Friday, September 15, 2023

Three Amonia Plants / ତିନିଗୋଟି ଆମୋନିଆ କାରଖାନା

 

#ବ୍ରହ୍ମପୁର ଉପକଣ୍ଠ ଚମାଖଣ୍ଡିସ୍ଥିତ ‘ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ’ରେ ତିନିଗୋଟି ଆମୋନିଆ କାରଖାନା ନିର୍ମାଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଛି । ବିଂଶ ଶତାଦ୍ଦୀ ଶେଷ ପାଦରେ ଛତ୍ରପୁର-ଗୋପାଳପୁର ଅଞ୍ଚଳରେ ଏକ ଇସ୍ପାତ କାରଖାନା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବସାଧାରଣ ଜମି ଅଧିଗ୍ରହଣ କରାଯାଇ ‘ଟାଟା ଷ୍ଟିଲ’କୁ ପ୍ରଦାନ କରାଯାଇଥିଲା । ତେବେ ଆନ୍ତର୍ଜାତିକ ବଜାରରେ ଇସ୍ପାତ ଚାହିଦା ହଠାତ କମିଯାଇଥିବା ଏବଂ ବିଭିନ୍ନ ଆନୁସଙ୍ଗିକ କାରଣରୁ ଟାଟା ପକ୍ଷରୁ ଇସ୍ପାତ କାରଖାନା ନିର୍ମାଣ ପ୍ରସ୍ତାବ ପ୍ରତ୍ୟାହାର କରିନିଆଗଲା । ଅଧିଗୃହିତ ଜମିରେ ‘ଟାଟା ଷ୍ଟିଲ ସ୍ପେଶାଲ ଇକନୋମିକ ଜୋନ’ ଗଠନଲାଗି ସରକାର ଅନୁମତି ଦେଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେଠାରେ ଏକ ‘ଇଣ୍ଡଷ୍ଟ୍ରିଆଲ ପାର୍କ’ ଗଠନ କରାଯାଇ ‘ଟାଟା ଷ୍ଟିଲ’ ଭିନ୍ନ ଅନ୍ୟ ଉଦ୍ୟୋଗୀମାନଙ୍କୁ ମଧ୍ୟ କଳକାରଖାନା ସ୍ଥାପନ ଲାଗି ସୁଯୋଗ ସୃଷ୍ଟି କରାଗଲା ।

 

‘ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ’ରେ ୨୦୨୩ ମଧ୍ୟଭାଗ ସୁଦ୍ଧା ପାଞ୍ଚଗୋଟି କାରଖାନା ଚାଲୁ ହୋଇଥିବା ସ୍ଥଳେ ଦୁଇଗୋଟି ନିର୍ମାଣଧୀନ ଅବସ୍ଥାରେ ରହିଛି । ଏଥି ମଧ୍ୟରୁ ଟାଟା କମ୍ପାନୀ ମାଲିକାନାରେ ଦୁଇଗୋଟି ଶିଳ୍ପ ଅନ୍ତର୍ଭୁକ୍ତ । ନିର୍ମାଣଧୀନ କାରଖାନା ମଧ୍ୟରେ ‘ଦୀପକ ଫର୍ଟିଲାଇଜରସ ଏଣ୍ଡ ପେଟ୍ରୋକେମିକାଲ୍ସ କର୍ପୋରେସନ ଲିମିଟେଡ’ର ‘ଟେକନିକାଲ ଆମୋନିୟମ-ନାଇଟ୍ରେଟ’ ଅନ୍ୟତମ । ଅଗଷ୍ଟ-ସେପ୍ଟେମ୍ୱର ୨୦୨୩ରେ ‘ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ’ରେ ଅଧିକା ଦୁଇଗୋଟି ଆମୋନିଆ କାରଖାନା ସ୍ଥାପନ ନିମନ୍ତେ ଦୁଇ ଘରୋଇ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବା ସମ୍ୱାଦ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅତଏବ, ନିର୍ମାଣଧୀନ ଓ ପ୍ରସ୍ତାବିତ ତିନିଗୋଟି ଆମୋନିଆ କାରଖାନା ଗୋପାଳପୁରରେ ଗଢ଼ି ଉଠିବା ନିଶ୍ଚିତ ।

 

ଆନ୍ତର୍ଜାତିକସ୍ତରରେ ଆମୋନିଆର ଚାହିଦା ରହିଛି । ଭାରତରେ ବିଶ୍ୱ ଉତ୍ପାଦନର ଆଠ ପ୍ରତିଶତ ହିସାବ କରାଯାଉଥିବା ସ୍ଥଳେ ବୈଦେଶିକ ବଜାରରୁ ମଧ୍ୟ ଆମଦାନୀ ହୋଇଥାଏ । ଆମ ଦେଶରେ ୮୦ ପ୍ରତିଶତ ଆମୋନିଆ ୟୁରିଆ ସାର ଉତ୍ପାଦନରେ ବ୍ୟବହୃତ ହୁଏ । ଏତଦ୍ ବ୍ୟତୀତ ପ୍ଳାଷ୍ଟିକ, ପରିଧାନ, କୀଟନାଶକ, ବିସ୍ପୋରକ ଉତ୍ପାଦନ ଓ ରେଫ୍ରିଜେସନ, ଜଳ ବିଶୋଧନ ଭଳି ବିଭିନ୍ନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟରେ ଲାଗେ ।

