ବ୍ରହ୍ମପୁରର
ସାହିଗୁଡ଼ିକର ନାମକରଣ ବର୍ଗୀକୃତ କଲେ ଦେବାଳୟ, ସଂପ୍ରଦାୟ, ସାଜ୍ଞା, ବ୍ୟକ୍ତିବିଶେଷ, ଭୌଗଳିକ
ଅବସ୍ଥିତି ଓ ଐତିହାସିକ ସଂପୃକ୍ତି ଗୁରୁତ୍ୱଲାଭ କରିଥିବା ପରିଲକ୍ଷିତ ହୋଇଥାଏ ।
ବ୍ରହ୍ମପୁର
ଜନପଦ ଜନ୍ମକାଳରେ ମନ୍ଦିର ଓ ପୁଷ୍କରଣୀମୟ, ସବୁଜିମା ଆଚ୍ଛାଦିତ ଥିବା ଐତିହାସିକ ପ୍ରମାଣ ମିଳେ
। ବିଭିନ୍ନ ମନ୍ଦିରକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଜନବସତିଗୁଡ଼ିକ ସେହି ମନ୍ଦିର କିମ୍ୱା
ଦେବାଦେବୀଙ୍କ ନାମ ଅନୁଯାୟୀ ନାମିତ ହୋଇଥିଲା । ବଡ଼ ଠାକୁରାଣୀ ମନ୍ଦିର ସଂଲଗ୍ନ ବଡ଼ ଠାକୁରାଣୀ
ମନ୍ଦିର ସାହି, କାଳିକା ମନ୍ଦିର ସଂଲଗ୍ନ କାଳିକା ମନ୍ଦିର ସାହି, କୁଠାରୀ ମନ୍ଦିର ସଂଲଗ୍ନ
କୁଠାରୀ ମନ୍ଦିର ସାହି, ଚଣ୍ଡୀ ମନ୍ଦିର ସଂଲଗ୍ନ ଚଣ୍ଡୀ ମନ୍ଦିର ସାହି, କାଞ୍ଜି ଆମ୍ମା ମନ୍ଦିର
ସଂଲଗ୍ନ ଲାଞ୍ଜିପଲ୍ଲୀ, ବୈଦ୍ୟନାଥ ମନ୍ଦିର ସଂଲଗ୍ନ ବୈଦ୍ୟନାଥପୁର, ନୀଳକଣ୍ଠ ମନ୍ଦିର ସଂଲଗ୍ନ
ନୀଳକଣ୍ଠ ନଗର ବ୍ରିଟ କଲୋନୀ, ଚନ୍ଦ୍ରଶେଖର ଦେବାଳୟ ସଂଲଗ୍ନ ଚନ୍ଦ୍ରଶେଖର ଦେବାଳୟ ସାହୀ,
ସଂକଳେଶ୍ୱରଙ୍କ ଠାରେ ସଂକଳ୍ପ ନେଲେ ଭାବନା ପୂର୍ଣ୍ଣ ହେଉଥିବା ବିଶ୍ୱାସରେ ସଂଲଗ୍ନ ଅଞ୍ଚଳ
ଭାବନୀପୁର, ହରିହର ଭେଟ ମନ୍ଦିର ସଂଲଗ୍ନ ହରିହର ନଗର, ପାଞ୍ଚ ଗୋଟି ଦେବାଳୟ ପରିଧିରେ ପଞ୍ଜୁ
ଦେବାଳୟ ସାହି, ରଘୁନାଥ ମନ୍ଦିର ସଂଲଗ୍ନ ରଘୁନାଥ ନଗର, ସତ୍ୟନାରାୟଣ ମନ୍ଦିର ସଂଲଗ୍ନ
ସତ୍ୟନାରାୟଣପୁର ଓ ହନୁମାନ ମନ୍ଦିର ସଂଲଗ୍ନ ହନୁମାନ ବଜାର କେତେଗୋଟି ଉଦାହରଣ ।
ଅତୀତରେ
ବିଭିନ୍ନ ସଂପ୍ରଦାୟର ପରିବାରବର୍ଗ ଏକକ ଅଞ୍ଚଳରେ ବସବାସ କରୁଥିଲେ । ସଂପ୍ରଦାୟର କୌଳିକ ବୃତ୍ତି
ଅନୁଯାୟୀ ସାହିଗୁଡ଼ିକର ନାମକରଣ ହେଉଥିଲା । ମହୁରି ରାଜ ପରିବାର କେରାଣ୍ଡିମାଳ ପର୍ବତପାଦଦେଶରେ
ମହୁଡ଼ା ଦୁର୍ଗ ପରିତ୍ୟାଗ କରି ବଡ଼ ବଜାରସ୍ଥିତ ରାଜପ୍ରସାଦରେ ବସବାସ କରିବା ଅବସରରେ ତାଙ୍କରି
ସେନାବାହିନୀ କ୍ରମଶଃ ବ୍ରହ୍ମପୁରକୁ ସ୍ଥାନାନ୍ତରିତ ହୋଇଥିଲା । ସେହି ଖଣ୍ଡାୟତ ସଂପ୍ରଦାୟ ମହୁରି ରାଜ୍ୟରେ ‘ଦଳପତି’ ବା ‘ଦଳୁଆ’ ନାମଧାରୀ । ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ
ସେମାନଙ୍କ ବସତି ଦଳୁଆ ସାହି, ଜେନା ସାହି, ପାତ୍ରପେଟା ନାମରେ ଖ୍ୟାତ । ସେହିପରି ମୋଗଲ ଶାସନ
କାଳରେ ହାଇଦରାବାଦ ନିଜାମ ଓ ପରେ ବ୍ରିଟିଶ ପ୍ରଶାସନ ମହୁରି ରାଜ୍ୟ ଦଖଲକୁ ନେବା ଅବସରରେ
ଦକ୍ଷିଣ ରାଜ୍ୟରୁ ବହୁ ସଂଖ୍ୟକ ପରିବାର ବ୍ରହ୍ମପୁର ପହଞ୍ଚି ସ୍ଥାୟୀଭାବେ ବସବାସ ଆରମ୍ଭ
କରିଥିଲେ । ରେଡ଼ିକା ସଂପ୍ରଦାୟ ବଡ଼ ବଜାର, ପୁରୁଣା ବ୍ରହ୍ମପୁର, ଆଙ୍କୁଲି ଓ ଲାଞ୍ଜିପଲ୍ଲୀରେ ବସବାସ
କରିବା ଫଳରେ ରେଡ଼ିକା ସାହି ତଥା କାମ୍ପ ସଂପ୍ରଦାୟ କାପୁ ସାହି ନାମକରଣରେ ପ୍ରତିଫଳିତ ।
ସେହିପରି ବାଉରି ସାହି, ମାଳି ସାହି, କୁମ୍ଭାର ସାହି ଓ ଶଙ୍ଖାରି ସାହି ନିର୍ଦ୍ଦିଷ୍ଟ
ସଂପ୍ରଦାୟର ବସତିକୁ ବୁଝାଉଥିଲା ।
ସହରର କେତେକ
ନେତୃ ସ୍ଥାନୀୟ ବ୍ୟକ୍ତି ବସବାସ କରୁଥିବା ହେତୁ ସେମାନଙ୍କ ସାଜ୍ଞା ଅନୁଯାୟୀ ସାହିର ନାମକରଣ
ହୋଇଥିବା ଦେଖିବାକୁ ମିଳେ । ଯଥା : କାର୍ଯୀ
ସାହି, ପ୍ରଧାନ ସାହି, ରଥ ସାହି, ପଣ୍ଡା କଲୋନୀ ଓ ପାତ୍ରପେଟା ଇତ୍ୟାଦି । ମହୁରି ରାଜ୍ୟରେ
ବିଦେଶୀ ପ୍ରଶାସନ ବିରୋଧ ବିଦ୍ରୋହରେ ନେତୃତ୍ୱ ଗ୍ରହଣ କରିଥିବା ଗୋପୀନାଥ ମହାରଥା ଓ ସୁରସିଂହ
ମହାରଥାଙ୍କ ସ୍ମୃତିରେ ମାର୍ଥା ସାହି, ଖଲ୍ଲିକୋଟ ଜମିଦାରଙ୍କ ଅଧୀନରେ ଥିବା ଜମିଜମା ବିକ୍ରୀପରେ
ସେମାନଙ୍କ ପୂର୍ବଜଙ୍କ ନାମରେ ଶ୍ରୀକୃଷ୍ଣ ନଗର, ରାମ ନଗର, ହରିଜନ କର୍ମୀ ଜୟମଙ୍ଗଲ ରଥଙ୍କ
ନାମରେ ଜୟମଙ୍ଗଳ ନଗର ଓ ମାଷ୍ଟର ସାନ୍ମେୟାଙ୍କ ସ୍ମୃତିରେ ସାନ୍ମେୟାପଲ୍ଲୀ ନାମିତ ହୋଇଥିଲା । ସେହିପରି
ଓକିଲ ଭୀମାରାଓ ପଟ୍ଟନାୟକ ଦ୍ୱାରା ବିକଶିତ ଭୀମାରାଓ ପେଟା ଓ ରାଧା ଚ଼ରଣ ଦାସଙ୍କ ନିବାସକୁ
ଘେରି ଆର.ସି.ଦାସ ଲେନ ଭଳି କେତକ ସାହି ନାମକରଣ ହୋଇଥିବା ଦେଖିବାକୁ ମିଳେ । କାରଗିଲ ଯୁଦ୍ଧରେ
ଶହୀଦ ଶ୍ରୀନିବାସ ପାତ୍ରଙ୍କ ସ୍ମୃତିରେ ଗେଟ ବଜାରରୁ ଲୋଚ଼ାପଡ଼ା ୧୯୯୯ରେ ଶହୀଦ ଶ୍ରୀନିବାସ
ମାର୍ଗ ନାମିତ ହୋଇଥଲା ।
No comments:
Post a Comment