Friday, December 30, 2022

Berhampur Dibas / ବ୍ରହ୍ମପୁର ଦିବସ

 


ରାଜ୍ୟରେ ବିଭିନ୍ନ ଅଞ୍ଚଳ ଓ ସହରକେନ୍ଦ୍ରୀକ ଉତ୍ସବମାନ ଅନୁଷ୍ଠିତ ହେଉଥିବା ସ୍ଥଳେ #ବ୍ରହ୍ମପୁର ଉତ୍ସବ ଆୟୋଜନ ଲାଗି ଉପଯୁକ୍ତ ତିଥି ନିର୍ଦ୍ଧାରଣ ସଂପର୍କରେ ପ୍ରଶ୍ନ ଉଠେ । ପ୍ରଥମତଃ, ମହୁରିଗଡ଼ରୁ ରାଜବାଟୀ ସ୍ଥାନାନ୍ତର ପରେ ତାହାକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନପଦ ବ୍ରହ୍ମପୁର ନାମିତ ହୋଇଥିଲା । କିନ୍ତୁ ମହୁରି ରାଜବାଟୀ ପ୍ରତିଷ୍ଠାର ଲିପିବଦ୍ଧ ଇତିହାସ ଅଭାବ । ଦ୍ୱିତୀୟତଃ, ବ୍ରହ୍ମପୁର ସହର ଗଠନରେ ବହୁ ଜନନାୟକଙ୍କ ଯୋଗଦାନ ରହିଛି । କୌଣସି ବ୍ୟକ୍ତିବିଶେଷଙ୍କ ଅବଦାନର ତୁଳନାତ୍ମକ ନିଷ୍ପତି ଅସଂଗତ । ତେବେ ବ୍ରହ୍ମପୁର ସହରକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ସାମିଲ କରାଇବା ଆନ୍ଦୋଳନ, ସହରରେ ଓଡ଼ିଆମାନଙ୍କ ସ୍ୱାଭିମାନ ପ୍ରତିଷ୍ଠା ଲାଗି ଉଦ୍ୟମ ତଥା ସ୍ଥାନୀୟ ସମାଜ, ସଂସ୍କୃତି ଓ ରାଜନୀତିକୁ ପରିପୁଷ୍ଟ କରିବା ନିମନ୍ତେ ଆଧୁନିକ ଯୁଗର ସର୍ବୋତ୍ତମ ମାଧ୍ୟମ ସମ୍ୱାଦପତ୍ର ପ୍ରକାଶନରେ ବ୍ରହ୍ମପୁରବାସୀ ଶଶିଭୂଷଣ ରଥ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ ।

 

ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ଜନ୍ମିତ ଶଶିଭୂଷଣ ଯୁବାବସ୍ଥାରେ କିଛି କାଳ ମୁମ୍ୱାଇ, କଟକ ଓ କୋଲକତାରେ କଟାଇ ବ୍ରହ୍ମପୁରରେ ୧୯୧୩ ମସିହାରୁ ସାପ୍ତାହିକ ଆଶା ଏବଂ ୧୯୨୮ ମସିହାରୁ ଦୈନିକ ଆଶା ପ୍ରକାଶ କରିଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରେ ବ୍ରହ୍ମପୁର ଏକ ଦ୍ୱି-ଭାଷୀ ସହର ଥିଲା ଏବଂ ସୁଦୂର ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଶାସିତ ହେଉଥିଲା । ବ୍ରହ୍ମପୁର ଭଳି ଏକ ଉପାନ୍ତ ସହର ଯଦି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ସାମିଲ ହୋଇନଥାନ୍ତା କିମ୍ୱା ଭାଷାଭିତ୍ତିରେ ଯଦି ଓଡ଼ିଶା ପ୍ରଦେଶ ଗଠିତ ହୋଇନଥାନ୍ତା, ତେବେ ବ୍ରହ୍ମପୁର ଏକ ଛୋଟ ସହର ଓ ବାଣିଜ୍ୟ ପେଣ୍ଠରେ ହିଁ ସୀମିତ ରହିଯାଇଥାନ୍ତା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଲାଗି ବହୁ ନେତୃସ୍ଥାନୀୟ ବ୍ୟକ୍ତି କଠିନ ପରିଶ୍ରମ କରିଛନ୍ତି, ବ୍ରହ୍ମପୁରକୁ ସ୍ୱତନ୍ତ୍ର ପ୍ରଦେଶରେ ସାମିଲ କରିବା ଲାଗି ବହୁ ଲୋକଙ୍କ ଅବଦାନ ରହିଛି ସତ । କିନ୍ତୁ ଶଶିଭୂଷଣଙ୍କ କର୍ମମୟ ଜୀବନ ଓଡ଼ିଆ, ବ୍ରହ୍ମପୁର ଓ ଓଡ଼ିଶା ବ୍ୟତୀତ ଅନ୍ୟ କୌଣସି ବିଷୟରେ ସଂପୃକ୍ତ ନଥିଲା । ସେ କଂଗ୍ରେସ କର୍ମୀ ଥିଲେ, କିନ୍ତୁ ଦେଶର ସ୍ୱାଧୀନତାକୁ ଦ୍ୱିତୀୟ ସ୍ଥାନରେ ରଖି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ  ଓ ସେଥିରେ ବ୍ରହ୍ମପୁରକୁ ସାମିଲ କରିବାକୁ ପ୍ରଥମ ସ୍ଥାନ ଦେଇଥିଲେ ।

