ପ୍ରକାଶିତ ବିବରଣୀ ଅନୁଯାୟୀ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୨୦୨୧ ଜାନୁୟାରୀରୁ
ଡ଼ିସେମ୍ୱର ବର୍ଷକ ମଧ୍ୟରେ ଟ୍ରାଫିକ ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ମୋଟ ତିନି କୋଟି ୬୦ ଲକ୍ଷରୁ
ଉର୍ଦ୍ଧ୍ୱ ଜରିମାନା ଆଦାୟ ହୋଇଥିଲା । ପ୍ରାୟ ଅଢ଼େଇ ହଜାର ଦୁଇ ଓ ଚାରିଚକିଆ ଯାନ ଚାଳକଙ୍କ
ଲାଇସେନ୍ସ ରଦ୍ଦ ନିମନ୍ତେ ରୋଡ଼ ଟ୍ରାନ୍ସପୋର୍ଟ ଅଫିସର ‘ଆରଟିଓ’ଙ୍କୁ ସୁପାରିଶ କରାଯାଇଥିଲା
। ସେହିପରି ୨୦୨୨ ଜାନୁୟାରୀରୁ ମେ’ ପାଞ୍ଚ ମାସ ମଧ୍ୟରେ ପ୍ରାୟ ଦୁଇ କୋଟି ୩୦ ଲକ୍ଷ ଜରିମାନା
ଓ ପ୍ରାୟ ଆଠ ଶହ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନିମନ୍ତେ ସୁପାରିଶ ହୋଇଥିବା ଜଣାଯାଏ । ଜୁନ ୨୦୨୨ ମାସରେ ମଧ୍ୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଜରିମାନା ଓ ଦୁଇଶହ ଲାଇସେନ୍ସ ରଦ୍ଦ
ସୁପାରିସ ହିସାବ କରାଯାଇଥିଲା ।
କୁହାଯାଉଛି ଯେ ସହରର ପୂର୍ବ ଉପକଣ୍ଠ ଇଞ୍ଜିନିୟରିଂ ସ୍କୁଲ ଛକ, ପଶ୍ଚିମ ଉପକଣ୍ଠ ଫାଷ୍ଟ
ଗେଟ, ଦକ୍ଷିଣ-ପୂର୍ବ ଲାଞ୍ଜିପଲ୍ଲୀ ଓ ଦକ୍ଷିଣ-ପଶ୍ଚିମ ଅନ୍ଧପସରା ରାସ୍ତାରେ ଟ୍ରାଫିକ ପୋଲିସ
ପକ୍ଷରୁ ନିୟମିତ ଯାଞ୍ଚ ବ୍ୟବସ୍ଥା କରାଯାଇଥାଏ । ଏହାର ଅର୍ଥ ପଡ଼ୋଶୀ ଗ୍ରାମାଞ୍ଚଳରୁ କାର୍ଯ୍ୟ
ଉପଲକ୍ଷେ ସହରରେ ପହଞ୍ଚୁଥିବା ଅଗନ୍ତୁକମାନେ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରେ ସଂଖ୍ୟାଧିକ
କି ? ଏକପକ୍ଷରେ ପୋଲିସ ପକ୍ଷରୁ ଗ୍ରାମାଞ୍ଚଳର ଆଗନ୍ତୁକ
ଯାନବାହାନ ବାହକମାନଙ୍କୁ ତାଗିଦ କରିବା ଯଥାର୍ଥ । କାରଣ ସେମାନେ ସହରର ରାସ୍ତାଘାଟରେ ପହଞ୍ଚି
ଦୁର୍ଘଟଣା ଘଟାଇବା ଏବଂ ସହରବାସୀ ପ୍ରଭାବିତ ହେବା ସ୍ୱାଭାବିକ । କିନ୍ତୁ ଅପରପକ୍ଷରେ ଟ୍ରାଫିକ
