Friday, July 21, 2023

National  Highway 16 & 59 / ଜାତୀୟ ରାଜପଥ ୧୬ ଓ ୫୯

 

#ବ୍ରହ୍ମପୁର ସହର ଦେଇ ଦୁଇଗୋଟି ଜାତୀୟ ରାଜପଥ ୧୬ ଓ ୫୯ ଗତି କରିଛି । ବ୍ରହ୍ମପୁର ଜାତୀୟ ରାଜପଥ ୧୬ ମାଧ୍ୟମରେ ଦୁଇ ପ୍ରମୁଖ ସହର ବିଶାଖପାଟଣା ଓ ଭୁବନେଶ୍ୱର ତଥା ଚ଼େନ୍ନାଇ ଓ କୋଲକତା ସହ ସଂଯୁକ୍ତ । ସେହିପରି ଜାତୀୟ ରାଜପଥ ୫୯ ଆଭ୍ୟନ୍ତରୀଣ ଗଞ୍ଜାମ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶା ରାଜ୍ୟ ସହ ଯୋଗାଯୋଗ ସ୍ଥାପନ କରିଥାଏ । ବ୍ରହ୍ମପୁରକୁ ମୌଳିକଭାବେ ଏକ ବ୍ୟାବସାୟିକ ପେଣ୍ଠ ଭାବେ ଗଢ଼ି ତୋଳିବାରେ ଦକ୍ଷିଣ, ଉତ୍ତର ଓ ପଶ୍ଚିମାଞ୍ଚଳ ସହ ସଡ଼କପଥ ସଂଯୋଗ ପ୍ରମୁଖ ଭୂମିକା ନିର୍ବାହ କରିଅଛି । ଏଥି ସହ ରେଳପଥ ଓ ଗୋପାଳପୁର ବନ୍ଦର ସ୍ଥାନୀୟ ବାଣିଜ୍ୟ ବିକାଶରେ ସହାୟକ ହୋଇଛି । ରଙ୍ଗେଇଲୁଣ୍ଡାରେ ବିମାନ ବନ୍ଦର ବିକାଶ ନିମନ୍ତେ ପଦକ୍ଷେପ ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଆଶା କରାଯାଏ ।


ଜାତୀୟ ରାଜପଥ ୧୬ ଚ଼େନ୍ନାଇରୁ କୋଲକତା ସଂଲଗ୍ନ ତାଙ୍କୁଣୀ ଯାଏଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳରେ ପରିବ୍ୟାପ୍ତ । ଏହି ରାଜପଥର ମୋଟ ଦୂରତ୍ୱ ୧୭୬୪ କିଲୋମିଟର ଏବଂ ଓଡ଼ିଶା ରାଜ୍ୟରେ ୫୨୯ କିଲୋମିଟର । ଏହା କୋଲକତା, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ, ବିଶାଖାପାଟଣା, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡ଼ା, ଗୁଣ୍ଟୁରୁ, ଓଙ୍ଗଲ, ନେଲୋର ଓ ଚ଼େନ୍ନାଇ ସହରକୁ ଯୋଡ଼ିଥାଏ । ଅତୀତରେ ଏହା ରାଜପଥ ୫ ନାମିତ ହୋଇଥିଲା ।


ଅପରପକ୍ଷେ ରାଜପଥ ୫୯ କେବଳ ଓଡ଼ିଶା ରାଜ୍ୟ ମଧ୍ୟରେ ସୀମିତ । କଳାହାଣ୍ଡି ଜିଲ୍ଲା ଖରିଆରରୁ ବ୍ରହ୍ମପୁର ଯାଏଁ ଲମ୍ୱିଥିବା ଏହି ରାଜପଥର ଦୈର୍ଘ୍ୟ ମାତ୍ର ୩୫୨ କିଲୋମିଟର । ଏହା ଖରିଆର, ଟିଟିଲାଗଡ଼, ଲଙ୍କାଗଡ଼, ବାଲିଗୁଡ଼ା, ସୋରଡ଼ା, ଆସିକା, ହିଞ୍ଜିଳିକାଟୁ ଦେଇ ବ୍ରହ୍ମପୁରରେ ପହଞ୍ଚିଥାଏ । ପୂର୍ବରୁ ଜାତୀୟ ରାଜପଥ ୨୧୭ର ଜାତୀୟ ରାଜପଥ ୫୯ ଅଂଶବିଶେଷ ରୂପେ ପରିଗଣିତ ହେଉଥିଲା ।