 

ତେଣୁ ବ୍ରହ୍ମପୁର ଦିବସ ପାଳନ ଲାଗି କୌଣସି ବରପୁତ୍ରଙ୍କ ଜନ୍ମଦିନ ଯଦି ବିଚାରକୁ ନିଆଯାଏ, ତେବେ ଶଶିଭୂଷଣ ରଥଙ୍କ ଜନ୍ମଦିନ ଜାନୁୟାରୀ ପହିଲା ଚୟନ କରାଯାଇପାରେ । ଏହି ପ୍ରସ୍ତାବ ଅନ୍ୟମାନଙ୍କ ପ୍ରତି ଅପମାନ ନୁହେଁ, ଜଣେ ଆଜୀବନ କର୍ମୀଙ୍କ ପାଇଁ ସମ୍ମାନ ମାତ୍ର ।

 

ସମ୍ୱାଦପତ୍ର ପ୍ରକାଶନ ଏକ ବଡ଼ ଶିଳ୍ପ ନୁହେଁ, ତେବେ ଲୋକହିତରେ ସମର୍ପିତ । ସ୍ଥାନୀୟ ଜନସାଧାରଣଙ୍କ ଆଶା-ଆକାଂକ୍ଷା ଚ଼ରିତାର୍ଥ କରିବା ନିମନ୍ତେ ଶଶିଭୂଷଣଙ୍କ ଆଶା, ଦୈନିକ ଆଶା, ଇଷ୍ଟକୋଷ୍ଟ ସମ୍ୱାଦପତ୍ର ଓ ପ୍ରଦୀପ ପତ୍ରିକା କାର୍ଯ୍ୟ କରୁଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ, ଦେଶର ସ୍ୱାଧୀନତା ତଥା ବିଭିନ୍ନ ସମାଜ ସଂସ୍କାର କାର୍ଯ୍ୟରେ ସମ୍ୱାଦପତ୍ର ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସୂତ୍ରଧର ସାଜିଥିଲା । ତାରାତାରିଣୀ ମନ୍ଦିରରେ ବଳିପ୍ରଥା ବନ୍ଦଠାରୁ ଆରମ୍ଭ କରି ବିଧବା ବିବାହ, ନାରୀ ଶିକ୍ଷା, ନିଶା ନିବାରଣ ବିଭିନ୍ନ କୁସଂସ୍କାର ରୋକିବା ନିମନ୍ତେ ଅଭିଯାନରେ ଶଶିଭୂଷଣ ଓ ତାଙ୍କରି ସମ୍ୱାଦପତ୍ର ନେତୃତ୍ୱ ନେଇଥିଲା ।

 

