#ବ୍ରହ୍ମପୁର ସହରରେ ଏକାଧିକ ଜଗନ୍ନାଥ
ମନ୍ଦିର ବିଦ୍ୟମାନ । ସେଗୁଡିକ ମଧ୍ୟରେ ବଡ଼ବଜାର ସଂଲଗ୍ନ ଖାସ୍ପା ସାହୀର ଜଗନ୍ନାଥ ମନ୍ଦିର
ସର୍ବ ପୁରାତନ । ଏହି ମନ୍ଦିରର ଅନ୍ୟତମ ପୂଜକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ
ବାଣିଜ୍ୟ ପ୍ରଫେସର ଜଗନ୍ନାଥ ପଣ୍ଡାଙ୍କ ଭାଷାରେ “ବ୍ରହ୍ମପୁରରେ ଯେଉଁ କେତୋଟି
ଜଗନ୍ନାଥ ମନ୍ଦିର ଦେଖିବାକୁ ମିଳେ ତନ୍ମଧ୍ୟରୁ ଖାସ୍ପା ସାହୀରେ ଅଧିଷ୍ଠିତ ଥିବା ବଡ଼ ଜଗନ୍ନାଥ
ମନ୍ଦିର ହେଉଛି ପ୍ରାଚ଼ୀନତମ ।
ଏହି ମନ୍ଦିର ଅଷ୍ଟାଦଶ ଶତାଦ୍ଦୀର ପ୍ରଥମ ଭାଗରେ ‘ନାଇନା’ ନାମଧ୍ୟେୟ ଜଣେ ତେଲୁଗୁ
ବିତ୍ତଶାଳୀ ବ୍ୟବସାୟୀଙ୍କ ଦ୍ୱାରା ନିର୍ମିତ ହୋଇଥିବା କଥା ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଥାଏ
। ପୂର୍ବେ ବ୍ରହ୍ମପୁରରେ ‘ଆଇନା’ ଓ ‘ନାଇନା’ ନାମଧ୍ୟେୟ ଲବ୍ଧପ୍ରତିଷ୍ଠିତ
ବ୍ୟବସାୟୀ ଦୁଇଭାଇ ଥିଲେ । ବ୍ରହ୍ମପୁର ଜନସାଧାରଣଙ୍କ ସୁବିଧା ପାଇଁ ପୁରୁଣା ବ୍ରହ୍ମପୁରରେ ‘ଆଇନା ବନ୍ଧ’ ପୋଖରୀ ‘ଆଇନା’ ନାମକ ଭାଇ ଖୋଳାଇଥିଲେ । ‘ନାଇନା’ ନାମକ ବିଷ୍ଣୁଭକ୍ତ ଭାଇ
ସର୍ବସାଧାରଣଙ୍କ ପୂଜାର୍ଚ୍ଚନା ପାଇଁ ଖାସ୍ପା ସାହୀରେ ‘ବଡ଼ ଜଗନ୍ନାଥ ମନ୍ଦିର’ ନିର୍ମାଣ କରାଇଥିବା
ପ୍ରବାଦ ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ରହିଛି । ମହୁରି ରାଜବଂଶର ତତ୍ କାଳୀନ ରାଜାମାନଙ୍କ ଦାନ
ଖଇରାତ ଓ ସର୍ବସାଧାରଣଙ୍କ ସହଯୋଗରେ ପ୍ରାୟ ବାର ଏକର ଜମିରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି,
ଯାନିଯାତ୍ରା ଓ ପର୍ବପର୍ବାଣୀ ସୁରୁଖୁରରେ ଚଳି ଆସୁଛି ।”
‘ବ୍ରହ୍ମପୁର ସହରର ଐତିହାସିକ
ଭିତ୍ତିଭୂମି’ ଶୀର୍ଷକ ଗ୍ରନ୍ଥରେ ସଂକଳିତ ପ୍ରଫେସର ପଣ୍ଡାଙ୍କ ରଚନାରେ
ଉଲ୍ଲେଖ ଥିଲା, “ମନ୍ଦିରର ଅଧିଷ୍ଠିତ ଦେବତା ହେଉଛନ୍ତି ସ୍ୱୟଂ ଶ୍ରୀ ଜଗନ୍ନାଥ ।
ଏଠାରେ ଶ୍ରୀ ଜଗନ୍ନାଥଙ୍କ ଗୋଟିଏ ମାତ୍ର
ମୂର୍ତ୍ତି ପୂଜିତ ହୁଅନ୍ତି । କେତେକ ଏହାକୁ ଦଧିବାମନ ଓ ପତିତପାବନ ବୋଲି ମଧ୍ୟ କହନ୍ତି ।
