Friday, October 22, 2021

Ancient Poet Rama Dash / ଆଦିକବି ରାମ ଦାଶ

 


#ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ରାସ୍ତାରେ ଅବସ୍ଥିତ ଡୁରା ଗ୍ରାମବାସୀ ଭକ୍ତକବି ରାମ ଦାଶ ଅଷ୍ଟାଦଶ ଶତାଦ୍ଦୀରେ ସାହିତ୍ୟ ସାଧନା ନିମନ୍ତେ ସହରର ଆଦିକବି ମାନ୍ୟତା ହକଦାର । ସେ ନିଜ ଗ୍ରାମରେ ଏକ ସଂସ୍କୃତ ପାଠଶାଳା ପ୍ରତିଷ୍ଠାକରି ଶିକ୍ଷକତା ଏବଂ ସ୍ଥାନୀୟ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟ ଚର୍ଚ୍ଚା କରୁଥିଲେ । ତାଙ୍କରି ମୁଦ୍ରିତ ରଚନାବଳୀ ମଧ୍ୟରେ ଦାର୍ଢ଼୍ୟତାଭକ୍ତି ରସାମୃତ, ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ, ଶ୍ରୀ ଜନ୍ମାଷ୍ଟମୀ ମହାତ୍ମ୍ୟ, ଶ୍ରୀ ସୋମନାଥ ବ୍ରତବିଧି ଓ ଗୁଣ୍ଡିଚା ବସନ୍ତ ଇତ୍ୟାଦି ପ୍ରଧାନ । ସେ ନିଜ ପରିଚୟ ଉଲ୍ଲେଖ କରି ଲେଖିଥିଲେ, ମହୁରି ରାଜ୍ୟେ ଡୁରା ଗ୍ରାମ । ସେ ଗ୍ରାମେ ଅଟେ ମୋବିଶ୍ରାମ । ଶ୍ରୀଗୁରୁ ଗଦାଧର ଦାସ । ସେ ପାଦ ପଦ୍ମେ ମୋର ଆଶ । ପିତା ମୋ ଲଛମନ ଦାସ । ମୁହିଁ ଅଟଇ ତାଙ୍କରି ଶିଷ୍ୟ । ରାମ ଦାଶଙ୍କ ପିତା ଲଛମନ ଦାଶ ସାହିତ୍ୟ ଅନୁରାଗୀ ଥିବା ଏବଂ ତାଳପତ୍ର ପୋଥି ନିଜ ହସ୍ତାକ୍ଷରରେ ନକଲ କରୁଥିବା ଜଣାଯାଏ । ରାମ ଦାଶ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରାଣ ସାହିତ୍ୟ ରଚନା ବ୍ରତୀ ହୋଇଥିବା ବିଶ୍ୱାସ କରାଯାଏ ।
 
ରାମ ଦାଶଙ୍କ ଦାର୍ଢ଼୍ୟତାଭକ୍ତି ରସାମୃତ ସର୍ବାପେକ୍ଷା ଲୋକପ୍ରିୟ ରଚନା । ଏହା ଦୁଇଭାଗରେ ବିଭକ୍ତ । ପ୍ରଥମ ଭାଗରେ ପଚ଼ିଶ ଜଣ ଓ ଦ୍ୱିତୀୟ ଭାଗରେ ପବିଶ ଜଣ ଭକ୍ତଙ୍କ ଜୀବନ ଚରିତ୍ର ବର୍ଣ୍ଣନା କରାଯାଇଛି । ପ୍ରଥମ ଭାଗରେ ରାଜା ବଳି, ରାଜା ହରିଶ୍ଚନ୍ଦ୍ର, ରାଜା କର୍ଣ୍ଣ, ବନ୍ଧୁ ମହାନ୍ତି, ଜଗନ୍ନାଥ ଦାସ ଓ ବଳରାମ ଦାସ ପ୍ରମୁଖ ସ୍ଥାନ ପାଇଥିବା ସ୍ଥଳେ ଦ୍ୱିତୀୟ ଭାଗରେ ଭକ୍ତ ସାଲବେଗ, ଦାସିଆ ବାଉରୀ, ମୋଚ଼ିରାମ ଦାସ ଓ ମୀରା ବାଇ ପ୍ରମୁଖ ସ୍ଥାନିତ । କବି ସୂଚାଇଛନ୍ତି, ପ୍ରଥମ ପ୍ରବନ୍ଧ ପଚ଼ିଶ, ଅଧ୍ୟାୟରେ ହୋଇଥିଲା ଶେଷ । ତହୁଁ ବତିଶ ସମ୍ୱତ୍ସର, ଉତ୍ତାରୁ ସାଧୁମାନଙ୍କର, କୃପାରୁ ପୁଣି ପଞ୍ଚବିଂଶ, ଅଧ୍ୟାୟ ଦାର୍ଢ଼୍ୟ ଭକ୍ତିରସଶ୍ରୀ ଦିବ୍ୟ ସିଂହ ଦେବଙ୍କର, ସମ୍ପୂର୍ଣ୍ଣ ତେଇଶି ଅଙ୍କର, ଆଷାଢ଼ ଶୁକ୍ଳ ହରିଦାସେ । ଶ୍ରୀ ମୁକ୍ତେଶ୍ୱର ପାଶେ ।ଦୁଇ ପ୍ରବନ୍ଧ ମିଶିବାରେ । ସମ୍ପୁର୍ଣ୍ଣ ପଞ୍ଚାଶ ଅଧ୍ୟାୟ ।
 
