Friday, July 15, 2022

Rain and Mosquito / ବର୍ଷା ଓ ମଶା


 #ବ୍ରହ୍ମପୁର ଡ଼ାଏରୀ ସ୍ତମ୍ଭରେ ସାଧାରଣତଃ ସହରବାସୀ ମଶା ଉପଦ୍ରବରେ ଅତିଷ୍ଠ ହୋଇପଡ଼ିବା ଅବସରରେ ଶୀତ ଋତୁରେ ମଶା ନିବାରଣ ସଂପର୍କରେ ଆଲୋଚ଼ନା ହୋଇଥାଏ । ବିଗତ ୨୦୨୦ ଡ଼ିସେମ୍ୱର ୧୧ ତାରିଖରେ ମଶାଙ୍କ ପ୍ରାଦୁର୍ଭାବ ଶୀର୍ଷକ ରଚନାରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଜ୍ଞାନିକମାନଙ୍କ ମଶାକାମୁଡ଼ା ଗବେଷଣା ସଂପର୍କରେ ତଥ୍ୟାବଳୀ ପ୍ରଦାନ କରାଯାଇଥିଲା । ମଶାମାନେ ମନୁଷ୍ୟର ନିଶ୍ୱାସ ପ୍ରଶ୍ୱାସରେ ନିର୍ଗତ ଅଙ୍ଗରାକାମ୍ଳ ବାୟୁ ଗନ୍ଧ ଓ ଶରୀରର ଉତ୍ତାପ ତଥା ସେମାନଙ୍କ ଶକ୍ତିଶାଳୀ ଚକ୍ଷୁଯୁଗଳରେ ୧୬ ରୁ ୩୨ ଫୁଟ ଦୂରରୁ ଦେଖିପାରିବା ଶକ୍ତି ଅବଲମ୍ୱନରେ ଶୀକାର ପାଖରେ ପହଞ୍ଚିଥାନ୍ତି । ଜାପାନର ବୈଜ୍ଞାନିକଙ୍କ ଉଦ୍ଭାବନରେ ବର୍ଗ ରକ୍ତଧାରୀ ବ୍ୟକ୍ତିବିଶେଷ ତଥା ଶରୀରରେ ୟୁରିକ ଏସିଡ଼, ଲେକ୍ସିକ ଏସିଡ଼ ଓ ଆମୋନିଆ ପରିମାଣ ଅଧିକ ରହୁଥିବା ବ୍ୟକ୍ତିବିଶେଷଆଡ଼କୁ ମଶା ଆକର୍ଷିତ ହୋଇଥାନ୍ତି । ଅନ୍ୟ ଏକ ବୈଦେଶିକ ଅନୁସନ୍ଧାନରୁ ଜଣାଯାଇଥିଲା ଯେ ମଶାମାନେ କଳା, ଗାଢ଼ନୀଳ ଓ ନାଲିରଙ୍ଗକୁ ପସନ୍ଦ କରନ୍ତି ।

 

ସେହିପରି ୨୦୨୧ ଡ଼ିସେମ୍ୱର ୩ ତାରିଖରେ ପ୍ରକାଶିତ ମଶା ନିୟନ୍ତ୍ରଣ ରଚନାରେ ମଶାର ଜୀବନଚ଼କ୍ର ବର୍ଣ୍ଣନା କରାଯାଇଥିଲା । ମଶା ଜୀବନରେ ଚାରିଗୋଟି ଅବସ୍ଥା ଦେଇ ଗତି କରିଥାଏ – ଡିମ୍ୱ, ଲାର୍ଭା, ପ୍ୟୁପା ଓ ପ୍ରାପ୍ତ-ବୟସ୍କ ମଶା । ଡ଼ିମ୍ୱ, ଲାର୍ଭା ଓ ପ୍ୟୁପା ଆବଦ୍ଧ ଜଳ ମଧ୍ୟରେ କଟିବା ପରେ ପ୍ରାପ୍ତ-ବୟସ୍କ ମଶା ଉଡ଼ି ବୁଲେ । ମାଈ ମଶା ସକାଳ ଓ ସନ୍ଧ୍ୟାରେ କାମୁଡ଼େ । ଦିନର ଗରମ ସମୟରେ ଥଣ୍ଡା ଅନ୍ଧାରୁଆ ସ୍ଥାନ ଖୋଜି ବିଶ୍ରାମ ନିଏ । କିନ୍ତୁ କେତେକ ପ୍ରଜାତିର ମଶା ଦିନ ତମାମ କାମୁଡ଼ନ୍ତି । ବିଶ୍ୱବ୍ୟାପୀ ପ୍ରାୟ ତିନି ହଜାର ପ୍ରଜାତିର ମଶା ଦେଖାଯାଆନ୍ତି ।

