Friday, December 3, 2021

Mosquito Control / ମଶା ନିୟନ୍ତ୍ରଣ

 




ମୂଷଳ ଧାରାରେ ବର୍ଷାର ମାସକ ପରେ #ବ୍ରହ୍ମପୁରରେ ମଶା ଉପଦ୍ରବ ଏକ ଚିରାଚରିତ ସମସ୍ୟା । ଏ ବର୍ଷ  ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଉପକୂଳରେ ଲଘୁଚାପ ପ୍ରଭାବରେ ଅକ୍ଟୋବର ଶେଷ ନଭେମ୍ୱର ଆରମ୍ଭରେ ବ୍ରହ୍ମପୁରରେ ବର୍ଷା ପରେ ନଭେମ୍ୱର ଶେଷ ସପ୍ତାହରୁ ପ୍ରବଳ ମଶା । ଦିନ ସାରା ମଶା ଧୂପ, ରସାୟନ ଜାଳିଲେ ସୁଦ୍ଧା ମଶାଙ୍କ କବଳରୁ ମୁକ୍ତି ନାହିଁ । ରାତିରେ ମଶାରୀ ଢାଙ୍କି ଶୋଇଲେ ମଧ୍ୟ ମଶାରୀ କଡ଼ରେ ଶରୀର ପହଞ୍ଚିବା ସଙ୍ଗେ ସଙ୍ଗେ ମଶା ଦଂଶନରେ ବାରମ୍ୱାର ନିଦ୍ରାହାନୀ । ମଶା ନିୟନ୍ତ୍ରଣ ପାଇଁ ଅଧିକ କିଛି ବ୍ୟକ୍ତିଗତ ବା ପାରିବାରିକ କ୍ଷମତା ନଥିବା ହେତୁ ପୌରପାଳିକାଙ୍କ ଦୟାକୁ ଅପେକ୍ଷା କରିବାକୁ ପଡ଼େ ।

 

ସହର ସାରା ରାସ୍ତାଘାଟ ବିଶେଷ କରି ଖୋଲା ସ୍ଥାନମାନଙ୍କରେ ଅଳିଆ ଆବର୍ଜନା ଏବଂ ଖୋଲା ନର୍ଦ୍ଦମା କାରଣରୁ ବର୍ଷା ହେବା ପରେ ପାଣି ଜମି ରହେ । ସେଠି ମଶା ଡ଼ିମ୍ୱ ଦିଏ ଏବଂ ସପ୍ତାହରୁ ଦୁଇ ସପ୍ତାହ ମଧ୍ୟରେ ମଶା ଘରେ ପଶି ଆକ୍ରମଣ ଜାରି ରଖେ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ।

 

ଅଳିଆ ଆବର୍ଜନା ନାଳନର୍ଦ୍ଦମା ତ ନିୟମିତ ସଫା ହେବା କଥା । ତେବେ ବର୍ଷା ଋତୁ ଆଗରୁ ତତ୍ପରତା ସହ ସଫେଇ ଆୟୋଜନ କଲେ ବର୍ଷା ପରେ ଆବଦ୍ଧ ଜଳର ପରିସୀମା କମିଯାଆନ୍ତା । ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଏହି କାର୍ଯ୍ୟକ୍ରମ ନିୟମିତ ହେବା କଥା । ତେବେ ସେଥିରେ ଅବହେଳା ହେଲେ ସଂପୃକ୍ତ ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଏ ।

 

ସହରର ବହୁ ଅଞ୍ଚଳରେ ନିୟମିତ ସଫେଇ ବ୍ୟବସ୍ଥା ନଥାଏ । ଉଦାହରଣରେ ବହୁ ଜନାକୀର୍ଣ୍ଣ ସାହୀର ପଛପଟ ରାସ୍ତା ସ୍କେଭେଞ୍ଜର୍ସ ଲେନ କିମ୍ୱା ପୌରାଞ୍ଚଳକୁ ଘେରି ରହିଥିବା ସହରତଳି ଜନବସତି ଇତ୍ୟାଦି । ଏହି ସବୁ ଅଞ୍ଚଳରେ ସ୍ୱତନ୍ତ୍ର ଅଭିଯାନ ବିନା ସଫେଇ କାର୍ଯ୍ୟ ସଂଭବ ହୋଇନଥାଏ ।

 

ବର୍ଷା ପରେ ପରେ ସଫେଇ, ମଶାବଂଶ ନାଶ ତେଲ ସ୍ପ୍ରେ କରିବା ଏବଂ ମଶା ଉପଦ୍ରବ ଆରମ୍ଭ ହେବା ସଙ୍ଗେ ସଙ୍ଗେ ମଶା ମରା ଧୂଆଁ ଛାଡ଼ିବା ଦ୍ୱାରା ମଶା ବଂଶ ବୃଦ୍ଧିକୁ ଆୟତ୍ତ କରିବା ସଂଭବ । କିନ୍ତୁ ଏହି କାର୍ଯ୍ୟକ୍ରମ ଠିକ ସମୟରେ ଆୟୋଜନ ନ ହୋଇ ପାରିଲେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ ।

 

