ବର୍ଷାଋତୁ
ଆରମ୍ଭରୁ #ବ୍ରହ୍ମପୁର ସହର ଜନଜୀବନରେ ମଶା ଭୟ ମାଡ଼ି ବସେ ଓ ଶୀତଋତୁ
ଶେଷ ଯାଏଁ ବଳବତ୍ତର ରହେ । ଏଠାରେ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ ଓ ଅଗଷ୍ଟ ଛଅ ମାସ
ଗ୍ରୀଷ୍ମ ଅନୁଭୂତ ହେବା ଭଳି ଅଗଷ୍ଟ, ସେପ୍ଟେମ୍ୱର, ଅକ୍ଟୋବର, ନଭେମ୍ୱର, ଡ଼ିସେମ୍ୱର ଓ
ଜାନୁୟାରୀ ଛଅ ମାସ ମଶା ଭୟ ଲାଗି ରହେ । ମଶା ବଂଶ ବୃଦ୍ଧି ରୋକିବା ସ୍ଥାନୀୟ ପୌରପ୍ରଶାସନର
ଦାୟିତ୍ୱ । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଥିରେ ଯୋଗ ଦେଇଥାଏ ।
ଆମ ରାଜ୍ୟରେ
କେବଳ ବ୍ରହ୍ମପୁର କାହିଁକି ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ମଶା ପ୍ରାଦୁର୍ଭାବ ଏକ ଅଣାୟତ୍ତ
ସମସ୍ୟା । ପ୍ରତିବର୍ଷ ଡ଼ିସେମ୍ୱର ମାସରେ ପ୍ରବଳ ମଶା ଦ୍ୱାରା ସହରବାସୀ ଅତିଷ୍ଠ ହୋଇପଡ଼ିବା
ପରେ ମଶା ଗଣମାଧ୍ୟମରେ ଶିରୋନାମା ପାଲଟେ । ବିରୋଧି ରାଜନୀତିକ ଦଳଗୁଡ଼ିକପକ୍ଷରୁ ବିକ୍ଷୋଭ
ପ୍ରଦର୍ଶନ ହୁଏ । ପୌର ପ୍ରଶାସନ ପକ୍ଷରୁ ମଶାବଂଶ ନିପାତ ନିମନ୍ତେ ଆଶ୍ୱସନା ପ୍ରଦାନ କରାଯାଏ ।
ପ୍ରାକୃତିକ ଋତୁଚ଼କ୍ର ପ୍ରଭାବରେ ମଶାଙ୍କ ସଂଖ୍ୟା କମି ଆସିଲେ ଆଲୋଚ଼ନା ସମାଲୋଚନା ଉଭେଇ ଯାଏ ।
ତେବେ ମଶା ରାଜ୍ୟର ସହରୀ ଜୀବନଯାତ୍ରାରେ ଏକ କଳଙ୍କ ଏବଂ ମଶାବାହିତ ରୋଗ ଦ୍ୱାରା
ଧନଜୀବନ ହାନୀ ଘଟେ । ଏକବିଂଶ ଶତାଦ୍ଦୀ ତୃତୀୟଦଶକ ଚ଼ନ୍ଦ୍ରାୟନ ଓ କୃତ୍ରିମ ବୁଦ୍ଧିମତ୍ତାର
ଯୁଗରେ ମଶା ନିୟନ୍ତ୍ରଣରେ ବିଫଳତା ସଭ୍ୟସମାଜରେ ଗ୍ରହଣଯୋଗ୍ୟ ନୁହେଁ । ଆଞ୍ଚଳିକସ୍ତରରେ
ବାରମ୍ୱାର ବିଫଳତା ପ୍ରମାଣିତ ହେଉଥିବା ହେତୁ ରାଜ୍ୟସ୍ତରରେ ଅଭିଯାନ ଆୟୋଜନର ଆବଶ୍ୟକତା ଅନୁଭୂତ
ହେଉଛି ।
ମଶାର ଜୀବନଚ଼କ୍ର ପୁରୁଷ ମଶାଙ୍କ କ୍ଷେତ୍ରରେ ସପ୍ତାହେ ଓ ମାଈ ମଶାଙ୍କ କ୍ଷେତ୍ରରେ ୧୦୦
ଦିନରୁ ପାଞ୍ଚ-ଛଅ ମାସ ଯାଏଁ ପରିବ୍ୟାପ୍ତ । ସହରାଞ୍ଚଳ ଜନବସତିରେ ଉପଲବ୍ଧ ଆବଦ୍ଧ ଜଳରେ ମଶା
