#ବ୍ରହ୍ମପୁର ମନୋଜ ଦାସଙ୍କ ପାଇଁ ଥିଲା
ଏକ ଅତିଥ୍ୟର ସହର । ବାଲେଶ୍ୱର ଜିଲ୍ଲାରେ ଜନ୍ମିତ ମନୋଜ ଦାସ ବାଲେଶ୍ୱର, ପୁରୀ ଓ କଟକରେ
ଅଧ୍ୟୟନ ସାରି ମାତ୍ର ଚାରିବର୍ଷ କଟକର ଖ୍ରୀଷ୍ଟ କଲେଜରେ ଇଂଲିଶ ଅଧ୍ୟାପନା କରି ପଣ୍ଡିଚେରୀ,
ଅଧୁନା ପଡୁଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ପରିଚାଳିତ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅବଶିଷ୍ଟ
ଜୀବନ ଅତିବାହିତ କରିଥିଲେ । ସେ ବ୍ରହ୍ମପୁରକୁ ସଭାସମିତିରେ ଯୋଗଦେବା ନିମନ୍ତେ ଛାତ୍ରାବସ୍ଥାରୁ
ବାର୍ଦ୍ଧକ୍ୟରେ ଉପନୀତ ହେବା ଯାଏଁ କମ ହେଲେ ବି ବରାବର ଆସୁଥିଲେ । ତାଙ୍କ ସହ ଦୀର୍ଘ
ସାନ୍ନିଧ୍ୟରେ ନ ଆସିପାରିଥିଲେ ସୁଦ୍ଧା ବ୍ରହ୍ମପୁରର ବୁଦ୍ଧିଜୀବୀ, ସାହିତ୍ୟିକ ଓ ଶ୍ରୀଅରବିନ୍ଦ
ଦର୍ଶନ ଅନୁରାଗୀଙ୍କ ମଧ୍ୟରୁ ବେଶ କିଛି ସଂଖ୍ୟକ ତାଙ୍କରି ରଚନା, ବକୃତା ଓ ଚିଠିପତ୍ର ମାଧ୍ୟମରେ
ଭାବଗତସ୍ତରରେ ବିଗତ ଛଅ ଦଶନ୍ଧି ଧରି ଯୋଡ଼ି ହୋଇ ରହୁଥିଲେ । ଏହି କାରଣରୁ ମନୋଜ ଦାସଙ୍କ ପରିଣତ
ବୟସରେ ଶଯ୍ୟାଶାୟୀ ଅବସ୍ଥାରେ ପରଲୋକରେ ସହରର ଏକାଂଶ ମର୍ମାହତ । ଏଦି ଦୁଃଖଦ ମୂହୁର୍ତ୍ତରେ
ଜୀବନ ଓ ମୃତ୍ୟୁ ସଂପର୍କରେ ଯାହାଠାରୁ ବ୍ୟାଖ୍ୟା ଶୁଣୁଥିଲେ ତାଙ୍କରି ନିଧନରେ ସାଧାରଣ ଲୋକଟିଏ
ବା କେଉଁଠି ଆଶ୍ୱାସନା ଖୋଜିବ ?