କୁହାଯାଏ ମଶାର ଜୀବନଚକ୍ର ଚାରିଗୋଟି ଅବସ୍ଥା ଦେଇ ଗତି କରିଥାଏ – ଡିମ୍ୱ, ଲାର୍ଭା, ପ୍ୟୁପା ଓ ପ୍ରାପ୍ତ ବୟସ୍କ ମଶା । ଡ଼ିମ୍ୱ, ଲାର୍ଭା ଓ ପ୍ୟୁପା ଆବଦ୍ଧ ଜଳ ମଧ୍ୟରେ କଟିବା ପରେ ପ୍ରାପ୍ତ ବୟସ୍କ ମଶା ଉଡ଼ି ବୁଲେ । ମଶା ନିପାତ କରିବା ନିମନ୍ତେ ଅଳିଆ ଆବର୍ଜନା ପରିଷ୍କାର ଓ ଆବଦ୍ଧ ଜଳ ନିୟନ୍ତ୍ରଣ କରାଯାଇ ପାରିଲେ ମଶା ବଂଶବୃଦ୍ଧି ପ୍ରାଥମିକ ପର୍ଯ୍ୟାୟରେ ନିୟନ୍ତ୍ରଣ ସମ୍ଭବ । କିନ୍ତୁ ତାହା ନ ହୋଇପାରିଲେ ମଶା ଧୂଆଁ ଦ୍ୱାରା ନିପାତ କରିବା ବ୍ୟତୀତ ଅନ୍ୟ ଉପାୟ ନଥାଏ ।

 

ଅଣ୍ଡିରା ମଶାଙ୍କ ଜୀବଦ୍ଦଶା ପ୍ରାପ୍ତ ବୟସ୍କ ପର୍ଯ୍ୟାୟରେ ପହଞ୍ଚିବା ପରେ ୫ ରୁ ୭ ଦିନ ମଧ୍ୟରେ ସୀମିତ ରହୁଥିବା ସ୍ଥଳେ ମାଈ ମଶା ଦୁଇ ସପ୍ତାହରୁ ଚାରି ସପ୍ତାହ ଯାଏଁ  ବଞ୍ଚେଅଣ୍ଡିରା ମଶା ଗଛ ପତ୍ର ରସ ଆହାର ରୂପେ ଗ୍ରହଣ କରୁଥିବା ବେଳେ ମାଈ ମଶାର ଖାଦ୍ୟ ଗଛପତ୍ର ରସ ସହ ମନୁଷ୍ୟ ତଥା ଅନ୍ୟାନ୍ୟ ପ୍ରାଣୀଙ୍କ ରକ୍ତ ଅନ୍ତର୍ଭୁକ୍ତ । ମାଈ ମଶା ରକ୍ତ ପାନ ପରେ ଦୁଇ ତିନି ଦିନ ବିଶ୍ରାମ ନିଏ । ଏହି ଅବସରରେ ରକ୍ତ ହଜମ ହୋଇ ଅଣ୍ଡା ପ୍ରସ୍ତୁତ ହୋଇଥାଏ । ସ୍ଥିର ଜଳରେ ଅଣ୍ଡା ଦେବା ପରେ ମାଈ ମଶା ପୁଣି ରକ୍ତ ଆହାର ପାଇଁ ଶୀକାର ସନ୍ଧାନରେ ବାହାରିପଡ଼େ । ମଶାଙ୍କ ଜୀବନଚକ୍ର ଅବଧି ମୁଖ୍ୟତଃ ସ୍ଥାନୀୟ ପାଣିପାଗ ଉପରେ ନିର୍ଭରଶୀଳ ।

 

ବିଶ୍ୱବ୍ୟାପୀ ପ୍ରାୟ ତିନି ହଜାର ପ୍ରଜାତିର ମଶା ଦେଖାଯାଆନ୍ତି । ମାଈ ମଶା ସକାଳ ଓ ସନ୍ଧ୍ୟାରେ କାମୁଡ଼େ । ଦିନର ଗରମ ସମୟରେ ଥଣ୍ଡା ଅନ୍ଧାରୁଆ ସ୍ଥାନ ଖୋଜି ବିଶ୍ରାମ ନିଏ । କିନ୍ତୁ କେତେକ ପ୍ରଜାତିର ମଶା ଦିନ ତମାମ କାମୁଡ଼ନ୍ତି । ହୁଏତ ବ୍ରହ୍ମପୁରର ମଶା ସେହି ଭଳି ପ୍ରଜାତି ଅନ୍ତର୍ଗତ !

 

ମଶା କାମୁଡ଼ା ବାଧେ । ଏତଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପେ । ବିଶ୍ୱରେ ମଶା ହେତୁ ପ୍ରତି ବର୍ଷ ସାତ ଲକ୍ଷ ମନୁଷ୍ୟ ଜୀବନହାନୀ ହୁଏ ହିସାବ ଦେଖିଲେ ମଶା ନିୟନ୍ତ୍ରଣ ଏକ ବଡ଼ ଜନସ୍ୱାସ୍ଥ୍ୟ ସମସ୍ୟା । ଏଦିଗରେ ଜନସାଧାରଣ ଓ ପୌର ପ୍ରଶାସନ ସଜାଗ ରହି ପରିସ୍ଥିତି ଉପଯୋଗୀ ପଦକ୍ଷେପ ଗ୍ରହଣ କରିବା ବିଧେୟ । ଏହି ଡ଼ିସେମ୍ୱରରେ ମଶା ଧୂଆଁ ଛାଡ଼ିବା ଦରକାର ।


No comments:

Post a Comment