Friday, July 7, 2023

Gopabandhu Bhavan / ଗୋପବନ୍ଧୁ ଭବନ

 

#ବ୍ରହ୍ମପୁର ସହ ଦୈନିକ ଓଡ଼ିଆ ସମ୍ୱାଦପତ୍ର ସମାଜର ଆତ୍ମପ୍ରକାଶ କରିବା ପୂର୍ବରୁ ସଂପର୍କ ରହି ଆସିଛି । ଶଶିଭୂଷଣ ରଥ ୧୯୧୩ରେ ସାପ୍ତାହିକ ଆଶା ବ୍ରହ୍ମପୁରରୁ ସାନବଜାର ଭେଙ୍କେଟେଶ୍ୱର ମନ୍ଦିର ନିକଟସ୍ଥ ଏକ ଭଡ଼ାଘରେ ମୁଦ୍ରଣ ଯନ୍ତ୍ର ସ୍ଥାପନ କରି ପ୍ରକାଶନ ଆରମ୍ଭ କରିଥିଲେ । ପତ୍ରିକାର ଲେଖକମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ ଅତ୍ୟତମ । ତାଙ୍କରି ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଅବସ୍ଥାପିତ ଶିକ୍ଷକ ମଣ୍ଡଳୀ ପଞ୍ଚସଖା ନାମରେ ଖ୍ୟାତ । ସେମାନେ ମଧ୍ୟ ସାପ୍ତାହିକ ଆଶାରେ ଲେଖାଲେଖି କରୁଥାନ୍ତି । ସାକ୍ଷୀଗୋପାଳରୁ ଆଶା ପାଇଁ ପାଣ୍ଡୁଲିପି ବ୍ରହ୍ମପୁରରେ ତୁରନ୍ତ ପହୁଞ୍ଚାଇବା ନିମନ୍ତେ ରେଳଗାଡ଼ି କର୍ମଚାରୀଙ୍କ ସହାୟତା ଗ୍ରହଣ କରାଯାଉଥିଲା । କୁହାଯାଏ ଯେ ସତ୍ୟବାଦୀରୁ ରେଳଗାଡ଼ି ଗାର୍ଡଙ୍କ ପାଖେ ଆଶା ପାଇଁ ଲେଖା ପହଞ୍ଚିବା ବିଳମ୍ୱ ହେଲେ ଥରେ ଅଧେ ସାକ୍ଷୀଗୋପାଳ ଷ୍ଟେସନରେ କିଛି ସମୟ ରେଳଗାଡ଼ି ଅଟକାଇ ଅପେକ୍ଷା କରାଯାଉଥିଲା ।
 
ଗୋପବନ୍ଧୁ ଦାସ ସତ୍ୟବାଦୀ ନାମରେ ଏକ ମାସିକ ସାହିତ୍ୟ ପତ୍ରିକା ୧୯୧୫ ପ୍ରକାଶନ ଆରମ୍ଭ କରିଥିଲେ । ଏହା ବ୍ରହ୍ମପୁର ଆଶା ପ୍ରେସରେ ପ୍ରଥମ ଦୁଇ ବର୍ଷ ମୁଦ୍ରିତ ହୋଇଥିଲା । ପରେ ପୁରୀକୁ ମୁଦ୍ରଣ କାର୍ଯ୍ୟ  ସ୍ଥାନାନ୍ତରିତ ହୋଇଥିଲା । ମାସିକ ସତ୍ୟବାଦୀର ସଫଳତାରେ ଉତ୍ସାହିତ ହୋଇ ଗୋପବନ୍ଧୁ ଦାସ ୧୯୧୯ରେ ସାପ୍ତାହିକ ସମ୍ୱାଦପତ୍ର ସମାଜ ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ସତ୍ୟବାଦୀ ଓ ପୁରୀରେ ମୁଦ୍ରିତ ହୋଇ କଟକରେ ପହଞ୍ଚିଥିଲା । ଏହାହିଁ ଇତିହାସ ପୃଷ୍ଠାରେ ସମାଜ ପ୍ରକାଶନ ସହ ବ୍ରହ୍ମପୁରର ସଂପୃକ୍ତି ।
 
