#ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ତମ ବାର୍ଷିକୀ ୨୦୨୨ରେ ପାଳନ କରାଯିବା ଯଥାର୍ଥ ବିଚାର କରାଯାଏ । ବ୍ରହ୍ମପୁର ସହରର କ୍ରମବିକାଶ ସଂପର୍କରେ ସ୍ଥାନୀୟ ଐତିହାସିକ ଡ଼କ୍ଟର ଦଣ୍ଡପାଣି ବେହରାଙ୍କ ୧୯୯୪ରେ ପ୍ରକାଶିତ ‘ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି’ ପ୍ରବନ୍ଧଟି ତଥ୍ୟାଶ୍ରିତ । ସେ ଗଞ୍ଜାମ ରେକର୍ଡସ, ଭଲ୍ୟୁମ ୭୩୮ରେ ଗଞ୍ଜାମ ରେସିଡ଼େଣ୍ଟ ୧୨ ଅକ୍ଟୋବର ୧୭୯୧ରେ ସରକାରଙ୍କୁ ଲେଖିଥିବା ପତ୍ରରେ ପ୍ରଦତ୍ତ ତଥ୍ୟାବଳୀକୁ ଉଦ୍ଧାର କରି ସୂଚ଼ିତ କରିଥିଲେ, “ମହୁରି ଥିଲା ଏକ ପୁରାତନ ରାଜ୍ୟ । ପାରଳାଖେମୁଣ୍ଡି ଓ ଘୁମୁସର ପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରାଜ୍ୟ ଥିଲା । ଆକାରରେ ଏହା ଥିଲା ୩୦୦ ବର୍ଗ ମାଇଲ । ଏହାର ମଧ୍ୟଭାଗରେ ଠିଆ ହୋଇଥିବା ମହୁରି ଅବା କେରାଣ୍ଡିମାଳ ପର୍ବତର ବିସ୍ତୃତି ଥିଲା ୨୦ ମାଇଲ । ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ଏହି ରାଜ୍ୟ ପ୍ରତିଷ୍ଠିତ । ଏହାର ପ୍ରଥମ ରାଜ୍ୟ ମହକୁମା ଥିଲା କେରାଣ୍ଡିମାଳର ପାଦ ଦେଶସ୍ଥ ମହୁରିଗଡ଼ ଅବା ଅଧୁନା ମହୁଡ଼ା ଗ୍ରାମଠାରେ ଏକ ଦୃଢ ପ୍ରସ୍ତର ଦୁର୍ଗ ଥିଲା । ସେଠାରେ ରାଜପରିବାର ଅବସ୍ଥାନ କରୁଥିଲେ । ତା’ର ସମୀପରେ ଶିରକୁଟ ଦୁର୍ଗ ଥାଏ । ସେଠାରେ ରାଜା ବେଳେବେଳେ ଆଶ୍ରୟ ନେଉଥାନ୍ତି । ପରେ ପରେ ରାଜ୍ୟ ମହକୁମା ସେଠାରୁ ଆଠ ମାଇଲ ଦୂରରେ ସମତଳ ଭାଗରେ ନୂତନ ନିର୍ମିତ ହୋଇଥିବା ବ୍ରହ୍ମପୁରକୁ ୧୬୬୨ରୁ ୧୬୭୨ ସାଲ ମଧ୍ୟରେ ଘୁଞ୍ଚାଇ ଅଣାଗଲା । ତତ୍ ପରେ ପରେ ବ୍ରହ୍ମପୁର ଏହାର ରାଜଧାନୀ ଭାବେ କାର୍ଯ୍ୟକଲା ।”
ବ୍ରିଟିଶ ପ୍ରଶାସକ ଟି.ଜେ. ମାଲଟବୀଙ୍କ ଦ୍ୱାରା ସଂକଳିତ ୧୯୩୨ରେ ମାନ୍ଦ୍ରାଜରୁ ପ୍ରକାଶିତ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁୟଲ’ର ପୃଷ୍ଠା ୪୭ରୁ ଉଦ୍ଧାର କରି ଅନ୍ୟତ୍ର ସେ ଉଲ୍ଲେଖ କରିଛନ୍ତି, “୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ନିର୍ମାଣ ହୋଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ହେଲା ସ୍ଥାନୀୟ ଇତିହାସରେ ଏକ ବିଶିଷ୍ଟ ଘଟଣା । ଏହି ମନ୍ଦିର ପ୍ରତିଷ୍ଠା ପରେ ହରିଡ଼ାଖଣ୍ଡି ଓ ରାଜବାଟୀ ମଧ୍ୟରେ ସ୍ୱଳ୍ପ ସମୟ ବ୍ୟବଧାନ ମଧ୍ୟରେ ବହୁ ମଠ ଓ ମନ୍ଦିର ପ୍ରତିଷ୍ଠିତ ହେଲା । ନୃସିଂହନାଥ, ଜଗନ୍ନାଥ, ଶିବ, ବିଷ୍ଣୁ, ଠାକୁରାଣୀ ଓ ଗ୍ରାମଦେବୀ ଆଦି ଦେବଦେବୀଙ୍କର ପୂଜା ଆରାଧନା ନିମନ୍ତେ ମଠ ମନ୍ଦିରମାନ ଦୂରଦୂରାନ୍ତରୁ ଅସଂଖ୍ୟ ଭକ୍ତ, ସାଧକ, ସାଧୁ ସନ୍ଥମାନଙ୍କ ଅନବରତ ଆଗମନରେ ସଂପୃକ୍ତ ଜନବସତି ଅଞ୍ଚଳମାନ ସତତ ମୁଖରିତ ହୋଇଉଠିଲା । ଏଭଳି ନୂଆକରି ଗଢ଼ି ଉଠୁଥିବା ଜନବସତି ସମୂହ ଓ ତତ୍ ସହିତ ପ୍ରତିଷ୍ଠିତ ମଠମନ୍ଦିର ମାଳିନୀକୁ ନାମକରଣ କରାଗଲା ‘ବ୍ରହ୍ମପୁର’ ଅବା ‘ଦେବତାମାନଙ୍କ ନିବାସ ସ୍ଥଳ’ ଅବା ‘ବ୍ରହ୍ମସ୍ଥାନ’ ।” ଡ଼କ୍ଟର ବେହରା ଏମ. ଭି. ଆପ୍ପାରାଓଙ୍କ ୧୯୩୨ରେ ବ୍ରହ୍ମପୁରରୁ ପ୍ରକାଶିତ ‘ହିଷ୍ଟ୍ରୀ ଅଫ ହରିଡ଼ାଖଣ୍ଡି : ମଠ ଏଣ୍ଡ ମହନ୍ତସ’ ପୁସ୍ତକର ତଥ୍ୟାବଳୀକୁ ମଧ୍ୟ ଗୁରୁତ୍ୱ ଦେଇଥିବା ପ୍ରବନ୍ଧରେ ଉଲ୍ଲେଖ କରିଥିଲେ ।
