Friday, July 29, 2022

‘Nabeen’ at 93 Years / ‘ନବୀନ’ ୯୩ ବର୍ଷରେ

 

#ବ୍ରହ୍ମପୁର ସହର ସଂପର୍କୀତ ବିଭିନ୍ନ ଉଲ୍ଲେଖଯୋଗ୍ୟ ଘଟଣାକ୍ରମ ମଧ୍ୟରେ ୯୩ ବର୍ଷ ଧରି ଏକ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ଅନ୍ୟତମ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେବା ଛଅ ବର୍ଷ ଏବଂ ଭାରତ ସ୍ୱାଧୀନତା ଲାଭ କରିବା ୧୭ ବର୍ଷ ପୂର୍ବେ ୧୯୩୦ରେ ମହୁରି ରାଜପରିବାର ପୃଷ୍ଠପୋଷକତାରେ ନବୀନ ନାମକ ଏକ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶନ ଆରମ୍ଭ ହୋଇଥିଲା । ମହୁରି ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବ ମୃତ୍ୟୁ ଯାଏଁ ନବୀନର ସମ୍ପାଦକ ରହିଥିଲେ । ତାଙ୍କରି ପୁତ୍ର ଶିଶିର କୁମାର ନରେନ୍ଦ୍ର ଦେବ କିଛିକାଳ ସମ୍ପାଦନା କଲାପରେ ପତ୍ରିକାଟି ସମ୍ପାଦନା ଓ ପ୍ରକାଶନରେ ସହଯୋଗିତା କରୁଥିବା ରାଜକର୍ମଚାରୀ ସିଂହାଦ୍ରୀ ପଣ୍ଡାଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଥିଲା । ସିଂହାଦ୍ରୀ ପଣ୍ଡାଙ୍କ ମୃତ୍ୟୁପରେ ତାଙ୍କରି ପରିବାରବର୍ଗ କିମ୍ୱା ରାଜପରିବାର ପକ୍ଷରୁ ନବୀନ ପ୍ରକାଶନ ନିମନ୍ତେ ଉଦ୍ୟମ କରାଯାଇପାରିଲା ନାହିଁ । ଏହି ଅବସରରେ ବ୍ରହ୍ମପୁରର ତରୁଣ ସାମ୍ୱାଦିକ ରବି ରଥ ୧୯୮୯ରେ ନବୀନର ସତ୍ତ୍ୱ କ୍ରୟ କରି ପ୍ରକାଶନ ଦାୟିତ୍ୱ ଗ୍ରହଣ କରିଥିଲେ । ସାପ୍ତାହିକ ସମ୍ୱାଦପତ୍ରଟି ୧୯୩୦ରେ ଆତ୍ମପ୍ରକାଶ କରିବା ପରଠୁ ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଚାଲିଛି ଏବଂ ସାତବର୍ଷପରେ ୨୦୩୦ରେ ଶତବାର୍ଷକୀ ପାଳନ କରିବା ଆଶା କରାଯାଏ ।
 
ନବୀନ ଜନ୍ମକାଳରେ ବ୍ରହ୍ମପୁର ଓଡ଼ିଆ ଭାଷାଭାଷୀ ଏକତ୍ରୀକରଣ ଓ ସାମ୍ୱାଦିକତା କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଥିଲା । ପାରମ୍ପରିକଭାବେ ମହୁରି ରାଜପରିବାର ସଂସ୍କୃତି ପ୍ରିୟ । କିମ୍ୱଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାଦ୍ଦୀରେ ଗଜପତି ରାଜା ପୁରୁଷୋତ୍ତମ ଦେବ ମହୁରି ରାଜ୍ୟ ପ୍ରତିଷ୍ଠା କରିଥିଲେ । ମହୁରି ରାଜପରିବାର ସଂପର୍କରେ ଗବେଷଣା କରି ସନ୍ଦର୍ଭ ରଚନା କରିଥିବା ଡ଼କ୍ଟର ବିଚ଼ିତ୍ରାନନ୍ଦ ଦାଶଙ୍କ ଭାଷାରେ, ଗଜପତି ପୁରୁଷୋତ୍ତମ ଦେବ ତାଙ୍କର ଦକ୍ଷିଣାତ୍ୟ ଅଭିଯାନ ବେଳେ ସୋମରାଜା ଏବଂ ଭୀମରାଜା ନାମକ ଦୁଇ ଭାଇଙ୍କୁ ନିଜର ସାଥି-ସର୍ଦ୍ଦାର ଋୂପେ ନେଇଥିଲେ । ଦାକ୍ଷିଣାତ୍ୟ ଯୁଦ୍ଧରେ ବିଜୟ ଲାଭ କରି ପ୍ରତ୍ୟାବର୍ତ୍ତନ କଲାବେଳେ ଏମାନଙ୍କ ଉପରେ ପ୍ରୀତ ହୋଇ ପୁରୁଷୋତ୍ତମ ଦେବ ଋଷିକୂଲ୍ୟା ଓ ବାହୁଦା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳକୁ ବଡ଼ଭାଇ ସୋମରାଜାଙ୍କୁ ପ୍ରଦାନ କଲେ । ସୋମରାଜା ଜଣେ ବିଖ୍ୟାତ ମହୁରି ବାଦକ ଥିଲେ । ସେହି ଅନୁସାରେ ଉକ୍ତ ଅଞ୍ଚଳ ମହୁରି ରାଜ୍ୟ ଭାବରେ ଖ୍ୟାତ ହେଲା ।
 
