Friday, August 25, 2023

Rock Garden / ରକ ଗାର୍ଡେନ

 

#ବ୍ରହ୍ମପୁର ସହରର ଚିତ୍ତ-ବିନୋଦନ ସ୍ଥଳୀ ତାଲିକାରେ ରକ ଗାର୍ଡେନ ଯୋଡ଼ି ହୋଇଛି । ବ୍ରହ୍ମପୁର ମହାନଗର ନିଗମ ପରିସୀମାରେ ରାମଲିଙ୍ଗ ବନ୍ଧ, ବିଜୁ ପଟ୍ଟନାୟକ ପାର୍କ ପରକୁ ରକ ଗାର୍ଡେନ ତୃତୀୟ ଆକର୍ଷଣ । ସହରର ଉତ୍ତର-ଉପକଣ୍ଠ ଆମ୍ୱପୁଆ ୪୦ ନମ୍ୱର ୱାର୍ଡରେ ନଅ ଏକର ସରକାରୀ ଜମିରେ ରକ ଗାର୍ଡେନ ନିର୍ମିତ ହୋଇଛି । ଏହା ଏକ ପାର୍କ-ସାର୍ବଜନୀନ ମିଳନ ସ୍ଥଳୀ – ମ୍ୟୁଜିୟମର ସମିଶ୍ରଣଏଠାରେ ସୌଖୀନ ବୃକ୍ଷଲତା, ପାଦ ଚଲା ରାସ୍ତା, ବାଇସାଇକଲ ଟ୍ରାକ, କୃତ୍ରିମ ଝରଣା, ପଥର କାରୁକାର୍ଯ୍ୟ, ବିଜ୍ଞାନ ପ୍ରଦର୍ଶନୀ ସାଇନ୍ସ ଗ୍ୟାଲେରି, କୁହୁକ ଆଇନା ମିରର ଇମେଜ, ମୁକ୍ତ ମଞ୍ଚ ଆମ୍ପି-ଥିଏଟର ଓ ଜଳଖିଆ ବଜାର ଫୁଡ଼ କୋର୍ଟ ବ୍ୟବସ୍ଥା ରହିବ । ପ୍ରତ୍ୟେହ ନିର୍ଦ୍ଧାରିତ ସମୟ ସୀମାରେ ଖୋଲିବ ଏବଂ ଦର୍ଶକମାନେ ଦେୟ ଦେଇ ରକ ଗାର୍ଡେନ ମଧ୍ୟକୁ ପ୍ରବେଶ କରିବେ ।

 

ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବିଡ଼ିଏ ପକ୍ଷରୁ ବ୍ରହ୍ମପୁର ରକ ଗାର୍ଡେନ ନିର୍ମାଣ ଯୋଜନା ୨୦୧୫ରେ ଘୋଷିତ ହୋଇଥିଲା । ଭାରତରେ ଚଣ୍ଡିଗଡ଼ ରକ ଗାର୍ଡେନ ପ୍ରସିଦ୍ଧ । ତେବେ ବ୍ରହ୍ମପୁର ରକ ଗାର୍ଡେନ ପରିକଳ୍ପନା ଚଣ୍ଡିଗଡ଼ ଉଦାହରଣରୁ ଭିନ୍ନ । ଚଣ୍ଡିଗଡ଼ ରକ ଗାର୍ଡେନ ଓ କୋଲକତାର ସାଇନ୍ସ ସିଟିର ସମିଶ୍ରଣରେ କିଛି ସ୍ୱତନ୍ତ୍ର ବିଭବ ଯୋଗ କରି ନିର୍ମାଣ କରାଯାଇଥିବା ଅନୁଭୂତ ହୁଏ । ବ୍ରହ୍ମପୁର ରକ ଗାର୍ଡେନର ବିସ୍ତୃତ ବିବରଣୀ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ଚାରି ବର୍ଷ ଲାଗି ଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ୨୦୧୯ରେ ଆରମ୍ଭ ହୋଇ ୨୦୨୧ରେ ସଂପୂର୍ଣ୍ଣ ହେବା ଲକ୍ଷ୍ୟ ରଖାଯାଇଥିଲେ ସୁଦ୍ଧା ୨୦୨୦ ଓ ୨୦୨୧ରେ କରୋନା-ଭୂତାଣୁ-ଜନିତ ଜନପଦ ବନ୍ଦ କାରଣରୁ ନିର୍ମାଣ କାର୍ଯ୍ୟ ଧିମେଇ ଯାଇ ୨୦୨୩ ମଧ୍ୟ ଭାଗ ସୁଦ୍ଧା ସଂପୃର୍ଣ୍ଣ ହେଲା । ମୁଖ୍ୟମନ୍ତ୍ରୀ ୨୦୨୩ ମାର୍ଚ୍ଚ ୨୬ ତାରିଖରେ ଛତ୍ରପୁରଠାରେ ଆୟୋଜିତ ଏକ ସଭାରେ ବ୍ରହ୍ମପୁର ରକ ଗାର୍ଡେନ ଉଦଘାଟନ ଘୋଷଣା କରିଥିଲେ, କିନ୍ତୁ ଅଧାପନ୍ତରିଆ କେତେକ କାମ ସାରି ଦର୍ଶକଙ୍କୁ ପାର୍କରେ ପ୍ରବେଶ ନିମନ୍ତେ ଅଧିକ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । କିନ୍ତୁ ଖର୍ଚ୍ଚ ୧୪ କୋଟି ଯାଏଁ ବୃଦ୍ଧି ପାଇଥିବା କୁହାଯାଉଛି । ଏଠାରେ ସ୍ଥାପିତ କେତେକ ସାମଗ୍ରୀ ଜର୍ମାନୀ ଓ ମାଲେସିଆରୁ ଆମଦାନୀ ହୋଇଥିବା ପ୍ରକାଶ ।

