Saturday, December 10, 2022

Prof. Sudarshan Acharya / ପ୍ରଫେସର ସୁଦର୍ଶନ ଆଚ଼ାର୍ଯ୍ୟ

 

ସ୍ୱର୍ଗତ ସୁଦର୍ଶନ ଆଚ଼ାର୍ଯ୍ୟ ଆତ୍ମ-ଜୀବନୀ ଲେଖି ପ୍ରକାଶ କରିନଥିଲେ । #ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ୨୦୧୯ରେ ପ୍ରକାଶିତ ସ୍ମରଣିକାରେ ତିରିଶି ବର୍ଷର ତିରିଶିଟି ବସନ୍ତ ଶୀର୍ଷକ ୧୨-୧୩ ପୃଷ୍ଠାର ଏକ ରଚନା ଲେଖିଥିଲେ । ସେଥିରେ ବିଶ୍ୱବିଦ୍ୟାଳୟରେ ତାଙ୍କରି କର୍ମନିଯୁକ୍ତିର ଏକାଂଶ ବର୍ଣ୍ଣିତ । ଆତ୍ମଜୀବନୀରେ ବହୁ ସୁଖଦ ଅନୁଭୂତି ସାଙ୍ଗକୁ କେତେକ ଦୁଃଖଦ ଅଭିଜ୍ଞତା ମଧ୍ୟ ଲିପିବଦ୍ଧ କରିବାକୁ ପଡ଼ିଥାଏ । ସଂଭବତଃ ପ୍ରଫେସର ଆଚ଼ାର୍ଯ୍ୟ କୌଣସି ନକାରାତ୍ମକ ଚ଼ିନ୍ତା ସର୍ବସାଧାରଣରେ ଆଲୋଚ଼ନା କରିବାକୁ ଚାହୁଁନଥିଲେ । ତାହା ପ୍ରଫେସର ଆଚ଼ାର୍ଯ୍ୟଙ୍କ ପ୍ରକୃତି ବିରୁଦ୍ଧ । ନଚ଼େତ ୧୯୯୯ରେ ୬୦ ବର୍ଷରେ ଅଧ୍ୟାପନାରୁ ଅବସର ଗ୍ରହଣ ପରେ ୨୦୨୨ରେ ୮୪ ବର୍ଷ ବୟସରେ ପରଲୋକ ଗମନ କରିବା ମଧ୍ୟରେ ଦୀର୍ଘ ୨୩ ବର୍ଷରେ ଆତ୍ମ-ଜୀବନୀ ଖଣ୍ଡେ କଣ ଲେଖିପାରି ନଥାନ୍ତେ ? ଜୀବନର ଶେଷ ଯାଏଁ ସେ ଲେଖାପଢ଼ା ଜାରୀ ରଖିଥିଲେ । ପୁରାତନ ଛାତ୍ରଛାତ୍ରୀମାନେ ବାସଭବନରେ ସାକ୍ଷାତ କରିବାକୁ ପହଞ୍ଚୁଥିବା ଅବସରରେ ନିଜର ନୂଆ ଗବେଷଣା ପ୍ରକଳ୍ପ ସଂପର୍କରେ ସୂଚ଼ନା ଦେଉଥିଲେ । ଚାରିଗୋଟି ସମାଲୋଚ଼ନା ସନ୍ଦର୍ଭ ସମେତ ୨୦ ଗୋଟି ପୁସ୍ତକ, ନଅ ଗୋଟି ଗ୍ରନ୍ଥାବଳୀ ସମ୍ପାଦନା ଓ ୨୫ ଗୋଟି ଅନୁବାଦର ଲେଖକ ଆତ୍ମଜୀବନୀ ଲେଖାକୁ ଏଡ଼ାଇ ଦେଇଥିଲେ ।
 