ଗୋପବନ୍ଧୁ ଦାସଙ୍କ ଦ୍ୱାରା ସମାଜ ପ୍ରତିଷ୍ଠିତ ହୋଇଥିଲେହେଁ ଗୋପବନ୍ଧୁ ଦାସଙ୍କ ଦ୍ୱାରା ନିଯୁକ୍ତ ପରିଚାଳକ ରାଧାନାଥ ରଥଙ୍କ ତତ୍ତ୍ୱାବଧାନରେ ସମାଜର ଉତ୍ତୋରୋତ୍ତର ଉନ୍ନତି ସାଧିତ ହୋଇଥିଲା । ରାଧାନାଥ ରଥଙ୍କ ବ୍ରହ୍ମପୁର ନେତୃବର୍ଗଙ୍କ ସହ ଗଭୀର ସଂପର୍କ ରହିଥିଲା । ପାର୍କସାହି ନିବାସୀ କବିରାଜ କାମାକ୍ଷୀ ପ୍ରସାଦ ଶର୍ମା ଓ ଟାଉନହଲ ରୋଡ଼ ନିବାସୀ ଏଡ଼ଭୋକେଟ ବସନ୍ତ କୁମାର ପାଣିଗ୍ରାହୀ ସେମାନଙ୍କ ମଧ୍ୟରେ ଦୁଇ ଘନିଷ୍ଠ ସହଯୋଗୀ । ଗଞ୍ଜାମର ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ ବିଶ୍ୱନାଥ ଦାସ ଓ କିଶୋର ଚନ୍ଦ୍ର ତ୍ରିପାଠୀ ସମାଜର ପ୍ରକାଶକ ଲୋକସେବକ ମଣ୍ଡଳର ପ୍ରମୁଖ କର୍ମକର୍ତ୍ତା ରହିଆସିଥିଲେ । ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରିବାର ସମାଜର ଏଜେଣ୍ଟ ଏବଂ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ସମାଜର ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ସମକାଳରେ ବ୍ରହ୍ମପୁରର ସଂଗଠକ ରାଜେନ୍ଦ୍ର ଜେନା ଲୋକ ସେବକ ମଣ୍ଡଳର ଅବସ୍ଥାପିତ ତିନିଜଣ ଓଡ଼ିଆ ଆଜୀବନ ସଭ୍ୟଙ୍କ ମଧ୍ୟରୁ ଜଣେ । ପ୍ରକାଶ ଥାଉ ସର୍ବଭାରତୀୟସ୍ତରରେ କାର୍ଯ୍ୟରତ ଲୋକସେବକ ମଣ୍ଡଳରେ ବର୍ତ୍ତମାନ ମୋଟ ଆଜୀବନ ସଭ୍ୟ ସଂଖ୍ୟା ମାତ୍ର ଆଠ ।
 
ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ ଅନୁଷ୍ଠାନଗୁଡ଼ିକୁ ବିନାମୂଲ୍ୟ ବା ଅଳ୍ପମୂଲ୍ୟରେ ସରକାରୀ ଜମି ପ୍ରଦାନ ନୀତି ରହିଛି । ସେହି ଧାରାରେ ବ୍ରହ୍ମପୁର କରପୋରେସେନ ରୋଡ଼ଠାରେ ଲୋକସେବକ ମଣ୍ଡଳକୁ ଗତ ଶତାଦ୍ଦୀ ସପ୍ତମ ଦଶକ ବେଳକୁ ଏକ ବଡ଼ ଜମି ପ୍ଲଟ ପ୍ରଦାନ କରାଯାଇଥିଲା । ଅବଶ୍ୟ ସେ ସମୟରେ କରପୋରେସନ ରୋଡ଼ ଏକ ଅବହେଳିତ ଅଞ୍ଚଳ ବିବେଚ଼ିତ ହେଉଥିଲା । ଭଲ ରାସ୍ତା ନଥିଲା । ଛତରାବନ୍ଧରେ ପୌରପାଳିକା ପକ୍ଷରୁ ଆବର୍ଜନା ଠୁଳ କରାଯାଉଥିଲା ଏବଂ ଲୋକସେବକ ମଣ୍ଡଳ ପାଇଥିବା ଜମିଟି ଝମ୍ପୁଡ଼ିବାସୀଙ୍କ ଜବରଦଖଲ କବଜାରେ ଥିଲା । ଦୀର୍ଘ ପ୍ରଚେଷ୍ଟାରେ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରାଯାଇ ସୁଉଚ୍ଚ ପାଚ଼େରୀ ନିର୍ମାଣ ସଂଭବ ହୋଇଥିଲା ।
 
ଅବଶ୍ୟ ଇତ୍ୟଅବସରରେ କରପୋରେସନ ରୋଡ଼ ସହରର ଅନ୍ୟତମ ଅଭିଜାତ୍ୟପୂର୍ଣ୍ଣ ଠିକଣାରେ ପରିଣତ ହୋଇଛି । ତାମେୟା ବନ୍ଧ ପୋତି ବିଜୁ ପଟ୍ଟନାୟକ ପାର୍କ ନିର୍ମାଣ ପରେ ଛତରାବନ୍ଧ ପୋତି ଗଞ୍ଜାମ ହାଟ ମଲ ନିର୍ମାଣଧୀନ । ଲୋକସେବକ ମଣ୍ଡଳପକ୍ଷରୁ କରପୋରେସନ ରୋଡ଼ ଜମିରେ ଗୋପବନ୍ଧୁ ଭବନ ନାମିତ ଦ୍ୱିତଳ କୋଠା ନିର୍ମାଣ ନିମନ୍ତେ ଜୁଲାଇ ପହିଲା ୨୦୨୩ରେ ଠିକାଦାର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଲୋକସେବକ ମଣ୍ଡଳ କରପୋରେସନ ରୋଡ଼ରେ ଜମି ପାଇବା ଦିନୁ ଗୋପବନ୍ଧୁ ଭବନ ନିର୍ମାଣ ଓ ବ୍ରହ୍ମପୁରରୁ ସମାଜର ସଂସ୍କରଣ ମୁଦ୍ରଣର ଯେଉଁମାନେ ସ୍ୱପ୍ନ ଦେଖିଥିଲେ ଇତିମଧ୍ୟରେ ମରିହଜି ଗଲେଣି ।
 
