Friday, September 29, 2023

Single Screen - Multiplex / ସିଙ୍ଗଲ ସ୍କ୍ରୀନ – ମଲଟିପ୍ଳେକ୍ସ

 


#ବ୍ରହ୍ମପୁର ସହରରେ ପ୍ରଥମ ମଲଟିପ୍ଳେକ୍ସ ଆତ୍ମପ୍ରକାଶ ପରେ ଦୁଇଗୋଟି ସିଙ୍ଗଲ ସ୍କ୍ରୀନ ବନ୍ଦ ହୋଇଗଲା । ବାରାକ୍ସ ଟେଲିଫୋନ ଭବନ ରୋଡ଼ ସ୍ଥିତ ଜନତା ସିଟି ସେଣ୍ଟରରେ ୨୦୨୩ ପୂର୍ବାର୍ଦ୍ଧରେ ପିଏସଆର ସିନେମାସ ମଲଟିପ୍ଳେକ୍ସ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ କରିବା ବେଳେ ପ୍ରେମନଗର ରୋଡ଼ ସ୍ଥିତ ଶକ୍ତି ଓ ଶିବା ଦୁଇଗୋଟି ସିଙ୍ଗଲ ସ୍କ୍ରୀନ ସିନେମା ହଲରେ ମାର୍ଚ୍ଚ ପହିଲାରୁ ଚଳଚ଼ିତ୍ର ପ୍ରଦର୍ଶନ ବନ୍ଦ ରହିଲା । ପିଏସଆର ସିନେମାସରେ ତିନିଗୋଟି ସ୍କ୍ରୀନ ଯୋଡ଼ି ହୋଇଥିବା ସ୍ଥଳେ ଶିବା ଓ ଶକ୍ତିର ଦୁଇଗୋଟି ସ୍କ୍ରୀନ ଉଭେଇଗଲା । ଫଳରେ କୋଭିଡ଼ ମହାମାରୀ-ପର ଅବସ୍ଥାରେ ବ୍ରହ୍ମପୁରରେ ପାଞ୍ଚଗୋଟି ସିଙ୍ଗଲ ସ୍କ୍ରୀନ ସିନେମା ହଲରେ ପାଞ୍ଚଗୋଟି ସ୍କ୍ରୀନ ଚାଲୁଥିବା ସ୍ଥଳେ ୨୦୨୩ ମଧ୍ୟଭାଗରେ ଗୌତମ, ରୁକ୍ମିଣୀ ଓ ପାୟଲରେ ତିନିଗୋଟି ସ୍କ୍ରୀନ ସାଙ୍ଗକୁ ପିଏସଆର ସିନେମାସରେ ତିନିଗୋଟି ସ୍କ୍ରୀନ ମୋଟ ଛଅଗୋଟି ସ୍କ୍ରୀନକୁ ବୃଦ୍ଧି ପାଇଛି ।
 
ପାରମ୍ପରିକଭାବେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ମୁଖ୍ୟ ଚଳଚ଼ିତ୍ର ପ୍ରଦର୍ଶନ କେନ୍ଦ୍ରର ମାନ୍ୟତା ପାଇ ଆସିଛି । ଏଠାରେ ରାଜ୍ୟର ପ୍ରଥମ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପିତ ହୋଇଥିଲା ଏବଂ ସହରବାସୀ ଚଳଚ଼ିତ୍ର ପ୍ରେମୀଭାବେ ପରିଚ଼ିତ । ପ୍ରଥମ ଦୁଇ ଚଳଚ଼ିତ୍ର ପ୍ରେକ୍ଷାଳୟ ଶ୍ରୀ ସୀତାରାମ ବିଳାସ ଟକିଜଜ୍ୟୋତି ପିକଚ଼ର ପ୍ୟାଲେସ ଭ୍ରାମ୍ୟମାଣ ଚଳଚ଼ିତ୍ର ପ୍ରଦର୍ଶନ, ଅର୍ଥାତ ସର୍କସ ଭଳି ତମ୍ୱୁ ଟାଣି ସିଙ୍ଗଲ ପ୍ରୋଜେକ୍ଟରରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ କରି ସ୍ଥାୟୀ ଚଳଚ଼ିତ୍ର ପ୍ରେକ୍ଷାଳୟ ସ୍ଥାପନ କରିଥିଲେ । ସ୍ୱାଧୀନୋତ୍ତର ଅବସ୍ଥାରେ ବିଜୟା, ଉତ୍କଳ, ପରମ ଜ୍ୟୋତି, ଲିଙ୍ଗରାଜ, ପଦ୍ମଶ୍ରୀ, ପାୟଲ, ରୁକ୍ମିଣୀ, ଗୌତମ, ଶକ୍ତି ଓ ଶିବା ମୋଟ ୧୨ ଗୋଟି ଚଳଚ଼ିତ୍ର ପ୍ରେକ୍ଷାଳୟ କାର୍ଯ୍ୟକ୍ଷମ ହୋଇଥିଲା । ଏଥି ମଧ୍ୟରୁ ସାତ ଗୋଟି ପର୍ଯ୍ୟାୟକ୍ରମେ ବନ୍ଦ ହୋଇଯାଇଥିବା ବେଳେ ଦୁଇ ଗୋଟି ଶକ୍ତି ଓ ଶିବା ୨୦୨୩ରେ ବନ୍ଦ ହେଲା ।
 
