Friday, September 22, 2023

Gita Mehta (Patnaik) / ଗୀତା ମେହେଟ୍ଟା (ପଟ୍ଟନାୟକ)

 


#ବ୍ରହ୍ମପୁର ସହ ପରଲୋକଗତ ଲେଖିକା ଓ ପ୍ରାମାଣିକ ଚଳଚ଼ିତ୍ର ନିର୍ମାତା ଗୀତା ମେହେଟ୍ଟା (ପଟ୍ଟନାୟକ)ଙ୍କ ସଂପର୍କ ଖୋଜି ପାଇହୁଏବ୍ରହ୍ମପୁରକେନ୍ଦ୍ରିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଆନୁକୂଲ୍ୟରେ ମୁଖ୍ୟତଃ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଜନଜାତି ଓ ତଫସିଲଭୁକ୍ତ ଜାତିର ଯୁବକଯୁବତୀଙ୍କୁ ବୃତ୍ତିଭିତ୍ତିକ ଓ ଧନ୍ଦାମୂଳକ ଶିକ୍ଷା ସୁଯୋଗ ସୃଷ୍ଟି ନିମନ୍ତେ ଗୀତା ମେହେଟ୍ଟାଙ୍କ ଉଦ୍ୟମରେ ଅନୁଦାନ ବ୍ୟବସ୍ଥା ୨୦୧୯ରୁ ଆରମ୍ଭ କରାଯାଇଛି । ଅନୁଷ୍ଠାନର ୨୦୨୧-୨୨ ବାର୍ଷିକ ବିବରଣୀ ଅନୁଯାୟୀ ନର୍ସିଂରେ ସ୍ନାତକ ଉପାଧି, ଜେନେରାଲ ନର୍ସିଂ ମିଡ଼-ୱାଇଫ ଏବଂ ହୋଟେଲ ମ୍ୟାନେଜମଣ୍ଟରେ ଜ୍ଞାନ ଦେବୀ ଫାଉଣ୍ଡେସନ ସହାୟତାରେ ୪୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେମାନେ ବ୍ରହ୍ମପୁର, ବିଶାଖପାଟଣା, ବିଜୟୱାଡା, ଗୁଣ୍ଟୁର, ହାଇଦରାବାଦ ଓ ବାଙ୍ଗାଲୁରର ବିଭିନ୍ନ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଛନ୍ତି । ଅବହେଳିତ ବର୍ଗର ଯୁବକଯୁବତୀଙ୍କୁ ତାଲିମ ଦେଇ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଗୀତା ମେହେଟ୍ଟାଙ୍କ ବ୍ରହ୍ମପୁରର ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଚୟନ ଓ ସ୍ଥାୟୀଜମା ଆୟୋଜନ ଯେ ଏକ ଦୀର୍ଘସୂତ୍ରୀ ସାମାଜିକ କଲ୍ୟାଣମୂଳକ ଯୋଜନା ଏଥିରେ କେହି ଦ୍ୱିମତ ହେବେ ନାହିଁ ।
 
ଗୀତା ମେହେଟ୍ଟାଙ୍କ ପିତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ କନିଷ୍ଠ ଭ୍ରାତା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ପୂର୍ବ-ପୁରୁଷ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର (ରସଲକୋଣ୍ଡା)ରେ ବସବାସ କରୁଥିଲେ । ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ମଣ୍ଡଳୀରୁ ଲଗାତାର ନିର୍ବାଚିତ ହୋଇଆସିଛନ୍ତି । ଗୀତା ମେହେଟ୍ଟା ଦିଲ୍ଲୀରେ ଶିକ୍ଷା ସାରି ବ୍ରିଟେନର କେମ୍ୱ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେଠାରେ ଭାବୀ ସ୍ୱାମୀ ସୋନୀ ମେହେଟ୍ଟାଙ୍କ ସହ ସାକ୍ଷାତ ହୋଇଥିଲା । ସୋନୀ ମେହେଟ୍ଟା ପ୍ରଖ୍ୟାତ ମାର୍କିନ ପୁସ୍ତକ ପ୍ରକାଶକ ଆଲଫର୍ଡ ଏ. କୁମ୍ପ ପବ୍ଳିକେସନ ଗୃପର ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟ କରିଥିଲେ । ଗୀତା ମେହେଟ୍ଟାଙ୍କ ନନ୍-ଫିକସନ ପୁସ୍ତକ କର୍ମ କୋଲା ୧୯୭୯ରେ ପ୍ରକାଶିତ ହେବାପରେ ଆନ୍ତର୍ଜାତିକସ୍ତରରେ ଲୋକପ୍ରିୟ ଲେଖିକାଭାବେ ଉପସ୍ଥାପିତ ହୋଇଥିଲେ । ସେ ଡଜନେରୁ ଉର୍ଦ୍ଧ୍ୱ ପ୍ରାମାଣିକ ଚଳଚିତ୍ର ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପର ଟେଲିଭିଜନ ନେଟୱାର୍କଗୁଡ଼ିକ ପାଇଁ ପ୍ରସ୍ତୁତ କରିଥିଲେ ।
 
