#ବ୍ରହ୍ମପୁର ସହରର ଇତିହାସରେ ବିଷୁବ ସଂକ୍ରାନ୍ତି ତିଥିରେ ‘ଆଶା’ ସମ୍ୱାଦପତ୍ର ପ୍ରକାଶନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ‘ଦୈନିକ ଆଶା’ ଓଡ଼ିଆ ଭାଷାରେ ପ୍ରଥମ ଦୈନିକ ସମ୍ୱାଦପତ୍ର । ୧୯୧୩ ମସିହାରେ ଆତ୍ମପ୍ରକାଶ କରିଥିବା ସାପ୍ତାହିକ ‘ଆଶା’ ପନ୍ଦର ବର୍ଷ ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇ ୧୯୫୨ ଯାଏଁ ପ୍ରକାଶନ ଜାରୀ ରଖିଥିଲା । ମୂଳ ‘ଆଶା’ ଓ ‘ଦୈନିକ ଆଶା’ର ପ୍ରତିଷ୍ଠାତା ସମ୍ପାଦକ ଶଶିଭୂଷଣ ରଥ ।
ସ୍ୱାଧୀନୋତ୍ତର ଗଞ୍ଜାମର ଅନ୍ୟତମ ରାଜନୀତିଜ୍ଞ ବୃନ୍ଦାବନ ନାୟକଙ୍କ ଉଦ୍ୟମରେ ୧୯୮୨ରେ ‘ଦୈନିକ ଆଶା’ ପୁନଃସଂସ୍ଥାପିତ ହୋଇଥିଲା । ଗଞ୍ଜାମ ଜନ୍ମିତ ବର୍ଷିଆନ ସାମ୍ୱାଦିକ ଶ୍ରୀହର୍ଷ ମିଶ୍ର ଏହାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।
ଶ୍ରୀହର୍ଷ ମିଶ୍ର ଛାତ୍ରାବସ୍ଥାରେ ପାରଳାଖେମୁଣ୍ଡି ମହାରାଜା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କାଳରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଜେଲ ଦଣ୍ଡ ଆଦେଶ ପାଇଥିଲେ । ବାଳବନ୍ଦୀ ହିସାବରେ ତାଙ୍କୁ ରାଜ୍ୟବାହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବାବସ୍ଥାରେ ସେ ଜେଲରୁ ମୁକୁଳିବା ବେଳକୁ ଓଡ଼ିଶା ଫେରିବା ପାଇଁ ବାଟଖର୍ଚ୍ଚ ବାବଦରେ କିଛି ଟଙ୍କା ତତ୍ କାଳୀନ ‘ସମାଜ’ର ସମ୍ପାଦକ ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କ ନିକଟକୁ ଜେଲ ଠିକଣାରେ ପଠାଇଥିଲେ । ଶ୍ରୀହର୍ଷ ମିଶ୍ର ଗଞ୍ଜାମ ଫେରିବାପରେ ରାଧାନାଥ ରଥଙ୍କୁ ଦେଖା କରିବା ନିମନ୍ତେ କଟକ ଯାଇଥିଲେ । ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କୁ ‘ସମାଜ’ରେ ସହ-ସମ୍ପାଦକଭାବେ ଯୋଗ ଦେବାକୁ କହିଥିଲେ । ଶ୍ରୀହର୍ଷ ମିଶ୍ରଙ୍କ ପାଠ ପଢ଼ାରେ ତ ଡ଼ୋର ବନ୍ଧା ସରିଥିଲା, ସ୍ୱାଧୀନତା ସଂଗ୍ରାମ ଛଡ଼ା ଅନ୍ୟ କୌଣସି ସଂପୃକ୍ତି ନଥିବା ହେତୁ ସେ ‘ସମାଜ’ରେ ରହିଗଲେ । ଦୀର୍ଘକାଳ ଧରି କଟକରେ ସାମ୍ୱାଦିକତା ଅବସରରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ର ସମ୍ପାଦକ ରୂପେ କାର୍ଯ୍ୟକରି ବୃନ୍ଦାବନ ନାୟକଙ୍କ ନିମନ୍ତ୍ରଣକ୍ରମେ ବ୍ରହ୍ମପୁରରେ ନବପ୍ରତିଷ୍ଠିତ ‘ଦୈନିକ ଆଶା’ର ସମ୍ପାଦକ ଭାବେ ଯୋଗ ଦେଇଥିଲେ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତତ୍ କାଳୀନ ସିଣ୍ଡିକେଟ ସଦସ୍ୟ ତଥା ରାଜନୀତିଜ୍ଞ ରାମ ଚନ୍ଦ୍ର ରଥଙ୍କ ଉଦ୍ୟମକ୍ରମେ ଓଡ଼ିଶାରେ ପ୍ରଥମ କରି ସାମ୍ୱାଦିକତା ଶିକ୍ଷା ନିମନ୍ତେ ବର୍ଷିକିଆ ଡ଼ିଗ୍ରୀ କୋର୍ସ ୧୯୭୪ରେ ପ୍ରବର୍ତ୍ତିତ ହୋଇଥିଲା । ସାମ୍ୱାଦିକତା ଅଧ୍ୟୟନ କରି ଉର୍ତ୍ତୀର୍ଣ୍ଣ ହୋଇଥିବା ଦଳେ ସ୍ଥାନୀୟ ଯୁବକ ‘ଦୈନିକ ଆଶା’ ସମ୍ପାଦନା ବିଭାଗରେ ଯୋଗ ଦେଇଥିଲେ । ପ୍ରତିଷ୍ଠିତ ସାମ୍ୱାଦିକ ଶ୍ରୀନିବାସ ଆୟଙ୍ଗାର ଓ ଅଭିଜ୍ଞ ମୁଦ୍ରଣଶିଳ୍ପ ପରାମର୍ଶଦାତା ତାରା ପ୍ରସାଦ ପାଢ଼ୀଙ୍କ ଦିଗଦର୍ଶନରେ ପ୍ରଶିକ୍ଷିତ ଯୁବ ସାମ୍ୱାଦିକମାନଙ୍କ ଉଦ୍ୟମରେ ସ୍ଥାନୀୟ ସମ୍ୱାଦ ପରିବେଷଣ କ୍ଷେତ୍ରରେ ‘ଦୈନିକ ଆଶା’ ଓଡ଼ିଆ ସାମ୍ୱାଦିକତାରେ ଏକ ନୂତନ ଯୁଗର ଅୟମାରମ୍ଭ କରିଥିଲା ।
ସେତେବେଳକୁ କଟକରୁ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି ତଥା ଭୁବନେଶ୍ୱରରୁ ଧରିତ୍ରୀ, ସ୍ୱରାଜ୍ୟ, ପ୍ରଗତିବାଦୀ ସହ ଅନ୍ୟ କେତେକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥାଏ । କଟକରେ କଟକ ସହରର ଖବର ପ୍ରତିଦିନ ସନ୍ଧ୍ୟାରେ ସମ୍ୱାଦପତ୍ରରୁ ପଢ଼ିବାର ଅନୁଭୂତି ବ୍ରହ୍ମପୁରରେ ମିଳିବାପରେ ସ୍ଥାନୀୟ ପାଠକ ଉତ୍ସାହିତ ହୋଇପଡ଼ିଥିଲେ । ଗଞ୍ଜାମର ଅନ୍ୟାନ୍ୟ ସହରରେ ତତ୍ ପରବର୍ତ୍ତୀ ପ୍ରଭାତରେ ପହଞ୍ଚୁଥିବା ‘ଦୈନିକ ଆଶା’ ପୃଷ୍ଠାରେ ସ୍ଥାନୀୟ ସମ୍ୱାଦ ପ୍ରକାଶନ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ଜନଜୀବନରେ ଏକ ନୂତନ ସମୀକରଣ ସୃଷ୍ଟି କରିଥିଲା । ସୁଦୂର କଟକ, ଭୁବନେଶ୍ୱର, କୋଲକତାରୁ ପ୍ରକାଶିତ ସମ୍ୱାଦପତ୍ରରେ ନିଜ ଗ୍ରାମର ନାମ କେବେ ଦେଖିନଥିବା ଜନସାଧାରଣଙ୍କ ପାଇଁ ସ୍ଥାନୀୟ ସମ୍ୱାଦ ପ୍ରକାଶନର ପାଠକୀୟ ଅନୁଭୂତି ‘ଦୈନିକ ଆଶା’ର ଲୋକପ୍ରିୟତାର ମୂଳ ପୁଞ୍ଜି ପାଲଟିଥିଲା ।