ବ୍ରହ୍ମପୁର ସହ
ମନୋଜ ଦାସ ମୁଖ୍ୟତଃ ତାଙ୍କରି ସାହିତ୍ୟ ଓ ସାମ୍ୱାଦିକତାର ବିମୁଗ୍ଧ ପାଠକ, ଦର୍ଶନ ବକ୍ତୃତାବଳୀର
ମୋହାଚ୍ଛନ୍ନ ଶ୍ରୋତା, ବିଶେଷକରି ଶ୍ରୀ ଅରବିନ୍ଦ ପାଠଚକ୍ରଗୁଡ଼ିକର ସଦସ୍ୟ ଏବଂ ସଚୀର୍ଥ
ସାହିତ୍ୟିକ ଗୋଷ୍ଠୀ ସହ ଦୀର୍ଘକାଳୀନ ଯୋଗସୂତ୍ର ସ୍ଥାପିତ ହୋଇଥିଲା । ଛାତ୍ରାବସ୍ଥାରେ ସେ
ସାମ୍ୟବାଦୀ ଚ଼ିନ୍ତାଧାରାରେ ଉଦବୁଦ୍ଧ ହୋଇ କମ୍ୟୁନିଷ୍ଟ ପାର୍ଟିର କାର୍ଡ ହୋଲଡ଼ର ସାଜିଥିଲେ ।
ପଞ୍ଚମ ଦଶକ ଶେଷ ଭାଗରେ ବ୍ରହ୍ମପୁରରେ ନିଖିଳ ଉତ୍କଳ ଛାତ୍ର ସଂଘର ସମ୍ମିଳନୀ ଆୟୋଜନ କାଳରେ
ସ୍ଥାନୀୟ ବାମପନ୍ଥୀଙ୍କ ସଂସ୍ପର୍ଶରେ ଆସିଥିଲେ । ବକ୍ତାଭାବେ ବ୍ରହ୍ମପୁର ଆଗମନ କାଳରେ
କମାପଲ୍ଲୀ ସରକାରୀ ଡ଼ାକବଙ୍ଗଳା, ଟାଉନହଲ ସଂଲଗ୍ନ ପୌରପାଳିକା ଗେଷ୍ଟ ହାଉସ ଏବଂ ଶେଷରେ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅତିଥି ଭବନରେ ସ୍ୱଳ୍ପକାଳ ଅବସ୍ଥାନ କରୁଥିଲେ । ୧୯୮୪ରେ କବିସୂର୍ଯ୍ୟ ରଙ୍ଗମଞ୍ଚରେ ସ୍ଥାନୀୟ ଶ୍ରୀ ଅରବିନ୍ଦ ପାଠଚକ୍ର ଦ୍ୱାରା ଆୟୋଜିତ ‘ଗୀତାର ମହତ୍ତ୍ୱ’ ଶୀର୍ଷକ ତିନି
ସନ୍ଧ୍ୟାବ୍ୟାପୀ ଭାଷଣ କାର୍ଯ୍ୟକ୍ରମ ହୁଏତ ମନୋଜ ଦାସଙ୍କ ବ୍ରହ୍ମପୁରରେ ଅନ୍ୟତମ ଦୀର୍ଘ ରହଣୀ ।
ସହରରେ ଅବସ୍ଥାନ କାଳରେ ସେ ସ୍ଥାନୀୟ ଲେଖକ, ବୁଦ୍ଧିଜୀବୀ ଓ ଶ୍ରୀ ଅରବିନ୍ଦ ଅନୁଗାମୀଙ୍କୁ
ଭେଟନ୍ତି ଏବଂ ଏହି ସାଧାରଣ ସାକ୍ଷାତ ପରବର୍ତ୍ତୀକାଳରେ ସାକ୍ଷାତକାରୀ ସହ ତାଙ୍କରି ଦୀର୍ଘକାଳୀନ
ସଂପର୍କରେ ପରିଣତ ହୋଇପଡୁଥିଲା ।
ଜଣେ ଶିକ୍ଷକ,
ସାହିତ୍ୟିକ, ସାମ୍ୱାଦିକ, ସମ୍ପାଦକ ଓ ଦାର୍ଶନିକ ଭାବେ ମନୋଜ ଦାସଙ୍କ ଜୀବନଚର୍ଯ୍ୟା ପୀଢ଼ି ପରେ
ପୀଢ଼ି ଓଡ଼ିଆ ବୁଦ୍ଧିଜୀବୀଙ୍କୁ ଅନୁପ୍ରାଣିତ କରି ଆସିଛି । ମନୋଜ ଦାସ ୧୯୬୩ରୁ ସସ୍ତ୍ରୀକ
ପୁଡୁଚେରୀରେ ଅବସ୍ଥାନ କରୁଥିଲେ । ନୂଆକରି ଗଢ଼ି ଉଠିଥିବା ଶ୍ରୀଅରବିନ୍ଦ ଆନ୍ତର୍ଜାତିକ
ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା, ଗବେଷଣା ଓ ସୃଜନ ନିମନ୍ତେ ସୁବିଧା ସୁଯୋଗ ଉପଲବ୍ଧ ରହିଥିଲା ।
ଷଷ୍ଠ ଓ ସପ୍ତମ ଦଶକ ସୁଦ୍ଧା ଫ୍ରେଞ୍ଚ ଉପନିବେଶରୁ ସଦ୍ୟ ମୁକ୍ତ ପୁଡୁଚେରୀରେ ଫ୍ରେଞ୍ଚ
ସଂସ୍କୃତିର ଛାପ ଛୋଟିଆ ସହରଟିରେ ପହଞ୍ଚିଗଲେ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ବିସ୍ତୀର୍ଣ୍ଣ ସମୁଦ୍ର
ବେଳାଭୂମି, ସହରର ମଧ୍ୟଭାଗରେ ସୁବିସ୍ତୃତ ସେଣ୍ଟ୍ରାଲ ପାର୍କ, ଫ୍ରେଞ୍ଚ ବସତିର ଗଳିରାସ୍ତା
କଳ୍ପନାବିଳାସୀ ମନୋଜ ଦାସଙ୍କ ଲେଖକ ଜୀବନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲା । ସେ ଯେ
ଦୀର୍ଘ କାଳ ସୃଜନରେ ମନୋନିବେଶ କରିବା ସୁଯୋଗ ପାଇଥିଲେ ଏହା ତାଙ୍କ ସୌଭାଗ୍ୟ କଥା । ଶ୍ରୀ
ଅରବିନ୍ଦ ଆଶ୍ରମକୁ ବିଦେଶୀ ବୁଦ୍ଧିଜୀବୀ ଓ ପର୍ଯ୍ୟଟକଙ୍କ ଆତଯାତ ଲାଗି ରହିଥାଏ । ସେମାନଙ୍କ
ସହଚ଼ର୍ଯ୍ୟରେ ମନୋଜ ଦାସଙ୍କ ସୃଜନ ପରିପୁଷ୍ଟ ଓ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ସୃଷ୍ଟିରେ ସହାୟକ
ହୋଇଥିଲା ।
ଓଡ଼ିଆ ସମ୍ୱାଦପତ୍ର
ଓ ପତ୍ରପତ୍ରିକା ନିମନ୍ତେ ସ୍ତମ୍ଭ ରଚ଼ନାରେ ମନୋଜ ଦାସ ଅଗ୍ରଗଣ୍ୟ । ଷଷ୍ଠ ଓ ସପ୍ତମ ଦଶକରେ ‘ସମାଜ’ର ରବିବାର ସାହିତ୍ୟ ପୃଷ୍ଠାରେ
ପ୍ରକାଶିତ ନିୟମିତ ସ୍ତମ୍ଭ ‘ସନ୍ଧାନ ଓ ସମୀକ୍ଷା’ ସାଧାରଣ ପାଠକଙ୍କୁ ଝରକା ସେପାଖ ପୃଥିବୀ ସଂପର୍କରେ ପରିଚିତ କରାଇବା ସଙ୍ଗେ
ଯୁବଲେଖକମାନଙ୍କୁ ସାମ୍ୱାଦିକତା ନିମନ୍ତେ ପ୍ରୋତ୍ସାହିତ କରିଥିଲା । ଶ୍ରୀ ଅରବିନ୍ଦ ଜନ୍ମ
ଶତବାର୍ଷକୀ ପାଳନ ଅବସରରେ ବୃତ୍ତି ପାଇ ସ୍ୱାଧୀନତା ସଂଗ୍ରାମରେ ଶ୍ରୀ ଅରବିନ୍ଦଙ୍କ ଭୂମିକା
ଗବେଷଣା ନିମନ୍ତେ ପ୍ରାୟ ବର୍ଷେକାଳ ମନୋଜ ଦାସ ଲଣ୍ଡନରେ ଅବସ୍ଥାନ କରିଥିଲେ । ଲଣ୍ଡନ ରହଣୀର
ପ୍ରତିଟି ଉଲ୍ଲେଖଯୋଗ୍ୟ ଘଟଣାର ଧାରାବିବରଣୀ ନିଜ ସ୍ତମ୍ଭରେ ପ୍ରକାଶ କରିଥିଲେ । ଓଡ଼ିଆ ପାଠକ,
