Friday, September 23, 2022

Gangs of Brahmapur / ଗ୍ୟାଙ୍ଗସ ଅଫ ବ୍ରହ୍ମପୁର

 

ଗ୍ୟାଙ୍ଗସ ଅଫ #ବ୍ରହ୍ମପୁର-ଶୀର୍ଷକ ଏକ ୱେବ ସିରିଜ ନିର୍ମାଣ ତଥା ଓଡ଼ିଆ ଓଭର-ଦି-ଟପ ଓଟିଟି ମଞ୍ଚ କଞ୍ଚାଲଙ୍କାରେ ପ୍ରଦର୍ଶନ ସଂପର୍କରେ ୧୯ ସେପ୍ଟେମ୍ୱର ୨୦୨୨ ସମ୍ୱାଦପତ୍ରରେ ପ୍ରକାଶ ପାଇଥିଲା । ଏଥିପୂର୍ବରୁ ଉକ୍ତ ମଞ୍ଚରେ ଗ୍ୟାଙ୍ଗସ ଅଫ ପୁରୀ ଶୀର୍ଷକ ଅନ୍ୟ ଏକ ୱେବ ସିରିଜ ଷ୍ଟ୍ରୀମିଂ ଆରମ୍ଭ ହୋଇଥିଲା । ବିବରଣୀରେ କୁହାଯାଇଥିଲା ବ୍ରହ୍ମପୁରରେ ଚାଲିଥିବା ଅପରାଧିକ ଘଟଣା ଏହି ୱେବ ସିରିଜରେ ଦର୍ଶକ ଦେଖିବାକୁ ପାଇବେ ।
 
ବ୍ରହ୍ମପୁର ସହରବାସୀ ପାରମ୍ପରିକ ଭାବେ ଚଳଚ଼ିତ୍ର ସହ ସଂପୃକ୍ତ । ରାଜ୍ୟର ପ୍ରଥମ ଚଳଚ଼ିତ୍ର ପ୍ରେକ୍ଷାଳୟ ୧୯୨୭ରେ ବ୍ରହ୍ମପୁରରେ ସ୍ଥାପିତ ହୋଇଥିଲା ଏବଂ ଏଥିପୂର୍ବରୁ ଅସ୍ଥାୟୀ ଟେଣ୍ଟରେ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିଲା । ଏହି ସୁଦୀର୍ଘ ଇତିହାସରେ ଥରେ ଅଧେ ଓଡ଼ିଆ ଚଳଚ଼ିତ୍ରରେ ସହରର ଦୃଶ୍ୟ ସଂଯୋଗ ହେବା ଅବସରରେ ସ୍ଥାନୀୟ ଦର୍ଶକ ଆହ୍ଲାଦିତ ହୋଇପଡୁଥିଲେ । ଓଡ଼ିଆ ବତୀଘର ଓ ବଙ୍ଗଳା ଅଦାଲତେ ଏକଟି ମେ ପଡ଼ୋଶୀ ଗୋପାଳପୁରରେ ସୁଟିଂ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବଦଳରେ ଫୋନ ପରଦାରେ ଓଟିଟି ମଞ୍ଚରେ ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରୁଥିବା ବେଳେ ବ୍ରହ୍ମପୁରର କାହାଣୀକୁ ନେଇ ୱେବ ସିରିଜ ପ୍ରତି ଉତ୍ସୁକତା ସୃଷ୍ଟି ସ୍ୱାଭାବିକ ।
 
ବଲିଉଡ଼ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ୨୦୧୨ରେ ଗ୍ୟାଙ୍ଗସ ଅଫ ବାସେପୁର ନାମକ ଏକ ହିନ୍ଦି ଚଳଚ଼ିତ୍ର ନିର୍ମାଣ କରି ପ୍ରଶଂସିତ ହୋଇଥିଲେ । ମୋଟ ୩୨୧ ମିନଟର ଚଳଚ଼ିତ୍ରଟି ଦୁଇଗୋଟି ଭାଗରେ ରିଲିଜ କରାଯାଇଥିଲା । ମନୋଜ ବାଜପେୟୀ, ନୱାଜୁଦ୍ଦିନ ସିଦ୍ଧିକୀ ଓ ପଙ୍କଜ ତ୍ରିପାଠୀ ଚଳଚ଼ିତ୍ରର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଚଳଚ଼ିତ୍ରଟିର କାହାଣୀ ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ଅଞ୍ଚଳର କୋଇଲା ମାଫିଆଙ୍କ ସଂପର୍କରେ ୧୯୪୧ରୁ ୨୦୦୯ ପ୍ରାୟ ୬୮ ବର୍ଷର ଘଟଣାବଳୀ ସଂବଳିତ ବୋଲି କୁହାଯାଉଥିଲା । ଚଳଚ଼ିତ୍ର ନିର୍ମାଣ ବାବଦରେ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସ୍ଥଳେ ପ୍ରଦର୍ଶନରୁ ୭୦ କୋଟି ଆଦାୟ ହୋଇଥିବା ଜାଣିବାକୁ ମିଳେ । ଏଥିରୁ ଚଳଚ଼ିତ୍ରଟିର ଲୋକପ୍ରିୟତା ପ୍ରମାଣିତ ।
 
