Friday, October 29, 2021

Sub-Urban Areas / ସହରତଳି ଅଞ୍ଚଳ

 


#ବ୍ରହ୍ମପୁର ସହରତଳି ଅଞ୍ଚଳ ମଧ୍ୟରେ ୧୮ଗୋଟି ଗ୍ରାମପଞ୍ଚାୟତ ଚର୍ଚ୍ଚାର ପରିସରକୁ ଆସିଥାଏ । ବ୍ରହ୍ମପୁରର ପରିସୀମା ବଢ଼ିଚାଲିଥିବା ଅବସରରେ ସଂଲଗ୍ନ ଗ୍ରାମାଞ୍ଚଳରେ ଜନସାଧାରଣ ଘରଦ୍ୱାର ନିର୍ମାଣ କରି ବସବାସ ଆରମ୍ଭ କରିଆସିଛନ୍ତି । ତେବେ ପ୍ରଶାସନିକ ଦୃଷ୍ଟିରୁ ସେହି ଅଞ୍ଚଳଗୁଡ଼ିକ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ରହିଥିବା ହେତୁ ସହରତଳି ଅଞ୍ଚଳବାସୀ ବ୍ରହ୍ମପୁର ପୌରପାଳିକାର ସେବା ପାଇପାରିନଥାନ୍ତି । ସହରତଳି ଅଞ୍ଚଳଗୁଡ଼ିକୁ ପୌରପାଳିକା ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ ଉତ୍ ଥାପନ ଏବଂ ସମୟାନ୍ତେ କିଛି ଅଞ୍ଚଳକୁ ପୌରପାଳିକା ପରିସରଭୁକ୍ତ କରାଯିବା ଏକ କ୍ରମାଗତ ପ୍ରକ୍ରିୟା ।
 
ବ୍ରହ୍ମପୁର ମହାନଗର ନିଗମ ୨୦୦୮ରେ ଗଠିତ ହେବା ସମୟରେ ସହରର ଜନସଂଖ୍ୟା ନିର୍ଦ୍ଧାରିତ ସୀମାରେ ପହୁଞ୍ଚାଇବା ନିମନ୍ତେ ସହରତଳି ଅଞ୍ଚଳର ୧୮ଗୋଟି ଗ୍ରାମପଞ୍ଚାୟତକୁ ପୌରପାଳିକା ଅଧୀନକୁ ଅଣାଯିବା ପ୍ରସ୍ତାବ ରହିଥିଲା । ଏତଦ୍ୱାରା ସହରତଳି ଅଞ୍ଚଳରେ ଅବାଧରେ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ଆଲୋକ ଓ ନର୍ଦ୍ଦମା ବ୍ୟବସ୍ଥା ତଥା ଜନ ସ୍ୱାସ୍ଥ୍ୟସେବା ଇତ୍ୟାଦି ଉପଲବ୍ଧ ହୋଇପାରିବତେବେ ଦୀର୍ଘ ୧୪ ବର୍ଷ ଧରି ତାହା ସଂଭବ ହୋଇନାହିଁପ୍ରଶାସନିକସ୍ତରରେ ଏଥିଲାଗି ଉଦ୍ୟମ ଅବ୍ୟାହତ ରହିଥିବା କୁହାଯାଉଛି ।
 
ସାଧାରଣତଃ ପୌର ନିର୍ବାଚ଼ନକାଳରେ ସହରର ୱାର୍ଡଗୁଡ଼ିକର ସୀମା ପୁନଃନିର୍ଦ୍ଧାରିତ ହୋଇଥାଏ । ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୦୧ ଜନଗଣନା ଆଧାରରେ ୨୦୦୩ରେ ଅନୁଷ୍ଠିତ ବ୍ରହ୍ମପୁର ପୌର ନିର୍ବାଚନରେ ୨୭ ଗୋଟି ୱାର୍ଡକୁ ପରିସରଭୁକ୍ତ କରାଯାଇଥିଲା । ୨୦୦୮ ନିର୍ବାଚନରେ ୱାର୍ଡ ସଂଖ୍ୟା ୩୭ ଓ ୨୦୧୩ରେ ୪୦ରେ ପହଞ୍ଚିଥିଲା । ପରବର୍ତ୍ତୀ ନିର୍ବାଚନ ୨୦୧୮ରେ ଅନୁଷ୍ଠିତ ହୋଇପାରି ନଥିଲା ଏବଂ ୨୦୨୨ରେ ଆୟୋଜନ ନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି ।
 
ଅସମର୍ଥିତ ସୂତ୍ର ଆକଳନ ଅନୁଯାୟୀ ବ୍ରହ୍ମପୁର ସହରର ଜନସଂଖ୍ୟା ପାଞ୍ଚ ଲକ୍ଷରେ ପହଞ୍ଚିଛି । ସହରତଳି ଅଞ୍ଚଳରେ ଅଧିକା ପ୍ରାୟ ଅଢ଼େଇ ଲକ୍ଷ ଜନସାଧାରଣ ବସବାସ କରୁଥିବା ହିସାବ କରାଯାଏ । ସହରଗୁଡ଼ିକର ପରିସୀମା ସର୍ବଦା କ୍ରମବର୍ଦ୍ଧିଷ୍ଣୁ । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ଗଠିତ ହେବା ବେଳକୁ ସହରାଞ୍ଚଳ କେବଳ ବଡ଼ବଜାର, ସାନବଜାର ଓ ପୁରୁଣା ବ୍ରହ୍ମପୁର ମଧ୍ୟରେ ସୀମିତ ଥିବା ଜଣାଯାଏ । ଏପରିକି ଭାପୁର ବଜାର ଏକ ଆଦର୍ଶ ବଜାରରୂପେ ପୌରପାଳିକା ଗଠିତ ହେବାପରେ ଆରମ୍ଭ ହୋଇଥିଲା
 
