ଅତୀତ
ବ୍ରହ୍ମପୁରର ଉତ୍ତର-ପଶ୍ଚିମ ପ୍ରବେଶପଥରେ କାଠ ବେପାରୀମାନେ ଜଙ୍ଗଲଜାତ କାଠଗଣ୍ଡି ଶଗଡ଼ରେ ବୋହି
ଆଣି ହରିଡ଼ାଖଣ୍ଡି ଓ ଧୋବା ବନ୍ଧ ମଧ୍ୟସ୍ଥ ଆମ୍ୱତୋଟା ମାନଙ୍କରେ ଗ୍ରାହକ ଅପେକ୍ଷାରେ ରହୁଥିଲେ
। କାଳକ୍ରମେ ସେଠାରେ କରତକଳ ଓ ସ୍ଥାୟୀ କାଠଗୋଲାମାନ ସ୍ଥାପିତ ହେଲା । ପୌରପାଳିକା ଓ ରାଜ୍ୟ
ସରକାରଙ୍କ ପକ୍ଷରୁ ସହରକୁ ପ୍ରବେଶ କରୁଥିବା ପଣ୍ୟଦ୍ରବ୍ୟ ତନଖି ଓ ଟିକସ ଆଦାୟ ନିମନ୍ତେ ସେଠାରେ
ଚେକ ଗେଟ ସ୍ଥାପିତ ହେଲା । ଫଳରେ ଅଞ୍ଚଳଟି ‘କାଠ ମେଣ୍ଟୁ’ ଓ ‘ଫାଷ୍ଟ ଗେଟ’ ନାମିତ ହୋଇଥିଲା । ସେହିପରି ରମ୍ପାସାହି ନିକଟରେ
ସ୍ଥାପିତ ଗେଟକୁ ନେଇ ‘ଗେଟ ବଜାର’ ନାମକରଣର ଯଥାର୍ଥତା ଉପଲବ୍ଧି କରିହୁଏ ।
ବ୍ରହ୍ମପୁର
ରେଳପଥ ଦ୍ୱାରା ଊନବିଂଶ ଶତାଦ୍ଦୀର ଶେଷପାଦରେ ଯୋଡ଼ି ହେବାପରେ ବିଂଶ ଶତାଦ୍ଦୀ ଆରମ୍ଭରୁ
ଗଞ୍ଜାମ, ଗଜପତି, କନ୍ଧମାଳରୁ କୃଷିଜାତ ଓ ବନଜାତ ଦ୍ରବ୍ୟ ରପ୍ତାନୀର ପେଣ୍ଠ ପାଲଟିଥିଲା ।
ସେହିପରି ଶିଳ୍ପଜାତ ଦ୍ରବ୍ୟର ଆମଦାନୀ ଗୋପାଳପୁର ବନ୍ଦର ସହ ବ୍ରହ୍ମପୁର ରେଳଷ୍ଟେସନ ସାମିଲ
ହୋଇଥିଲା । ଏହି ଅବସରରେ ରେଳଷ୍ଟେସନର ଅପରପାର୍ଶ୍ୱରେ ରପ୍ତାନୀ ଓ ଆମଦାନୀ ଦ୍ରବ୍ୟ ଗଚ୍ଛିତ
ରଖିବା ନିମନ୍ତେ ଗୋଦାମ ଘରମାନ ନିର୍ମିତ ହୋଇଥିଲା । ଏହା ଗୁଡ଼ସସେଡ଼ ରୋଡ଼ ନାମରେ ଖ୍ୟାତ ହେଲା
। ରେଳ ଜଙ୍କସନରେ ସିଗନାଲ ଗୁଡ଼ିକରେ କିରୋସିନି ଦୀପ ଲଗାଯାଉଥିବା ହେତୁ ସେହି ଅଞ୍ଚଳ ଦୀପ ସାହି
ନାମିତ ହୋଇଥିଲା ।
ବ୍ରିଟିଶ
ପ୍ରଶାସନର ପ୍ରଥମ ଅବସ୍ଥାରେ ମହୁରି ରାଜ୍ୟରେ ବିଦ୍ରୋହର ମୁକାବିଲା କରିବା ନିମନ୍ତେ ସ୍ଥାୟୀ
ସେନା ଛାଉଣୀ ସ୍ଥାପିତ ହୋଇଥିଲା । ସୈନ୍ୟମାନେ ବାରାକ୍ସରେ କିଛି କାଳ ଅସ୍ଥାୟୀ ଭାବେ
ତମ୍ୱୁଟାଣି ରହିବା ପରେ ପ୍ରଥମ ଓ ଦ୍ୱିତୀୟ ମିଲଟରୀ ଲାଇନ୍ସରେ ଅବସ୍ଥାପିତ ହୋଇଥିଲେ । ମିଲଟାରୀ
ଲାଇନ୍ସ ସନ୍ନିକଟରେ ପୋଲିସ ଲାଇନ୍ସ ଗଢ଼ି ଉଠିଥିଲା । ମିଲଟାରୀ ଲାଇନ୍ସରୁ ବାରକ୍ସ ରାସ୍ତାକୁ
କଣ୍ଟେନମେଣ୍ଟ ରୋଡ଼ କୁହାଗଲା ।
ସହରର
ପୂର୍ବାଞ୍ଚଳରେ କୋର୍ଟ କୋଠାବାଡ଼ି କାର୍ଯ୍ୟକରି ଆସିଥିଲା । ସେହି ଅଞ୍ଚଳରେ କ୍ରମଶଃ ସରକାରୀ