କୃପାସିନ୍ଧୁ ନରେନ୍ଦ୍ର ଦେବ ସଙ୍ଗୀତ, ସାହିତ୍ୟ ଓ ସଂସ୍କୃତିରେ ରୁଚି ରଖୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁର ସହରରେ ଓଡ଼ିଆ ଭାଷାର ସ୍ଥିତି ବିପଦଜନକ ଅବସ୍ଥାରେ ଥିବା ହେତୁ ସାମ୍ୱାଦିକତା ସାଙ୍ଗକୁ ସାହିତ୍ୟ ସୃଜନକୁ ଉତ୍ସାହିତ କରିବା ନିମନ୍ତେ ନବୀନ ପ୍ରକାଶନରେ ମନୋନିବେଶ କରିଥିଲେ । ସେ ସମୟରେ ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ ଆଶା ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇଥାଏ । ଅତଏବ ସମୃଦ୍ଧ ସାମ୍ୱାଦିକତା ପରିବେଶରେ ଏକ ବିକଳ୍ପ ସାମ୍ୱାଦିକତା ଧାରା ପ୍ରବର୍ତ୍ତନ ଲାଗି ଉଦ୍ୟମ କରିଥିବା ସୁସ୍ପଷ୍ଟ ।
 
ନବୀନ ମୁଦ୍ରଣ ନିମନ୍ତେ ମହୁରି ରାଜବାଟୀରେ ରୟାଲ ପ୍ରେସ ନାମକ ଏକ ଛାପାଖାନା ସ୍ଥାପିତ ହୋଇଥିଲା । ଅଧୂନା ସାନବଜାରରୁ ବଡ଼ବଜାର ଯିବା ମୁଖ୍ୟରାସ୍ତାରେ ଖାସ୍ପାସାହୀ ଛକରେ ପହଞ୍ଚିବା ପୂର୍ବରୁ ଡ଼ାହାଣ କଡ଼ ରାସ୍ତାରେ ଦେଶୀବେହରା ସାହୀକୁ ପ୍ରବେଶ କରିବାକୁ ପଡ଼େ । ସେହି ରାସ୍ତାରେ ବାମ ମୋଡ଼ ନେବା ପୂର୍ବରୁ ଡାହାଣ ପଟେ ମହୁରି ରାଜପ୍ରସାଦ ବିଦ୍ୟମାନ ଥିଲା । ପ୍ରବେଶ ପଥର ଡ଼ାହାଣ ପଟେ, ଅର୍ଥାତ ବର୍ତ୍ତମାନ ଠାକୁରାଣୀଯାତ୍ରା ସମୟରେ ମହୁରି ରାଜା ହାଣ୍ଡି ପରିକ୍ରମାବେଳେ ପୂଜାର୍ଚ୍ଚନା କରୁଥିବା କଠୋରୀର ସାମନାରେ ରୟାଲ ପ୍ରେସ ଦୁଇ ବଖୁରିଆ ଗୃହରେ ସ୍ଥାପିତ ହୋଇଥିଲା ।  ପ୍ରଥମ ବଖରାରେ ସିଂହାଦ୍ରୀ ପଣ୍ଡା ଏକ ବଡ଼ କାଠ ଟେବୁଲ ସାମନାରେ ବସୁଥାନ୍ତି । ଆଗନ୍ତୁକଙ୍କ ପାଇଁ ଦୁଇଗୋଟି କାଠ ଚୌକୀ ପଡ଼ିଥାଏ । ସେ ରୀତିମତ ସକାଳ ୧୦ରୁ ରାତି ୮ ଯାଏଁ ସମ୍ପାଦନା, ସଂଶୋଧନ, ବିଜ୍ଞାପକଙ୍କ ସହ ପତ୍ରାଳାପ ଓ ଅତିଥି ସତ୍କାରରେ ବ୍ୟସ୍ତ ରହୁଥାନ୍ତି । ଏକ ଛୋଟିଆ ଟାଇପ ରାଇଟର ଟେବୁଲ ଉପରେ ଥୋଇ ଇଂଲିଶ ଚିଠିପତ୍ର ପ୍ରସ୍ତୁତ କରୁଥାନ୍ତି । ସିଂହାଦ୍ରୀ ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରନ୍ତି, କିନ୍ତୁ କାହା ସହ ଦୀର୍ଘ ସମୟ ଆଳାପ କରନ୍ତି ନାହିଁ । ନିଜ ଅଫିସ କାମକୁ ତୁରନ୍ତ ଫେରି ଯାଆନ୍ତି । ପଛ ବଖରାରେ କମ୍ପୋଜିଟ ଟେବୁଲ ଏବଂ ଟ୍ରେଡ଼ଲ ମେସିନ ଥାଏ । ସେଠି ପତ୍ରିକା ଛାପା ହୁଏ ।
 