ସ୍ୱାଧୀନୋତ୍ତର ଭାରତରେ ଭାରତ ସରକାରଙ୍କ ପକ୍ଷରୁ ‘ଜାତୀୟ ରାଜପଥ ଆଇନ ୧୯୫୯’ ପ୍ରଣୀତ ହୋଇଥିଲା । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ରାଜପଥ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପରିଚାଳନା କରାଯାଇଥାଏ । ଓଡ଼ିଶା ରାଜ୍ୟରେ ୫,୭୬୨ କିଲୋମିଟର ଜାତୀୟ ରଜପଥ ରହିଛି । ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ୬,୯୧୨ କିଲୋମିଟର ଓ ପଶ୍ଚିମ ବଙ୍ଗରେ ୩,୬୬୪ କିଲୋମିଟର ରାଜପଥ ହିସାବ କରାଯାଏ । ଜାତୀୟସ୍ତରରେ ମହାରାଷ୍ଟ୍ରରେ ସର୍ବାଧିକ ୧୭,୭୫୭ କିଲୋମିଟର ଜାତୀୟ ରାଜପଥ ଉପଲବ୍ଧ । ଦେଶର ସର୍ବପ୍ରାଚ଼ୀନ ଜାତୀୟ ରାଜପଥ ୧ ନୂଆଦିଲ୍ଲୀରୁ ପଞ୍ଜାବର ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ଅଟାରି ଯାଏଁ ୪୫୬ କିଲୋମିଟର ପରିବ୍ୟାପ୍ତ । ଏହା ବ୍ରିଟିଶ ଅମଳରେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ଅଂଶ ବିଶେଷ ପରିଗଣିତ ହେଉଥିଲା । 


ଜାତୀୟ ରାଜପଥର ଉପାଦେୟତା ସଂପର୍କରେ ବ୍ରହ୍ମପୁରବାସୀ ଅବଗତ । ଅତୀତରେ ରାଜପଥ ୫ ହଳଦିଆପଦର ରେଳ ଜଙ୍କସନରୁ ବ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ କରି ଗୋସାଇଁ ନୂଆଗାଁ, ବିଜିପୁର, ଗିରିରୋଡ଼, କମାପଲ୍ଲୀ, ଖୋଡ଼ାସିଙ୍ଗି ଓ ଆମ୍ୱପୁଆ ଦେଇ ଜଗନ୍ନାଥପୁର ରେଳ ଜଙ୍କସନରେ ଛାଡୁଥିଲା । ତେବେ ହଳଦିଆପଦରରୁ ଜଗନ୍ନାଥପୁର ଯାଏଁ ବାଇପାସ ରୋଡ଼ ନିର୍ମାଣପରେ ଜାତୀୟ ରାଜପଥ ୧୬ ଆଉ ସହରର ଘଞ୍ଚ ଜନବସତି ମଧ୍ୟ ଦେଇ ଗତି କରୁନାହିଁ । ସହରାଞ୍ଚଳରେ ରାସ୍ତାଘାଟ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପୌରପାଳିକା ହସ୍ତରେ ନ୍ୟସ୍ତ । କିଛି ରାଜ୍ୟସ୍ତରୀୟ ସଡ଼କପଥ ଥିଲେ ତାହା ପୂର୍ତ୍ତବିଭାଗ ଅଧୀନକୁ ଆସେ । ତେବେ ପୌରପାଳିକା ଓ ପୂର୍ତ୍ତବିଭାଗ ତୁଳନାରେ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ କାର୍ଯ୍ୟ ଉଚ୍ଚସ୍ତରର ହୋଇଥିବା ହେତୁ ବ୍ରହ୍ମପୁରବାସୀ ଜାତୀୟ ରାଜପଥ ବ୍ୟବହାରକୁ ପସନ୍ଦ କରିଥାନ୍ତି ।


