Friday, April 21, 2017

Thanks Giving carnival / କୃତଜ୍ଞତାଜ୍ଞାପନର ପର୍ବ

ହିନ୍ଦୁ ଧର୍ମାବଲମ୍ବୀମାନେ ଦେବଦେବୀଙ୍କଠାରେ କୃତଜ୍ଞତାଜ୍ଞାପନ ପାଇଁ ବିଭିନ୍ନ ତୀର୍ଥ ଭ୍ରମଣ ତଥା ଧାର୍ମିକ ଉତ୍ସବରେ ଅଂଶ ଗ୍ରହଣ କରିଥାନ୍ତି l ସାଧାରଣ ଜୀବନଯାତ୍ରାରେ ଝଡ଼ଝଞ୍ଜାର ସମ୍ମୁଖୀନ ହେବାବେଳେ ଅନେକେ ଦେବଦେବୀଙ୍କ କୃପା ଲାଭଲାଗି ପ୍ରାର୍ଥନା କରି ଶରଣାପନ୍ନ ହୋଇଥାନ୍ତି l ସମୟାନ୍ତେ ସ୍ଥିତାବସ୍ଥାକୁ ଫେରିବା ପରେ ବିଭିନ୍ନ ଧାର୍ମିକ ପର୍ବପର୍ବାଣୀରେ ଅଂଶ ଗ୍ରହଣ କରି କୃତଜ୍ଞତା ଜ୍ଞାପନ ମଧ୍ୟ କରିଥାନ୍ତି l ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏକ ଲୋକମହୋତ୍ସବ ଭାବେ ଗଢ଼ି ଉଠିଥିବାସ୍ଥଳେ ମୁଖ୍ୟତଃ ଘଟ ଶୋଭାଯାତ୍ରାରେ ଅଂଶଗ୍ରହଣ ତଥା ମାନସିକ ବେଶ ଧାରଣକୁ ବିଚାରକୁ ନେଲେ ଏହାକୁ ଏକ କୃତଜ୍ଞତା ଜ୍ଞାପନର ପର୍ବ ରୂପେ ବିବେଚନା କରାଯାଇପାରେ l
ଠାକୁରାଣୀ ଯାତ୍ରାରେ ବେଶ ଧାରଣ ପାଇଁ ଜଣେ ନିଜେ ମାନସିକ କରିପାରେ କିମ୍ବା ଅନ୍ୟ ଜଣକ ପାଇଁ ମଧ୍ୟ ମାନସିକ କରାଯାଇ ପାରେ l ବୟସ୍କ ପୁରୁଷମାନେ ନିଜେ ମାନସିକ କରୁଥିବା ବେଳେ କମ ବୟସର ବାଳକମାନଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା ବା ପରିବାରର ଗୁରୁଜନମାନେ ମାନସିକ କରିଥାନ୍ତି l ପାରମ୍ପରିକଭାବେ ଗଞ୍ଜାମ ଜିଲ୍ଲାରେ ଶକ୍ତିପୂଜା ବହୁଳଭାବେ ପ୍ରଚଳିତ ଏବଂ ବ୍ରହ୍ମପୁରରେ ବଡ ଠାକୁରାଣୀ ଅଧିଷ୍ଠାତ୍ରୀ ଦେବୀରୂପେ ପୂଜିତ l ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୪୦ରୁ ଅଧିକ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ହେତୁ ଏହି ଭଳି ଏକ ଧାର୍ମିକ ମହୋତ୍ସବରେ ବେଶ ଧାରଣଲାଗି ମାନସିକ କରିବା ଧାରା ଲୋକଆଦୃତ ହୋଇପାରିଛି l ବେଶଧାରଣ କେବଳ ପୁରୁଷମାନଙ୍କ କ୍ଷେତ୍ରରେ, ମୁଖ୍ୟତଃ ବାଳକଙ୍କଠାରୁ ଯୁବକଙ୍କ ମଧ୍ୟରେ ସୀମିତ ଥିବାବେଳେ ମହିଳାମାନେ ଘଟଧାରଣ ଲାଗି ମାନସିକ କରିଥାନ୍ତି l ପୁରୁଣା ବ୍ରହ୍ମପୁରର ଅନେକ ପରିବାରରେ ଏହା ଏକ ପରମ୍ପରା ରୂପେ ପ୍ରବର୍ତ୍ତି ହୋଇଆସିଛି l
