Friday, April 23, 2021

Mango Market / ଆମ୍ୱ ବଜାର

 


#ବ୍ରହ୍ମପୁର ସହରବାସୀଙ୍କ ପାଇଁ ଗ୍ରୀଷ୍ମ ଋତୁରେ ଆମ୍ୱ ଏକ ସୁସ୍ୱାଦୁ ଫଳ ଆହାର । ସାଧାରଣତଃ ଦୋଳପୂର୍ଣ୍ଣିମାରେ ଠାକୁରଙ୍କଠାରେ କଞ୍ଚା ଆମ୍ୱ ଭୋଗ ଦେଇ ଦୈନନ୍ଦିନ ଖାଦ୍ୟରେ ଚଟଣି, ଖଟା, ଝୋଳ, ବେସର ଇତ୍ୟାଦି ବ୍ୟଞ୍ଜନରେ ବ୍ୟବହୃତ ହୋଇଥାଏ । ଆମ୍ୱୁଲ ଓ ଆଚାର ପ୍ରସ୍ତୁତିରେ ଲାଗେ । ବିଷୁବସଂକ୍ରାନ୍ତି ବେଳକୁ ବଜାରକୁ ଆଗୁଆ ପାଚିଲା ଆମ୍ୱ ଆସିଯାଏ । ଓଡ଼ିଆ ନବବର୍ଷରେ ପଣା ସହ ପାଚିଲା ଆମ୍ୱ ନୈବେଦ୍ୟ ବଢାଯାଏ । ତେବେ ବୈଶାଖ ମାସ ଆରମ୍ଭ ବେଳକୁ ବଜାରରେ କିସମ କିସମ ଆମ୍ୱ ପହଞ୍ଚିବା ପରେ ସାଧାରଣ ପରିବାରର ଦୈନନ୍ଦିନ ସଉଦାରେ ସାମିଲ ହୁଏ ।
 
ପାରମ୍ପରିକଭାବେ ବ୍ରହ୍ମପୁରକୁ ତିନିଗୋଟି ସୂତ୍ରରୁ ଆମ୍ୱ ଆମଦାନୀ ହୋଇଥାଏ । ପ୍ରଥମତଃ, ସହରକୁ ଘେରି ଗ୍ରାମାଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଆମ୍ୱ ତୋଟା ଥିବା ହେତୁ ସେଠାକାର ଆମ୍ୱ ଫସଲ ପାଇଁ ପ୍ରାଥମିକ ବଜାର । ଦ୍ୱିତୀୟତଃ, ଗଞ୍ଜାମ, ଗଜପତି ଓ କନ୍ଧମାଳର ଜଙ୍ଗଲଜାତ ସାମଗ୍ରୀଭାବେ ଉଭୟ କଞ୍ଚା ଓ ପାଚିଲା ଆମ୍ୱ ଏଠାକାର ବଜାରରେ ପହଞ୍ଚେ । ତୃତୀୟତଃ, ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ସ୍ୱାଧୀନୋତ୍ତର ଅବସ୍ଥାରୁ ବ୍ୟାବସାୟିକଭିତ୍ତିରେ ବ୍ୟାପକ ଆମ୍ୱଚାଷ ହେଉଥିବା ହେତୁ ସୀମାନ୍ତ ବଜାର ଭାବେ ବ୍ରହ୍ମପୁରର ଗୁରୁତ୍ୱ ରହେ ।
 
ବ୍ରହ୍ମପୁର ଆମ୍ୱବଜାର ପାଇକାରୀ ବ୍ୟବସାୟ ସାରା ରାଜ୍ୟରେ ପ୍ରସିଦ୍ଧ । ଏଠାରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ମଧ୍ୟ ରପ୍ତାନୀ ହୁଏ । ସହରରେ ଆମ୍ୱବଜାର ପୁରାତନ ଭିକ୍ଟୋରିଆ ମାର୍କେଟ ବା ଅଧୁନା ଗିରି ମାର୍କେଟର ସମ୍ମୁଖଭାଗରେ ଋତୁକାଳୀନ ଅସ୍ଥାୟୀ ଦୋକାନ ଖୋଲାଯାଉଥିଲା ।
 
