Sunday, July 2, 2023

Electricity Crisis / ବିଦ୍ୟୁତ ସମସ୍ୟା

 

#ବ୍ରହ୍ମପୁର ସହରରେ ୨୦୨୩ ଜୁନ ମାସରେ ପ୍ରାୟ ୨୦ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ହିଟ ୱେବ ଭଳି ପରିସ୍ଥିତି ଲାଗିରହିବା ଏବଂ ଦିନ କେତେ ଉତ୍ତାପ ୪୦ ଡ଼ିଗ୍ରୀ ଡ଼େଇଁବା ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଅବଶ୍ୟ ଏହି ପାଣିପାଗ ଓଡ଼ିଶା ବ୍ୟାପୀ ଅନୁଭୂତ । ଏହି ଅବସରରେ ବିଦ୍ୟୁତ ଯୋଗାଣ ବାରମ୍ୱାର ବ୍ୟାହତ ହେବା ହେତୁ ଜନଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା । ବିଦ୍ୟୁତ ସମସ୍ୟାରେ ଅତିଷ୍ଠ ହୋଇ ଦିନେ ରାତିରେ ଲାଞ୍ଜିପଲ୍ଲୀବାସୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ମାସସାରା ସଂବାଦପତ୍ର ପୃଷ୍ଠା, ଟେଲିଭିଜନପର୍ଦ୍ଦା ଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରୀ ରହିଥିଲା । ସାରା ରାଜ୍ୟରେ ଦେଢ଼ ବର୍ଷରୁ ଦୁଇ ବର୍ଷ ପୂର୍ବେ ଦକ୍ଷିଣ, ଉତ୍ତର ଓ ପଶ୍ଚିମାଂଶରେ ବିଦ୍ୟୁତ ବିତରଣ ଦାୟିତ୍ୱ ଗ୍ରହଣ କରିଥିବା ଟାଟା ପାୱାର ସମେତ ରାଜ୍ୟ ସରକାର ଆକ୍ରୋଶର ଶୀକାର ହୋଇଥିଲେ । ଜୁନ ଶେଷ ସପ୍ତାହରେ ମୌସୁମୀ ବର୍ଷା ତିନିଦିନ ଲାଗି ପହଞ୍ଚିବାପରେ ଅବସ୍ଥା ସାମାନ୍ୟ ଶାନ୍ତ ପଡ଼ିଥିଲା ।
 
ସାରା ଦେଶରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗଣରେ କ୍ରମାଗତ ବିଦ୍ୟୁତ ବ୍ୟବହାର ବୃଦ୍ଧି ବାଧକ ସାଜିଥାଏ । କେନ୍ଦ୍ର ଶକ୍ତିମନ୍ତ୍ରୀ ନୂଆଦିଲ୍ଲୀରେ ୨୨ ଜୁନରେ ସଭାକରି କହିଥିଲେ ଯେ ବିଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଦ୍ୟୁତ ଚାହିଦା ଆଠ ପ୍ରତିଶତ ବୃଦ୍ଧି ଘଟିଥିବା ସ୍ଥଳେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟମାସରେ ଦଶ ପ୍ରତିଶତ ବୃଦ୍ଧି ପରିଲକ୍ଷିତ । କେନ୍ଦ୍ର ସରକାରଙ୍କ ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ ଉଲ୍ଲେଖ କରି ସେ ସୂଚ଼ାଇଥିଲେ ଯେ ୨୦୧୪ରେ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ହାରାହାରି ଦୈନିକ ୧୨.୫ ଘଣ୍ଟାରୁ ୨୦୨୩ରେ ୨୦.୫୩ ଘଣ୍ଟାକୁ ବୃଦ୍ଧି ପାଇଛି । ସହରାଞ୍ଚଳରେ ୨୩.୭୮ ଘଣ୍ଟାରେ ପହଞ୍ଚିଛି ।
 
ଓଡ଼ିଶା ରାଜ୍ୟରେ ୨୦୦୦ ବେଳକୁ ସାଧାରଣରେ ଦୈନିକ ୧୮ ଶହରୁ ୧୯ ଶହ ଏବଂ ପିକ ଆୱାରରେ ୨୧ ଶହ ମେଗାୱାଟ ବିଦ୍ୟୁତ ଆବଶ୍ୟକ ପଡୁଥିବା ସ୍ଥଳେ ୨୦୨୩ରେ ସାଧାରଣଭାବେ ୪୭ ଶହ ଏବଂ ପିକ ଆୱାରରେ ୫୪ ଶହରୁ ୫୬ ଶହ ମେଗାୱାଟ ଯାଏଁ ବିଦ୍ୟୁତ ଆବଶ୍ୟକ ପଡୁଛି । ଏହି ବର୍ଦ୍ଧିତ ବିଦ୍ୟୁତ ଉତ୍ପାଦନ ଏବଂ ବିତରଣ ନିମନ୍ତେ ଭିତ୍ତିଭୂମିର ଅଭାବ । ଫଳରେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ସଠିକ ସେବା ପାଇବାରେ ବିଫଳ ହେଉଛନ୍ତି ।
 
