଯାଉ ।

 

ବ୍ୟକ୍ତିଗତ ସମସ୍ୟା ନିଜ କିମ୍ୱା ପାରିବାରିକସ୍ତରରେ ଚ଼ିହ୍ନଟ ହେବାପରେ ତାହାର ସମାଧାନର ସୂତ୍ରାବଳୀ ନିର୍ଦ୍ଧାରିତ ହୁଏ । କିନ୍ତୁ ସାମୂହିକ ସମସ୍ୟାଗୁଡ଼ିକ ଚ଼ିହ୍ନଟ ଓ ସମାଧାନ ଲାଗି ସାମାଜିକସ୍ତରରେ ଉଦ୍ୟମ ଆବଶ୍ୟକ ପଡ଼େ । ବ୍ରହ୍ମପୁର ସହରର ସମସ୍ୟା ଚ଼ିହ୍ନଟ ନିମନ୍ତେ ବିଧିବଦ୍ଧ ଉଦ୍ୟମ ଅଭାବ ଅନୁଭୂତ ହୁଏ । ସାଧାରଣତଃ ସମାଜର ନେତୃସ୍ଥାନୀୟ ବ୍ୟକ୍ତିବୃନ୍ଦ ସାମୂହିକ ସମସ୍ୟାବଳୀ ଲୋକଲୋଚନକୁ ଆଣିଥାନ୍ତି । ପାରସ୍ପରିକ ଆଳାପ ଆଲୋଚ଼ନାରୁ ସଭାସମିତି, ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ସେ ସମ୍ପର୍କରେ ଚର୍ଚ୍ଚିତ ହୋଇଥାଏ । ସାମାଜିକ ସଂଗଠନ ଓ ରାଜନୀତି ଦଳ ଗୁଡ଼ିକ ସାମୂହିକ ସମସ୍ୟାର ସମାଧାନକଳ୍ପେ ପ୍ରଶାସନିକସ୍ତରରେ ଦରଖାସ୍ତ, ଦାବୀ ଉପସ୍ଥାପନ ଏବଂ ଆବଶ୍ୟକ ସ୍ଥଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ଲାଗି ସମାବେଶ, ବିକ୍ଷୋଭ ଓ ଆନ୍ଦୋଳନ ଆୟୋଜନ କରିଥାନ୍ତି ।

 

ସ୍ଥାନୀୟ ସମସ୍ୟାବଳୀ ଚର୍ଚ୍ଚାରେ ନେତୃତ୍ୱ ଜାହିର କରିବା ନିମନ୍ତେ ସୁଯୋଗ ମିଳେ । ତେଣୁ ଏହି ଦିଗରେ ରୁଚି ରଖୁଥିବା ଉଦୀୟମାନ ନେତୃବର୍ଗ ସାମାଜିକ ସମସ୍ୟାଗୁଡ଼ିକ ପ୍ରତି ତୀକ୍ଷଣ ଦୃଷ୍ଟି ରଖିଥାନ୍ତି । ସମସ୍ୟାର ଗୁରୁତ୍ୱ ଏବଂ ସମସ୍ୟା ସମାଧାନ ସମ୍ଭାବନା ସର୍ବସାଧାରଣରେ ନେତୃତ୍ୱର ପରାକାଷ୍ଠା ପ୍ରମାଣିତ କରିଥାଏ । ଯୁବ ନେତୃବର୍ଗ ସାମାଜିକ ସ୍ୱୀକୃତି ଅପେକ୍ଷାରତ ଥିବା ହେତୁ ସାମୂହିକ ସମସ୍ୟାବଳୀ ଚ଼ିହ୍ନଟ ଓ ସେଗୁଡ଼ିକର ସମାଧାନଲାଗି ଯୋଜନାବଦ୍ଧ ଉଦ୍ୟମ ଅପେକ୍ଷାରେ ରହିଥାନ୍ତି ।

 