 

କୁହାଯାଏ ଯେ ମଶାମାନେ ଜନ୍ମ ନେବା ପରେ ଅଣ୍ଡିରା ମଶା ୫ ରୁ ୭ ଦିନ ଏବଂ ମାଈ ମଶା ତିନି ସପ୍ତାହ ଯାଏଁ ବଞ୍ଚନ୍ତି । ମାଈ ମଶା ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀଙ୍କୁ କାମୁଡ଼ି ରକ୍ତ ଶୋଷେ । ଏହାପରେ ସେ ଦୁଇ ତିନି ଦିନ ବିଶ୍ରାମ ନିଏ । ଏହି ଅବସରରେ ରକ୍ତ ହଜମ ହୋଇ ଅଣ୍ଡା ପ୍ରସ୍ତୁତ ହୁଏ ଏବଂ ମଶା ସ୍ଥିର ଜଳରେ ଅଣ୍ଡା ଦିଏ । ଅଣ୍ଡା ଦେବା ପରେ ପୁଣି ଶୀକାର ସନ୍ଧାନରେ ବାହାରିପଡ଼େମାଈ ମଶା ଜୀବନ କାଳ ମଧ୍ୟରେ ପ୍ରାୟ ପାଞ୍ଚ ଥର ଅଣ୍ଡା ଦିଏ ଏବଂ ପ୍ରତ୍ୟେକଥର ପ୍ରାୟ ଶହେ ଅଣ୍ଡା ହିସାବ କରାଯାଏ । ଅତଏବ ପ୍ରତ୍ୟେକ ମାଈ ମଶା ସୌଜନ୍ୟରେ ପାଞ୍ଚ ଶହ ସନ୍ତାନ ଏବଂ ସେମାନଙ୍କ ବଂଶବୃଦ୍ଧିରେ ପାଞ୍ଚ ଶହ ଗୁଣନ ପାଞ୍ଚ ଶହ ଗଣନା କରାଯାଇପାରେ ।

 

ଏହିଭଳି ପରିସଂଖ୍ୟାନରୁ ମଶାବଂଶକୁ ମୂଳରୁ ନିପାତ କରିବା ସର୍ବୋତ୍ତମ ପନ୍ଥା ବିଚାର କରାଯାଏ । ବିଗତ ଦୁଇ ବର୍ଷ ଡ଼ିସେମ୍ୱର ମାସରେ ଏହି ସ୍ତମ୍ଭରେ ମଶା ଉପଦ୍ରବ ଆଲୋଚ଼ନା ବଦଳରେ ଛଅମାସ ଆଗରୁ ୨୦୨୨ ଜୁଲାଇରେ ଚର୍ଚ୍ଚାର ଗୁରୁତ୍ୱ ବର୍ଷା ଋତୁ ଆରମ୍ଭରୁ ମଶା ନିବାରଣ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆବଶ୍ୟକତା ସଂପର୍କରେ ସହରବାସୀଙ୍କ ଦୃଷ୍ଟି ଆକର୍ଷଣରେ ଅଭିପ୍ରେତ ।

 

ମଶା ବଂଶ ବୃଦ୍ଧିକୁ ରୋକିବାକୁ ହେଲେ ବର୍ଷା ପରେ ପରେ ଘର ବାହାରେ ଅଳିଆ ଆବର୍ଜନା, ଯଥା : ଫୋପଡ଼ା ଯାଇଥିବା ପ୍ଳାଷ୍ଟିକ ପାତ୍ର, ପଇଡ଼, ଭଙ୍ଗା ଆସବାବପତ୍ରରେ କିପରି ବର୍ଷା ପାଣି ଜମି ରହିବ ନାହିଁ ସେ ଦିଗରେ ଉଦ୍ୟମ ଆବଶ୍ୟକ । ସହରରେ ଅଳିଆ ଆବର୍ଜନା ନିଷ୍କାସନ ପୌରନିଗମର କାର୍ଯ୍ୟ । କିନ୍ତୁ ଅନେକ ସମୟରେ ତାହା ସଂଭବ ହୋଇପାରେ ନାହିଁ ।

 