ଏହାର ନିର୍ମାଣ ଶୈଳୀରେ ସ୍ୱତନ୍ତ୍ରତା ରହିଥିଲା । ଚାବୁକ ଅର୍ଥାତ ଝାଉଁ ଗଛର କାଠ ଫ୍ରେମରେ ବାଉଁଶ ତାଟି କାନ୍ଥ ଓ ନଡ଼ା ଛପରରେ ଦୋକାନ ଘରଗୁଡ଼ିକ ଗଢ଼ି ଉଠୁଥିଲା । ଚଟାଣରେ ପାଳ ବିଛାଇ ହୁଏ । ଝାଉଁ କାଠ ଗୋପାଳପୁର, ଛତ୍ରପୁର ସମୁଦ୍ରବେଳା, ବାଉଁଶ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳ ଓ ନଡ଼ାପାଳ ଆଖପାଖ କ୍ଷେତରୁ ମିଳିଯାଏ । ଖରାଦିନେ ଚାରିମାସ ଆମ୍ୱ ବେପାର ସରିଲେ ଆମ୍ୱ ବଜାର ଦୋକାନଘରଗୁଡ଼ିକୁ ଖୋଲି ଦିଆଯାଏ ।
 
ସ୍ଥାନୀୟ ପୌରପାଳିକା ମାଲିକାନାରେ ପରିଚାଳିତ ଭିକ୍ଟୋରିଆ ମାର୍କେଟ ନବୀକରଣରେ ଗିରି ମାର୍କେଟ କୋଠାବାଡ଼ିର ନିର୍ମାଣକାଳରେ ସପ୍ତମ ଦଶକ ଶେଷଭାଗରେ ଆମ୍ୱ ବଜାର କର୍ପୋରେସନ ରୋଡ଼କୁ କିଛି ବର୍ଷ ଘୁଞ୍ଚି ଯାଇଥିଲା । ସେଠାରୁ ପୁଣି ଟାଉନ ହଲ ରୋଡ଼ର ସେଣ୍ଟ ଷ୍ଟିଫନ୍ସ ଚର୍ଚ୍ଚ ଗ୍ରାଉଣ୍ଡକୁ ସ୍ଥାନାନ୍ତରିତ ହୋଇଥିଲା । ତେବେ ଉଭୟ ଅଞ୍ଚଳ ସହରର କାର୍ଯ୍ୟବ୍ୟସ୍ତ ରାସ୍ତା ପାର୍ଶ୍ୱରେ ଅବସ୍ଥିତଥିବା ହେତୁ ଟ୍ରାଫିକ ସମସ୍ୟା କାରଣରୁ ତତ୍କାଳୀନ ସହରତଳି ଅନ୍ଧପସରା ରୋଡ଼ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ବ୍ୟବସାୟୀଗଣ ପକ୍କା ଦୋକାନ ଘର ନିର୍ମାଣକରି ୮୪ ଗୋଟି ଗୋଦାମରେ ଶ୍ରୀ ନୀଳକଣ୍ଠେଶ୍ୱର ଆମ୍ୱ ବଜାର ଆରମ୍ଭ କରିଥିଲେ ।
 
ବ୍ରହ୍ମପୁରରେ ଆମ୍ୱବଜାର ମୁଖ୍ୟତଃ ମାର୍ଚ୍ଚରୁ ଅଗଷ୍ଟ ମାସ ଯାଏଁ ଚାଲୁ ରହେ । ଗଞ୍ଜାମ ଆମ୍ୱ ତୋଟାର ସ୍ଥାନୀୟ ପ୍ରଜାତି ସାଙ୍ଗକୁ ଗଜପତି ଓ କନ୍ଧମାଳର ଠୁରି ଆମ୍ୱ ଏବଂ ଆମଦାନୀ ହେଉଥିବା ବାଇଗଣପଲ୍ଲି, ସୁବର୍ଣ୍ଣରେଖା, ଆଖୁରସ ଓ କଲମୀ ଆମ୍ୱର ଚାହିଦା ଅଧିକ । ଏଗୁଡ଼ିକର ଦର ନିମ୍ନ ଓ ମଧ୍ୟମ ବର୍ଗରେ ରହେ । ଉଚ୍ଚବର୍ଗର ବିଭିନ୍ନ ସୁବାସିତ ଆମ୍ୱର ଦର ଅଧିକା । ଜୁନମାସରେ ତାମିଲନାଡୁ ଓ ଜୁଲାଇରେ ଉତ୍ତରପ୍ରଦେଶ ଆମ୍ୱ ମଧ୍ୟ ଏଠାକାର ବଜାରରେ ପହଞ୍ଚେ ।
 