ବ୍ରହ୍ମପୁରର ସମସ୍ୟା କ୍ରମଶଃ ରାଜନୀତିକ ବିଷୟବସ୍ତୁ ‘ପଲିଟିକାଲ ଇସ୍ୟୁ’ ରୂପେ ଗ୍ରହଣ କରାଯାଉଥିବା ହେତୁ ଦଳୀୟ ନିଷ୍ପତ୍ତି ଛାଇରେ ସ୍ଥାନୀୟ ଅଭାବ ଅସୁବିଧା ହଜିଯାଉଛି । ଏହି କ୍ଷେତ୍ରରେ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଚେଷ୍ଟା ଆଶାନୁରୂପକ ସ୍ତରରେ ପହଞ୍ଚି ପାରୁ ନାହିଁ । ବିଶେଷଜ୍ଞମାନଙ୍କ ମତରେ ମହାମାରୀ-ପର ଅବସ୍ଥାରେ ସାମାଜିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସଂଭବପର । ତେବେ ଏଦିଗରେ ପୂର୍ବପ୍ରସ୍ତୁତି ଗୁରୁତ୍ୱ ବହନ କରେ । ସହରର ଗଭୀର ଆଞ୍ଚଳିକସ୍ତରରେ ଅର୍ଥାତ ସାହୀବସ୍ତିରେ ବିଭିନ୍ନ ସମସ୍ୟା, ଯଥା : ପରିମଳ, ଜଳ ଯୋଗାଣ, ରାସ୍ତାଘାଟ, ଜବରଦଖଲ, ବାହ୍ୟ ମଳତ୍ୟାଗ, ବୃକ୍ଷରୋପଣ ଓ ନାଗରିକ ସୁରକ୍ଷା ଭଳି ସୁବିଧା ଅସୁବିଧା ବ୍ୟକ୍ତିଗତ ତଥା ସାମୂହିକ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିଥାଏ । ଛୋଟବଡ଼ ସମସ୍ୟା ଚ଼ିହ୍ନଟ କରି ତାହାର ସମାଧାନର ସୂତ୍ର ନିର୍ଦ୍ଧାରଣ ସଂପୃକ୍ତ ଅଞ୍ଚଳବାସୀଙ୍କ ବିଚାରବିମର୍ଷ ପରିସରଭୁକ୍ତ ହେବା ଆବଶ୍ୟକ । ତେଣିକି ଯାଇ ସମାଧାନର ସୂତ୍ର ଖୋଜାଯାଇପାରେ ।

 

ରାଜ୍ୟରେ ୨୦୨୧ରେ ପୌର ନିର୍ବାଚନ ଆୟୋଜନ ଆଶା କରାଯାଉଥିବା ହେତୁ ଅନ୍ୟାନ୍ୟ ସହର ସମେତ ବ୍ରହ୍ମପୁରରେ ତୃଣମୂଳସ୍ତରରେ ରାଜନୀତିକ ତତ୍ପରତା ଦେଖାଦେବା ସ୍ୱାଭାବିକ । ଏହି ଅବସରରେ ସହରର ବିଭିନ୍ନ ଅଞ୍ଚଳର ସାମାଜିକ ସମସ୍ୟାମାନ ଆଲୋଚିତ ହେବ । ନେତୃବର୍ଗ ସମସ୍ୟା ସମାଧାନର ପ୍ରତିଶୃତି ଦେବେ । ସ୍ଥାନୀୟ ସମସ୍ୟାଗୁଡ଼ିକ ଚ଼ିହ୍ନଟ କରି ଲୋକଲୋଚନକୁ ଆଣିବା ନିମନ୍ତେ ଏହା ଏକ ବଡ଼ ସୁଯୋଗ । କାରଣ ପୌର ନିର୍ବାଚନ ପରେ ପରବର୍ତ୍ତୀ ନିର୍ବାଚନ ଯାଏଁ ସ୍ଥାନୀୟ ସମସ୍ୟାବଳୀ କ୍ୱଚିତ ଆଲୋଚନା ପରିସରକୁ ଆସିଥାଏ । ଅପରପକ୍ଷରେ ସ୍ଥାନୀୟ ସମସ୍ୟାହିଁ ଆମ ବ୍ୟକ୍ତିଗତ ଓ ପାରିବାରିକ ଜୀବନଯାତ୍ରାକୁ ମାତ୍ରାଧିକ ପ୍ରଭାବିତ କରେ ।

 

ମନେ ରଖିବାକୁ ହେବ ଯେ ନିର୍ବାଚନ ସମସ୍ୟା ଆଲୋଚ଼ନାର ବେଳ । ଏହି ଅବକାଶରେ ପ୍ରକୃତ ସାମାଜିକ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ ନକରାଯାଇ ପାରିଲେ ଆପ୍ରସାଙ୍ଗିକ, ଅଯୌକ୍ତିକ ତଥା କାଳ୍ପନିକ ସମସ୍ୟାବଳୀ ଚର୍ଚ୍ଚାର ବିଷୟ ପାଲଟିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ !


Photo by : "Orange sunset" by @Doug88888 is licensed under CC BY-NC-SA 2.0

No comments:

Post a Comment