#ବ୍ରହ୍ମପୁର ବାସିନ୍ଦା ୨୦୨୧ ଶେଷ ଦୁଇମାସରେ ନିଜ ସହରର ଏକ
ଘଟଣାକ୍ରମ ସଂପର୍କରେ ପ୍ରଥମ ଥର ପାଇଁ ଭାଇରାଲ ଭିଡ଼ିଓ ଅନୁଭୂତି ସାମ୍ନା କରିଥିଲେ । ଇଣ୍ଟରନେଟ
ମାଧ୍ୟମରେ ଭିଡ଼ିଓ ସେୟାରିଂ ଏକ ପ୍ରକ୍ରିୟା, ତେବେ ଭିଡ଼ିଓଟି ଯେତେବେଳେ ବ୍ୟାପକ ମାତ୍ରାରେ
ସେୟାର ହୁଏ ତଥା ଗ୍ରହୀତାମାନେ ପୁନର୍ବାର ସେୟାରିଂ କରନ୍ତି ସେତେବେଳେ ସଂପୃକ୍ତ ଭିଡ଼ିଓକୁ ଭାଇରାଲ
ଚ଼ିହ୍ନିତ ହୋଇଥାଏ । ଆନ୍ତର୍ଜାତିକସ୍ତରରେ ଗୋଟିଏ ଭିଡ଼ିଓ ଦଶ ଲକ୍ଷ ଦର୍ଶକ ଦେଖିବା ‘ଭିଉ’ ସୀମାରେ ପହଞ୍ଚିଲେ ଭାଇରାଲ ମାନ୍ୟତା ଦିଆଯିବା
ପ୍ରଥା ପ୍ରଚଳିତ । ତେବେ, ଓଡ଼ିଶା ବା ବ୍ରହ୍ମପୁରରେ ତାହା ଠାରୁ ଢ଼େର କମ ସଂଖ୍ୟକ ଦର୍ଶକଙ୍କୁ
ନେଇ ଭାଇରାଲ ଭିଡ଼ିଓର ଗଣିତ ହିସାବ କରାଯାଇଥାଏ ।
ଭାରତରେ
୧୯୮୨ରେ ଉପଗ୍ରହଭିତ୍ତିକ ଟେଲିଭିଜନ ପ୍ରସାରଣ ବିସ୍ତୃତି ପରେ ପରେ ବ୍ରହ୍ମପୁରରେ ଭିଡ଼ିଓ ପ୍ଳେୟାର
ବ୍ୟବହାର ଆରମ୍ଭ ହୋଇଥିଲା । ୧୯୮୩-୮୪ ବେଳକୁ ଭିଡ଼ିଓ ପ୍ରଦର୍ଶନ ଏକ ସମାନ୍ତରାଳ ଚଳଚ଼ିତ୍ର
ପ୍ରେକ୍ଷାଳୟ ସଂସ୍କୃତି ପ୍ରତିଷ୍ଠା କରିଥିଲା । ପ୍ରଥମେ ବଡ଼ବଜାର ଓ ଭାପୁର ବଜାର ଆଖପାଖରେ ଭିଡ଼ିଓ
ପାର୍ଲରମାନ ଛତୁ ଫୁଟିଲା ଭଳି ଖୋଲିଥିଲା । ପ୍ରତିଦିନ ମଧ୍ୟାହ୍ନରୁ ଗଭୀର ରାତ୍ରୀ ଯାଏଁ ଭିଡ଼ିଓ
ମାଧ୍ୟମରେ ଚଳଚ଼ିତ୍ରମାନ ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା । ଏଥି ପାଇଁ ରୀତିମତ ଟିକଟ ପଇସା
ଦେଇ ପ୍ରତ୍ୟେକ ସୋ’ରେ ୨୦ ରୁ ୫୦
ଜଣ ଯାଏଁ ଦର୍ଶକ ଏକତ୍ରୀତ ହେଉଥିଲେ । ମୌଳିକଭାବେ ଏହା ବେନିୟମ । ସେହି ସମୟରେ ଏକ ରାଜନୀତିକ
