Friday, July 1, 2022

Shri Bada Jagannath / ଶ୍ରୀ ବଡ଼ ଜଗନ୍ନାଥ

 



#ବ୍ରହ୍ମପୁର ସହରରେ ଏକାଧିକ ଜଗନ୍ନାଥ ମନ୍ଦିର ବିଦ୍ୟମାନ । ସେଗୁଡିକ ମଧ୍ୟରେ ବଡ଼ବଜାର ସଂଲଗ୍ନ ଖାସ୍ପା ସାହୀର ଜଗନ୍ନାଥ ମନ୍ଦିର ସର୍ବ ପୁରାତନ । ଏହି ମନ୍ଦିରର ଅନ୍ୟତମ ପୂଜକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବାଣିଜ୍ୟ ପ୍ରଫେସର ଜଗନ୍ନାଥ ପଣ୍ଡାଙ୍କ ଭାଷାରେ “ବ୍ରହ୍ମପୁରରେ ଯେଉଁ କେତୋଟି ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ ତନ୍ମଧ୍ୟରୁ ଖାସ୍ପା ସାହୀରେ ଅଧିଷ୍ଠିତ ଥିବା ବଡ଼ ଜଗନ୍ନାଥ ମନ୍ଦିର ହେଉଛି ପ୍ରାଚ଼ୀନତମ ।

 

ଏହି ମନ୍ଦିର ଅଷ୍ଟାଦଶ ଶତାଦ୍ଦୀର ପ୍ରଥମ ଭାଗରେ ‘ନାଇନା’ ନାମଧ୍ୟେୟ ଜଣେ ତେଲୁଗୁ ବିତ୍ତଶାଳୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଇଥିବା କଥା ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଥାଏ । ପୂର୍ବେ ବ୍ରହ୍ମପୁରରେ ‘ଆଇନା’ ଓ  ‘ନାଇନା’ ନାମଧ୍ୟେୟ ଲବ୍ଧପ୍ରତିଷ୍ଠିତ ବ୍ୟବସାୟୀ ଦୁଇଭାଇ ଥିଲେ । ବ୍ରହ୍ମପୁର ଜନସାଧାରଣଙ୍କ ସୁବିଧା ପାଇଁ ପୁରୁଣା ବ୍ରହ୍ମପୁରରେ ‘ଆଇନା ବନ୍ଧ’ ପୋଖରୀ ‘ଆଇନା’ ନାମକ ଭାଇ ଖୋଳାଇଥିଲେ । ‘ନାଇନା’ ନାମକ ବିଷ୍ଣୁଭକ୍ତ ଭାଇ ସର୍ବସାଧାରଣଙ୍କ ପୂଜାର୍ଚ୍ଚନା ପାଇଁ ଖାସ୍ପା ସାହୀରେ ‘ବଡ଼ ଜଗନ୍ନାଥ ମନ୍ଦିର’ ନିର୍ମାଣ କରାଇଥିବା ପ୍ରବାଦ ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ରହିଛି । ମହୁରି ରାଜବଂଶର ତତ୍ କାଳୀନ ରାଜାମାନଙ୍କ ଦାନ ଖଇରାତ ଓ ସର୍ବସାଧାରଣଙ୍କ ସହଯୋଗରେ ପ୍ରାୟ ବାର ଏକର ଜମିରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ଯାନିଯାତ୍ରା ଓ ପର୍ବପର୍ବାଣୀ ସୁରୁଖୁରରେ ଚଳି ଆସୁଛି ।”

 

‘ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି’ ଶୀର୍ଷକ ଗ୍ରନ୍ଥରେ ସଂକଳିତ ପ୍ରଫେସର ପଣ୍ଡାଙ୍କ ରଚନାରେ ଉଲ୍ଲେଖ ଥିଲା, “ମନ୍ଦିରର ଅଧିଷ୍ଠିତ ଦେବତା ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ । ଏଠାରେ ଶ୍ରୀ ଜଗନ୍ନାଥଙ୍କ ଗୋଟିଏ ମାତ୍ର ମୂର୍ତ୍ତି ପୂଜିତ ହୁଅନ୍ତି । କେତେକ ଏହାକୁ ଦଧିବାମନ ଓ ପତିତପାବନ ବୋଲି ମଧ୍ୟ କହନ୍ତି । ବିଗ୍ରହ ମଧ୍ୟରେ ନିର୍ମାଣବେଳେ ଶାଳଗ୍ରାମ ଶିଳା ରଖାଯାଇଥିବା କଥା ଶୁଣିବାକୁ ମିଳେ । ଏହିପରି ଲାବଣ୍ୟମୟ ବିଗ୍ରହ ଗଞ୍ଜାମରେ କ୍ୱଚ଼ିତ ମନ୍ଦିରରେ ଦେଖିବାକୁ ମିଳନ୍ତି । ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଦଧିବାମନଙ୍କୁ ଶାଳଗ୍ରାମଙ୍କ ମୂର୍ତ୍ତିବିଶେଷ ବୋଲି କୁହାଯାଏ । ସେ ହୋଇପାରନ୍ତି ଭକ୍ତ ଓ ପତିତଙ୍କ ପତିତପାବନ ଓ ତର୍କକାରଙ୍କ ଦଧିବାମନ । କିନ୍ତୁ ସେ ଜଗନ୍ନାଥ ବୋଲି ବ୍ରହ୍ମପୁରରେ ସାର୍ବଜନବିଦିତ ଓ ପୂଜିତ । ଏହାହିଁ ଲୋକ ବିଶ୍ୱାସ । ଶ୍ରୀ ଜଗନ୍ନାଥଙ୍କ ବ୍ୟତୀତ ମହାଲକ୍ଷ୍ମୀ, ଗଣେଶ, ରଘୁନାଥ ଓ ମଦନମୋହନଙ୍କ ମୂର୍ତ୍ତି ଜଗନ୍ନାଥଙ୍କ ସିଂହାସନରେ ଏକତ୍ର ପୂଜିତ ହେଉଥିବା ଦେଖିବାକୁ ମିଳେ ।”

ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥଯାତ୍ରା ଜାକଜମକରେ ପାଳନ କରାଯାଏ । “ଶ୍ରୀ ଜଗନ୍ନାଥ ରଥରେ ବିଜେ କରି ଖାସ୍ପା ସାହୀର ଶ୍ରୀ ମନ୍ଦିରରୁ ବାହାରି ବ୍ରହ୍ମପୁର ହନୁମାନ ବଜାରସ୍ଥ ହନୁମାନ ମନ୍ଦିର ନିକଟସ୍ଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ନବ ଦିନ ଯାତ୍ରା ପରେ ମନ୍ଦିରକୁ ଫେରି ଆସନ୍ତି । ... ରଥଯାତ୍ରାର ପ୍ରଥମ ଦିନରେ ମହୁରି ରାଜବାଟୀରୁ ରାଜାଙ୍କ ବିଜେ ପରେ ଶ୍ରୀ ଜୀଉଙ୍କ ପହଣ୍ଡି ବିଜେ ହୁଏ । ରାଜା ହେଉଛନ୍ତି ପ୍ରଭୁଙ୍କ ପ୍ରଥମ ସେବକ । ସେ ରଥର ଛେରା ପହଁରା କାର୍ଯ୍ୟ ସଂପାଦନା କଲାପରେ ରଥଟଣା କାମ ଆରମ୍ଭ ହୋଇଥାଏ । ... ରଥଯାତ୍ରାର ଅଂଶ ବିଶେଷ ହେଉଛି ହେରା ପଞ୍ଚମୀ । ଏହି ହେରା ପଞ୍ଚମୀ ଦିନ ମନ୍ଦିର ନିକଟସ୍ଥ ଗୌଡ଼ ସାହୀରେ ବସବାସ କରୁଥିବା ଗୌଡ଼ ସଂପ୍ରଦାୟର ଭକ୍ତବୃନ୍ଦ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀଙ୍କୁ ବିମାନରେ ବିଜେ କରାଇ, ବାଣ ଫୁଟାଇ, ଘଣ୍ଟା ବଜାଇ, କୀର୍ତ୍ତନ ସହ ଗୁଣ୍ଡିଚା ମନ୍ଦିରକୁ ବିଜେ କରାନ୍ତି । ଗୁଣ୍ଡିଚା ମନ୍ଦିରରେ ବଚ଼ନିକା ପରେ ବାଟରେ ରଥ ଭାଙ୍ଗି ମହାଲକ୍ଷ୍ମୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି ।” ଏହି ଦେବନୀତି ବହୁବର୍ଷ ଧରି ପାଳିତ ହୋଇଆସୁଛି ।

 

ବ୍ରହ୍ମପୁର ୧୬୬୨ ରୁ ୧୬୭୨ ମଧ୍ୟରେ ଅଧୂନା ବଡ଼ବଜାରସ୍ଥିତ ମହୁରି ରାଜପ୍ରସାଦ ନିର୍ମାଣପରେ ଜନବସତିକୁ ନେଇ ଗଢ଼ିଉଠିଥିଲା । ମହୁରି ରାଜ୍ୟ ୧୪୬୮ ରୁ ୧୪୯୭ ମଧ୍ୟରେ ପୁରୀ ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଆଖପାଖରେ ବହୁସଂଖ୍ୟକ ମନ୍ଦିର, ମଠକୁ କେନ୍ଦ୍ର କରି ଜନବସତିର ନାମକରଣ ‘ବ୍ରହ୍ମପୁର’ କରାଯାଇଥିବା ଯୁକ୍ତି ବଢ଼ା ଯାଏ । ତେବେ ପଞ୍ଚଦଶ ଶତାଦ୍ଦୀରୁ ଅଷ୍ଟାଦଶ ଶତାଦ୍ଦୀ ଯାଏଁ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ସମୟଧରି ବ୍ରହ୍ମପୁରରେ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇନଥିବା ତଥ୍ୟ ବିସ୍ମୟ ସୃଷ୍ଟି କରିଥାଏ । କାରଣ ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥରେ ମହୁରି ରାଜା ଛେରା ପହଁରା କରିବା ପ୍ରଥା ବର୍ତ୍ତମାନ ଯାଏଁ ପ୍ରଚଳିତ ଥିବା ହେତୁ ବ୍ରହ୍ମପୁରରେ ତାହାକୁ ହିଁ ସର୍ବପ୍ରଚ଼ୀନ ଜଗନ୍ନାଥ ମନ୍ଦିର ବିଶ୍ୱାସ କରିବା ଯୁକ୍ତିଯୁକ୍ତ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨ ଜୁଲାଇ ୨୦୨୨/ ପୃଷ୍ଠା : ୨)

No comments:

Post a Comment