କର୍ମ କୋଲାର ବିଷୟବସ୍ତୁ ମୂଳତଃ ଭାରତୀୟ ଦର୍ଶନ ଓ ସାମାଜିକ ବ୍ୟବସ୍ଥା ପ୍ରତି ବୈଦେଶିକ ଦୃଷ୍ଟିକୋଣ ଅନୁଶୀଳନରେ ପର୍ଯ୍ୟବଶିତ । ବିଂଶ ଶତାଦ୍ଦୀର ଷଷ୍ଠ ଦଶକରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ୟୁରୋପୀୟ ଦେଶପୁଞ୍ଜରୁ ବହୁ ସଂଖ୍ୟକ ପରିବ୍ରାଜକ ପ୍ରାଚ୍ୟ ଆଧ୍ୟାତ୍ମିକତାରେ ପ୍ରଭାବିତ ହୋଇ ଭାରତରେ ପହଞ୍ଚିଥିଲେ । ଗୀତା ମେହେଟ୍ଟା ସେମାନଙ୍କ ସାକ୍ଷାତକାର ମାଧ୍ୟମରେ ସଂଗୃହୀତ ଅନୁଭୂତିକୁ କର୍ମ କୋଲା ପୁସ୍ତକରେ ବର୍ଣ୍ଣନା କରିଥିଲେ । ପୁସ୍ତକଟି ପେଙ୍ଗୁଇନ, ଭିନଟେଜ, ରେଣ୍ଡମ ହାଉସ ଭଳି ବଡ଼ ପ୍ରକାଶନ ସଂସ୍ଥା ଦ୍ୱାରା ୧୯୭୯ରୁ ୨୦୧୦ ମଧ୍ୟରେ ଆଠଗୋଟି ସଂସ୍କରଣ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଥିଲା । ସେ ରିଭର ସୂତ୍ର, ଏଟରନାଲ ଗଣେଷ, ରାଜ ଓ ସ୍ନେକସ ଏଣ୍ଡ ଲେଡର୍ସ ଅନ୍ୟ ଚାରିଗୋଟି ପୁସ୍ତକ ମଧ୍ୟ ରଚନା କରିଥିଲେ । ଏହି ପୁସ୍ତକଗୁଡ଼ିକ ୨୧ ଗୋଟି ଭାଷାରେ ଅନୁବାଦିତ ହୋଇଥିବା କୁହାଯାଏ ।
 
ସୋନୀ ମେହେଟ୍ଟା ଓ ଗୀତା ମେହେଟ୍ଟା ମୁଖ୍ୟତଃ ନ୍ୟୂୟର୍କ ବାସିନ୍ଦା । ସୋନୀ ମେହେଟ୍ଟା ୨୦୧୯ରେ ପରଲୋକ ଗମନ କଲେ । ଏହା ପରେ ପରେ ଗୀତା ମେହେଟ୍ଟା ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ଚାରିବର୍ଷ ପରେ ୨୦୨୩ ସେପ୍ଟେମ୍ୱରରେ ତାଙ୍କରି ଦେହାନ୍ତ ଘଟିଥିଲା ।
 
ପରିଣତ ବୟସରେ ପୈତୃକ ସମ୍ପତ୍ତିର ସଦଉପଯୋଗ କଳ୍ପେ ଜନହିତକର କାର୍ଯ୍ୟ ପ୍ରଯୋଜନାରେ ତାଙ୍କରି ତତ୍ତ୍ୱାବଧାନରେ ମାତା ଜ୍ଞାନ ଦେବୀଙ୍କ ସ୍ମୃତିରେ ଜ୍ଞାନ ଦେବୀ ଫାଉଣ୍ଡେସନ ଗଠିତ ହୋଇଥିଲା । ବ୍ରହ୍ମପୁର କେନ୍ଦ୍ରୀକ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମଦୀର୍ଘ ଚାରି ଦଶନ୍ଧି ଧରି ଜନଜାତି,  ତଫସିଲଭୁକ୍ତ ଜାତି ଓ ମତ୍ସ୍ୟଜୀବୀ ସନ୍ତାନସନ୍ତତିଙ୍କ ଶିକ୍ଷା ଲାଗି ଉଦ୍ୟମ କରି ଆସିଛି । ଅନୁଷ୍ଠାନ ଜର୍ମାନୀ, ସ୍ପେନ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ଗ୍ରହଣ କରି ନିଜ କାର୍ଯ୍ୟକ୍ରମ ପରିଚାଳିତ କରୁଛିଗୀତା ମେହେଟ୍ଟାଙ୍କ ପ୍ରଚ଼େଷ୍ଟାରେ ଏଭଳି ଏକ ଅନୁଷ୍ଠାନ ଜ୍ଞାନ ଦେବୀ ଫାଉଣ୍ଡେସନରୁ ଆର୍ଥିକ ସହଯୋଗ ଅବହେଳିତ ବର୍ଗର ଭବିଷ୍ୟତ ବଂଶଧରଙ୍କୁ ଉଚ୍ଚଶିକ୍ଷା ଯୋଗାଇବାଲାଗି ସାମର୍ଥ୍ୟ ଯୋଗାଇପାରିଛି

No comments:

Post a Comment