ହତ୍ୟାକାଣ୍ଡ ଏବଂ ୧୯୮୪ରେ ବ୍ରହ୍ମପୁର ସହରକୁ ନେଇ ସ୍ୱତନ୍ତ୍ର ପୋଲିସ ଜିଲ୍ଲା ଗଠନପରେ ଭିଡ଼ିଓ
ପାର୍ଲର ବ୍ୟବସାୟରେ ହଠାତ ପୂର୍ଣ୍ଣଛେଦ ପଡ଼ିଥିଲା । ଏହାପରେ ଗଞ୍ଜାମ ଓ ପଡ଼ୋଶୀ
ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳରେ ଭିଡ଼ିଓ ପାର୍ଲର କିଛି ଦିନ ଚାଲିଥିଲା ।
ମୁଖ୍ୟତଃ ସହରରେ
୨୦୧୦ରୁ ସ୍ମାର୍ଟଫୋନ ପ୍ରଚଳନ ଏବଂ କ୍ରମଶଃ ବିଭିନ୍ନ ଆପ୍ଳିକେସନ ବ୍ୟବହାରପରେ ସୋସିଆଲ ମିଡ଼ିଆ
ମାଧ୍ୟମରେ ଭିଡ଼ିଓ ସେୟାରିଂ ଧାରା ଆରମ୍ଭ ହୋଇଥିଲା । ଭାରତରେ ୨୦୦୬ରେ ଫେସବୁକ ଓ ୨୦୦୮ରେ
ୟୁଟ୍ୟୁବ ପ୍ରବେଶ କରିଥିଲେ । ପଡ଼ୋଶୀ ସହରମାନଙ୍କ ସହ ତାଳ ଦେଇ ବ୍ରହ୍ମପୁରରେ ମଧ୍ୟ ଭିଡ଼ିଓର
ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଥିଲା । ୨୦୧୫ ବେଳକୁ ସ୍ମାର୍ଟଫୋନ ଯୋଗେ ଭିଡ଼ିଓ ସୁଟିଂ
ଏବଂ ନନ-ପ୍ରଫେସନାଲ ଏଡ଼ିଟିଂ କଳା କୌଶଳର ପ୍ରସାର ପରେ ସ୍ଥାନୀୟ ଘଟଣାବଳୀକୁ ନେଇ କ୍ରମଶଃ
ସୋସିଆଲ ମିଡ଼ିଆରେ ଭିଡ଼ିଓ ଆପଲୋଡ଼ ଧାରା ଜୋର ଧରିଲା । ୨୦୨୦ ବେଳକୁ ମହାମାରୀରେ ସ୍ମାର୍ଟଫୋନ
ଓ ସୋସିଆଲ ମିଡ଼ିଆ ବ୍ୟବହାର ବୃଦ୍ଧି ଭିଡ଼ିଓ ଆପଲୋଡ଼, ସେୟାରିଂ ପ୍ରସାରରେ ସହାୟକ ହେବାରେ
ଲାଗିଲା ।
ଆନ୍ତର୍ଜାତିକସ୍ତରରେ
ସାଧାରଣତଃ କୌତୁହଳୋଦ୍ଦୀପକ ଭିଡ଼ିଓ ଭାଇରାଲ ହୋଇଥାଏ, ଅର୍ଥାତ ଅଧିକ ମାତ୍ରାରେ ସେୟାର ହୋଇଥାଏ
। ତେବେ ମାନବିକ ଆବେଗଧର୍ମୀ ଘଟଣା ‘ହ୍ୟୁମାନ-ଇଣ୍ଚରେଷ୍ଟ-
ଷ୍ଟୋରିଜ’, ବିବାଦ ଓ
ରାଜନୀତିକ ଘଟଣାବଳୀ ସମ୍ୱଳିତ ଭିଡ଼ିଓ ମଧ୍ୟ ଭାଇରାଲ ହୁଏ । ଗଣମାଧ୍ୟମରେ ମୁଦ୍ରଣ, ରେଡ଼ିଓ,
ଟେଲିଭିଜନ ଓ ଚଳଚ଼ିତ୍ର ତୁଳନାରେ ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ ଅଧିକ ପ୍ରଭାବଶାଳୀ ।