ଉଦାହରଣରେ ଜୁନମାସ କଥା ଧରାଯାଉ । ଏନଟିପିସି ବରପାଲିରେ ଜୁନ ମଧ୍ୟ ଭାଗରେ ୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ୟୁନିଟରୁ ବିଦ୍ୟୁତ ଶକ୍ତି ଯୋଗାଣ ବନ୍ଦ ହୋଇଯିବା ଏବଂ ଦୁଇମାସ ଯାଏଁ ଅନୁରୂପ ପରିସ୍ଥିତି ଲାଗି ରହିବା ଅନୁମାନ ହେବା ଫଳରେ ରାଜ୍ୟ ଶକ୍ତି ସଂକଟ ସମ୍ମୁଖୀନ ହୋଇଥିଲା । ଆଗକୁ ରଥଯାତ୍ରା ହେତୁ କେନ୍ଦ୍ର ବିଦ୍ୟୁତ ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟୁତ ପ୍ରାଧିକରଣକୁ ଅଗଷ୍ଟ ୧୫ ଯାଏଁ ଦୈନିକ ୪୫୦ ମେଗାୱାଟ ବିଦ୍ୟୁତ ଅଣଆବଣ୍ଟିତ କେନ୍ଦ୍ରୀୟ ପୁଲରୁ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା । ସେମାନେ ତୁରନ୍ତ ୧୬ ଜୁନରୁ ୨୬ ଜୁନ ଦଶ ଦିନ ୪୦୦ ମେଗାୱାଟ ବିଦ୍ୟୁତ ଯୋଗାଣ ପାଇଁ ରାଜି ହୋଇଥିଲେ । ଅବଶ୍ୟ ଏହିଭଳି ସାମୟିକ ବିଦ୍ୟୁତ ଅଭାବ ଓ କେନ୍ଦ୍ରୀୟ ପୁଲରୁ ଭରଣା ସବୁବେଳେ ସର୍ବତ୍ର ଲାଗିରହିଥାଏ ।
 
ବିଦ୍ୟୁତ ସରବରାହର ଭିତ୍ତିଭୂମି ସଜାଡ଼ି ନଯାଇ ପାରିଲେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସଂଭବପର ନୁହେଁ । ଓଡ଼ିଶାରେ ଭିତ୍ତିଭୂମିର ଅଭାବ ଲାଗି ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୪-୯୫ରେ ବିଶ୍ୱବ୍ୟାଙ୍କରୁ ଋଣ କରି ବିଦ୍ୟୁତ ସେବାର ସଂସ୍କାର ଲାଗି ଉଦ୍ୟମ ହୋଇଥିଲା । କିନ୍ତୁ ୨୮ ବର୍ଷର ସଂସ୍କାର କାର୍ଯ୍ୟକ୍ରମ ଫଳପ୍ରଦ ହୋଇପାରିଲା ନାହିଁ । ସରକାର ବାଧ୍ୟବାଧକତାରେ ରାଜ୍ୟର ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ଭଳି ଏକ ଘରୋଇ ସଂସ୍ଥାକୁ ଟେକିଦେଲେ । ଏହି ନୂତନ ବ୍ୟବସ୍ଥାରେ ରାଜ୍ୟ ସରକାର ଅର୍ଦ୍ଧେକ ଭାଗୀଦାର । ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ହିଁ ପୁନର୍ବାର ଋଣ କରି ଅର୍ଥ ବିନିଯୋଗ କରିବାକୁ ପଡ଼ିବ । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସୁପାରିଶ ଆଧାରରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧୨ ଗୋଟି ରାଜ୍ୟକୁ ୬୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଡ଼ିଶା ପାଇଁ ଦୁଇ ହଜାର ୭୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସ୍ଥଳେ ସେହି ଅର୍ଥ ବ୍ୟୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିକୁ ସଜାଡ଼ିବାକୁ ପୁନର୍ବାର ଉଦ୍ୟମ କରାଯିବ ।
 
ମୋଟାମୋଟି ସମସ୍ୟା ହେଲା ବ୍ରହ୍ମପୁର ଭଳି ବାତ୍ୟାପ୍ରବଣ ସହରରେ ପ୍ରଥମତଃ, ବିଦ୍ୟୁତ ବିତରଣ ଭିତ୍ତିଭୂମି ଦୁର୍ବଳ ଥିବା ଏବଂ ଦ୍ୱିତୀୟତଃ, ଜନସାଧାରଣରେ ହୁ ହୁ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଉଥିବା ହେତୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଉଛି । ଋଣ ଅର୍ଥରେ ଭିତ୍ତିଭୂମି ସଜାଡ଼ିବା ନିମନ୍ତେ କାର୍ଯ୍ୟକ୍ରମ ତ ଗ୍ରହଣ କରାଯିବ, ବିଦ୍ୟୁତ ବ୍ୟବହାର କିପରି କମିବ-ସେ ସଂପର୍କରେ ମଧ୍ୟ ବିଚାର କରିବା ସମୟ ଉପନୀତ । ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ରୋକିବା ନିମନ୍ତେ ତାପଜ ବିଦ୍ୟୁତ ଉତ୍ପାଦନକୁ ନିରୁତ୍ସାହିତ କରାଯାଉଛି । କିନ୍ତୁ ଆମ ଦେଶରେ ତାପଜ ବିଦ୍ୟୁତ ଉତ୍ପାଦନ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଖୁବ କମ ସମୟରେ ଆମକୁ ଏଥିରୁ କ୍ଷାନ୍ତ ରହିବାକୁ ପଡ଼ିବ । ଏଦିଗରେ ସହରବାସୀ ନିଜ ଉତ୍ତରଦାୟିତ୍ୱ ସଂପର୍କରେ ସଚ଼େତନ ହେବା ଆବଶ୍ୟକ ।

Photo by Marcus on Unsplash 


No comments:

Post a Comment