ଆଇନ ଚ଼େତନା ସହରର ପରିସୀମା ଡ଼େଇଁ କିପରି ଗ୍ରାମାଞ୍ଚଳରେ ପହଞ୍ଚିବ ସେଥିପ୍ରତି ଧ୍ୟାନ ଦେବା ବିଧେୟ ।
ସାଧାରଣ ପରିସଂଖ୍ୟାନ ଅନୁଯାୟୀ ସମସ୍ତ ଗ୍ରାମାଞ୍ଚଳରେ ଦୁଇ ଓ ତିନି ଚକିଆ ଯାନବାହାନ ପରିବହନ ପକ୍କା ରାସ୍ତା
ଉପଲବ୍ଧ ଏବଂ ଅର୍ଦ୍ଧେକ ପରିବାର ଦୁଇ ଚକିଆ ଗାଡ଼ିର ମାଲିକ । ଯାନବାହାନ ଉତ୍ପାଦକ ବିକ୍ରୀ
ବୃଦ୍ଧି ଏବଂ ବ୍ୟାବସାୟିକ ବ୍ୟାଙ୍କ ସୁଧ ସଂଗ୍ରହ ଉଦ୍ଦେଶ୍ୟରେ ସହଜରେ ଋଣ ଉପଲବ୍ଧ କରାଉଥିବା
ହେତୁ ବହୁ ଉପଭୋକ୍ତାଙ୍କ ହାତରେ ଦୁଇଚକିଆ ଯାନ ପହଞ୍ଚି ପାରୁଛି । କିନ୍ତୁ ସେହି ଯାନବାହାନ
ଚଳାଇବା ନିମନ୍ତେ ତାଲିମର କୌଣସି ବ୍ୟବସ୍ଥା ନଥାଏ । ଏହି ଅବ୍ୟବସ୍ଥା ହିଁ ଟ୍ରାଫିକ ଆଇନ
ଉଲଙ୍ଘନ ପରିବେଶ ସୃଷ୍ଟି କରିଥାଏ ।
ସଡ଼କ ଦୁର୍ଘଟଣା ଆଧୁନିକ ଜନଜୀବନରେ ଏକ ଅମୀମାଂସିତ ସମସ୍ୟା । ଗଞ୍ଜାମ ଜିଲ୍ଲାରେ ୨୦୧୯ରେ
୭୩୩ ଦୁର୍ଘଟଣାରେ ୩୮୫ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୪୬୫ ଜଣ ଗୁରୁତର ଆହତ ହୋଇଥିଲେ । ୨୦୨୦ରେ
୬୧୬ ଦୁର୍ଘଟଣାରେ ୩୬୩ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୩୫୫ ଜଣ ଗୁରୁତର ଆହତ ହୋଇଥିଲେ ।
ସେହିପରି ୨୦୨୧ରେ ୭୦୪ ଦୁର୍ଘଟଣାରେ ୩୨୮ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଓ ୪୦୦ ଜଣ ଗୁରୁତର ଆହତ
ହୋଇଥିଲେ । ୨୦୨୨ ମେ’ମାସ ସୁଦ୍ଧା ୩୫୪ ଦୁର୍ଘଟଣାରେ ୧୭୫ ଜଣ ମୃତ୍ୟୁମୁଖରେ
ପଡ଼ିଥିବା ଓ ୧୪୪ ଜଣ ଗୁରୁତର ଆହତ ହୋଇଥିବା ପ୍ରକାଶ । ଆମ ଅଞ୍ଚଳରେ ସଡ଼କ ଦୁର୍ଘଟଣା ହାର
ଗୁରୁତ୍ୱ ଉପଲବ୍ଧି କରି ସୁପ୍ରିମକୋର୍ଟ ପକ୍ଷରୁ ଏକ ପ୍ରତିନିଧି ଦଳ ଜୁନ ୨୦୨୨ରେ ଗଞ୍ଜାମ
ଜିଲ୍ଲା ତଥା ବ୍ରହ୍ମପୁର ପରିଦର୍ଶନରେ ପରିସ୍ଥିତି ଅନୁଧ୍ୟାନ କରି ଫେରିଥିଲେ । ସଡ଼କ ଦୁର୍ଘଟଣା
ନିରାକରଣ ନିମନ୍ତେ ସାର୍ବଜନୀନ ବିଚାରବିମର୍ଷ ଅପରିହାର୍ଯ୍ୟ ବିଚାର କରାଯାଏ ।
No comments:
Post a Comment