Friday, September 16, 2022

Trunk Murder Case / ଟ୍ରଙ୍କ ମର୍ଡର କେସ

 

#ବ୍ରହ୍ମପୁର ସହରର ଅପରାଧ ଇତିହାସରେ ଟ୍ରଙ୍କ ମର୍ଡର କେସ ଏକ ଚର୍ଚ୍ଚିତ ଘଟଣା । ପଡ଼ୋଶୀ ଶ୍ରୀକାକୁଲମ ଜିଲ୍ଲାର ଜଣେ ବ୍ୟକ୍ତି ବ୍ରହ୍ମପୁରରେ ନିଜ ପରିଚ଼ିତଙ୍କ ଘରେ ଅତିଥି ରୂପେ ପହଞ୍ଚିଥିବା ଅବସରରେ ତାଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ଅନୁସନ୍ଧାନ କରି ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପାକଲା ନାରାୟଣ ସ୍ୱାମୀ, ତାଙ୍କ ପତ୍ନୀ, ଶଳା ଓ ସେମାନଙ୍କ ବାସଭବନରେ ବସବାସ କରୁଥିବା ଗୁମସ୍ତାଙ୍କୁ ଛତ୍ରପୁର ସବଡ଼ିଭିଜିନାଲ ମାଜିଷ୍ଟ୍ରେଟ ଏସଡ଼ିଜେଏମ କୋର୍ଟରେ ୧୯୩୭ ମେ ଓ ଜୁନ ମାସରେ ବିଚାରଣା ହୋଇ ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଖଲାସ କରିଦିଆ ଯାଇଥିଲା ।
 
ମାସକ ପରେ ବ୍ରହ୍ମପୁର ସେସନ୍ସ ଜଜ ଜେ. ଆଟକିନ ନିଜ ପକ୍ଷରୁ ୧୯୩୭ ଜୁଲାଇ ମାସରେ ପୁନଃବିଚାରଣା ଆୟୋଜନ କରିଥିଲେ । ନାରାୟଣ ସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୦ବି (ହତ୍ୟା ପାଇଁ ଷଡଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ଅପରାଧର ସାକ୍ଷ୍ୟ ନଷ୍ଟ) ଲାଗୁ ହୋଇଥିଲା । ଶୁଣାଣି ଶେଷରେ ନାରାୟଣ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ ଓ ତାଙ୍କ ପତ୍ନୀଙ୍କୁ ନିର୍ଦ୍ଦୋଷରେ ଖଲାସ ଆଦେଶ ପ୍ରଦାନ କରିଥିଲେ ।
 
ଘଟଣାକ୍ରମରେ ୨୩ ମାର୍ଚ୍ଚ ୧୯୩୭ ମଙ୍ଗଳବାର ମଧ୍ୟାହ୍ନରେ ପୁରୀ ରେଳଷ୍ଟେସନରେ ଦକ୍ଷିଣ ଦିଗରୁ ପହଞ୍ଚିଥିବା ଏକ ଟ୍ରେନର ତୃତୀୟ ଶ୍ରେଣୀ ବଗିରୁ ଦାବୀଦାରବିହୀନ ଏକ ଟିଣ ଟ୍ରଙ୍କ ମିଳିଥିଲା । ପୋଲିସ ଟ୍ରଙ୍କକୁ ଖୋଲି ଜଣେ ମନୁଷ୍ୟର କଟା ଶରୀର ଦେଖିବାକୁ ପାଇଥିଲା । ସମଗ୍ର ଶରୀରକୁ ସାତ ଖଣ୍ଡରେ କାଟି ଦିଆଯାଇଥିଲା । ଅନୁସନ୍ଧାନରେ ହତ୍ୟା ଶୀକାର ହୋଇଥିବା ବ୍ୟକ୍ତି ଜଣକ ଶ୍ରୀକାକୁଲମ ଜିଲ୍ଲା ପିଠାପୁର ଦିୱାନଙ୍କ ପିଅନ କୁରି ନୂକାରାଜୁ ବୋଲି ଜଣାଗଲା ।
 