ପ୍ରେମ ନଗର ରୋଡ଼ରେ ୧୯୮୨ରେ ଶକ୍ତି ସିନେମା ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ଏହାର ବିସ୍ତୃତ ପ୍ରାଙ୍ଗଣରେ ଶିବା ସିନେମା ନିର୍ମାଣ କରାଗଲା । ଗୋଟିଏ ପ୍ରାଙ୍ଗଣରେ ଦୁଇଗୋଟି ସିନେମା ହଲ ଦର୍ଶକମାନଙ୍କ ଲାଗି ଏକ ନୂତନ ଅନୁଭୂତି ଆଣିଥିଲା । ତେବେ ଠିକ ସେହି ସମୟ ବେଳକୁ ବ୍ରହ୍ମପୁରରେ ଦୂରଦର୍ଶନ ସେବା ଆରମ୍ଭ ହେବା ପରେ କ୍ରମଶଃ ସହରବାସୀଙ୍କ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିଦର୍ଶନ ଅଭ୍ୟାସରେ ପରିବର୍ତ୍ତନ ଆସିଲା । ଦଶ ବର୍ଷ ପରେ ବିଂଶ ଶତାଦ୍ଦୀ ଶେଷ ଦଶକ ଆରମ୍ଭରୁ ଉପଗ୍ରହଭିତ୍ତିକ ଘରୋଇ ଚ୍ୟାନେଲ କେବଲ ଟେଲିଭିଜନ ମାଧ୍ୟମରେ ପ୍ରସାର ଲାଭ କରିବାପରେ ପ୍ରେକ୍ଷାଳୟରେ ଚଳଚ଼ିତ୍ର ଉପଭୋଗ ପରମ୍ପରା ମାଳିନ ପଡ଼ିଯାଇଥିଲା । ତେବେ ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ସହରରେ ସ୍ମାର୍ଟଫୋନ ବ୍ୟବହାର ଓ ମଧ୍ୟଭାଗରୁ ଆପ ମାଧ୍ୟମରେ ପାଞ୍ଚ ଶହ ଯାଏଁ ଟେଲିଭିଜନ ଚ୍ୟାନେଲ, ଷ୍ଟ୍ରୀମିଂ ପ୍ଲାଟଫରମ ସାଙ୍ଗକୁ ଶସ୍ତା ଇଣ୍ଟରନେଟ ଡ଼ାଟା ସୁବିଧା ଚଳଚ଼ିତ୍ର ପ୍ରଦର୍ଶନର ପରିଭାଷା ବଦଳାଇ ଦେଲା । କୋଭିଡ଼ ମହାମାରୀ-ପର ଅବସ୍ଥାରେ ସହରବାସୀଙ୍କ ମଧ୍ୟରୁ ଅଧିକାଂଶ ଦୈନିକ ଅଢ଼େଇ ଘଣ୍ଟା ଯାଏଁ ସୋସିଆଲ ମିଡ଼ିଆରେ ବିତାଉଥିବା ପରିସଂଖ୍ୟାନ ଜନଜୀବନରେ ମନୋରଞ୍ଜନର ସଂଜ୍ଞାରେ ନୂତନ ଫର୍ଦ୍ଦ ଯୋଡ଼ିଛି ।
 
ରାଷ୍ଟ୍ରୀୟସ୍ତରରେ ଚଳଚ଼ିତ୍ର ପ୍ରେକ୍ଷାଳୟ ପ୍ରଦର୍ଶନ ୨୦୨୩ ମଧ୍ୟଭାଗ ସୁଦ୍ଧା ସଂପୂର୍ଣ୍ଣ ସକ୍ଷମ ହୋଇପାରିନଥିବା ଜଣାଯାଏ । ଅବଶ୍ୟ ବର୍ଷେ, ଦୁଇ ବର୍ଷ ମଧ୍ୟରେ ମହାମାରୀ-ପୂର୍ବ ଅବସ୍ଥାକୁ ଫେରିବା ଆକଳନ କରାଯାଏ । ତେବେ ସର୍ବତ୍ର ସିଙ୍ଗଲ ସ୍କ୍ରୀନ ବା ଏକକ ରୂପେଲି ପରଦା ବିଶିଷ୍ଟ ପ୍ରେକ୍ଷାଳୟର ସ୍ଥିତି ନୈରାଶ୍ୟଜନକ ରହିଆସିଛି । ମଲଟିପ୍ଳେକ୍ସରେ ଚଢ଼ା ଟିକଟ ଦର ସତ୍ତ୍ୱେ ଉନ୍ନତ ପରିବେଶ, ଖାଦ୍ୟପେୟ ଓ ଆଲୋକ-ଶବ୍ଦର ଯାଦୁକାରୀ ପ୍ରଭାବ ଦର୍ଶକଙ୍କୁ ବିମୋହିତ କରୁଛି । ବ୍ରହ୍ମପୁର ପିଏସଆର ସିନେମାସରେ ସକାଳ ୧୦ରୁ ରାତି ୯.୩୦ ଯାଏଁ ସିନେମା ସୋ ଟାଇମ ଉପଲବ୍ଧ । ଏହି ବିସ୍ତୃତ ସମୟ ସୀମା ସହରର ଯୁବବର୍ଗ ଓ ସହର ବାହାର ଆଗନ୍ତୁକଙ୍କ ପାଇଁ ଅନୁକୂଳ । ପରିବର୍ତ୍ତିତ ପରିବେଶରେ ପକେଟରେ ଗଚ୍ଛିତ ସ୍ମାର୍ଟଫୋନରେ ଅଗଣିତ ଚଳଚ଼ିତ୍ର ଉପଭୋଗର ସୁଯୋଗ ସତ୍ତ୍ୱେ ଚଳଚ଼ିତ୍ର ପ୍ରେକ୍ଷାଳୟ ପରିଦର୍ଶନ କେବଳ ଚଳଚ଼ିତ୍ର ପ୍ରଦର୍ଶନକୁ ଆଉ ବୁଝାଉ ନାହିଁ !

Image by Sabine Lange from Pixabay

No comments:

Post a Comment