ବଡ଼ ବଜାରରେ ନବୀନର ସ୍ୱତନ୍ତ୍ର ପରିଚ଼ୟ ରହିଥାଏ । ଅତୀତରେ ଡ଼ାକଘର ଜନଜୀବନରେ ପ୍ରଭାବଶାଳୀ ବିବେଚିତ ହେଉଥିଲାନବୀନ କାର୍ଯ୍ୟାଳୟ ସାମ୍ନାରେ ନବୀନ ଡ଼ାକଘର କାର୍ଯ୍ୟକରୁଥାଏ । ମହୁରି ରାଜପରିବାରଙ୍କ ପକ୍ଷରୁ ମହୁରି ରାଜବାଟୀ ଗତ ଶତାଦ୍ଦୀ ସପ୍ତମ ଓ ଅଷ୍ଟମ ଦଶକରେ ଖଣ୍ଡ ଖଣ୍ଡକରି ବିକ୍ରୀ କରିଦିଆଗଲା । ରୟାଲ ପ୍ରେସର ଜମି ବିକ୍ରୀ ଅବସରରେ ସିଂହାଦ୍ରୀ ପଣ୍ଡା ନିଜ ରଙ୍ଗୁଣୀବନ୍ଧ ସାହୀ ବାସଭବନକୁ ଛାପାଖାନାଟି ଉଠାଇ ନେଇ କିଛି କାଳ ନବୀନ ମୁଦ୍ରଣ ଓ ପ୍ରକାଶନ ଜାରୀ ରଖିଥିଲେ । ରବି ରଥ ନବୀନ ପ୍ରକାଶନ ସତ୍ତ୍ୱ ହାସଲ ପରେ ନିଜେ ଛାପାଖାନା ସ୍ଥାପନ କଲେ ନାହିଁ । ଏଯାଏଁ ପତ୍ରିକାଟି ଅନ୍ୟ ଘରୋଇ ମୁଦ୍ରଣାଳୟରେ ମୁଦ୍ରିତ ହେଉଛି ।
 
ନବୀନ ସମ୍ୱାଦପତ୍ର ରୂପେ ପ୍ରକାଶିତ ହେଉଥିଲେ ହେଁ ସାହିତ୍ୟ ସୃଜନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଥିଲା । ସ୍ୱାଧୀନତା-ପୂର୍ବ ଦୁଇ ଦଶନ୍ଧି ଏବଂ ସ୍ୱାଧୀନତା-ପର ଦୁଇ ଦଶନ୍ଧି ପ୍ରାୟ ଚାଳିଶି ବର୍ଷ ଧରି ସମଗ୍ର ଓଡ଼ିଶାର ଅଧିକାଂଶ ସାହିତ୍ୟିକଙ୍କ ପ୍ରଥମ ରଚନା ସମୂହ ନବୀନରେ ହିଁ ପ୍ରକାଶିତ ହୋଇଥିବା ଗୌରବର ଅଧିକାରୀ । ବ୍ରହ୍ମପୁରର ବହୁ ସାହିତ୍ୟିକ ନବୀନ ପୃଷ୍ଠାରେ ନିଜ ରଚ଼ନା ପ୍ରକାଶନର ଶିହରଣ ଅନୁଭବ କରି ଆସିଛନ୍ତି । ସହରର ସାଂସ୍କୃତିକ ଇତିହାସରେ ନବୀନର ଯୋଗଦାନର ପଟାନ୍ତର ନାହିଁ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୦ ଜୁଲାଇ ୨୦୨୨/ ପୃଷ୍ଠା : ୨)

No comments:

Post a Comment