ପିଠାପୁର ଦିୱାନଙ୍କ ଏକ ଝିଅ ପାକଲା ନାରାୟଣ ସ୍ୱାମୀଙ୍କୁ ୧୯୧୯ରେ ବିବାହ କରିଥିଲେ ଦିହେଁ ପିଠାପୁରଠାରୁ ୧୫୦ ମାଇଲ ଦୂରବର୍ତ୍ତୀ ବ୍ରହ୍ମପୁରରେ ଆସି ବସବାସ କରୁଥିଲେ । ନାରାୟଣ ସ୍ୱାମୀ ପତ୍ନୀଙ୍କ ସହ ଶ୍ୱଶୁରାଳୟକୁ ୧୯୩୩ରେ ଯାଇ କିଛି କାଳ ବିତାଇଥିଲେ । ଏହି ସମୟ ତିନି ବର୍ଷ ମଧ୍ୟରେ ୧୯୩୬ ସୁଦ୍ଧା ନାରାୟଣ ସ୍ୱାମୀ ନୂକାରାଜୁଙ୍କଠାରୁ ଏକାଧିକ କିସ୍ତିରେ ତିନି ହଜାର ଟଙ୍କା ହାତ ଉଧାର ଆଣିଥିଲେ । ଋଣ ପାଇଁ ୧୮ ପ୍ରତିଶତ ସୁଧ ଦେବା ନିମନ୍ତେ ରାଜି ହୋଇଥିଲେ । କିନ୍ତୁ ଋଣ ପରିଶୋଧ ନିମନ୍ତେ ବାରମ୍ୱାର ତାଗିଦ ସତ୍ତ୍ୱେ ଫେରାଇ ପାରି ନଥିଲେ ।
 
୨୦ ମାର୍ଚ୍ଚ ୧୯୩୭ରେ ନୂକାରାଜୁ ନାରାୟଣ ସ୍ୱାମୀଙ୍କ ପତ୍ନୀଙ୍କଠାରୁ ଏକ ପତ୍ର ପାଇଥିବା କୁହାଯାଏ । ସେଥିରେ ସଂଭବତଃ ବ୍ରହ୍ମପୁର ଆସି ଋଣ ଓ ସୁଧ ନେଇଯିବା ନିମନ୍ତେ ଲେଖା ଯାଇଥିଲା । ପରଦିନ ନୂକାରାଜୁ ବ୍ରହ୍ମପୁରରେ ଟ୍ରେନ ଯୋଗେ ପହଞ୍ଚି ନାରାୟଣ ସ୍ୱାମୀଙ୍କ ଘରେ ରହିଥିଲେ । ୨୧ ସନ୍ଧ୍ୟାରୁ ୨୩ ସକାଳ ମଧ୍ୟରେ ନୂକାରାଜୁ ହତ୍ୟାର ଶୀକାର ହୋଇଥିବା ଅନୁମାନ କରାଯାଏ । ୨୩ ମାର୍ଚ୍ଚ ୧୯୩୭ରେ ପୁରୀ ରେଳଷ୍ଟେସନରେ ଟ୍ରେନ ବଗିରୁ ନୂକାରାଜୁଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଉଦ୍ଧାର କରାଯାଇଥିଲା ।
 
ମୃତ ବ୍ୟକ୍ତି ପିଠାପୁରର ନୂକାରାଜୁ ରୂପେ ତାଙ୍କରି ବିଧବା ପତ୍ନୀଙ୍କ ଦ୍ୱାରା ଚ଼ିହ୍ନଟ ହେବାପରେ ତାଙ୍କରି ବୟାନ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ କରି ନୂକାରାଜୁ ବ୍ରହ୍ମପୁରରେ ନାରାୟଣ ସ୍ୱାମୀ ଘରକୁ ଋଣ ଟଙ୍କା ଆଦାୟ କରିବା ନିମନ୍ତେ ଯାତ୍ରା କରିଥିବା ଜାଣିବାକୁ ପାଇଥିଲା ।
 