ସେହିପରି ଗୋପାଳପୁରରୁ ରାୟପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ୨୧୭ ଜଗନ୍ନାଥପୁର ରେଳ ଜଙ୍କସନରୁ ଆସିକାରୋଡ଼ ରତ୍ନପୁର ଯାଏଁ ବ୍ରହ୍ମପୁର ସହରବାସୀଙ୍କ ଲାଗି ଅତୀତରେ ସର୍ବାପେକ୍ଷା ବ୍ୟବହୃତ ରାସ୍ତା କୁହାଯାଇପାରେ । ଏହି ରାଜପଥ ସହରବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ଆଇନଜୀବୀ ମନୋଜ ପଟ୍ଟନାୟକଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । ଚନ୍ଦ୍ରଶେଖର ସାହୁ କଂଗ୍ରେସ ଦଳରୁ ୨୦୦୬ରୁ ୨୦୦୯ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ପୌରପାଳିକା କାର୍ଯ୍ୟଧାରା ସହ ପରିଚ଼ିତ ଥିବା ହେତୁ ସହରରେ ରାସ୍ତାଘାଟ ରକ୍ଷଣାବେକ୍ଷଣରେ ବାସ୍ତବ ଅସୁବିଧା ସଂପର୍କରେ ବେଶ ବୁଝିଥିଲେ । କୁହାଯାଏ ଯେ ସେ ତତ୍କାଳୀନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ କେ.ଏଚ଼. ମୁନିଆପ୍ପାଙ୍କୁ ମନାଇ ତତ୍କାଳୀନ ରାଜପଥ ୨୧୭କୁ ବ୍ରହ୍ମପୁର ସହରାଞ୍ଚଳରେ ଦୁଇଥାକିଆ ରାସ୍ତାରେ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ । ତେବେ ରାଜରାସ୍ତାଟି ଚ଼ଉଡ଼ା ହୋଇଯିବା ପରେ ଅନ୍ତଃ-ସହର ଭାରୀଯାନ ଚଳାଚଳ ସାଙ୍ଗକୁ ସହରର ସାଇକେଲ, ରିକ୍ସା, ମଟର ସାଇକେଲ ଓ ପଥଚାରୀଙ୍କ ଭିଡ଼ ଲାଗି ରହିଲା । ଫଳରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବଢ଼ି ଚାଲିଲା । ଏହି ଅବସରରେ ଆଇନଜୀବୀ ମନୋଜ ପଟ୍ଟନାୟକ ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ ଅଦାଲତରେ ଜାତୀୟ ରାଜପଥରେ ଅବ୍ୟବସ୍ଥିତ ଟ୍ରାଫିକ ପରିଚାଳନା ବିରୋଧରେ ସିଆର.ପିସି ଧାରା ୧୩୩ ‘ପବ୍ଳିକ ନ୍ୟୂସେନ୍ସ’ ମକଦ୍ଦମା ଦାୟର କରି ସଫଳତା ହାସଲ କରିଥିଲେ । ଅଜିତ କୁମାର ମିଶ୍ର ସେ ସମୟରେ ବ୍ରହ୍ମପୁରର ଉପ-ଜିଲ୍ଲାପାଳ ଥିଲେ । ଜାତୀୟ ରାଜପଥ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ଆଠ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥପୁରରୁ ଆସିକାରୋଡ଼ ଫାଷ୍ଟଗେଟ ଯାଏଁ ଲୁହାବାଡ଼ ଦେଇ ଦୁଇ ଲେନ ବିଶିଷ୍ଟ ରାସ୍ତା ନିର୍ମିତ ହେଲା । ଏହା ଫଳରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବେଶ କମିଯାଇଥିଲା ।


ରାଜ୍ୟ ସରକାରଙ୍କ ପକ୍ଷରୁ ଜଗନ୍ନାଥପୁରରୁ ରତ୍ନପୁର ବ୍ରହ୍ମପୁର ବାଇପାସ ରୋଡ଼ ନିର୍ମାଣ ସଂପର୍କରେ ଘୋଷଣା ପରଠାରୁ ଜାତୀୟ ରାଜପଥ ୫୯ ସହର ମଧ୍ୟରୁ ଘୁଞ୍ଚିଯିବା ନିଶ୍ଚିତ ଥିବା ହେତୁ ରାଜପଥ ପ୍ରାଧୀକରଣ ପକ୍ଷରୁ ଏହି ରାସ୍ତାର ଦାୟିତ୍ୱ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିବା ଅବଶ୍ୟମ୍ଭାବୀ । ଏହି କାରଣରୁ ଜାତୀୟ ରାଜପଥ ୫୯ର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୁଏ । ଫଳରେ ବ୍ରହ୍ମପୁରବାସୀ ଗୋଟିଏ ରାଜପଥ ଉପଭୋଗର ସୁବିଧା ହରାଇଥିଲେ ଏବଂ ଅନ୍ୟ ଗୋଟିକ ମଧ୍ୟ ହରାଇବେ ! ଯାତାୟତରେ ବ୍ରହ୍ମପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ିବ !!


Photo by Nick Fewings on Unsplash 


No comments:

Post a Comment