ଓଡ଼ିଆ ସମ୍ୱାଦପତ୍ର ପ୍ରକାଶନ ୨୦୨୨ ସୁଦ୍ଧା କ୍ଷତିର ବ୍ୟବସାୟ ପରିଗଣିତ ହେଉଥିବା ସ୍ଥଳେ ଶହେ ବର୍ଷ ପୂର୍ବେ ଯେ କେତେ କଷ୍ଟସାଧ୍ୟ ଥିଲା, ତାହା ସହଜରେ ଅନୁମେୟ । ସାରା ଜୀବନ ସମ୍ୱାଦପତ୍ର ପ୍ରକାଶନ ନିମନ୍ତେ ଆର୍ଥିକ ସଂକଟ ମଧ୍ୟରେ ଗତି କରି ପରିଣତ ବୟସରେ ପ୍ରକାଶନ ସତ୍ତ୍ୱ ଜଣେ ବ୍ୟବସାୟୀଙ୍କୁ ବିକ୍ରୀ କରିଦେଇଥିଲେ । ସେହି ମନୀଷିଙ୍କ ସ୍ମୃତିରେ ପୁରୁଣା ବସଷ୍ଟାଣ୍ଡରେ ଏକ ଆବକ୍ଷ ପ୍ରତିମୂର୍ତ୍ତି ଓ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ନାମିତ ହୋଇଛି । ଦୈନିକ ଆଶା’  ୧୯୮୨ ମସିହାରେ ପୁନଃ-ସଂସ୍ଥାପିତ ହେବା ପରେ ପ୍ରକାଶନରେ ଅନିୟମିତତା ଲାଗି ରହିଛି । ଶଶିଭୂଷଣଙ୍କ ବ୍ରହ୍ମପୁର ସହରପ୍ରତି ଅବଦାନ ସ୍ମରଣ କରିବା ନିମନ୍ତେ ବିଗତ ଅର୍ଦ୍ଧଶତାଦ୍ଦୀରେ ବହୁ ସାମାଜିକ ସଂଗଠନ ଭିନ୍ନ ଭିନ୍ନ ସମୟରେ ଜୟନ୍ତୀ ଉତ୍ସବ ଆୟୋଜନ କରି ଆସିଛନ୍ତି ।

 

ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସଂଯୋଗବଶତଃ ୧୯୯୭ ମସିହାରେ ତତ୍ କାଳୀନ ବ୍ରହ୍ମପୁରର ସ୍ୱାର୍ଥରକ୍ଷା ଲାଗି ସକ୍ରିୟ ଥିବା ଓଡ଼ିଶା ଇଣ୍ଟରନ୍ୟାସନାଲ ସୋସାଇଟି ଆନୁକୂଲ୍ୟରେ ଟାଉନ ହାଲଠାରେ ଆୟୋଜିତ ଶଶିଭୂଷଣ ଜୟନ୍ତୀ ସଭାରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଭାରତୀୟ ରେଳପଥ ପକ୍ଷରୁ ସହରର ଇଂଲିଶ ବନାନ ବେରହମପୁରରୁ ବ୍ରହ୍ମପୁରକୁ ପରିବର୍ତ୍ତିତ ହୋଇଛି । ଏହି ଅଭିଯାନ ଭଣ୍ଡୁର କରିବା ନିମନ୍ତେ କେତେକ କୁଚ଼କ୍ରୀଙ୍କ ଉଦ୍ୟମହେତୁ ସହରର ଇଂଲିଶ ବନାନ ସଂଶୋଧନ ଉଦ୍ୟୋକ୍ତାମାନେ ହତୋତ୍ସାହ ହୋଇ କ୍ଷାନ୍ତ ରହିଥିଲେ । ବର୍ତ୍ତମାନ ୨୦୨୩ ଜାନୁୟାରୀ ପହିଲାରୁ ସହରର ଇଂଲିଶ ବନାନ ସଂଶୋଧନ ନିମନ୍ତେ ବିଧିବଦ୍ଧ ସାର୍ବଜନୀନ ଅଭିଯାନ ଆରମ୍ଭ କରାଯାଇପାରେ । ଏହି ଉଦ୍ୟମ ଶଶିଭୂଷଣଙ୍କ ୧୩୯ତମ ଜୟନ୍ତୀ ବ୍ରହ୍ମପୁର ଉତ୍ସବରେ ସଂକଳ୍ପ ରୂପେ ଗୃହୀତ ହେଉ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩୧ ଡ଼ିସେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Anja Bauermann on Unsplash 


No comments:

Post a Comment