ରାଜ୍ୟରେ ମୌସୁମୀ ବର୍ଷା ପ୍ରବେଶ ସମୟରେ ବ୍ରହ୍ମପୁରରେ ଜୁନ ଦ୍ୱିତୀୟ ସପ୍ତାହରେ ଅସରାଏ ବର୍ଷା ହେତୁ ସମଗ୍ର ସହର ଜଳାର୍ଣ୍ଣବ ହୋଇ ପଡ଼ିଥିଲା । ସେହି ବର୍ଷା ପାଣି ଜମି ରହିବା ହେତୁ ଜୁଲାଇ ପ୍ରଥମ ସପ୍ତାହରୁ ଋତୁକେନ୍ଦ୍ରୀକ ପ୍ରଥମ ପୀଢ଼ିର ମଶା ଦେଖା ଦେଇଛନ୍ତି । ଏମାନଙ୍କୁ ବଂଶବିସ୍ତାର କରିବାକୁ ନଦେବା ଅଭିଯାନରେ ପୌରନିଗମ ପକ୍ଷରୁ ରାସ୍ତାଘାଟ, ଖୋଲାସ୍ଥାନ ପରିଷ୍କାର ରଖିବା ସହ ମଶାମରା ଧୂଆଁ ଛାଡ଼ିବା ଆବଶ୍ୟକ । ମଶା ଉପଦ୍ରବ ଡ଼ିସେମ୍ୱର ମାସରେ ଚ଼ରମ ସୀମାରେ ପହଞ୍ଚିବା ଆଗରୁ ମୂଳରୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଫଳବତୀ ହେବା ଆଶା କରାଯାଏ ।

 

ବିକଳ୍ପ ବ୍ୟବସ୍ଥାରେ ନାଗରିକ ସମାଜ, ଯଥା : ସାହୀ ବାସିନ୍ଦା, କିଶୋର-ଯୁବକ-ମହିଳା ଗୋଷ୍ଠୀ ନିଜେ ବସବାସ କରୁଥିବା ଅଞ୍ଚଳରେ କିପରି ଅଳିଆ ଆବର୍ଜନାରେ ସ୍ଥିର ଜଳ ଗଚ୍ଛିତ ରହିବ ନାହିଁ ସେ ଦିଗରେ ଉଦ୍ୟମ କରିପାରିବେ । ସପ୍ତାହରେ ଥରେ ରବିବାର ସକାଳ ବେଳା ଘଣ୍ଟାଏ ଦୁଇ ଘଣ୍ଟାର ଶ୍ରମଦାନରେ ଆଖପାଖ ଅଞ୍ଚଳରେ ଇତଃସ୍ତତଃ ଭାବେ ପଡ଼ିଥିବା ପ୍ଳାଷ୍ଟିକ ଗ୍ଳାସରେ ଜମିଥିବା ପାଣିକୁ ଗୋଟିଏ ବାଡ଼ିରେ ଓଲଟାଇ ଦେଲେ ସ୍ଥିର ଜଳ ଖଲାସ ହୋଇଯିବ । ଖାଲଗୁଡ଼ିକରେ ପାଣି ଜମି ଥିଲେ ଓ ତାହା ପୋତିବା ସଂଭବ ନଥିଲେ ସାମାନ୍ୟ ଫିନାଇଲ ପକାଇ ପାରିଲେ ସୁଫଳ ମିଳିପାରେ । ଏହି କାର୍ଯ୍ୟକ୍ରମ କ୍ରମାଗତଭାବେ ଚାଲିବା ଆବଶ୍ୟକ ।

 

ଏହିଭଳି ପ୍ରସ୍ତାବ ଅସହଜ, ଅସଙ୍ଗତ ଓ ଅବାସ୍ତବ ମନେହେଲେହେଁ ମହାମାରୀ-ପର ପରିବର୍ତ୍ତିତ ପରିବେଶ ନ୍ୟୂ-ନରମାଲରେ ପ୍ରାସଙ୍ଗିକ । ପ୍ରଦୂଷଣ ଓ ସଂକ୍ରମଣ ନାଗରିକଙ୍କ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରୁଥିବା ହେତୁ ସ୍ଥିତାବସ୍ଥାକୁ ବିଚାରକୁ ନେଇ ପ୍ରତ୍ୟେକ ନାଗରିକଙ୍କ ଅବଦାନ ତଥା ପଦକ୍ଷେପ ଗ୍ରହଣ ଜରୁରୀ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଜୁଲାଇ ୨୦୨୨/ ପୃଷ୍ଠା : ୨)

Photo by reza shayestehpour on Unsplash 

No comments:

Post a Comment