ସହରତଳି ଅଞ୍ଚଳରେ ବିଭିନ୍ନ ଶ୍ରେଣୀର ପରିବାର ବସବାସ କରିଥାନ୍ତି । ପ୍ରଥମତଃ, ଯେଉଁ ପରିବାରଗୁଡ଼ିକ ଗ୍ରାମାଞ୍ଚଳରୁ ସହରାଞ୍ଚଳରେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ପହଞ୍ଚିଥାନ୍ତି, ସେମାନେ ସହରତଳି ଅଞ୍ଚଳରେ ହିଁ ଥଇଥାନ ହୋଇଥାନ୍ତି । ଦ୍ୱିତୀୟତଃ, ଭଡ଼ାଟିଆମାନଙ୍କୁ ସହରତଳି ଅଞ୍ଚଳରେ ସୁବିଧା ଓ ଶସ୍ତାରେ ବାସଗୃହ ମିଳିଯାଏ । ତୃତୀୟତଃ, ସହର ମଧ୍ୟଭାଗରେ ବସବାସ କରୁଥିବା ପରିବାରରେ ସଦସ୍ୟ ସଂଖ୍ୟା ବଢ଼ିଲେ କିମ୍ୱା ଆର୍ଥିକ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସହରତଳି ଅଞ୍ଚଳକୁ ସ୍ଥାନାନ୍ତରିତ ହେବା ନିମନ୍ତେ ବାଧ୍ୟ ହୋଇଥାନ୍ତି ।
 
ସହରାଞ୍ଚଳ ଓ ସହରତଳି ଅଞ୍ଚଳରେ ବସବାସ କରୁଥିବା ପରିବାରବର୍ଗଙ୍କ ଦୈନନ୍ଦିନ ଜୀବନଚ଼ର୍ଯ୍ୟା ବହୁ ଦିଗରୁ ଭିନ୍ନ । ସହରାଞ୍ଚଳରେ ସଂକୁଚିତ ପରିବେଶରେ ଜୀବନଯାତ୍ରା ସହରତଳି ଅଞ୍ଚଳରେ ପ୍ରଶସ୍ତ ପରିବେଶ ଉପଲବ୍ଧ । ଅବଶ୍ୟ ବିଭିନ୍ନ ସହରାଞ୍ଚଳ ସେବା ଯଥା ବଜାରହାଟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ଇତ୍ୟାଦି ନିମନ୍ତେ ଦୂରଦୂରାନ୍ତ ଅଞ୍ଚଳକୁ ଯିବାକୁ ପଡ଼ିଥାଏ । ଏଥିଲାଗି ଯାନବାହାନ ବ୍ୟବହାର ସହରତଳି ଅଞ୍ଚଳରେ ଅଧିକ । ସହରାଞ୍ଚଳ ତୁଳନାରେ ନୂଆକରି ଗଢ଼ି ଉଠୁଥିବା ସହରତଳି ଅଞ୍ଚଳର ବାସିନ୍ଦାମାନଙ୍କ ଗୋଷ୍ଠୀଗତ ଜୀବନ ସୁଦୃଢ଼ । ଚୋରିହାରିରୁ ସୁରକ୍ଷାଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ଓ ପୌରସେବା ପାଇବା ନିମନ୍ତେ ସଂଗ୍ରାମ ନିମନ୍ତେ ସହରତଳି ବାସିନ୍ଦାମାନଙ୍କୁ ଏକଯୁଟ ହେବାକୁ ପଡିଥାଏ ।
 
ମହାମାରୀରେ ସଂଘଠିତ ବିଭିନ୍ନ ସାମାଜିକ ପରିବର୍ତ୍ତନ ସହରତଳି ଅଞ୍ଚଳ ବାସିନ୍ଦାଙ୍କ ପାଇଁ ବହୁ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇଥିବା ଲକ୍ଷ୍ୟ କରାଯାଏ । ଭିଡ଼ିଓ କଲ ଯୋଗେ ଆଳାପ ଆଲୋଚନା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଅନଲାଇନରେ କିଣାବିକା, ଏପରିକି ସହରାଞ୍ଚଳର ହୋଟେଲ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର ଯାଏଁ ପୂର୍ବରୁ ଦୂର୍ଲଭ ବହୁ ସୁବିଧା ସୁଯୋଗ ଉପଭୋଗର ସୁବିଧା ମିଳିପାରୁଛି ବୋଲି କହିବାକୁ ହେବ । ଏହିଭଳି ଉଦାହରଣରୁ ସହର ଓ ସହରତଳି ଅଞ୍ଚଳ ମଧ୍ୟରେ ଭୌଗଳିକ ତାରତମ୍ୟ କ୍ରମେ ଲୋପ ପାଇ ଆସୁଥିବା ବୋଧ ହୋଇଥାଏ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ /  ୩୦ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Anu Balla on Unsplash



No comments:

Post a Comment