ନାରାୟଣ ସ୍ୱାମୀ ୨୨ ମାର୍ଚ୍ଚ ସୋମବାର ଦିନ ନିଜ କର୍ମଚାରୀ ମାଧ୍ୟମରେ ଭିକ୍ଟୋରିଆ ମାର୍କେଟ (ଅଧୂନା ଗିରି ମାର୍କେଟ)ରୁ ଏକ ଟିଣ ଟ୍ରଙ୍କ କିଣିଥିବା ପୋଲିସ ପ୍ରମାଣ ପାଇଥିଲା । ପ୍ରଥମେ ଏକ ବଡ଼ ଟ୍ରଙ୍କ ନେଇ ପରେ ବଦଳାଇ ଅପେକ୍ଷାକୃତ ଛୋଟ ଟ୍ରଙ୍କ କିଣିଥିଲାନୂକାରାଜୁଙ୍କୁ ହତ୍ୟାପରେ ମୃତ ଶରୀରକୁ ସେହି ଟିଣ ଟ୍ରଙ୍କରେ ଭର୍ତ୍ତି କରି ୨୩ ମାର୍ଚ୍ଚ ମଙ୍ଗଳବାର ବଡ଼ି ସକାଳୁ ଘୋଡ଼ାଟଣା ଝାଟକା ଯୋଗେ ବ୍ରହ୍ମପୁର ରେଳଷ୍ଟେସନକୁ ନିଆଯାଇ ପୁରୀଗାମୀ ଟ୍ରେନ ବଗିରେ ରଖାଯାଇଥିବା ସୁରାକ ମିଳିଥିଲା । ନାରାୟଣ ସ୍ୱାମୀ ସଂଭବତଃ ବ୍ରହ୍ମପୁର ପୌରପାଳିକା ଓ ସବ-ରେଜିଷ୍ଟାରାର କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଏକ ବଡ଼ ଘରେ ବସବାସ କରୁଥିଲାପୋଲିସ ୪ ଏପ୍ରିଲରେ ସେଠାରୁ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ୭ ଏପ୍ରିଲରେ ତଦନ୍ତ କରି ଗୃହ ପରିସରରେ ପୋତାଯାଇଥିବା ରକ୍ତଭିଜା କପଡ଼ା ଉଦ୍ଧାର ହୋଇଥିଲା
 
ନାରାୟଣ ସ୍ୱାମୀ ପୋଲିସର ଅଭିଯୋଗକୁ ଅସ୍ୱୀକାର କରିଥିଲା । ନିମ୍ନ ଅଦାଲତ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ତାକୁ ଖଲାସ କରିଦେଇଥିଲେ । କିନ୍ତୁ ଉଚ୍ଚ ଅଦାଲତ ପାରିପାର୍ଶ୍ୱିକ ପ୍ରମାଣକୁ ଭିତ୍ତିକରି ମୃତ୍ୟୁ ଦଣ୍ଡ ପ୍ରଦାନ କରିଥିଲେ । ଭାରତୀୟ ଅଦାଲତରେ ସାକ୍ଷ୍ୟ ଆଇନ ଏଭିଡ଼େନ୍ସ ଆକ୍ଟ ତର୍ଜମାରେ ବ୍ରହ୍ମପୁରର ଟ୍ରଙ୍କ ମର୍ଡର କେସ ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ରୂପେ ଗୃହୀତ ହୋଇଥାଏ ।
 
ଟ୍ରଙ୍କ ମର୍ଡ଼ର କେସକୁ ନେଇ ବହୁ କିମ୍ୱଦନ୍ତୀ ପ୍ରଚଳିତ । ତେବେ ହାତ ଉଧାର, ଉଚ୍ଚ ସୁଧହାର, ଋଣ ଅନାଦେୟରେ ତିକ୍ତତା ତଥା ପୁରାତନ ଭିକ୍ଟୋରିଆ ମାର୍କେଟରେ ଟିଣ ବକ୍ସ ନିର୍ମାଣ ଶିଳ୍ପ, ଘୋଡ଼ାଟଣା ଝାଟକା ଯାନ ଏବଂ ରେଳ ଯୋଗେ ପଡ଼ୋଶୀ ଶ୍ରୀକାକୁଲମ ଓ ପୁରୀ ଜିଲ୍ଲା ସହ ସଂଯୋଗ ଇତ୍ୟାଦି ତତକାଳୀନ ସାମାଜିକ ଚ଼ଳେଣୀର ସୂଚ଼ନା ପ୍ରଦାନ କରିଥାଏ । ଅନ୍ୟପକ୍ଷରେ ସହରର ଅପରାଧ ପ୍ରବଣତାର ଘଟଣାଟି ଏକ ନିଦର୍ଶନ ।
 
ତଥ୍ୟ:
 
https://indiankanoon.org/doc/516808/

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୭ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)

No comments:

Post a Comment