ଫଳରେ ପ୍ରଫେସର ଆଚ଼ାର୍ଯ୍ୟଙ୍କ ପକ୍ଷରୁ କୌଣସି ସ୍ୱୀକୃତିପ୍ରାପ୍ତ ଜୀବନୀ ଅଥରାଇଜଡ଼ ବାୟୋଗ୍ରାଫି ଦୁର୍ଲଭ । ତାଙ୍କରି ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀ, ସହକର୍ମ୍ମୀ, ସତୀର୍ଥ ସାହିତ୍ୟପ୍ରେମୀ ଓ ଗୁଣଗ୍ରାଣୀ ପ୍ରତ୍ୟେକଙ୍କ ଦୃଷ୍ଟିକୋଣ ମଧ୍ୟରେ ବିବିଧତା ରହିବା ସ୍ୱାଭାବିକ । ପ୍ରଫେସର ଆଚ଼ାର୍ଯ୍ୟ ୧୯୫୪ରେ ନୂଆପଡ଼ା ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା ସମାପ୍ତ କରି ବ୍ରହ୍ମପୁର ଖଲ୍ଲିକୋଟ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେହି ଦିନୁ ହିସାବ କଲେ ବ୍ରହ୍ମପୁର ସହ ୬୮ ବର୍ଷ ଧରି ତାଙ୍କରି ସଂପର୍କ । ଏହି ସମୟସୀମାରେ ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟୟନ ଲାଗି କଟକରେ ଦୁଇ ବର୍ଷ ଏବଂ ଶିକ୍ଷାଶେଷରେ ଶ୍ରୀକାକୁଲମ ମହାବିଦ୍ୟାଳୟରେ ଦୁଇ ବର୍ଷ ଅଧ୍ୟାପନା, ମୋଟ ଚାରି ବର୍ଷ ବାଦ ଦେଲେ, ୬୪ ବର୍ଷ ବ୍ରହ୍ମପୁରରେ କଟାଇଥିଲେ । ପ୍ରଫେସର ଆଚ଼ାର୍ଯ୍ୟ ମାଧ୍ୟମିକ ଶ୍ରେଣୀରେ ପଢ଼ିବାଦିନୁ ସାହିତ୍ୟ ଅଧ୍ୟୟନ ଓ ରଚ଼ନାରେ ସଂପୃକ୍ତ ହୋଇଥିଲେ । ଅତଏବ, ବ୍ରହ୍ମପୁରରେ ଛଅ-ସାତ ଦଶନ୍ଧି ଧରି ସ୍ଥାନୀୟ ସାହିତ୍ୟିକ ମହଲରେ ତାଙ୍କର ଚଳପ୍ରଚଳ ଜାରୀ ରହିଥିଲା ।
 
ବ୍ରିଟିଶ ପ୍ରଶାସନ ୧୮୫୦ରେ ମହୁରି ରାଜ୍ୟର ପ୍ରତ୍ୟକ୍ଷ ଶାସନଭାର ଗ୍ରହଣ କରିବାପରେ ରାଜଧାନୀ ବ୍ରହ୍ମପୁରରେ ସରକାରୀ ଦପ୍ତରମାନ ସ୍ଥାପିତ ହୋଇଥିଲା । ଶିକ୍ଷାନୁଷ୍ଠାନ, ଚ଼ିକିତ୍ସାଳୟ ଓ ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକରେ ନିଯୁକ୍ତି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାରବର୍ଗ କ୍ରମଶଃ ବ୍ରହ୍ମପୁର ସହରରେ ପ୍ରଥମେ ଅସ୍ଥାୟୀ ଭାବେ ବସବାସ କରି ସ୍ଥାୟୀ ବାସିନ୍ଦା ପାଲଟିଯାଇଥିଲେ । ଏହି ପ୍ରକ୍ରିୟା ଦୀର୍ଘ ଶହେ ବର୍ଷ ମନ୍ଥର ଗତିରେ ଚାଲିବାପରେ ୧୮୯୬ରେ ରେଳପଥ ସଂଯୋଗ, ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ୧୯୪୭ରେ ସ୍ୱାଧୀନତା ପ୍ରାପ୍ତିପରେ ସହରର ଜନସଂଖ୍ୟା ଦୃତ ଗତିରେ ବଢ଼ିଚାଲିଥିଲା । ପ୍ରଫେସର ଆଚାର୍ଯ୍ୟ ଏହିଭଳି ଏକ ଅଭିବୃଦ୍ଧି କାଳରେ ୧୯୫୪ରେ ଛାତ୍ର ଓ ୧୯୬୨ରେ ଶିକ୍ଷକ ଭାବେ ବ୍ରହ୍ମପୁରରେ ପହଞ୍ଚିଥିଲେ ।
 