ମହାମାରୀରେ ବ୍ରହ୍ମପୁର ଆମ୍ୱବଜାର ବ୍ୟବସାୟ ୨୦୨୦ରେ ପ୍ରଭାବିତ ହୋଇଥିଲା । ସହରରେ ସଂକ୍ରମଣ ବ୍ୟାପିବା ଆରମ୍ଭ ଅବସରରେ ଶ୍ରୀ ନୀଳକଣ୍ଠେଶ୍ୱର ଆମ୍ୱ ବଜାରରୁ ଜଣେ ସଂକ୍ରମିତ ଚ଼ିହ୍ନଟ ହେବା ପରେ ଅବରୋଧ କଣ୍ଟେନମେଣ୍ଟ ଘୋଷିତ ହୋଇଥିଲା । ବ୍ୟବସାୟୀଗଣ ଅଗତ୍ୟା ଓଭରବ୍ରିଜ ତଳକୁ ଯାଇ ମହଜୁଦ ଷ୍ଟକ ବିକ୍ରୀ କରିଥିଲେଅଧିକ ପରିମାଣ ଓ ଉଚ୍ଚମାନର ଆମ୍ୱ ଆମଦାନୀ ବାଧାପ୍ରାପ୍ତ ହୋଇଥିଲା ।
 
ଦେଶରେ ମହାମାରୀର ଦ୍ୱିତୀୟ ତରଙ୍ଗ ୨୦୨୧ ଫେବୃୟାରୀ ମାସ ମଧ୍ୟଭାଗରୁ ଆରମ୍ଭ ହୋଇଥିବା ଏବଂ କେତେକ ବିଶେଷଜ୍ଞ ଜୁଲାଇ ଶେଷ ଯାଏଁ ବଳବତ୍ତର ରହିବା ପୂର୍ବାନୁମାନ କରୁଥିବା ହେତୁ ବ୍ରହ୍ମପୁର ଆମ୍ୱବଜାରର ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କା କରାଯାଇପାରେ । ଏପ୍ରିଲ ମଧ୍ୟଭାଗରୁ ବ୍ରହ୍ମପୁର ଜନସାଧାରଣଙ୍କୁ ଭିଡ଼ରୁ ଦୂରେଇ ରହିବାକୁ ସତର୍କ କରିଦିଆଯାଉଛି । ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ଲାଗୁ କରାଯାଇଛି । ଏହି ଅବସରରେ ଗ୍ରାହକଙ୍କ ଘରଦ୍ୱାରରେ ଅନଲାଇନ ପାଚିଲା ଆମ୍ୱ ଯୋଗାଣରେ କିଛି ସ୍ଥାନୀୟ ଉଦ୍ୟୋଗୀ ମନୋନିବେଶ କରିବା ଯୁକ୍ତିଯୁକ୍ତ ମନେ ହୁଏ ଫଳରେ ସହରର ଆମ୍ୱ ବ୍ୟବସାୟ ଗୁରୁତ୍ୱ ହରାନ୍ତାନି ଏବଂ ସହରବାସୀ ନିଜ ମନପସନ୍ଦ ଉଚ୍ଚମାନର ଆମ୍ୱ ଘରେ ବସି ପାଇପାରନ୍ତେ । ଏପ୍ରିଲ ତୃତୀୟ ସପ୍ତାହରେ ସ୍ଥାନୀୟ ଆମ୍ୱ ବଜାରରେ ସାଧାରଣ ଆମ୍ୱର ପାଇକାରୀ ଦର କିଲୋଗ୍ରାମ ପିଛା ୨୦ରୁ ୩୦ ଟଙ୍କା ହିସାବ କରାଯାଉଥିବା ସ୍ଥଳେ ଖୁଚୁରାରେ ଠେଲା ବେପାରୀମାନେ ଗଳିକନ୍ଦିରେ ୪୦ରୁ ୫୦ ଟଙ୍କାରେ ବିକ୍ରୀ କରୁଛନ୍ତି । ଏହି ପରିବେଶରେ ଅନଲାଇନ ବ୍ୟବସାୟ ଅବଶ୍ୟ ଲାଭଦାୟକ ହେବ ବୋଲି ବିଶ୍ୱାସ କରାଯାଇପାରେ ।

(ଅନୁପମ ଭାରତ ବ୍ରହ୍ମପୁର ସଂସ୍କରଣ / ୨୪ ଏପ୍ରିଲ ୨୦୨୧/ ପୃଷ୍ଠା : ୮)

No comments:

Post a Comment