 

ପ୍ରସ୍ତାବିତ ଦୁଇଗୋଟି ନୂତନ ଆମୋନିଆ କାରଖାନା ମଧ୍ୟରୁ ପ୍ରଥମଟି ଗୁରୁଗ୍ରାମଭିତ୍ତିକ ‘ଏସିଏମଇ କ୍ଲିନ୍ ଏନାର୍ଜୀ ପ୍ରାଇଭେଟ ଲିମିଟେଡ଼’ ପକ୍ଷରୁ ଭୁବନେଶ୍ୱରଠାରେ ରାଜ୍ୟସରକାରଙ୍କ ପଦସ୍ଥ କର୍ମଚାରୀଙ୍କ ଉପସ୍ଥିତିରେ ଟାଟା କର୍ତ୍ତୃପକ୍ଷଙ୍କ ସହ ୨୬ ଅଗଷ୍ଟ ୨୦୨୩ରେ ବୁଝାମଣା-ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଶିଳ୍ପଦ୍ୟୋଗୀ ଓଡ଼ିଶାର ପାରାଦୀପରେ ମଧ୍ୟ ଅନ୍ୟଏକ ଆମୋନିଆ କାରଖାନା ନିର୍ମାଣ ନିମନ୍ତେ ଡ଼ିସେମ୍ୱର ୨୦୨୨ରେ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । କମ୍ପାନୀର ତାମିଲନାଡୁ, କର୍ଣ୍ଣାଟକ, ଓମାନ ଓ ଇଜିପ୍ଟରେ ଆମୋନିଆ କାରଖାନା ଥିବା କୁହାଯାଉଛି । ବର୍ତ୍ତମାନ ‘ଗୋପଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ’ରେ ୩୪ ଏକର ଜମିରେ ୨୭ ହଜାର କୋଟି ଟଙ୍କା ବ୍ୟୟରେ କାରଖାନା ନିର୍ମାଣ କରିବେ ।

 

ପ୍ରସ୍ତାବିତ ଦ୍ୱିତୀୟ ଆମୋନିଆ କାରଖାନା ନିମନ୍ତେ ବିକଳ୍ପ ଶକ୍ତି ଉତ୍ପାଦକ ‘ଅଭେଦା ଗୃପ’ ପକ୍ଷରୁ ଭୁବନେଶ୍ୱରଠାରେ ୮ ସେପ୍ଟେମ୍ୱର ୨୦୨୩ରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ‘ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ’ରେ ୧୨୦ ଏକର ଜମିରେ କମ୍ପାନୀ ଆମୋନିଆ କାରଖାନା ନିର୍ମାଣ କରିବ ।

 

ପ୍ରସ୍ତାବିତ ଦୁଇଗୋଟି କମ୍ପାନୀ ‘ଗ୍ରୀନ ଆମୋନିଆ’ ଉତ୍ପାଦନ ବିଷୟରେ ଉଲ୍ଲେଖ କରୁଛନ୍ତି । ଏଠାରେ ‘ଗ୍ରୀନ’ର ଅର୍ଥ କାରଖାନା ଚଳାଇବା ନିମନ୍ତେ ପାରମ୍ପରିକ ତାପଜ ବିଦ୍ୟୁତ ବ୍ୟବହାର ବଦଳରେ ସୌର ଓ ବାୟୁ ଯୋଗେ ଉତ୍ପାଦିତ ଶକ୍ତି ବ୍ୟବହାର କରିବେ । ସୋଲାର ପ୍ୟାନେଲ, ୱିଣ୍ଡ ଟରବାଇନ ଭଳି ଉତ୍ସରୁ ଶକ୍ତି ସଂଗୃହୀତ ହେବ । ପ୍ରଥମେ ବିକଳ୍ପ ଶକ୍ତି ଉତ୍ସ ଯୋଗେ ‘ଗ୍ରୀନ ହାଇଡ୍ରୋଜନ’ ଉତ୍ପାଦନ ହେବ ଏବଂ ସେଥିରୁ ‘ଗ୍ରୀନ ଆମୋନିଆ’ ଉତ୍ପାଦିତ ହେବ । ଏତଦ୍ୱାରା ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି କୁହାଯାଉଛି ।


Image by Hands off my tags! Michael Gaida from Pixabay


No comments:

Post a Comment