ଆଲୋଚ଼କମାନଙ୍କ ମତରେ ଦୃଢ଼ତାରୁ ଦାର୍ଢ଼୍ୟ ନାମକରଣ କରାଯାଇଥିଲା । ଦୃଢ ବିଶ୍ୱାସ, ନିଷ୍କାମ ଭକ୍ତି, ଅକୁଣ୍ଠିତ ଦାନ ଓ ସାଧୁ ଅତିଥି ସେବା ଦ୍ୱାରା ଭଗବତ ପ୍ରାପ୍ତି ହୋଇଥାଏ ବୋଲି କବିଙ୍କ ଉପଲବ୍ଧିପ୍ରଥମ ଭାଗ ୧୭୭୦ ଅକ୍ଟୋବର ଏବଂ ଦ୍ୱିତୀୟ ଭାଗ ୧୭୯୮ ଜୁଲାଇ ମାସରେ ଲେଖା ଶେଷ ହୋଇଥିବା ନିର୍ଦ୍ଧାରଣ କରାଯାଇଥାଏ ।

ଦାର୍ଢ଼୍ୟତାଭକ୍ତି ରସାମୃତ ବ୍ୟତୀତ ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ ୧୭୭୭ରେ ରଚ଼ିତ ହୋଇଥିବା ଜଣାଯାଏ । ବାୟୁ ପୁରାଣ ଆଧାରରେ ନବାକ୍ଷରୀ ବୃତ୍ତରେ ଦ୍ୱାଦଶ ଅଧ୍ୟାୟ ବିଶିଷ୍ଟ ଗ୍ରନ୍ଥଟି ମଧ୍ୟ ଲୋକାଦୃତ । ସେହିପରି ତ୍ରୟୋଦଶ ଅଧ୍ୟାୟ ବିଶିଷ୍ଟ ଶ୍ରୀ ଜନ୍ମାଷ୍ଟମୀ ମହାତ୍ମ୍ୟ ଓ କ୍ଷୁଦ୍ରକାୟ ଶ୍ରୀ ସୋମନାଥ ବ୍ରତ ବିଧି । ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରାର ବିବରଣୀ ଶ୍ରୀ ଗୁଣ୍ଡିଚା ବସନ୍ତ ପଦ୍ୟ ଆକାରରେ ବର୍ଣ୍ଣନା କରାଯାଇଛି ।
 
ରାମ ଦାଶଙ୍କ ସାଧନା ପୀଠ ଡୁରା ଗ୍ରାମର ଶ୍ରୀମୁକ୍ତେଶ୍ୱର ମନ୍ଦିର ବ୍ରହ୍ମପୁର ସହରର ପରମ୍ପରା ପ୍ରେମୀଙ୍କୁ ଆକର୍ଷିତ କରେ । ପ୍ରାବନ୍ଧିକ ଦାର୍ଢ଼୍ୟତାଭକ୍ତି ରସାମୃତର ଦ୍ୱିତୀୟ ଭାଗ ଆଷାଢ ମାସ ବଡ଼ ଏକାଦଶୀ ଦିନ ସମାପ୍ତ କରିଥିବା ହେତୁ ଏହି ଦିବସରେ ରାମ ଦାଶଙ୍କ ସ୍ମୃତି ଚାରଣ କରାଯାଏ ।
 
ଅଷ୍ଟାଦଶ ଶତାଦ୍ଦୀ ମଧ୍ୟଭାଗରେ ଭକ୍ତକବି ରାମ ଦାଶଙ୍କ ସାହିତ୍ୟ ରଚନା ବେଳକୁ ଅଧୂନା ବଡ଼ବଜାରଠାରେ ମହୁରି ରାଜବାଟୀକୁ କେନ୍ଦ୍ର କରି ନବଗଠିତ ବ୍ରହ୍ମପୁର ଶହେ ବର୍ଷ ପୂରଣ କରିସାରିଥାଏ । ଏହି ସମୟରେ ମହୁରି ରାଜ୍ୟ ଇଂଲିଶ ଶାସନାଧୀନ ହୋଇଥିଲା । ବ୍ରହ୍ମପୁର ସହ ସତ୍ୟନାରାୟଣପୁର, ଭାପୁର, ଗୋଲାପଲ୍ଲୀ, ଗୋଇଲୁଣ୍ଡି, କମାପଲ୍ଲୀ, ବୈଦ୍ୟନାଥପୁର, ଲାଞ୍ଜିପଲ୍ଲୀ, ଖୋଡ଼ାସିଙ୍ଗି, ଗୋଷାଣୀ ନୂଆଗାଁ, ହଳଦିଆ ପଦର ଇତ୍ୟାଦି ଅଲଗା ଅଲଗା ଗ୍ରାମ ରୂପେ ଗଢ଼ି ଉଠିଥାଏ । ସାମାନ୍ୟ ଦୂରରେ ଡୁରା, ଲୋଚାପଡ଼ା, ନିମଖଣ୍ଡି, ଜଗଦଳପୁର, ରତ୍ନପୁର, ଲାଠୀ, ବାଇଗଣ ବାଡ଼ି ଇତ୍ୟାଦି ଗ୍ରାମ ରହିଥିଲା । କ୍ରମଶଃ ଗ୍ରାମାଞ୍ଚଳଗୁଡ଼ିକ ବ୍ରହ୍ମପୁରର ଅଂଶବିଶେଷ ଭାବେ ଚ଼ିହ୍ନିତ ହେବାରେ ଲାଗିଲା । ଏହି ଅଞ୍ଚଳରେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କ ଅବଦାନ ଚ଼ିହ୍ନଟ କରାଯାଇପାରେ ।
(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ /  ୨୩ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Gary Ellis on Unsplash

No comments:

Post a Comment