ମୁଖ୍ୟତଃ ଯୁବଶ୍ରେଣୀଙ୍କୁ ପାଶ୍ଚାତ୍ୟ ସଂସ୍କୃତି ସଂପର୍କରେ ପରିଚ଼ିତ କରାଇବାରେ ମନୋଜ ଦାସଙ୍କ
ଭ୍ରମଣ କାହାଣୀର ପ୍ରଭାବ ବହୁ ପାଠକ ଜୀବନବ୍ୟାପୀ ଭୁଲି ପାରିନାହାନ୍ତି । ଏହି ବର୍ଗରେ କେତେ
ଦିଗନ୍ତ, ଦୂର ଦୂରାନ୍ତର, ଅଦୂର ବିଦେଶ, ଅନ୍ତରଙ୍ଗ ଭାରତ ଇତ୍ୟାଦି ସ୍ତମ୍ଭ ପ୍ରଧାନ ।
ମନୋଜ ଦାସ ଉତ୍ତର
ପୀଢ଼ି ସାହିତ୍ୟିକ ସାମ୍ୱାଦିକମାନଙ୍କୁ ନିଜ ସୃଜନ ଚାତୁରୀ ସଂପର୍କରେ ଉଦାର ଚିତ୍ତରେ ପରାମର୍ଶ
ଦେଉଥିଲେ । ସେ କହୁଥିଲେ କୌଣସି ବିଷୟରେ ଚ଼ିନ୍ତା ପ୍ରକଟମାତ୍ରେ ପ୍ରଥମେ ପ୍ରଗଳଭ ଭାବେ ସେ
ଲେଖି ପକାନ୍ତି । କିଛି ସମୟ ବ୍ୟବଧାନରେ, ଏପରିକି ପରଦିନ ବା ବହୁଦିନ ପରେ, ସେହି
ରଚ଼ନାଗୁଡ଼ିକୁ ସଂଶୋଧନ, ପୁନଃଲିଖନରେ ମନୋନିବେଶ କରନ୍ତି । ବ୍ରହ୍ମପୁର କମାପଲ୍ଲୀ ସରକାରୀ
ଡ଼ାକବଙ୍ଗଳାରେ ୧୯୮୪ର ଏକ ଶୀତୁଆ ସକାଳରେ ଅନୁଷ୍ଠିତ ଏକ ସାକ୍ଷାତକାରରେ ଏହି ପ୍ରକ୍ରିୟାକୁ ସେ
ଗୋ-ମହିଷାଦି ପଶୁଙ୍କ ଖାଦ୍ୟ ଗ୍ରହଣଜନିତ ‘ରୋମନ୍ଥନ’ ସହ
ତୁଳନା କରିଥିଲେ । ପରବର୍ତ୍ତୀ କାଳରେ ବହୁ ସ୍ଥାନରେ ଏହି ବିଷୟ ଉଲ୍ଲେଖ କରିଥିଲେ । ମନୋଜ
ଦାସଙ୍କ ଏହି ତତ୍ତ୍ୱ ଯେଉଁ ସାହିତ୍ୟିକ, ସାମ୍ୱାଦିକ ତଥା ଅନ୍ୟ ସର୍ଜନଶୀଳମାନେ
ବୁଝିପାରିଥାନ୍ତି ସେମାନଙ୍କ ସୃଜନର ଉତ୍କର୍ଷ ପରିମାପ ଅନ୍ତତଃପକ୍ଷେ ୫୦ ପ୍ରତିଶତ ବଢ଼ିଥାଏ ।
ମନୋଜ ଦାସଙ୍କ ପରଲୋକ ଘଟିଛି ସତ, ପୁଣି ଥରେ ତାଙ୍କ ସହ ଦେଖା-ସାକ୍ଷାତ ଆଳାପ-ଆଲୋଚନା ଅସମ୍ଭବ ।
ତେବେ ନିଜସ୍ୱ ରଚନାର ରୋମନ୍ଥନ ପ୍ରକ୍ରିୟାରେ ସଂଶୋଧନ, ପୁନଃଲିଖନ କାଳରେ ଆକସ୍ମିକ ତାଙ୍କରି
ସ୍ମୃତିଯେ ମନେପଡ଼ିଯିବ ଏଥିରେ ସନ୍ଦେହ ନାହିଁ ।
(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୦୧ ମେ’ ୨୦୨୧/ ପୃଷ୍ଠା
: ୮)
Photo : "incense sticks" by whitecat sg is
licensed under CC BY-NC 2.0
No comments:
Post a Comment