କାରଣ ଆମ ଅଲକ୍ଷ୍ୟରେ ସୋସିଆଲ ମିଡ଼ିଆ ଆମକୁ ପ୍ରଭାବିତ କରିବା ନିମନ୍ତେ ଅନୁକୂଳ ପରିବେଶ
ସୃଷ୍ଟି କରିଥାଏ । ଏସଂପର୍କରେ ସମ୍ୟକ ଧାରଣା ଅନେକଙ୍କୁ ବିସ୍ମିତ କରିବ ।
ପ୍ରଥମତଃ,
ସୋସିଆଲ ମିଡ଼ିଆରେ ଭିଡ଼ିଓ ପ୍ରଦର୍ଶନ ଆଗ୍ରହ ଉଦ୍ଦୀପକ, ରୋମାଞ୍ଚକର ଏବଂ ମାଦକତା ପୂର୍ଣ୍ଣ ।
ଉପଭୋକ୍ତା ବ୍ୟକ୍ତିଗତ ଭାବେ ନିଜ ପସନ୍ଦ ବିଷୟରେ ଭିଡ଼ିଓ ଦେଖିବା, ଆବଶ୍ୟକ ସ୍ଥଳେ ବାରମ୍ୱାର
ଦେଖିବା ଏବଂ ଯେକୌଣସି ସମୟ ଓ ପରିବେଶରେ ଭିଡ଼ିଓ ଉପଭୋଗର ସୁବିଧା ସୁଯୋଗ ଅନ୍ୟ କୌଣସି
ଗଣମାଧ୍ୟମରେ ଦୁର୍ଲଭ । ସେହି କାରଣରୁ ବ୍ରହ୍ମପୁରର ଇଣ୍ଟରନେଟ ବା ସ୍ମାର୍ଟଫୋନ ଉପଭୋକ୍ତାମାନେ
ଦୈନିକ ହାରାହାରି ପାଞ୍ଚଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅନଲାଇନରେ ଅତିବାହିତ କରନ୍ତି ଏବଂ
ସେଥିମଧ୍ୟରୁ ଅଧିକାଂଶ ସମୟ ଭିଡ଼ିଓ ଦେଖାରେ କଟେ ।
ଦ୍ୱିତୀୟତଃ,
ଉପଭୋକ୍ତାଙ୍କ ଆଗ୍ରହ ଅନୁଯାୟୀ ସୋସିଆଲ ମିଡ଼ିଆର ଭିଡ଼ିଓ ପ୍ରଦର୍ଶିତ ହୁଏ । ଅର୍ଥାତ ଜଣେ
ବ୍ୟକ୍ତି ଯଦି କାର ରେସ ସଂପର୍କରେ ଗୋଟିଏ ଭିଡ଼ିଓ ଦେଖେ, ତେବେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ
ତାହା ପାଇଁ ଆଉ ଦଶଗୋଟି କାର ରେସର ଭିଡ଼ିଓ ଦେଖିବାଲାଗି ସଜେଇ ରଖେ । ଏହି ଅବସରରେ ମାତ୍ର
ଗୋଟିଏ ଭିଡ଼ିଓ ଦେଖି ବନ୍ଦ କରିଦେବା ଅନେକଙ୍କ କ୍ଷେତ୍ରରେ ପ୍ରାୟତଃ ଅସଂଭବ । ସହରର ଏକ
ନିର୍ଦ୍ଦିଷ୍ଟ ଘଟଣାକ୍ରମ ସଂପର୍କରେ ଉପଭୋକ୍ତା ଦଶ ମିନଟର ଭିଡ଼ିଓଟିଏ ଦେଖିଲେ, ଅତି କମରେ ଆଉ
ଶହେ ମିନଟର ଦଶ ଗୋଟି ଭିଡ଼ିଓ ଦେଖିବା ପାଇଁ ସୋସିଆଲ ମିଡ଼ିଆ ଦର୍ଶକଙ୍କୁ ପ୍ରବର୍ତ୍ତାଏ ଏବଂ