ବ୍ରହ୍ମପୁର ସହରରେ ବିଗତ ଶତାଦ୍ଦୀରେ ଷଷ୍ଠ ଓ ସପ୍ତମ ଦଶକରେ ବର୍ହିଗତ ପରିବାରବର୍ଗଙ୍କ ପାଇଁ ବଡ଼ଖେମୁଣ୍ଡି ସାହି, ଚନ୍ଦ୍ରପ୍ରଭା ସାହି, ପାଲୁର ବଙ୍ଗଳା, ହାତୀବନ୍ଧ ସାହି ଭଡ଼ାଘରରେ ଭରପୁର ଥିଲା । ପ୍ରଫେସର ଆଚ଼ାର୍ଯ୍ୟ ଦୀର୍ଘକାଳ ହାତୀବନ୍ଧ ସାହିରେ ରହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ମାଣନ୍ମୁଖୀ ଅଶୋକନଗରରେ ନିଜ ଘର ତୋଳି ଯାଇଥିଲେ । ତେବେ ନିଜ ଗ୍ରାମ ଗଞ୍ଜାମ ଜିଲ୍ଲା ଜରଡ଼ା ନିକଟସ୍ଥ ସୁବର୍ଣ୍ଣପୁର ସହ ଅନବରତ ସଂପର୍କ ରହିଆସିଥିଲା । ଗ୍ରାମ୍ୟ ଓ ସହରୀ ସଭ୍ୟତାର ସୁଦୃଢ଼ ସେତୁ ଗଢ଼ିବାରେ ସମର୍ଥ ହୋଇଥିଲେ । ସେହି ସମୟରେ ଖଲ୍ଲିକୋଟ ମହାବିଦ୍ୟାଳୟ ଓ ଉତ୍କଳ ଆଶ୍ରମ ବ୍ରହ୍ମପୁର ସାହିତ୍ୟ ଓ ସାହିତ୍ୟିକଙ୍କ ଆଶ୍ରୟସ୍ଥଳୀ । ତତ୍ ସନ୍ନିକଟ ହାତୀବନ୍ଧ ସାହି ତଥା ପଡ଼ୋଶୀ ଅଞ୍ଚଳରେ ବହୁସଂଖ୍ୟକ ସାହିତ୍ୟିକ ଭଡ଼ାଘରେ ବସବାସ କରୁଥିଲେ । ଏହି ଭୌଗଳିକ ପରିବେଶ ପ୍ରଫେସର ଆଚ଼ାର୍ଯ୍ୟଙ୍କୁ ସାହିତ୍ୟ ଚର୍ଚ୍ଚା ନିମନ୍ତେ ସୁଯୋଗ ସୃଷ୍ଟି କରିଥିଲା ।
 
ବ୍ରହ୍ମପୁରର ପୁରୁଣା ବସଷ୍ଟାଣ୍ଡ କଟକର ବାଲୁ ବଜାର, ବିନୋଦ ବିହାରୀ । ଅର୍ଥାତ, ପୁସ୍ତକ ବିକ୍ରୟ ଦୋକାନ ଓ ପ୍ରକାଶକଙ୍କ ଠିକଣା । ଅତୀତରେ ସନ୍ଧ୍ୟାରେ ସେଠାରେ ସାହିତ୍ୟିକଙ୍କ ମେଳନ ଦେଖିବାକୁ ମିଳୁଥିଲା । ପ୍ରଫେସର ଆଚ଼ାର୍ଯ୍ୟଙ୍କ ପ୍ରଥମ ଦୁଇଗୋଟି ପୁସ୍ତକ ନବ ପ୍ରତିଷ୍ଠିତ ବିଜୟ ବୁକ ଷ୍ଟୋର ପ୍ରକାଶ କରିଥିଲେ । ସେ ଛାତ୍ର ଜୀବନର ସ୍ମୃତି ବଖାଣି କହୁଥିଲେ, ସହରରେ ରେଡ଼ିଓ ବ୍ୟବହାର ଲୋକପ୍ରିୟ ହେବା ପୂର୍ବରୁ ବିଜୟା ଟକିଜ ସାମ୍ନା ବର୍ତ୍ତମାନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମୂର୍ତ୍ତି ସ୍ଥାପିତ ତ୍ରିକୋଣ ଖୋଲା ସ୍ଥାନରେ ସହରର କଲେଜ ପଢୁଆ ଛାତ୍ରମାନେ ସନ୍ଧ୍ୟାର ସାଇକଲମାରି ପହଞ୍ଚି ଏକତ୍ରୀତ ହେଉଥିଲେ । ବିଜୟା ଟକିଜ ପକ୍ଷରୁ ଫାଷ୍ଟସୋ ସିନେମା ଆରମ୍ଭ ପୂର୍ବରୁ ଏବଂ ପରେ ଢ଼େର ସମୟ ଯାଏଁ ଲାଉଡ଼ସ୍ପିକର ଯୋଗେ ହିନ୍ଦି ସିନେମା ଗୀତ ବଜାଯାଉଥିଲା । ସହରର ଯୁବକଙ୍କ ମଧ୍ୟରୁ କେତେକଙ୍କ ପାଇଁ ଏହା ଏକ ସାନ୍ଧ୍ୟ ଖଟିରେ ପରିଣତ ହେଉଥିଲା ।
 
ଖଲ୍ଲିକୋଟ ମହାବିଦ୍ୟାଳୟରେ ୧୯୬୨ରୁ ୧୯୬୮ ଛଅ ବର୍ଷ ଧରି ପ୍ରଫେସର ଆଚ଼ାର୍ଯ୍ୟ ବେଶ ଛାତ୍ରପ୍ରିୟ ଅଧ୍ୟାପକ ରୂପେ ପରିଚ଼ିତ ଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ବର୍ଷକ ପରେ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସ୍ଥାପନ ଉତ୍ତାରେ ସେ ୧୯୬୯ରେ ଅଧ୍ୟାପକ ରୂପେ ଯୋଗ ଦେଇଥିଲେ । ବ୍ରହ୍ମପୁର ସହରରେ ବସବାସ କରି ଷ୍ଟାଫ ବସ ଯୋଗେ ଦୈନନ୍ଦିନ ଭଞ୍ଜବିହାର ଯାଆସ କରୁଥିଲେ । ବସକୁ ଅପେକ୍ଷା ଓ ବସଯାତ୍ରା କାଳରେ ପ୍ରଫେସର ଆଚ଼ାର୍ଯ୍ୟ ସହକର୍ମ୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଳାପ ଆଲୋଚ଼ନାରେ ଅଂଶ ଗ୍ରହଣ କରୁଥିଲେ । ତାଙ୍କରି ସାନ୍ନିଧ୍ୟର ବିଶେଷତ୍ୱ ହେଲା ସେ ଶୁଣନ୍ତି ଅଧିକ, କହନ୍ତି କମ । କିନ୍ତୁ କଥା ପଦକ ଅଧିକାଂଶ ସମୟରେ ତାତ୍ପର୍ଯ୍ୟପୂର୍ଣ୍ଣ ଓ ମର୍ମଭେଦୀ ।
 
ପ୍ରଫେସର ଆଚ଼ାର୍ଯ୍ୟ ତାଳପତ୍ର ପୋଥି ସଂଗ୍ରାହକ ଓ ପ୍ରାଚ଼ୀନ ସାହିତ୍ୟ ସମ୍ପାଦକ ରୂପେ ଖ୍ୟାତ । ତେବେ ଅଷ୍ଟମ ଦଶକରେ କମ୍ପ୍ୟୁଟରରେ ଓଡ଼ିଆ ଭାଷା ବ୍ୟବହାର ଓ ଅଫସେଟ ମୁଦ୍ରଣ ପ୍ରଚଳନ ତଥା ଅବସରପରେ ଅନ-ଲାଇନ ସାହିତ୍ୟ ପ୍ରସାରକୁ ସର୍ବଦା ସ୍ୱାଗତ କରିଆସିଥିଲେ । ଭାଷା, ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ନିମନ୍ତେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାରକୁ ସେ ବିରୋଧ କରୁନଥିଲେ । ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ଦ୍ୱାରା ୨୦୦୪ରେ ପ୍ରକାଶିତ ଇଂରାଜୀ-ଇଂରାଜୀ-ଓଡ଼ିଆ ଶବ୍ଦକୋଷ ପ୍ରସ୍ତୁତିରେ ପ୍ରଫେସର ବିୟତକେଶ ତ୍ରିପାଠୀ ଓ ସମ୍ୱାଦ ସାହିତ୍ୟ କୋଷ ସଂକଳନରେ ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରଫେସର ଆଚାର୍ଯ୍ୟଙ୍କ ସହଯୋଗ ଓଡ଼ିଆ ଭାଷା ଓ ସାହିତ୍ୟ ଅଭିବୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅବଦାନ ।
 
ପ୍ରଫେସର ଆଚ଼ାର୍ଯ୍ୟଙ୍କ ହସହସ ମୁହଁ ସାଙ୍ଗକୁ ସଂଜତ ଆଚ଼ରଣ ଓ ଛାତ୍ର ବତ୍ସଳତା ତିନିଗୋଟି ଡି.ଲିଟ, ୩୦ ଗୋଟି ପିଏଚ଼.ଡ଼ି. ତଥା ଶତାଧିକ ଏମ.ଫିଲ. ବିଦ୍ୟାର୍ଥୀଙ୍କୁ ଦିଗଦର୍ଶନ ନିମନ୍ତେ ଆକର୍ଷିତ କରିଥିଲା । ପ୍ରଫେସର ଆଚାର୍ଯ୍ୟ ୨୦୧୮ରେ ମହାମାରୀ ପୂର୍ବରୁ ଲେଖିଥିଲେ, ୧୯୬୯ ରୁ ୧୯୯୯ ଦୀର୍ଘ ୩୦ ବର୍ଷ । ବହୁ ତିକ୍ତ ଓ ମଧୁର ଅନୁଭୂତିରେ ଭରା । ତିକ୍ତଗୁଡ଼ିକ ପ୍ରାୟ ବିସ୍ମୃତ ଗର୍ଭକୁ ଚାଲିଗଲାଣି । ପୁରାତନ ଗବେଷକ, ଛାତ୍ର ପ୍ରାୟ ଆସନ୍ତି କିମ୍ୱା ଫୋନ ଯୋଗେ କଥାବାର୍ତ୍ତା ହୁଅନ୍ତି । ମଧୁର ସ୍ମୃତିଗୁଡ଼ିକ ଜାଗ୍ରତ ହୁଏ । ସହକର୍ମ୍ମୀ ଓ ଛାତ୍ରଛାତ୍ରୀଙ୍କ ଭିତରୁ କେତେ କୁଆଡ଼େ ମରିହଜି ଗଲେଣି । କେତେକ ଅବସର ନେଇ ନିଜ ନିଜ ଜଞ୍ଜାଳରେ ବ୍ୟସ୍ତ । ପ୍ରାୟ ସମସ୍ତେ ମନ ପଡ଼ନ୍ତି । ପ୍ରଫେସର ଆଚାର୍ଯ୍ୟ ଆତ୍ମ-ଜୀବନୀ ଲେଖିଲେନି । ହୁଏତ ଜୀବନବ୍ୟାପୀ ଅନୁଭୂତିଗୁଡ଼ିକୁ ନିଜ ବ୍ୟକ୍ତିଗତ ସ୍ମୃତିଚାରଣର ପରିଧିରୁ ସେ ଏଡ଼ାଇ ଦେବାକୁ ଚାହୁଁ ନଥିଲେ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୦ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Raul Popadineți on Unsplash 


No comments:

Post a Comment