Friday, December 1, 2023

Padmashree Sanjukta Panigrahy / ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ

 

ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ #ବ୍ରହ୍ମପୁର ସହରରେ ୧୪ ଅଗଷ୍ଟ ୧୯୪୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ପିତା ବିଦ୍ୟୁତ ବିଭାଗରେ ଜଣେ ସରକାରୀ କର୍ମଚାରୀ ଭାବେ ଅବସ୍ଥାପିତ ଥିଲେ । ମାତା ଗୃହିଣୀ । ସଂଯୁକ୍ତା ଚାରି ଭାଇ ଓ ଜଣେ ସାନ ଭଉଣୀଙ୍କ ଗହଣରେ ଶୈଶବ ବିତାଇ ଥିଲେ । ପିଲାଟି ଦିନୁ ନୃତ୍ୟ ପ୍ରତି ସଂଯୁକ୍ତା ଆଗ୍ରହ ପ୍ରକାଶ କରିଥିଲେ ଏବଂ ନୃତ୍ୟ ଶିକ୍ଷା ଓ ପ୍ରଦର୍ଶନରେ ସଂପୃକ୍ତ ହୋଇପଡ଼ିଥିଲେ । ସ୍ୱାଧୀନତା ଲାଭ ବେଳର ଗଞ୍ଜାମ ଜିଲ୍ଲାରେ ସଂଭ୍ରାନ୍ତ  ସରକାରୀ କର୍ମଚାରୀଙ୍କ ପରିବାରରେ ନାରୀ ଶିକ୍ଷା ପ୍ରବେଶ ଲାଭ କରିନଥିବା ସ୍ଥଳେ ପାରମ୍ପରିକ ଓଡ଼ିଆ ବ୍ରାହ୍ମଣ ସଂପ୍ରଦାୟରେ ନୃତ୍ୟ ଏକ ଅଜଣା ଇଲାକା ଅନ୍ତର୍ଭୁକ୍ତ ଥିଲା । ଅବଶ୍ୟ ଦାକ୍ଷିଣାତ୍ୟ ସଂସ୍କୃତି ପ୍ରଭାବରେ ଶାସ୍ତ୍ରୀୟ ସଙ୍ଗୀତ ଚର୍ଚ୍ଚା ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ଉଚ୍ଚକୋଟିର ସଉକ ବିବେଚ଼ିତ ହେଉଥିଲା । ବ୍ରହ୍ମପୁର ସହରରେ ୧୯୨୮ରୁ ସ୍ଥାନୀୟ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ସଙ୍ଗୀତ ଓ ନୃତ୍ୟଭିତ୍ତିକ ସହରୀ ସଭ୍ୟତା ରୁଚି ପ୍ରସାର କରୁଥିଲା ।
 
ସଂଯୁକ୍ତାଙ୍କ ନୃତ୍ୟ ପ୍ରୀତିକୁ ତାଙ୍କରି ମାଆ ଶକୁନ୍ତଳା ଦେବୀ ପ୍ରୋତ୍ସାହିତ କରୁଥିଲେ । ସେ ଚାରିବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପାରିବାରିକ କଟକଣା ସତ୍ତ୍ୱେ ସଂଯୁକ୍ତା ସାତ ବର୍ଷ ବୟସରେ କଲିକତା (ବର୍ତ୍ତମାନର କୋଲକତା)ଠାରେ ନ୍ୟୂ ଏମ୍ପାୟାର ଥିଏଟର ମଞ୍ଚରେ ୧୯୫୧ରେ ନୃତ୍ୟ ପ୍ରଦର୍ଶନ କରିବା ସୁଯୋଗ ଲାଭ କରିଥିଲେ । ଗବେଷକଙ୍କ ହିସାବରେ ସଂଯୁକ୍ତା ଛଅ ବର୍ଷରୁ ନଅ ବର୍ଷ ବୟସ ତିନି ବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ନୃତ୍ୟ ପ୍ରଦର୍ଶନରେ ସାମିଲ ହୋଇଥିଲେ । ସଂଯୁକ୍ତା କଟକ, ମାଡ୍ରାସ (ବର୍ତ୍ତମାନର ଚ଼େନ୍ନାଇ) ଓ ବମ୍ୱେ (ବର୍ତ୍ତମାନର ମୁମ୍ୱାଇ)ରେ ନୃତ୍ୟ ଶିକ୍ଷା କରିଥିଲେ । କଟକର କଳା ବିକାଶ କେନ୍ଦ୍ରରେ ଗୁରୁ କେଳୁ ଚ଼ରଣ ମହାପାତ୍ରଙ୍କ ଅଧୀନରେ ଓଡ଼ିଶୀ, ମାଡ୍ରାସର କଳା କ୍ଷେତ୍ରରେ ରୁକ୍ମିଣୀ ଦେବୀ ଆରୁଣ୍ଡେଲଙ୍କ ଅଧୀନରେ ଭାରତନାଟ୍ୟମ ଓ କଥାକଳି ଏବଂ ବମ୍ୱେରେ ଗୁରୁ ହଜାରିଲାଲଙ୍କ ଅଧୀନରେ କଥକ ନୃତ୍ୟ ଶିକ୍ଷା ଲାଭ ସୁଯୋଗ ମିଳିଥିଲା ।
 