ଉପଭୋକ୍ତା ମଧ୍ୟ ଦେଖିଚାଲେ ।
ବାରମ୍ୱାର ଗୋଟିଏ ଘଟଣା ସଂପର୍କରେ କାର୍ଯ୍ୟକ୍ରମମାନ ଦେଖିବାପରେ
ଭିଡ଼ିଓ ପ୍ରଯୋଜକଙ୍କ ମତଧାରାରେ ପ୍ରାୟତଃ ଦୀକ୍ଷିତ ହୋଇପଡ଼େ । ଗଣମାଧ୍ୟମ ଭାଷାରେ ଏହାକୁ ‘ଇକୋ-ଚେମ୍ୱର-ଇଫେକ୍ଟ’ କୁହାଯାଏ ।
ତୃତୀୟତଃ,
ଭିଡ଼ିଓ ଦେଖାରେ ଦର୍ଶକ ପ୍ରଭାବିତ ହୋଇ ତାହା ସେୟାର କରେ । ଫଳରେ ସୋସିଆଲ ମିଡ଼ିଆରେ ଉପସ୍ଥିତ
ତାହାର ପରିଚ଼ିତ ବର୍ଗ ମଧ୍ୟ ପ୍ରଭାବିତ ହେବା ତଥା ପୁନଃ ସେୟାରିଂ ପ୍ରକ୍ରିୟାରେ ଏକ ବିସ୍ତୃତ
ଦର୍ଶକବର୍ଗକୁ ପ୍ରଭାବିତ କରିବା ସମ୍ଭାବନା ରହିଥାଏ ।
ଚ଼ତୁର୍ଥତଃ,
ମନେ ରଖିବାକୁ ହେବ ଭାଇରାଲ ଭିଡ଼ିଓ ଅଧିକାଂଶ କ୍ଷେତ୍ରରେ ପକ୍ଷଭୁକ୍ତ ଓ ଉଦ୍ଦେଶ୍ୟ ପ୍ରଣୋଦିତ ।
ଫଳରେ ସ୍ଥଳବିଶେଷରେ ସତ୍ୟ ବଦଳରେ ଅସତ୍ୟ ଓ ଅର୍ଦ୍ଧସତ୍ୟ ଅନେକଙ୍କୁ ପ୍ରଭାବିତ କରିବାରେ ସମର୍ଥ
ହୋଇଥାଏ । ଏହାର ଜ୍ୱଳନ୍ତ ଉଦାହରଣ ଆମେରିକାରେ ସଂଘଟିତ ସଂସଦ ଭବନ ଅଧିଗ୍ରହଣଠାରୁ ଆରମ୍ଭ କରି
ଭାରତରେ ବିଭିନ୍ନ ରାଜ୍ୟରେ ସାଂପ୍ରଦାୟିକ ଦଙ୍ଗା ଇତ୍ୟାଦିକୁ ଗ୍ରହଣ କରାଯାଇପାରେ । ମୁଦ୍ରଣ
ତୁଳନାରେ ଚଳଚ଼ିତ୍ର ବା ଭିଡ଼ିଓ ବହୁ ସଂଖ୍ୟକଙ୍କୁ ଆକୃଷ୍ଟ କରିପାରେ ଏବଂ ଅପେକ୍ଷାକୃତ ଭାବେ
ସହଜରେ ପ୍ରଭାବିତ କରିପାରେ । କିନ୍ତୁ ଭିଡ଼ିଓ ପ୍ରାକୃତିକ ନୁହେଁ । ଏହାର ପ୍ରଯୋଜକ ଯାହା
ଭିଡିଓରେ ସନ୍ନିବଶିତ କରନ୍ତି ସେହି ଦୃଶ୍ୟଗୁଡ଼ିକୁ ଆମେ ଦେଖୁ ଓ ଶୁଣୁ । ତେଣୁ ଭାଇରାଲ ଭିଡ଼ିଓ
ଯୋଗେ ଅସତ୍ୟ ତଥ୍ୟ ପ୍ରସାରିତ ହେଲେ ସମାଜରେ ବିଶୃଙ୍ଖଳା ବ୍ୟାପିବାର ସମ୍ଭାବନା ଭରପୁର ରହିଥାଏ
।
ପଞ୍ଚମତଃ,