ଠାକୁରାଣୀ ଯାତ୍ରା ଆୟୋଜନରେ ବିଭିନ୍ନ ନୀତି ରୂପାୟନ ଲାଗି କେତେକ ନିର୍ଦ୍ଦିଷ୍ଟ ପରିବାର ପୁରୁଷାନୁକ୍ରମିକ ଭାବେ ସେବା ଯୋଗାଇ ଆସୁଥିବା ଲକ୍ଷ୍ୟ କରାଯାଇପାରେ l ଯାତ୍ରା ଆୟୋଜନ ନିମନ୍ତେ ନିଷ୍ପତି ଗ୍ରହଣ ପରେ ଶୁଭଖୁଣ୍ଟି ସ୍ଥାପନଠାରୁ ଆରମ୍ଭ କରି, ଅସ୍ଥାୟୀ ମଣ୍ଡପ ନିର୍ମାଣ, ଗୋବର ଲେପନ ଓ ଝୋଟି ଦିଆ, ଘଟ ନିର୍ମାଣ, ଘଟ ଚିତ୍ରଣ, ଫୁଲ ସଂଗ୍ରହ, ବାଉଁଶ ଚାଙ୍ଗୁଡ଼ି ପ୍ରଦାନ, ଛାମୁଣ୍ଡିଆ ନିର୍ମାଣ, ଘଟ ପରିକ୍ରମାରେ ସୁରକ୍ଷା ଏବଂ ପୂଜା ପଦ୍ଧତି ପରିଚାଳନା ଲାଗି ବଂଶାନୁକ୍ରମିକଭାବେ କାର୍ଯ୍ୟ କରି ଆସୁଛନ୍ତି l
ଦ୍ୱି-ବାର୍ଷିକ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ଦେଶୀବେହେରା ନିଜ କୁଳର ସେନାପତି ଓ ସର୍ବସାଧାରଣଙ୍କ ସମ୍ମତି ହାସଲ କରିବାପରେ ବଡ ଠାକୁରାଣୀଙ୍କଠାରୁ ଆଜ୍ଞା ପାଇ ଶୁଭଖୁଣ୍ଟ ସ୍ଥାପନ ମାଧ୍ୟମରେ ଯାତ୍ରା ତିଥି ଘୋଷଣା କରିଥାନ୍ତି l ଶୁଭଖୁଣ୍ଟ ପ୍ରସ୍ତୁତି ନିମନ୍ତେ ବାଉଁଶ ଆଗାସାହୀସ୍ଥିତ ପୃଷ୍ଟି ବଂଶ ପୁରୁଣା ବାଉରି ସାହୀରୁ କାଟି ଆଣିଥାନ୍ତି l ପୃଷ୍ଟି ପରିବାରଙ୍କ କୌଳିକ ବୃତ୍ତି ତୁଳାଭିଣା l ସେ ବାଉଁଶ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ଗେରୁ ଲିପି ଚନ୍ଦନ, ସିନ୍ଦୁର ଲଗାଇ ଦେଶୀବେହେରାଙ୍କ ଘର ସାମନାରେ ଆୟୋଜିତ ସଭାସ୍ଥଳକୁ ଆଣିଥାନ୍ତି l ଏହି ଶୁଭଖୁଣ୍ଟ ଶୋଭାଯାତ୍ରାରେ ବଡ ଠାକୁରାଣୀ ମନ୍ଦିରକୁ ନିଆଯାଇ ଆଜ୍ଞାମାଳ ସହ ଫେରିବା ପରେ ଅସ୍ଥାୟୀ ମଣ୍ଡପ ନିର୍ମାଣସ୍ଥଳରେ ସ୍ଥାପନ କରାଯାଇଥାଏ l
ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ପାଇଁ ଜଣେ କୌଳିକ ମହାରଣା ସ୍ୱତଃପ୍ରବୃତଭାବେ ସେବା ଯୋଗାଉଥିବା ବେଳେ ପାରମ୍ପରିକଭାବେ ଶଙ୍କରପୁର ସାହୀର ବାଉରି ସଂପ୍ରଦାୟର ଅବିବାହିତ କନ୍ୟା ଓ ମହିଳାମାନେ ଅସ୍ଥାୟୀ ମଣ୍ଡପରେ ଗୋବର ଲିପା ଓ ଝୋଟି ଦିଆ କାର୍ଯ୍ୟ ସମାପନ କରିଥାନ୍ତି l ଅସ୍ଥାୟୀ ମଣ୍ଡପ କଞ୍ଚା ବାଉଁଶ ଓ ନଡ଼ାରେ ନିର୍ମିତ ହେବା ବେଳେ ଝୋଟି ପାଇଁ ଧଳା ଖଡି ପାଣିରେ ଘୋରି ପିଠଉ ତିଆରି କରାଯିବା ନୀତି ରହିଛି l ଠାକୁରାଣୀଙ୍କୁ ନିମନ୍ତ୍ରଣ କରିବାପାଇଁ ଫୁଲସୁନ୍ଦରୀ ସାହୀରୁ ଫୁଲ ଚାଙ୍ଗୁଡି ଅଣାଯାଉଥିବା ବେଳେ ଷଣ୍ଢ ମହାନ୍ତି ସାହୀରେ ବସବାସ କରୁଥିବା ଅନ୍ୟଏକ ରାଉଳ ପରିବାର ଇଟାମଲ୍ଲୀ ଫୁଲ ହାର ଯୋଗାଇଥାନ୍ତି l
ବଡ ବଜାରରେ ଆୟୋଜିତ ଠାକୁରାଣୀ ଯାତ୍ରା ପାଇଁ ଅନ୍ୟୂନ ସାତ କିଲୋମିଟର ଦୂରବର୍ତ୍ତୀ ଲାଞ୍ଜିପଲ୍ଲୀର କୁମ୍ଭାରମାନେ ଘଟ ନିର୍ମାଣ କରି ଆସୁଛନ୍ତି l ଶୁଭ ତିଥି ଚୟନ କରି କୁମ୍ଭାରମାନେ ଘଟ ତିଆରି କାମ ଆରମ୍ଭ କରିଥାନ୍ତି l ମଧ୍ୟରାତ୍ରୀରେ କୁମ୍ଭାର ପରିବାରର ଜଣେ ପୁରୁଷ ସଦସ୍ୟ ମୃତିକା ପୂଜା କରି ଏକ ନିର୍ଦ୍ଦିଷ୍ଟସ୍ଥାନରୁ କାଠରେ ତାଡି ମାଟି ସଂଗ୍ରହ କରିଥାନ୍ତି l ମାଟି ହାଣ୍ଡି ନିର୍ମାଣ ପରେ ତାହାକୁ ଯେଉଁ ସ୍ଥାନରେ ପୋଡ଼ା ଯାଇଥାଏ ତାହାକୁ ପୋତି ଦିଆଯାଏ l ଅପର ପକ୍ଷେ ଯାତ୍ରାର ଶେଷ ଦିବସରେ ସାଧାରଣ ମହିଳାମାନେ ମଣ୍ଡନ କରୁଥିବା ଘଟ ଲାଠୀ ଓ ଚିକରଡା ଗ୍ରାମର କୁମ୍ଭକାରମାନଙ୍କ ଦ୍ୱାରା ନିର୍ମିତ ହୋଇଥାଏ l ଲାଞ୍ଜିପଲ୍ଲୀର କୁମ୍ଭକାରମାନେ ଦେଶୀବେହେରାଙ୍କ ଘରେ ଘଟ ଯୋଗାଇ ଦେବା ପରେ ମୁଖ୍ୟ ଘଟ ସହ ଆଠଗୋଟି ପାର୍ଶ୍ୱଘଟକୁ ଆଇନାବନ୍ଧ ସାହୀର ଏକ ପରିବାରର ମହିଳାମାନେ ଚିତ୍ରିତ କରିଥାନ୍ତି l ଘଟରେ ବ୍ୟବହୃତ ଟାହିଆ ଶଙ୍କରପୁର ସାହୀର ମେଦିରିମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ l ସେହିପରି ଠାକୁରାଣୀଙ୍କୁ ନିମନ୍ତ୍ରଣ ଶୋଭାଯାତ୍ରାରେ ପାଣ୍ଡବ ନଗରର ବାଦ୍ୟକାର ଓ ଷଣ୍ଢ ମହାନ୍ତି ସାହୀର ବୀରକାହାଳି ବାଦକ ସାମିଲ ହୋଇ ଆସୁଛନ୍ତି l ଘଟ ପରିକ୍ରମା