ମୁମ୍ୱାଇରେ କଥକ ନୃତ୍ୟ ଶିକ୍ଷା କାଳରେ ଓଡ଼ିଆ ଗାୟକ ରଘୁନାଥ ପାଣିଗ୍ରାହୀଙ୍କ ସାନ୍ନିଧ୍ୟରେ ଆସିଥିଲେ । ସେହି ସମୟରେ ରଘୁନାଥ ମାଡ୍ରାସ ଚଳଚ଼ିତ୍ର ଜଗତରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ସୁନାମ ଅର୍ଜନ କରିସାରିଥିଲେ । ଦିହେଁ ପ୍ରଣୟସୂତ୍ରରେ ଆବଦ୍ଧ ହୋଇ ୧୯୬୦ରେ ମୁମ୍ୱାଇଠାରେ ବିବାହ କରିଥିଲେ । ସେତେବେଳକୁ ସଂଯୁକ୍ତାଙ୍କ ବୟସ ପନ୍ଦର ଓ ରଘୁନାଥଙ୍କ ବୟସ ପଚ଼ିଶି ।
 
ବିବାହପରେ କିଛି କାଳ ଶ୍ୱଶୁରାଳୟ ଗୁଣପୁରରେ ଅତିବାହିତ କରି ସଂଯୁକ୍ତା ଓ ରଘୁନାଥ ବମ୍ୱେ ଓ ମାଡ୍ରାସରେ ବୃତ୍ତିଗତ ଜୀବନ ପ୍ରତିଷ୍ଠା ଉଦ୍ୟମ କରିବା ପରେ ଭୁବେଶ୍ୱରଠାରେ ନୂତନଭାବେ ପ୍ରତିଷ୍ଠିତ ସଙ୍ଗୀତ ବିଦ୍ୟାଳୟରେ ସଂଯୁକ୍ତା ଅଧ୍ୟାପିକା ଭାବେ ଯୋଗଦେଲେ । ଏଣିକି ସଂଯୁକ୍ତା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଓ ରଘୁନାଥ ଓଡ଼ିଶୀ ସଙ୍ଗୀତ ଗାୟନରେ ମନୋନିବେଶ କଲେ । ମୋଟାମୋଟିଭାବେ ୧୯୬୬ରୁ ୧୯୯୬ ଯାଏଁ ତିନି ଦଶନ୍ଧି ଧରି ଓଡ଼ିଶୀ ନୃତ୍ୟ ଓ ସଂଗୀତରେ ସାଧନା ସଂଯୁକ୍ତା ଓ ରଘୁନାଥଙ୍କୁ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇପାରିଥିଲା । ସଂଯୁକ୍ତାଙ୍କ ଉଦାହରଣ ଓଡ଼ିଆ ପରିବାରର କନ୍ୟାମାନଙ୍କୁ ଓଡ଼ିଶୀ ନୃତ୍ୟ ଅଭ୍ୟାସ ଦିଗରେ ପ୍ରୋତ୍ସାହିତ କରିଥିଲା ଏବଂ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଆ ସଂସ୍କୃତିର ଏକ ପରିଚ଼ିତି ଭାବେ ଉପସ୍ଥାପନରେ ସହାୟକ ହୋଇଥିଲା । ସଂଯୁକ୍ତା ୧୯୯୬ରେ ଆଣ୍ଠୁବିନ୍ଧା ବାତ, କର୍କଟ ଭଳି ଅସାଧ୍ୟ ରୋଗାକ୍ରାନ୍ତ ହୋଇ ବର୍ଷକ ମଧ୍ୟରେ ୧୯୯୭ରେ ମାତ୍ର ୫୩ ବର୍ଷରେ ପ୍ରାଣତ୍ୟାଗ କରିଥିଲେ । ବୃତ୍ତିଗତ ଜୀବନରେ ସଂଯୁକ୍ତାଙ୍କ ବ୍ରହ୍ମପୁର ସହରର ସହ ସେପରି କିଛି ସଂପର୍କ ନଥିଲେ ସୁଦ୍ଧା ସେ ଯେ ଏଠି ଜନ୍ମ ନେଇଥିଲେ ଏବଂ ଏଠାକାର ସାମାଜିକ ପରିବେଶ ତାଙ୍କୁ ଶୈଶବରେ ନୃତ୍ୟ ଶିକ୍ଷା ଦିଗରେ ପ୍ରୋତ୍ସାହିତ କରିଥିଲା, ଏହା ସ୍ୱୀକାର୍ଯ୍ୟ ।

Image by Erika Varga from Pixabay


No comments:

Post a Comment