ବିଗ୍ରହ ମଧ୍ୟରେ ନିର୍ମାଣବେଳେ ଶାଳଗ୍ରାମ ଶିଳା ରଖାଯାଇଥିବା କଥା ଶୁଣିବାକୁ ମିଳେ । ଏହିପରି
ଲାବଣ୍ୟମୟ ବିଗ୍ରହ ଗଞ୍ଜାମରେ କ୍ୱଚ଼ିତ ମନ୍ଦିରରେ ଦେଖିବାକୁ ମିଳନ୍ତି । ପୂର୍ଣ୍ଣଚନ୍ଦ୍ର
ଓଡ଼ିଆ ଭାଷାକୋଷରେ ଦଧିବାମନଙ୍କୁ ଶାଳଗ୍ରାମଙ୍କ ମୂର୍ତ୍ତିବିଶେଷ ବୋଲି କୁହାଯାଏ । ସେ
ହୋଇପାରନ୍ତି ଭକ୍ତ ଓ ପତିତଙ୍କ ପତିତପାବନ ଓ ତର୍କକାରଙ୍କ ଦଧିବାମନ । କିନ୍ତୁ ସେ ଜଗନ୍ନାଥ
ବୋଲି ବ୍ରହ୍ମପୁରରେ ସାର୍ବଜନବିଦିତ ଓ ପୂଜିତ । ଏହାହିଁ ଲୋକ ବିଶ୍ୱାସ । ଶ୍ରୀ ଜଗନ୍ନାଥଙ୍କ
ବ୍ୟତୀତ ମହାଲକ୍ଷ୍ମୀ, ଗଣେଶ, ରଘୁନାଥ ଓ ମଦନମୋହନଙ୍କ ମୂର୍ତ୍ତି ଜଗନ୍ନାଥଙ୍କ ସିଂହାସନରେ
ଏକତ୍ର ପୂଜିତ ହେଉଥିବା ଦେଖିବାକୁ ମିଳେ ।”
ଶ୍ରୀ ବଡ଼ ଜଗନ୍ନାଥଙ୍କ ରଥଯାତ୍ରା ଜାକଜମକରେ ପାଳନ କରାଯାଏ । “ଶ୍ରୀ ଜଗନ୍ନାଥ ରଥରେ ବିଜେ
କରି ଖାସ୍ପା ସାହୀର ଶ୍ରୀ ମନ୍ଦିରରୁ ବାହାରି ବ୍ରହ୍ମପୁର ହନୁମାନ ବଜାରସ୍ଥ ହନୁମାନ ମନ୍ଦିର
ନିକଟସ୍ଥ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ଏବଂ ନବ ଦିନ ଯାତ୍ରା ପରେ ମନ୍ଦିରକୁ ଫେରି ଆସନ୍ତି । ...
ରଥଯାତ୍ରାର ପ୍ରଥମ ଦିନରେ ମହୁରି ରାଜବାଟୀରୁ ରାଜାଙ୍କ ବିଜେ ପରେ ଶ୍ରୀ ଜୀଉଙ୍କ ପହଣ୍ଡି ବିଜେ
ହୁଏ । ରାଜା ହେଉଛନ୍ତି ପ୍ରଭୁଙ୍କ ପ୍ରଥମ ସେବକ । ସେ ରଥର ଛେରା ପହଁରା କାର୍ଯ୍ୟ ସଂପାଦନା
କଲାପରେ ରଥଟଣା କାମ ଆରମ୍ଭ ହୋଇଥାଏ । ... ରଥଯାତ୍ରାର ଅଂଶ ବିଶେଷ ହେଉଛି ହେରା ପଞ୍ଚମୀ । ଏହି ହେରା ପଞ୍ଚମୀ ଦିନ ମନ୍ଦିର ନିକଟସ୍ଥ ଗୌଡ଼ ସାହୀରେ
ବସବାସ କରୁଥିବା ଗୌଡ଼ ସଂପ୍ରଦାୟର ଭକ୍ତବୃନ୍ଦ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀଙ୍କୁ ବିମାନରେ ବିଜେ
କରାଇ, ବାଣ ଫୁଟାଇ, ଘଣ୍ଟା ବଜାଇ, କୀର୍ତ୍ତନ ସହ ଗୁଣ୍ଡିଚା ମନ୍ଦିରକୁ ବିଜେ କରାନ୍ତି ।
ଗୁଣ୍ଡିଚା ମନ୍ଦିରରେ ବଚ଼ନିକା ପରେ ବାଟରେ ରଥ ଭାଙ୍ଗି ମହାଲକ୍ଷ୍ମୀ ମନ୍ଦିରକୁ
ପ୍ରତ୍ୟାବର୍ତ୍ତନ କରନ୍ତି ।” ଏହି ଦେବନୀତି ବହୁବର୍ଷ ଧରି ପାଳିତ ହୋଇଆସୁଛି ।
No comments:
Post a Comment