ଗ୍ୟାଙ୍ଗସ ଅଫ ବାସେପୁର ଦ୍ୱାରା ପ୍ରଭାବିତ ହୋଇ ହିନ୍ଦି ତଥା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ କେତେକ ଚଳଚ଼ିତ୍ର ଓ ଟେଲିଭିଜନ ଧାରାବାହିକ ନିର୍ମିତ ହୋଇଛି । ତେବେ ଦଶ ବର୍ଷପରେ ଦୁଇ ଜଣ ଓଡ଼ିଆ ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓ ତାଙ୍କରି ଅଭିନେତ୍ରୀ ପତ୍ନୀ ବର୍ଷା ପଟ୍ଟନାୟକ ପୁରୀ ପରେ ବ୍ରହ୍ମପୁର ଅପରାଧିକ ଇତିହାସକୁ ନେଇ ୱେବ ସିରିଜ ନିର୍ମାଣଲାଗି ଆଗେଇ ଆସିଛନ୍ତି । ଅନୁପମଙ୍କ ପିତା ଅମୀୟ ପଟ୍ଟନାୟକ ସମ୍ୱାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭାଇ ଏବଂ ଉଭୟେ ଅନେକ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ କରିଥିଲେ । ଅନୁପମ ଉଚ୍ଚଶିକ୍ଷିତ ଏବଂ ବିଦେଶରେ ପଢ଼ା ସାରି ଘରକୁ ଫେରି ବାପାଙ୍କ ପଦାଙ୍କ ଅନୁସରଣରେ ଟେଲିଭିଜନ ଓ ଚଳଚ଼ିତ୍ର ନିର୍ମାଣରେ ୨୦୧୧ରୁ ମନୋନିବେଶ କରିଛନ୍ତି । ସେ ପରିଚାଳନା ଶାସ୍ତ୍ର ଅଧ୍ୟୟନ କରିଥିଲେ, ଚଳଚ଼ିତ୍ର ନିର୍ମାଣରେ ଉପାଧି ହାସଲ କରିନାହାନ୍ତି । ତାଙ୍କରି ନିର୍ଦ୍ଦେଶନାରେ ସମ୍ୱାଦର ଫିଚ଼ର ସଂପାଦକ ରୂପେ କାର୍ଯ୍ୟରତ ଗୌରହରି ଦାସଙ୍କ ପ୍ରତୀକ୍ଷା ନାମକ ଏକ କ୍ଷୁଦ୍ରଗଳ୍ପ ଆଧାରରେ ଚଳଚ଼ିତ୍ର ୨୦୨୨ ଡ଼ିସେମ୍ୱରରେ ଶୁଭମୁକ୍ତି ହେବା ଘୋଷିତ ହୋଇଛି । ପ୍ରତୀକ୍ଷାର କାହାଣୀ ସରକାରୀ ଚାକିରୀ ଅନ୍ୱେଷଣରେ ଥିବା ଭୁବନେଶ୍ୱରର ଜଣେ ବେକାର ଯୁବକର ସଂଘର୍ଷ ଉପରେ ଆଧାରିତ ।
 
ଅନୁପମ ବ୍ରହ୍ମପୁର ବାସିନ୍ଦା ନୁହନ୍ତି । ଅବଶ୍ୟ କୌଣସି ସହର ସଂପର୍କରେ ଚଳଚ଼ିତ୍ର ନିର୍ମାଣ କରିବା ନିମନ୍ତେ ସେଠାରେ ବସବାସର ଅନୁଭୂତି ଏକାନ୍ତ ପ୍ରୟୋଜନ ନୁହେଁ । ତେବେ ସ୍ଥାନୀୟ ରୁଚ଼ି ଓ ସଂସ୍କୃତି ସଂପର୍କରେ ଗଭୀର ଅନୁଶୀଳନ ସୃଜନକୁ ପ୍ରାଣବନ୍ତ କରିଥାଏ । ବ୍ରହ୍ମପୁରର ଅପରାଧିକ ଇତିହାସ ଗ୍ୟାଙ୍ଗସ ଅଫ ବ୍ରହ୍ମପୁରରେ କିପରି ପ୍ରତିଫଳିତ ହେବ ତାହା ମେଗା ଧାରାବାହିକ କହିବ ।
 
ଭାରତରେ ୨୦୨୨ ମଧ୍ୟଭାଗ ସୁଦ୍ଧା ୧୦ କୋଟି ଓଟିଟି ମଞ୍ଚ ଉପଭୋକ୍ତା ଥିବା ହିସାବ କରାଯାଏ । ବର୍ଷ ଶେଷରେ ଏହି ସଂଖ୍ୟା ୧୨ କୋଟି ୨୦ ଲକ୍ଷରେ ପହଞ୍ଚିବ । ପରବର୍ତ୍ତୀ ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ୫ଜି ଟେଲିସେବା ସଂପ୍ରସାରଣ ପରେ ଓଟିଟି ମଞ୍ଚର ଗୁଣାତ୍ମକ ବିକାଶ ଓ ଆଦୃତି ବଢ଼ିଯିବ । ଏହି ପରିପ୍ରେକ୍ଷୀରେ ଗଭୀର ଆଞ୍ଚଳିକ ତଥା ସହରଭିତ୍ତିକ କାହାଣୀରେ ଚଳଚ଼ିତ୍ର ନିର୍ମାଣ ଗୁରୁତ୍ୱ ବହନ କରିବ । ବ୍ରହ୍ମପୁରର ଅପରାଧିକ ଇତିହାସ ସଂପର୍କରେ ଅନ୍ୟ ଏକ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ମଧ୍ୟ ଏକ ସିରିଆଲ ନିର୍ମାଣ ଲାଗି ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଥିବା ଜଣାଯାଏ । ଏଭଳି ଉଦ୍ୟମ ନୂତନ ଦର୍ଶକୀୟ ଅନୁଭୂତିକୁ ଋଦ୍ଧିମନ୍ତ କରିବା ଆଶା କରାଯାଏ

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୪ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Chandler Cruttenden on Unsplash 


No comments:

Post a Comment