ବ୍ରହ୍ମପୁରରେ ଗୋପବନ୍ଧୁ ଭବନ ନିର୍ମାଣ ପରେ ଗିରି ରୋଡ଼ରେ ଭଡା ଘରେ ଚାଲୁଥିବା ସମାଜ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ନିଶ୍ଚିତ । ଲୋକସେବକ ମଣ୍ଡଳର ରିଲିଫ ରାଜ୍ୟରେ ସକ୍ରିୟ ଏଠାରେ ଦକ୍ଷିଣ ଓଡ଼ିଶା ଶାଖା କାର୍ଯ୍ୟାଳୟ ସ୍ଥାପିତ ହେବା ଆଶା କରାଯାଇପାରେ । ଗୋପବନ୍ଧୁ ଦାସ ସମାଜସମ୍ୱାଦପତ୍ର ପ୍ରକାଶନର ମୂଳ ଉଦ୍ଦେଶ୍ୟ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା ସର୍ବସାଧାରଣରେ ପ୍ରକାଶନରେ ପର୍ଯ୍ୟବଶିତ ରହିଥିଲା । ଆଜି ବ୍ରହ୍ମପୁର ଜନସାଧାରଣଙ୍କ ସାମୂହିକ ସମସ୍ୟା ବିଚାରବିମର୍ଷ ନିମନ୍ତେ ଦଶ-କୋଡ଼ିଏ ଜଣଙ୍କୁ ଏକାଠି କରି ସଭାସମିତି କରିବା ପାଇଁ ସ୍ଥାନ ଅଭାବ ।  ଯେଉଁ ସବୁ ସଭାଗୃହ ରହିଛି ସେଗୁଡ଼ିକୁ ବ୍ୟବହାର କରିବା ନିମନ୍ତେ ଉଚ୍ଚ ଦରରେ ଭଡ଼ା ଦେବାକୁ ପଡ଼ିଥାଏ । ବ୍ୟବସ୍ଥା ବିରୋଧରେ ଜନତାଙ୍କୁ ଏକଜୁଟ କରିବା ସଂଗ୍ରାମୀଙ୍କ ପାଖେ ପଇସା କୁଆଡୁ ଆସିବ ? ରାଜନୀତିକ ନେତୃବର୍ଗ କିମ୍ୱା ଧନଶାଳୀଙ୍କ ଠାରେ ଅର୍ଥ ପାଇଁ ଦ୍ୱାରସ୍ଥ ହେଲେ ସେ ନିଜ ଲାଭ କଥା ପ୍ରଥମେ ଉଠାଇବେ । ଏହି ପରିବେଶରେ ପ୍ରସ୍ତାବିତ ଗୋପବନ୍ଧୁ ଭବନରେ ଯଦି ୫୦ ଜଣ ବସିବା ଭଳି ଏକ ସଭାଗୃହ ସନ୍ନିବଶିତ କରାଯାଇ ଦାତବ୍ୟ ସୂତ୍ରରେ ସାମାଜିକ ଓ ସାଂସ୍କୃତିକ ସଂଗଠନଗୁଡ଼ିକୁ ଯୋଗାଇ ଦିଆଯାଇପାରନ୍ତା, ତେବେ ସ୍ଥାନୀୟ ଜନଜୀବନର ସୁରକ୍ଷା ଦିଗରେ ସହରବାସୀଙ୍କ ସାଙ୍ଗଠନିକ ଉଦ୍ୟମ ପ୍ରୋତ୍ସାହିତ ହୋଇପାରିବ । ଗୋପବନ୍ଧୁ ଭବନ ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ଅନ୍ୟତମ ପ୍ରଣକେନ୍ଦ୍ର ରୂପେ ଗଢ଼ି ଉଠିବଏଦିଗରେ ବାବୁ ରାଜେନ୍ଦ୍ର ଜେନା ଯତ୍ନବାନ ହେବା ଆଶା କରାଯାଇପାରେ ।

Photo by Sam Moghadam Khamseh on Unsplash 


No comments:

Post a Comment