ତେବେ ସମୟର ଗତି ବିଚ଼ିତ୍ର । ‘ଦୈନିକ ଆଶା’ ପୁନଃସଂସ୍ଥାପନାର ଦୁଇ ବର୍ଷ ପୁରୁ ପୁରୁ ବୃନ୍ଦାବନ ନାୟକ ଓ ଶ୍ରୀହର୍ଷ ମିଶ୍ରଙ୍କ ଅକସ୍ମାତ ପରଲୋକ ଘଟିଲା । ସମ୍ୱାଦପତ୍ର ପରିଚାଳନା ସହ ସଂପୃକ୍ତ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ବିଭିନ୍ନ କାରଣରୁ ଦାୟିତ୍ୱରୁ ଅପସରିଗଲେ । ‘ଦୈନିକ ଆଶା’ର ସ୍ଥାନୀୟ ସାମ୍ୱାଦିକତାର ସଫଳତାରେ ଉଦବୁଦ୍ଧ ‘ସମ୍ୱାଦ’ ୧୯୮୯ରେ ବ୍ରହ୍ମପୁର ସଂସ୍କରଣ ଆରମ୍ଭ ହେଲା । ବ୍ରହ୍ମପୁର ଭାପୁର ବଜାର ପ୍ରଥମ ମିଲଟରୀ ଲାଇନ୍ସ ମୂଳ ଅଧିବାସୀ ପ୍ରସାଦ ରାଓଙ୍କ ନେତୃତ୍ୱରେ ସ୍ଥାନୀୟ ମୁଦ୍ରାକର କାଳିଚ଼ରଣ ପଣ୍ଡାଙ୍କ ଲକି ଅଫସେଟରେ ମୁଦ୍ରିତ ‘ସମ୍ୱାଦ’କୁ କ୍ରମଶଃ ‘ଦୈନିକ ଆଶା’ର ଲୋକପ୍ରିୟତା ଅପସାରିତ ହୋଇଥିଲା । ୧୯୯୮ର ମହାବାତ୍ୟାରେ ‘ଦୈନିକ ଆଶା’ର ମୁଦ୍ରଣଶାଳା ବ୍ୟାପକ କ୍ଷୟକ୍ଷତି ସମ୍ମୁଖୀନ ହେବାପରେ ଏହାର ପ୍ରକାଶନ ଅନିୟମିତ ହୋଇପଡ଼ିଥିଲା ।
ବିଂଶ ଶତାଦ୍ଦୀ ଶେଷ ଦଶକ ଦ୍ୱିତୀୟର୍ଦ୍ଧରେ ‘ଅନୁପମ ଭାରତ’ ପ୍ରକାଶନ ପରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ‘ଧରିତ୍ରୀ’, ‘ସମାଜ’, ‘ଓଡ଼ିଶା ଭାସ୍କର’, ‘ପ୍ରତିଦିନ’, ‘ପ୍ରମେୟ’, ‘ନିତିଦିନ’ ଓ ‘ସକାଳ’ ଭଳି ଦଶଗୋଟି ଦୈନିକ ଓଡ଼ିଆ ସମ୍ୱାଦପତ୍ରର ବ୍ରହ୍ମପୁର ସଂସ୍କରଣ ପ୍ରକାଶିତ ହେଉଛି । ତେବେ ଏତେ ସମ୍ୱାଦପତ୍ରର ଭିଡ଼ରେ ସାଧାରଣ ନାଗରିକଟିଏ ଯେ ଚ଼ଳନ୍ତି ଘଟଣା ପ୍ରବାହ ଜାଣିବା ପାଇଁ ମୋବାଇଲ ଫୋନ ପରଦାରେ ‘ଫେସବୁକ’ ବା ଟେଲିଭିଜନ ‘ଆପ’କୁ ଖୋଜୁଛି, ତା’ପର ଦିନ ସକାଳ ଯାଏଁ ଅପେକ୍ଷା କରିବାକୁ ତର ସହୁ ନାହିଁ ଏବଂ ନିଜର ବ୍ୟକ୍ତିଗତ ଅଭାବ ଅଭିଯୋଗ ଦରଜ କରିବା ନିମନ୍ତେ ସମ୍ୱାଦପତ୍ରର ଦଶରୁ କୋଡ଼ିଏ ପୃଷ୍ଠାରେ ସ୍ଥାନ ଖଣ୍ଡେ ପାଇପାରୁ ନାହିଁ – ୨୦୨୧ରେ ବିଷୁବ ସଂକ୍ରାନ୍ତି ପାଳନ ବେଳକୁ ଏହିଭଳି ଘଟଣାକ୍ରମ ହୁଏତ ସ୍ଥାନୀୟ ସାମ୍ୱାଦିକତାରେ ଏକ ବଡ଼ ଧରଣର ପରିବର୍ତ୍ତନର ଆଭାସ ଦିଏ !
No comments:
Post a Comment