କାର୍ଯ୍ୟାଳୟମାନ ଗଢ଼ି ଉଠିଲା ଏବଂ କୋର୍ଟପେଟା ନାମରେ ପରିଚ଼ିତ ହେଲା । ସ୍ୱତନ୍ତ୍ର ଓଡ଼ିଶା
ପ୍ରଦେଶ ୧୯୩୬ରେ ଗଠିତ ହେବା ଯାଏଁ ବ୍ରହ୍ମପୁର ମାଡ୍ରସ ପ୍ରେସିଡ଼େନସି ଅଧୀନରେ ଶାସିତ ହେଉଥିବା
ଏବଂ ଦକ୍ଷିଣାଞ୍ଚଳର ସରକାରୀ କର୍ମାଚାରୀ, ଓକିଲ ଓ ଶିକ୍ଷକମାନେ ବହୁ ସଂଖ୍ୟାରେ ଏଠାରେ ବସବାସ
କରୁଥିବା ହେତୁ ଦାକ୍ଷିଣାତ୍ୟ ପ୍ରଭାବ ସ୍ପଷ୍ଟ ବାରି ହେଉଥିଲା । ତେଲୁଗୁ ଭାଷାରେ ‘ପେଟା’ର ଅର୍ଥ ‘ସାହି’
। କୋର୍ଟପେଟା ଭଳି ଭୀମାରାଓ ପେଟା, ପାତ୍ରପେଟା, ମଙ୍ଗଳବାର ପେଟା
ନାମକରଣରୁ ଦାକ୍ଷିଣାତ୍ୟ ପ୍ରଭାବ ସ୍ପଷ୍ଟ ବାରି ହୁଏ ।
ଖଳା ସାହି,
କଦଳୀ ବାଡ଼ ସାହି, ଗାଈଗୋଠ ସାହି ଭୌଗଳିକ ଅବସ୍ଥିତିର ପ୍ରମାଣ ଦିଏ । ଆଇନା ବନ୍ଧ ସାହି, ରଙ୍ଗୁଣୀ
ବନ୍ଧ ସାହି, ଜଳସରଖଣ୍ଡି ଇତ୍ୟାଦି ପୁଷ୍କରଣୀ ଉପସ୍ଥିତିକୁ ବୁଝାଇଥାଏ ।
ଐତିହାସିକ
ସଂପୃକ୍ତି ଦୃଷ୍ଟିକୋଣରୁ ବିଚାର କଲେ ମହୁରି ରାଜପ୍ରସାଦ ମହୁରି ଗଡ଼ରେ ଅବସ୍ଥିତ ଥିଲା ଏବଂ ସେହି
ଅଞ୍ଚଳ ମହୁରିଗଡ଼ ତଥା ମହୁଡ଼ାରେ ରୂପାନ୍ତରିତ ହୋଇଛି । ସେହିପରି ଗଞ୍ଜାମରୁ ଆଗତ ପରିବାରବର୍ଗ
ଗଉଁଞ୍ଜୁରେ ଅବସ୍ଥାପିତ ହୋଇଥିବା କେତେକ ଅନୁମାନ କରନ୍ତି । ଗୋଲକଣ୍ଡା ଅଞ୍ଚଳରୁ ସ୍ଥାନାନ୍ତରିତ
ହୋଇଥିବା ଗୋଲା ସଂପ୍ରଦାୟର ପରିବାରବର୍ଗ ଗୋଲାପଲ୍ଲୀ, ଗୋଇଲୁଣ୍ଡି, ରାଉତପେଟା ସାହି ଗୋଲ୍ଲା
ସାହି ଓ ଲାଞ୍ଜିପଲ୍ଲୀ ଅଞ୍ଚଳରେ ଅବସ୍ଥାପିତ ହୋଇଥିଲେ । ସ୍ୱାଧୀନତା ପ୍ରାପ୍ତି ପରେ ବର୍ମାରୁ
ଫେରିଥିବା ଶାରଣାର୍ଥୀମାନେ ବର୍ମା କଲୋନୀରେ ଥାଇଥାନ କରାଯାଇଥିଲା । ପ୍ରଥମେ ଖ୍ରୀଷ୍ଟଧର୍ମ
ଗ୍ରହଣ କରିଥିବା ପରିବାର ବର୍ଗ ଖ୍ରୀଷ୍ଟିଆନ ସାହିରୁ ହିଲପାଟଣା ସ୍ଥାନାନ୍ତରିତ ହେବାପରେ
ପୁରୁଣା ଖ୍ରୀଷ୍ଟିଆନ ସାହି ରୂପେ ପରିଚ଼ିତ ହେଲା । ଥାଇଥାନ କରାଯାଇଥିବା କେତେକ ଖ୍ରୀଷ୍ଟିଆନ
ପରିବାର ପାଦ୍ରୀପଲ୍ଲୀରେ ରହିଲେ । ବଡ଼ ବଜାର ଆଦମସ ଷ୍ଟ୍ରୀଟ ଏକ ଇଂଲିଶ ନାମ ଏବଂ ଆଗା ସାହି ଏକ
ଆରବୀୟ ନାମ । ପଦ୍ମଶ୍ରୀ ମୋହନ ନାୟକଙ୍କ ସଂପାଦକତ୍ୱରେ ବ୍ରହ୍ମପୁରରୁ ଦୀର୍ଘକାଳ ଧରି ପ୍ରକାଶିତ
‘ସେବକ’ ପତ୍ରିକାର ନାମ ଅନୁଯାୟୀ ସେବକ ନଗର ନାମକରଣ
ଉଲ୍ଲେଖନୀୟ ।
No comments:
Post a Comment