 

ବ୍ରହ୍ମପୁର ରକ ଗାଡ଼େନ ଏକ ଅଭିନବ ପ୍ରକଳ୍ପ, ଏଥିରେ ସନ୍ଦେହ ନାହିଁ । ଆଧୁନିକ ଜନଜୀବନରେ ଚିତ୍ତ-ବିନୋଦନକୁ ପ୍ରାଧାନ୍ୟ ଦିଆଯାଉଛି ଏବଂ ଏଦିଗରେ ଏକ ନୂତନ ସୁଯୋଗ ସୃଷ୍ଟି ଅଭିନନ୍ଦନୀୟ । ଏକ କୌତୁହଳ ଉଦ୍ଦୀପକ ବିଷୟ ଏହି ଯେ ଚଣ୍ଡିଗଡ଼ର ରକ ଗାର୍ଡେନ ସହ ବ୍ରହ୍ମପୁର ରକ ଗାର୍ଡେନର ଖୁବ କମ ସାମଞ୍ଜସ୍ୟ ରହିଛି । ଚଣ୍ଡିଗଡ଼ ରକ ଗାର୍ଡେନ ନେକ ଚାନ୍ଦ ସିଆନୀ ନାମକ ଜଣେ ସୌଖୀନ ସ୍ଥପତିଙ୍କ ଦ୍ୱାରା ୧୯୫୭ରେ ୪୦ ଏକର ପରିମିତ ହ୍ରଦ-ସମୀପ ଜଙ୍ଗଲରେ ବ୍ୟକ୍ତିଗତ ଉଦ୍ୟମରେ ଆରମ୍ଭ ହୋଇଥିଲା । ନେକ ଚାନ୍ଦ ସ୍ଥାନୀୟ ପୂର୍ତ୍ତ ବିଭାଗରେ ରୋଡ ଇନିସପେକ୍ଟର ପଦବୀରେ ନିଯୁକ୍ତ ଥିଲେ । ସେ ଚ଼ଣ୍ଡିଗଡ଼ ସହରରୁ ଗୃହନିର୍ମାଣ ବର୍ଜ୍ୟବସ୍ତୁ ସଂଗ୍ରହ କରି ବିଭିନ୍ନ ମୂର୍ତ୍ତୀ ନିର୍ମାଣ କରି ଜଙ୍ଗଲିଆ ଅଞ୍ଚଳରେ ସ୍ଥାପନ କରିବା ଆରମ୍ଭ କରିଥିଲେ । ନେକ ଚାନ୍ଦ ନିଜ କାର୍ଯ୍ୟକୁ ସଂପୂର୍ଣ୍ଣ ଗୋପନ ରଖୁଥିଲେ । ଦିନ ବେଳା ସହରର ଇଟା, ପଥର, କାଚ଼, ସିରାମିକ, ପ୍ଳାଷ୍ଟିକ, ରବର ଭଳି ବର୍ଜ୍ୟବସ୍ତୁ ଚ଼ିହ୍ନଟ କରି ରାତାରାତି ସଂଗ୍ରହ କରି ଭାସ୍କର୍ଯ୍ୟ ଗଢୁଥିଲେ । ଚଣ୍ଡିଗଡ଼ ଉପକଣ୍ଠ ସୁଖାନା ହ୍ରଦ ତୀରରେ ସରକାରୀ ଜଙ୍ଗଲ ଜମିରେ ନେକ ଚାନ୍ଦ ୨୦ ବର୍ଷ ଧରି କ୍ରମାଗତ କଳାକୃତି ସ୍ଥାପନ କରିଆସୁଥିଲେ ହେଁ କେହି କିଛି ଜାଣିପାରିନଥିଲେ । ପ୍ରାୟ ଦୁଇ ହଜାର ଭାସ୍କର୍ଯ୍ୟ ପ୍ରତିଷ୍ଠିତ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା । ସରକାରୀ ବାବୁମାନେ ରକ ଗାର୍ଡେନକୁ ଅନଧିକାର ଅଧିଗ୍ରହଣ ଆଖ୍ୟା ଦେଇ ଉଚ୍ଛେଦ କରିବାକୁ ଉଦ୍ୟମ କଲେ । ତେବେ ସ୍ଥାନୀୟ ଜନସାଧାରଣ ଅତୀବ ମନୋରମ ରକ ଗାର୍ଡେନ ଉଚ୍ଛେଦର ପ୍ରତିବାଦ କଲେ । ଶେଷରେ ସରକାର ଚଣ୍ଡିଗଡ଼ ରକ ଗାର୍ଡେନର ତତ୍ତ୍ୱାବଧାନ ଭାର ଗ୍ରହଣ କଲେ । ସରକାରଙ୍କ ପକ୍ଷରୁ ନେକ ଚାନ୍ଦଙ୍କୁ ସ୍ଥପତି ରୂପେ ନିଯୁକ୍ତ କରାଯାଇ ୫୦ ଜଣ ଶ୍ରମିକଙ୍କ ଜରିଆରେ ପାର୍କଟିକୁ ପୂର୍ଣ୍ଣାଙ୍ଗ କରିବା ଉଦ୍ୟମ ହୋଇଥିଲା । ନେକ ଚାନ୍ଦଙ୍କ କଳ୍ପନା-ପ୍ରସୂତ ସୃଜନ ପାର୍କଟିର ବୈଶିଷ୍ଟ୍ୟ । ଚଣ୍ଡିଗଡ଼ ରକ ଗାର୍ଡେନ ୧୯୭୬ରେ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିଲା । ବର୍ତ୍ତମାନ ପ୍ରତ୍ୟେହ ପ୍ରାୟ ପାଞ୍ଚ ହଜାର ଦର୍ଶକ ଉପଭୋଗ କରିଥାନ୍ତି । ସେଠାକାର ରକ ଗାର୍ଡନରେ ନେକ ଚାନ୍ଦଙ୍କ ମୌଳିକ ସୃଜନ ଆନ୍ତର୍ଜାତିକସ୍ତରରେ ସ୍ୱୀକୃତି ଲାଭ କରିଛି । ନେକ ଚାନ୍ଦଙ୍କୁ ୧୯୮୪ରେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରାଯାଇଥିଲା ଏବଂ ୨୦୧୫ରେ ସେ ଚଣ୍ଡିଗଡ଼ରେ ମୃତ୍ୟୁ ବରଣ କରିଥିଲେ । ଚଣ୍ଡିଗଡ ରକ ଗାର୍ଡେନ ଯେ ବ୍ରହ୍ମପୁର ରକ ଗାର୍ଡେନ ନିର୍ମାଣ ନିମନ୍ତେ ପ୍ରେରଣା ଯୋଗାଇଛି, ସେଥିରେ ଦ୍ୱିମତ ନାହିଁ ।



Photo from BeDA Brahmapur Official Website


1 comment:

  1. Quite informative and well written sir. It is through your writings, people who are staying out of Berhampur come to know the developments in our own city.
    Regards 👏

    ReplyDelete