Friday, October 1, 2021

Gandhiji's 3rd visit to Berhampur / ଗାନ୍ଧୀଙ୍କ ତୃତୀୟ ବ୍ରହ୍ମପୁର ଗସ୍ତ

 


ମହାତ୍ମା ଗାନ୍ଧୀଙ୍କ ଦୁଇଗୋଟି #ବ୍ରହ୍ମପୁର ଗସ୍ତ ସଂପର୍କରେ ସାଧାରଣରେ ଚର୍ଚ୍ଚା ହୋଇଥାଏ । ପ୍ରଥମ ଥର ୧୯୨୧ ମାର୍ଚ୍ଚ ୩୦ ତାରିଖ ଦିନ ପତ୍ନୀ କସ୍ତୁରବା ଓ କନିଷ୍ଠ ପୁତ୍ର ଦେବଦାସଙ୍କ ସହ ବ୍ରହ୍ମପୁର ପରିଦର୍ଶନରେ ଆସିଥିଲେ । ଦ୍ୱିତୀୟ ଥର ୧୯୨୭ ଡ଼ିସେମ୍ୱର ୨୭ ତାରିଖରେ ପହଞ୍ଚି ସାଧାରଣ ସଭା ଇତ୍ୟାଦି ସାଂଗଠନିକ କାର୍ଯ୍ୟ ସାରି ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଛତ୍ରପୁର, ଦିଗପହଣ୍ଡି, ପାଟପୁର, ଭଞ୍ଜ ନଗର, ବେଲଗୁଣ୍ଠା, କବିସୂର୍ଯ୍ୟ ନଗର, ପୋଲସରା, କୋଦଳା, ଖଲ୍ଲିକୋଟ ଓ ରମ୍ଭା ଇତ୍ୟାଦି ପରିଭ୍ରମଣ କରିଥିଲେ । ତେବେ ୧୯୪୬ରେ ବ୍ରହ୍ମପୁର ରେଳଷ୍ଟେସନରେ ସ୍ୱଳ୍ପକାଳ ରହେଣୀ ଓ ସାଧାରଣ ସଭାରେ ଉଦ୍ ବୋଧନ ଗାନ୍ଧୀଙ୍କ ତୃତୀୟ ବ୍ରହ୍ମପୁର ଗସ୍ତ ।
 
କୋଦଳାର ପ୍ରାକ୍ତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ମିଶ୍ର ‘ବ୍ରହ୍ମପୁର ଜେଲ ଅନୁଭୂତି’ ଶୀର୍ଷକ ରଚନାରେ ଗାନ୍ଧୀଙ୍କ ତୃତୀୟ ବ୍ରହ୍ମପୁର ଗସ୍ତର ପୂର୍ଣ୍ଣାଙ୍ଗ ବିବରଣୀ ବର୍ଣ୍ଣନା କରିଥିଲେ :
 
“କଥାଟି ହେଲା ଜାନୁୟାରୀ ୧୯୪୬ । ମହାତ୍ମାଗାନ୍ଧୀ ଗୋଟିଏ ସ୍ୱତନ୍ତ୍ର ଟ୍ରେନରେ କଲିକତାରୁ ମାନ୍ଦ୍ରାଜ ଯାତ୍ରା କରୁଥିଲେ, ଦେଶ ବିଭାଜନ ବିଷୟରେ ଲୋକଙ୍କ ମତ ଜାଣିବା ପାଇଁ । ସ୍ଥାନେ ସ୍ଥାନେ ଗାଡ଼ି ଅଟକାଇ ସଭା କରିବାର ଯୋଜନା ସେଥିରେ ଥିଲା । ଓଡ଼ିଶାରେ ବ୍ରହ୍ମପୁରଠାରେ ଭୋର ୪ଟା ବେଳେ ସଭାର ଆୟୋଜନ ହୋଇଥିଲା । ଆମେ ସବୁ (ପୂର୍ବ ଦିନ) ସନ୍ଧ୍ୟା ସାତଟା ବେଳୁ ରେଳଷ୍ଟେସନ ନିକଟସ୍ଥ ସଭାସ୍ଥଳରେ ଲୋକଙ୍କୁ ନିୟନ୍ତ୍ରଣ କରିବା କାମରେ ବ୍ୟସ୍ତ ଥିଲୁ ।
 