ଅତଏବ, ମହୁରି ରାଜପ୍ରସାଦକୁ ଘେରି ଗଢ଼ିଉଠିଥିବା ମଠ, ମନ୍ଦିରମୟ ଜନବସତିକୁ ବ୍ରହ୍ମପୁର ନାମକରଣ ଯୁକ୍ତି ଗ୍ରହଣ କଲେ ୧୬୭୨ରେ ମହୁରି ରାଜପ୍ରସାଦ ନିର୍ମାଣ ସରିଥିବା ଏବଂ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ତାରିଖକୁ ବ୍ରହ୍ମପୁର ସହରର ଜନ୍ମକାଳ ନିର୍ଣ୍ଣୟ କରାଯିବା ସମୀଚ଼ୀନ । ଅର୍ଥାତ, ୨୦୨୨ରେ ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ଜନ୍ମବାର୍ଷିକୀ ପାଳନର ସୁଯୋଗ ଉପଲବ୍ଧ । ଏହି ଉତ୍ସବ ପାଳନରେ ବ୍ରହ୍ମପୁର ମହାନଗର ନିଗମ ଅଗ୍ରଣୀ ଭୂମିକା ନିର୍ବାହ କରିବା ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରାଯାଇପାରେ । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ପ୍ରତିଷ୍ଠିତ ହୋଇଥିବା ଏବଂ ପୌର ପ୍ରଶାସନ ନିମନ୍ତେ ଖ୍ୟାତି ଲାଭ କରିଥିବା ହେତୁ ୩୧ ଅଗଷ୍ଟରେ ୨୦୨୨ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ତମ ବାର୍ଷିକୀ ପାଳନ ନିମନ୍ତେ ନୀତିଗତ ନିଷ୍ପତ୍ତି ଅନ୍ତତଃ ତିନିମାସ ପୂର୍ବରୁ ବିଧିବଦ୍ଧଭାବେ ଗ୍ରହଣକରି ପୂର୍ବପ୍ରସ୍ତୁତି ଆରମ୍ଭ କରାଯାଇପାରେ ।
ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ଜନ୍ମ ବାର୍ଷିକୀ ପାଳନ ଅବସରରେ (୧) ସପ୍ତାହ ବ୍ୟାପୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବୁଦ୍ଧିଜୀବୀଙ୍କ ପାଠଚକ୍ର ଓ ସାଧାରଣ ସଭା ଆୟୋଜନ, (୨) ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ଚ଼ିତ୍ରାଙ୍କନ ସମ୍ୱଳିତ ଏକ ଦୃଶ୍ୟ-ଶ୍ରାବ୍ୟ ପ୍ରାମାଣିକ ଇତିହାସ ‘ଅଡ଼ିଓ-ଭିଜୁଆଲ ହିଷ୍ଟ୍ରୀ ଡ଼କ୍ୟୁମେଣ୍ଟେସନ’ ପ୍ରଯୋଜନା, (୩) ପ୍ରଦର୍ଶନୀ ଫୁଟବଲ ପ୍ରତିଯୋଗିତା, (୪) ସହରର କଳାକାରମାନଙ୍କ ଗହଣରେ ସଂଗୀତ ସନ୍ଧ୍ୟା ଓ (୫) ସ୍ମାରକୀ ପାଠ୍ୟ, ଦୃଶ୍ୟ-ଶ୍ରାବ୍ୟ ଉପାଦାନ ସଂବଳିତ ସ୍ୱତନ୍ତ୍ର ୱେବସାଇଟ ପ୍ରକାଶନ ଭଳି ଆଧୁନିକ ଯୁଗଋଚିର କାର୍ଯ୍ୟକ୍ରମ ସୃଜନ ପ୍ରତି ଦୃଷ୍ଟି ଦିଆଯାଇପାରେ । ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ବିଭିନ୍ନ ସଂଗଠନଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରି ଏକ ମହୋତ୍ସବର ପରିକଳ୍ପନା କରାଯାଇପାରେ ।
(‘ଅନୁପମ ଭାରତ’, ବ୍ରହ୍ମପୁର
ସଂସ୍କରଣ / ୨୮ ମେ’ ୨୦୨୨/ ପୃଷ୍ଠା : ୨)
Photo by Andy Makely on Unsplash
No comments:
Post a Comment