କାଳରେ ମୁଖ୍ୟଘଟ ପାର୍ଶ୍ୱରେ ଦଳେଇ ବଂଶଜ ସାହାୟତା ପ୍ରଦାନର ପରମ୍ପରା ରହିଛି l ସେମାନେ ପ୍ରସାଦ ବିତରଣ ଓ ଅସ୍ଥାୟୀ ମଣ୍ଡପରେ ପରିଚ୍ଛନ୍ନତା ଇତ୍ୟାଦି କାର୍ଯ୍ୟ ମଧ୍ୟ ତତ୍ୱାବଧାନ କରିଥାନ୍ତି l ଯାତ୍ରା ପାଇଁ ଛାମୁଣ୍ଡିଆ ନିର୍ମାଣ କାମର ଦାୟିତ୍ୱ ପ୍ରତିବର୍ଷ ଦେଶୀବେହେରା ସାହୀ ବ୍ୟବସାୟୀ ସଂଘ, ଦେଶୀବେହେରା ସାହୀ ପଟ୍ଟା ରିକ୍ସା ସଂଘ, ତ୍ରିନାଥ ଠାକୁର ପଟ୍ଟା ରିକ୍ସା ସଂଘ, ନଡିଆ ଗୋର୍ଜୀ ବ୍ୟବସାୟୀ ସଂଘ ପ୍ରମୁଖ ଗ୍ରହଣ କରିଥାନ୍ତି l ଠାକୁରାଣୀ ଯାତ୍ରାରେ ଭୋଗ ରୂପେ ପ୍ରସିଦ୍ଧ ଗଜା ମୁଆଁ ପୁରୁଣା ବ୍ରହ୍ମପୁରର ଗୁଡିଆ ସଂପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ବିକ୍ରୀ କରାଯାଇଥାଏ l
ଠାକୁରାଣୀ ଯାତ୍ରା ଆୟୋଜନ କାଳରେ ଦେଶୀବେହେରାଙ୍କ ପକ୍ଷରୁ ବିଭିନ୍ନ ସେବା ପ୍ରଦାନକାରୀ ପରିବାର ଓ ସଂପ୍ରଦାୟଙ୍କୁ ଯାତ୍ରାରେ ଯୋଗଦାନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରମ୍ପରା ରହିଛି l ଏହିପରି ସାମୂହିକ ଉଦ୍ୟମ ହେତୁ ଯାତ୍ରା ପରିଚାଳନା ସମ୍ଭବପର ହୋଇଥାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୯ ଏପ୍ରିଲ ୨୦୧୭

Thursday, April 20, 2017

Tradition of Thakurani Jatra in Berhampur / ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଐତିହ୍ୟ

#ବ୍ରହ୍ମପୁର ସହରର ପାରମ୍ପରିକ ଠାକୁରାଣୀ ଯାତ୍ରା ସମଗ୍ର ଦକ୍ଷିଣ ଓଡ଼ିଶା ଓ ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶରେ ପ୍ରସିଦ୍ଧ l ପ୍ରତି ବର୍ଷକ ଅନ୍ତରରେ ଥରେ ଚୈତ୍ର ଓ ବୈଶାଖ ମାସରେ ପାଳିତ ହେଉଥିବା ଏହି ଯାତ୍ରା ସହରର ସାମାଜିକ, ସାଂସ୍କୃତିକ ତଥା ଅର୍ଥନୀତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥାଏ l ବ୍ରହ୍ମପୁର ସହରର ଅଧିଷ୍ଠାତ୍ରୀଦେବୀ ବଡ଼ଠାକୁରାଣୀଙ୍କ ଏହି ