Friday, December 23, 2022

Golden Jubilee of 'Bikasham' / ‘ବିକାଶମ’ର ସୁବର୍ଣ୍ଣ ଜୟନ୍ତୀ


 #ବ୍ରହ୍ମପୁର ସହରର ଅନ୍ୟତମ ତେଲୁଗୁ ସାହିତ୍ୟ ଅନୁଷ୍ଠାନ ବିକାଶମର ସୁବର୍ଣ୍ଣ ଜୟନ୍ତୀ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ପାଳନ ସ୍ଥାନୀୟ ସାଂସ୍କୃତିକ ପରିଧିରେ ଏକ ଉଲ୍ଲେଖନୀୟ ଘଟଣା । ପ୍ରକୃତରେ ବିକାଶମ ୨୦୨୦ରେ ପ୍ରତିଷ୍ଠାର ୫୦ ବର୍ଷ ଅତିକ୍ରମ କରିଥିଲା । ତେବେ କୋଭିଡ଼ ମହାମାରୀ ନିଷେଧାଦେଶ କାରଣରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା ।

 

ବ୍ରହ୍ମପୁରରେ ଆଧୁନିକ ସାହିତ୍ୟ ଜାଗରଣରେ ସହରରେ ୧୯୬୯ରେ ଆୟୋଜିତ ଓଡ଼ିଆ ଯୁବ ଲେଖକ ସମ୍ମେଳନ ଅଧିବେଶନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁବଲେଖକ ସମ୍ମେଳନ ଏକ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ରୂପେ ବିଗତ ଶତାଦ୍ଦୀର ସପ୍ତମ ଓ ଅଷ୍ଟମ ଦଶକ ସନ୍ଧିକାଳରେ ପ୍ରତିବର୍ଷ ବିଭିନ୍ନ ସହରରେ ଅନୁଷ୍ଠିତ ହେଉଥିଲା । ସାଧାରଣତଃ ଡ଼ିସେମ୍ୱର ମାସ ଶେଷ ସପ୍ତାହରେ ଦୁଇ-ତିନି ଦିନ ବ୍ୟାପୀ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟିକଗଣ ଯୋଗ ଦେଉଥିଲେ । ପ୍ରତି ଅଧିବେଶନରେ ପରବର୍ତ୍ତୀ ବର୍ଷ ଲାଗି କର୍ମକର୍ତ୍ତା ନିର୍ବାଚ଼ିତ ହୁଅନ୍ତି । ବିପ୍ଳବୀ କବିରୁ ରାଜନୀତିଜ୍ଞ ପାଲଟିଥିବା ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୁବଲେଖକ ସମ୍ମେଳନର ଅନ୍ୟତମ ଉତ୍ସାହୀ ସଂଗଠକ । କିନ୍ତୁ କ୍ରମାଗତ ଭାବେ ଦୀର୍ଘକାଳ ଧରି ସେ ସାଂଗଠନିକ ପଦବୀରେ ରହିଯିବା ଏବଂ ଅବସ୍ଥାଚକ୍ରରେ ନକସଲପନ୍ଥୀ ଆନ୍ଦୋଳନ ଅବସରରେ ପଳାତକ ସାଜିବାରୁ ଅନୁଷ୍ଠାନର ସାଂଗଠନିକ ସ୍ଥିତି ବିଶୃଙ୍ଖଳିତ ହୋଇ କ୍ରମଶଃ ବିଲୟ ଘଟିଥିଲା ।

 

ବ୍ରହ୍ମପୁରରେ ଓଡ଼ିଆ ଯୁବଲେଖକ ସମ୍ମେଳନ ଅଧିବେଶନ ଆୟୋଜନରେ ସୃଷ୍ଟ ସାହିତ୍ୟିକ ପରିବେଶ ପ୍ରଭାବରେ ଓଡ଼ିଆ ସାହିତ୍ୟ ଅନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଓ ତେଲୁଗୁ ସାହିତ୍ୟ ଅନୁଷ୍ଠାନ ବିକାଶମ ଗଠନ ସ୍ପଷ୍ଟ ବାରି ହୁଏ । କଳିଙ୍ଗ ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇସାରିଛି ।

 

ବିକାଶମର ଜନ୍ମକାଳ ବିଂଶ ଶତାଦ୍ଦୀ ସପ୍ତମ ଓ ଅଷ୍ଟମ ଦଶକରେ ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ସାହିତ୍ୟ ପ୍ରୀତି ଶୀର୍ଷ ସ୍ତରରେ ପହଞ୍ଚିଥିଲା । ଏଥିରେ ମୁଦ୍ରିତ ପତ୍ରପତ୍ରିକା ମାଧ୍ୟମ ସାଜିଥିଲା । ବିଜୟୱାଡ଼ାରୁ ପ୍ରକାଶିତ ସାପ୍ତାହିକ ଆନ୍ଧ୍ର ପତ୍ରିକା, ଆନ୍ଧ୍ରପ୍ରଭାଆନ୍ଧ୍ରଜ୍ୟୋତି ସାଙ୍ଗକୁ ହାଇଦରାବାଦ ଓ ବିଶାଖପାଟଣାରୁ ପ୍ରତିମାସରେ ପ୍ରାୟ ଡ଼ଜନେରୁ ଉର୍ଦ୍ଧ୍ୱ ପେପରବ୍ୟାକ ଉପନ୍ୟାସ ପୁସ୍ତକ ପ୍ରକାଶ ପାଉଥିଲା । ସୁବିସ୍ତୃତ ପାଠକଗୋଷ୍ଠୀ ଏହି ଲୋକପ୍ରିୟ ପ୍ରକାଶନଗୁଡ଼ିକର ପୃଷ୍ଠପୋଷକତା କରୁଥିଲେ । ବ୍ରହ୍ମପୁରର ତେଲୁଗୁ ଭାଷାଭାଷୀ ପାଠକଶ୍ରେଣୀ ମଧ୍ୟ ଏଥିରେ ସାମିଲ ହେଉଥିଲେ ।

 

ସ୍ଥାନୀୟ ଖଲ୍ଲିକୋଟ ମହାବିଦ୍ୟାଳୟରେ ଏ.ରାମକୃଷ୍ଣ ରାଓ ଇଂଲିଶ ଅଧ୍ୟାପକଭାବେ ଅବସ୍ଥାପିତ ହୋଇଥିଲେ । ସେ ୨୦ରୁ ଉର୍ଦ୍ଧ୍ୱ ତେଲୁଗୁ ଉପନ୍ୟାସ ଓ ବହୁସଂଖ୍ୟକ କ୍ଷୁଦ୍ରଗଳ୍ପ ଲେଖକ । ତାଙ୍କରି ଉପନ୍ୟାସରେ ସ୍ୱାଧୀନୋତ୍ତର ଅବସ୍ଥାରେ କ୍ରମବର୍ଦ୍ଧିଷ୍ଣୁ ସହରୀ ସଭ୍ୟତା ଏବଂ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥାରେ ପାରିବାରିକ ସ୍ଥିତି ବର୍ଣ୍ଣନା ଗୁରୁତ୍ୱଲାଭ କରୁଥିଲା । ରାମକୃଷ୍ଣ ରାଓ ଜଣେ ଧୀରସ୍ଥିର, କମ ଉଚ୍ଚତା ବିଶିଷ୍ଟ ଚଷମାଧାରୀ ଭଦ୍ରବ୍ୟକ୍ତି । ଫୁଲ-ସ୍ଳିଭ ହାଫ-ଫୋଲଡ଼ ସହ ଇନସାର୍ଟରେ ବାହାରନ୍ତି । ସେ ସପରିବାରେ ଭୀମାରାଓ ପେଟାରେ ରହୁଥିଲେ । ଏକ ନୂଆ ବାଇ-ସାଇକଲ ଧରି କଲେଜ ଯାଆନ୍ତି । ତେଲୁଗୁ ଲେଖକ ଭାବେ ତାଙ୍କରି ପ୍ରତିପତ୍ତି ଥାଏ ଏବଂ ସ୍ଥାନୀୟ ତେଲୁଗୁ ସାହିତ୍ୟିକମାନେ ତାଙ୍କ ବାସଭବନକୁ ଯାଆସ କରୁଥିଲେ ରାମକୃଷ୍ଣଙ୍କ ଉଦ୍ୟମରେ ୧୫ ନଭେମ୍ୱର ୧୯୭୦ରେ ତାଙ୍କରି ଭଡ଼ାଘରେ ଦଶଜଣ ସାହିତ୍ୟପ୍ରେମୀଙ୍କ ଗହଣରେ ବିକାଶମ ଜନ୍ମ ନେଇଥିଲା । ସେମାନେ ସାପ୍ତାହିକଭିତ୍ତିରେ ପ୍ରତି ରବିବାର ସକାଳେ ଏକତ୍ରୀତ ହୋଇ ସାହିତ୍ୟ ଚର୍ଚ୍ଚାରେ କିଛି କିଛି ସମୟ କଟାଉଥିଲେ । ସଂଭବତଃ ସାମୟିକଭାବେ ଏକ ହାତଲେଖା ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ ।

 

ସଂଯୋଗବଶତଃ କଳିଙ୍ଗ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ପୁରୀ ଗଜପତିଙ୍କ ଶାସନର ନବବର୍ଷ ସୁନିଆଁରେ ଉତ୍କଳ ଆଶ୍ରମଠାରେ ପାଳିତ ହେଉଥିବା ସ୍ଥଳେ ବିକାଶମର ବାର୍ଷିକ ଉତ୍ସବ ତେଲୁଗୁ ନବବର୍ଷ ଉଗାଦିରେ ପ୍ରକାଶମ ହଲରେ ପାଳିତ ହେଉଥିଲା । ତତ୍କାଳୀନ ଖ୍ୟାତନାମା ଉପାନ୍ତ ତେଲୁଗୁ ସାହିତ୍ୟିକ ପୁରୀପଣ୍ଡା ଆପଲାସ୍ୱାମୀ ଓ ବିପ୍ଳବୀ କବି ଶ୍ରୀ ଶ୍ରୀଙ୍କ ଭଳି ପ୍ରତିଷ୍ଠିତ ସାହିତ୍ୟିକଗଣ ବିକାଶମ କାର୍ଯ୍ୟକ୍ରମରେ ଯୋଗଦେଇ ସଂଗଠକମାନଙ୍କୁ ଉତ୍ସାହିତ କରିଥିଲେ । ପରବର୍ତ୍ତୀ କାଳରେ ସହରର କେତେକ ଉର୍ତ୍ସଗୀକୃତ ତେଲୁଗୁ ସାହିତ୍ୟିକ ବିକାଶମ ସହ ସଂପର୍କ ରଖିଆସିଥିଲେ ।

 

ଖଲ୍ଲିକୋଟ ମହାବିଦ୍ୟାଳୟ ସରକାରୀ ପରିଚାଳନାଧୀନ ହେବାପରେ ବିକାଶମ ଜନ୍ମର ବର୍ଷକ ମଧ୍ୟରେ ପ୍ରତିଷ୍ଠାତା ରାମକୃଷ୍ଣ ରାଓ ଅନ୍ୟତ୍ର ବଦଳି ହୋଇ ସହର ଛାଡ଼ିଥିଲେ । ପରବର୍ତ୍ତୀ ସଭାପତି ଭାବେ ଭି.ଭି.ଗିରିଙ୍କ ସଂପର୍କୀୟ ଡ଼କ୍ଟର ଉପାଲା ଲକ୍ଷ୍ମଣ ରାଓ ୧୯୭୧ ରୁ ୧୯୮୫ ଯାଏଁ ଦୀର୍ଘ ସମୟ ବିକାଶମର ସଭାପତି ପଦବୀ ଅଳଂକୃତ କରିଥିଲେ ।

 

ସ୍ୱାଧୀନୋତ୍ତର ଭାରତରେ ଆଞ୍ଚଳିକ ସାହିତ୍ୟ ବିକାଶରେ ମୁଦ୍ରିତ ସାପ୍ତାହିକ ପତ୍ରିକାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲାଧାରାବାହିକ ଭାବେ ପ୍ରକାଶିତ ଉପନ୍ୟାସ ବୃହତ ପାଠକଗୋଷ୍ଠୀଙ୍କୁ ସ୍ଥାନୀୟ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ଆକର୍ଷିତ କରୁଥିଲା । ତେଲୁଗୁ ଭାଷାରେ ପ୍ରଚଳିତ ଏହି ଧାରା ଊଣାଅଧିକେ ବ୍ରହ୍ମପୁର ତେଲୁଗୁ ସମ୍ଭ୍ରାନ୍ତ ପରିବାରବର୍ଗରେ ପ୍ରତିଫଳିତ ହେଉଥିଲା । ତେବେ ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଟେଲିଭିଜନ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଇଣ୍ଟରନେଟ, ସୋସିଆଲ ମିଡ଼ିଆ ଓ ସ୍ମାର୍ଟଫୋନରେ ଭିଡ଼ିଓ ପ୍ରଦର୍ଶନ ଆଞ୍ଚଳିକ ଭାଷା ସାହିତ୍ୟର ପରିଭାଷା ବଦଳାଇ ଦେଇଛି । ଉପଭୋକ୍ତାମାନେ ଅନଲାଇନରେ ଦୀର୍ଘ ସମୟ ଅତିବାହିତ କରୁଥିବା ହେତୁ ରାଜନୀତି ଭଳି ସାଂସ୍କୃତିକ ସଂଗଠନଗୁଡ଼ିକ ନିମନ୍ତେ ମଧ୍ୟ ମଞ୍ଚ ପରିବର୍ତ୍ତନ ସମୟ ଉପନୀତ । ଅର୍ଥାତ, ଏଣିକି ସାହିତ୍ୟ ସଂଗଠନ ସୋସିଆଲ ମିଡ଼ିଆ ମାଧ୍ୟମରେ ସମାହିତ ହେବା ସୁସ୍ପଷ୍ଟ । ତେବେ ଏହି ପରିବର୍ତ୍ତନର ଭଉଁରିରେ ବିକାଶମ ଭଳି ସାହିତ୍ୟ ଅନୁଷ୍ଠାନଗୁଡ଼ିକ ଭର୍ଚୁଆଲ ପରିବେଶକୁ ଉନ୍ନୀତ ହୋଇପାରିବେ କି ଏକ ବଡ଼ ପ୍ରଶ୍ନ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୪ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Aleza van der Werff on Unsplash 

No comments:

Post a Comment