ଜନ୍ମ ନିଅନ୍ତି ଓ ମାଈ ମଶା ପୁରୁଷ ମଶା ସହ ସଂଗମପରେ ପ୍ରାଣୀ ରକ୍ତ ଖୋଜି ବୁଲେ । ମାଈ ମଶା
ମନୁଷ୍ୟଙ୍କୁ କାମୁଡ଼ି ରକ୍ତ ଶୋଷି ସେହି ରକ୍ତରେ ଅଣ୍ଡାଗୁଡ଼ିକୁ ପରିପକ୍ୱ କରି ପୁଣି ଆବଦ୍ଧ
ଜଳରେ ଅଣ୍ଡା ଦିଏ । ଅଣ୍ଡାରୁ ଲାର୍ଭା ଓ ପୂର୍ଣ୍ଣାଙ୍ଗ ମଶା ସୃଷ୍ଟି ହୋଇଥାନ୍ତି ।
ମଶା
ନିୟନ୍ତ୍ରଣ ନିମନ୍ତେ ସହରାଞ୍ଚଳ ଜନବସତି ଘରେ ବାହାରେ ଆବଦ୍ଧ ଜଳ ନିରାକରଣ ନିମନ୍ତେ ପରିଷ୍କାର
ପରିଷ୍କୃତ ରଖିବାକୁ ପଡ଼ିଥାଏ । ଏହା ପୌର ପ୍ରଶାସନର କାର୍ଯ୍ୟ । ଏଦିଗରେ ଗୁରୁତ୍ୱ ନ ଦିଆଯାଇପାରୁଥିବା
ହେତୁ ସମସ୍ୟାର ସମାଧାନ ହୋଇପାରେ ନାହିଁ । ନିକଟ ଅତୀତର ଅନୁଭୂତିରୁ ଜଣାଯାଏ ଯେ କୋଭିଡ଼-୧୯
ମହାମାରୀ ଅବସରରେ ବ୍ରହ୍ମପୁର ପୌର ପ୍ରଶାସନ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟସ୍ତ
ରହିବା ଫଳରେ ପାରିପାର୍ଶ୍ୱିକ ପରିବେଶ ସଫାସୁତୁରା ରଖିବା ନିମନ୍ତେ ଯାହା କିଛି କାମ ହେଉଥିଲା
ତାହା ବି ଦୁଇ ବର୍ଷ ପାଇଁ ବନ୍ଦ ହୋଇଗଲା । ଫଳରେ ୨୦୨୨-୨୩ ବର୍ଷା ଓ ଶୀତ ଋତୁରେ ମଶା ଉପଦ୍ରବ
ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଥିଲା ।
ଜନବସତିର ପରିବେଷ୍ଟନୀ ସଫା ସୁତୁରା ରଖା ନଯାଇ ପାରିଲେ ଆବଦ୍ଧ ଜଳରେ ମଶାବଂଶ ବୃଦ୍ଧି
ପାଏ । ପ୍ରଥମ ପଦକ୍ଷେପ ଗ୍ରହଣରେ ବିଫଳତା ପରେ ଦ୍ୱିତୀୟ ପଦକ୍ଷେପରେ ମଶାଙ୍କୁ ମାରିବା ପାଇଁ
ମଶା ନିପାତ ଧୂଆଁ ‘ଫଗିଂ’ର ସାହାଯ୍ୟ ନିଆଯାଏ ।
କିରୋସିନିରେ ମାଲାଥିଆନ ଓ ପାଇରୋଥନ ନାମକ ରସାୟନ ସମିଶ୍ରଣରେ ପଂଗିଂ କରାଯାଏ । ଏଥି ନିମନ୍ତେ
୧୯୯୦ରେ ବ୍ରହ୍ମପୁର ପୌର ପ୍ରଶାସନ ପକ୍ଷରୁ ଏକ ଟିଫା ମେସିନ କିଣାଯାଇଥିଲା । ଏହା ଗଟରଗାଡ଼ିରେ
ବୁଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୪୦ ଗୋଟି ହ୍ୟାଣ୍ଡ ହିଟ ଫଗିଂ ମେସିନ ଓ ପାଞ୍ଚ ଗୋଟି ମିନି
ଫଗିଂ ମେସିନ କିଣାଯାଇଛି । ଫଗିଂ ପାଇଁ ବ୍ୟବହୃତ ରସାୟନ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ
ପୌର ସଂସ୍ଥାକୁ ଯୋଗାଇ ଦିଆଯାଉଥିଲା । ଗତ ୨୦୨୨-୨୩ରେ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ରସାୟନ
ନଥିବା ହେତୁ ପୌର ସଂସ୍ଥା ଡ଼ିସେମ୍ୱର ଯାଏଁ ଫଗିଂ କାର୍ଯ୍ୟକ୍ରମ ଆୟୋଜନ କରିପାରିନଥିଲା ।
ଜନସାଧାରଣରେ ତୀବ୍ର ଅସନ୍ତୋଷ ପରେ ୪୨ ଗୋଟି ୱାର୍ଡ ପାଇଁ ଖୋଲା ବଜାରରୁ ୫୦ ଲିଟର ରସାୟନ କିଣି
ନାମକୁ ମାତ୍ର ଫଗିଂର ବ୍ୟବସ୍ଥା କରିଥିଲେ ।
ବର୍ତ୍ତମାନ ବ୍ରହ୍ମପୁରରେ ଅଗଷ୍ଟ ୨୩ରୁ ଜାନୁୟାରୀ ୨୪ ଛଅ ମାସ ମଶା ଉପଦ୍ରବ ସମ୍ମୁଖୀନ
ହେବା ନିମନ୍ତେ ଯୋଜନା ପ୍ରସ୍ତୁତିର ସମୟ ଉପନୀତ । ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ
ସ୍ୱତନ୍ତ୍ର ଅଭିଯାନ ସହ ବର୍ଷା ପରେ ପରେ ମଶା ବଂଶ ମୂଳରୁ ନିପାତ ନିମନ୍ତେ ଫଗିଂର ସହାୟତା
ନିଆଗଲେ କେତେକାଂଶରେ ମଶା ନିୟନ୍ତ୍ରଣ ସଂଭବ ହେବା ଆଶା କରାଯାଇପାରେ । ଫଗିଂ ମେସିନ ଚଳାଇବା
ନିମନ୍ତେ କର୍ମଚାରୀଙ୍କୁ ତାଲିମ ଦେବା ଅପରିହାର୍ଯ୍ୟ । ଏ ଦିଗରେ ସତର୍କତା ଗ୍ରହଣ ନ କରାଗଲେ
ଅସଲ ସମୟରେ ଫଗିଂ ହୋଇପାରିବ ନାହିଁ ।
ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରାଞ୍ଚଳରେ ଅବସ୍ଥିତ
ଜଳାଶୟଗୁଡ଼ିକରେ ଗପି ଓ ଗୁମ୍ୱସିଆ ମାଛ ଜୁନ ମାସରେ ଛଡ଼ା ଯାଇଥିବା କୁହାଯାଉଛି । ଏହି ମାଛ ମଶା
ଲାର୍ଭାଗୁଡ଼ିକୁ ଖାଇଯାଆନ୍ତି । ତେବେ ମାଛର ଜୀବନକାଳ ମାତ୍ର ଦୁଇ ମାସ । ତେଣୁ ଅଗଷ୍ଟ ମାସ
ସୁଦ୍ଧା ପ୍ରାଥମିକ ପଦକ୍ଷେପରେ ସଫଳତା ମିଳିଲେ ପୁନରାବୃତ୍ତି ଆବଶ୍ୟକ ପଡ଼ିବ ।
ବ୍ରହ୍ମପୁର ପୌରଞ୍ଚଳରେ ମଶା ନିୟନ୍ତ୍ରଣ ନିମନ୍ତେ ଆଗୁଆ ପଦକ୍ଷେପ ଜରୁରୀ । ଏହି ଦିଗରେ
ଜନସାଧାରଣ, ନାଗରିକ ସମାଜ ଓ ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିବା ବିଧେୟ ।
ମଶାଙ୍କ ଜୀବନଚକ୍ର ବର୍ଣ୍ଣିତ ‘ୟୁଟ୍ୟୁବ’ ଭିଡ଼ିଓ (୪.୩୫ ମିନଟ)
Photo by Nathan Cima on Unsplash
No comments:
Post a Comment