ଯଦିଓ ଭୋର ଚାରିଟାରେ ସଭା ହେବାର ଯୋଜନା ଥିଲା, ଦୂରଦୂରାନ୍ତରୁ ଗ୍ରାମାଞ୍ଚଳରୁ (ପୂର୍ବଦିନ) ସନ୍ଧ୍ୟା ବେଳରୁହିଁ ଲୋକେ ସଭାସ୍ଥଳୀରେ ପହଞ୍ଚିବା ଆରମ୍ଭ କଲେ । ସଭା ସମୟ ବେଳକୁ ୪୦ ହଜାର ଜନତା ଆସିଯାଇଥିଲେ । ଠିକ୍ ଚାରିଟା ବେଳେ ଗାଡ଼ି ଆସି ଷ୍ଟେସନରେ ଅଟକିଲା । ମହାତ୍ମା ଗାନ୍ଧୀଙ୍କ ସହିତ କଲିକତାରୁ ଓ କଟକରୁ ଅନେକ ବଡ଼ ବଡ଼ ନେତା ଆସିଥିଲେ । ତାଙ୍କ ନାତି କନୁ ଗାନ୍ଧୀ ମଧ୍ୟ ସାଙ୍ଗରେ ଥିଲେ ।
 
ନେତାମାନଙ୍କ ଗହଣରେ ମଞ୍ଚ ଉପରକୁ ମହାତ୍ମା ଗାନ୍ଧୀ ଆସି ଦେଖିଲେ ଯେ ବିରାଟ ଜନତା ଧୀରସ୍ଥିର ଏବଂ ନିସ୍ତବ୍ଧ ଭାବରେ ବସିଛନ୍ତି । ତାଙ୍କୁ ଭାରୀ ଭଲ ଲାଗିଲା । ସେ କିଛି ବକ୍ତୃତା ଦେଲେ, ଯାହା ହରେକୃଷ୍ଣ ମହତାବ ଓଡ଼ିଆରେ ଅନୁବାଦ କଲେ । ତା’ପରେ ମହାତ୍ମା ଗାନ୍ଧୀ ନାତିକୁ କହିଲେ ରାମଧୂନ କରିବା ପାଇଁ । କିଛି ସମୟ “ରଘୁପତି ରାଘବ ରାଜାରାମ...”ଗାନ ହେଲାପରେ ସଭା ବନ୍ଦ ହେବା ପୂର୍ବରୁ ଲୋକେ ସବୁ ଠିଆ ହୋଇ ଗଲେ ଏବଂ ଷ୍ଟେସନ ଆଡ଼କୁ ମୁହାଁଇଲେ ।
 
ମଞ୍ଚସ୍ଥ ସମସ୍ତ ନେତା (କନୁ ଗାନ୍ଧୀ ମଧ୍ୟ) ବୋଧହୁଏ ଭାବିଲେ ଲୋକେ ଗାନ୍ଧୀଙ୍କୁ ଦେଖିବା ପାଇଁ ଅଥବା ସ୍ୱର୍ଶ କରିବା ପାଇଁ ରେଳଗାଡ଼ି ପାଖକୁ ଯିବା ରାସ୍ତା ଅବରୁଦ୍ଧ କରିଦେବେ । ସମସ୍ତେ ମଞ୍ଚ ଉପରୁ ଓହ୍ଲାଇ ପଡ଼ିଲେ, କେବଳ ମହାତ୍ମା ଗାନ୍ଧୀ ଏକେଲା ରହିଗଲେ । ହାତରେ ଯଷ୍ଟି ନଥିଲା । ଏତେ ବଡ଼ ଉଚ୍ଚ ମଞ୍ଚ ଉପରୁ ବିନା ଯଷ୍ଟି ସାହାଯ୍ୟରେ ଓହ୍ଲାଇବାକୁ ସେ ନିରାପଦ ମନେ କରୁନଥିଲେ । ଅତଏବ ଅତି ଧିରେ ଧିରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ପକାଇଲେ ।
 
ମୁଁ ସେତେବେଳେ ତଳେ ଠିଆ ହୋଇଥାଏ । ମହାତ୍ମା ଗାନ୍ଧୀଙ୍କ ଏପରି ଅସହାୟ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଚାଲିଗଲି । ଗାନ୍ଧୀଙ୍କ ଦକ୍ଷିଣ ହସ୍ତ ମୋର ଦକ୍ଷିଣ କାନ୍ଧ ଉପରେ ଦୃଢ ଭାବେ ନିବଦ୍ଧ ହେଲା ଏବଂ ସଙ୍ଗେ ସଙ୍ଗେ ତାଙ୍କ ମୁହଁରୁ ବାହାରି ପଡ଼ିଲା, “ମୌକେ ପର ଭଗବାନ ସାହାରା ଦେ ଦେତା ହୈ ।” ଉଭୟେ ଏପରିଭାବେ ରେଳଗାଡ଼ି ପର୍ଯ୍ୟନ୍ତ ଗଲୁ । ଗାନ୍ଧୀ ବଗି ଭିତରକୁ ଗଲେ । ମୁଁ ନମସ୍କାର କରି ଫେରିଲି ।”

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Jeremy Bezanger on Unsplash

No comments:

Post a Comment