ମନୋରଞ୍ଜନ ଦୁନିଆରେ କାଳ୍ପନିକ କାହାଣୀ ଛାଡ଼ି, ବାସ୍ତବିକତା ସଂପର୍କରେ କାର୍ଯ୍ୟକ୍ରମ
ଲୋକପ୍ରିୟ ହେବାରେ ଲାଗିଛି । ଅବଶ୍ୟ ଏହି ଶୈଳୀ ଦୀର୍ଘଦିନରୁ ଚଳିଆସିଛି । ଫ୍ରେଞ୍ଚ ପ୍ରାମାଣିକ
ଚଳଚ଼ିତ୍ର ଜଗତରେ ୧୯୬୦ରୁ ପ୍ରବର୍ତ୍ତିତ ‘ସିନେମା ଭେରିଟେ’ ଦର୍ଶକଙ୍କୁ
ଆକୃଷ୍ଟ କରିଥିଲା । ଏଥିରେ ବାସ୍ତବ ଜୀବନର ଘଟଣାବଳୀ ଚ଼ିତ୍ରିତ ହୋଇଥାଏ । ପରବର୍ତ୍ତୀକାଳରେ
ବାସ୍ତବ ଜୀବନର ନାଟକୀୟ ଘଟଣାବଳୀ ଭାଇରାଲ ଭିଡ଼ିଓ ଫର୍ମାଟରେ ଦର୍ଶକଙ୍କ ଆକାଂକ୍ଷିତ ବିଷୟବସ୍ତୁ
ପାଲଟିଛି । ‘ମିଡ଼ିଆ
ଟ୍ରାଏଲ’ ଏହି ବର୍ଗରେ
ଅନ୍ୟତମ ଉତ୍ପାଦ ।
ବ୍ରହ୍ମପୁରର ସ୍ଥାୟୀ ଜନସଂଖ୍ୟା ଯଦି ଚାରି ଲକ୍ଷ ଧରି ନିଆଯାଏ, ତେବେ ୬୦ ପ୍ରତିଶତ ଅର୍ଥାତ ପ୍ରାୟ ଅଢ଼େଇ ଲକ୍ଷ ନାଗରିକ ଇଣ୍ଟରନେଟ ଉପଭୋକ୍ତା ବା ସ୍ମାର୍ଟଫୋନ ବ୍ୟବହାର କରୁଥିବା ହିସାବ କରାଯାଇପାରେ । ସହରର କୌଣସି ଏକ ଘଟଣାକ୍ରମ ସଂପର୍କରେ ଏମାନେ ଯଦି ମାସାଧିକାଳ ହାରାହାରିଭାବେ ଦୈନିକ ଅତି କମରେ ଅଧ ଘଣ୍ଟାରୁ ଘଣ୍ଟାଏ ଭାଇରାଲ ଭିଡ଼ିଓରେ ସଂପୃକ୍ତ ରହିଥାନ୍ତି, ତେବେ ବିପୁଳ ସମୟ କେବଳ ଏଥିରେ ବିନିଯୋଗ ହୋଇନାହିଁ, ବରଂ ଜନମାନସକୁ ଆନ୍ଦୋଳିତ କରିଛି ବୋଲି କହିବାକୁ ହେବ । ଏଦିଗରେ ପାରମ୍ପରିକ ସମ୍ୱାଦ ସରବରାହ ମାଧ୍ୟମ ସମ୍ୱାଦପତ୍ର ଓ ଟେଲିଭିଜନର ପ୍ରଭାବ ହ୍ରାସ ପାଇ ଆସୁଥିବା ମନେହୁଏ । ଆଗାମୀ ଭବିଷ୍ୟତରେ ଜନମତକୁ ପ୍ରଭାବିତ କରିବାରେ ଭିଡିଓ ଓ ଅଡ଼ିଓ ଯେ ପ୍ରଭାବଶାଳୀ ତାହା ସୁସ୍ପଷ୍ଟ !
(‘ଅନୁପମ ଭାରତ’,
ବ୍ରହ୍ମପୁର ସଂସ୍କରଣ / ୨୫ ଡ଼ିସେମ୍ୱର ୨୦୨୧ /
ପୃଷ୍ଠା : ୮)
Photo by Gian Cescon on Unsplash
No comments:
Post a Comment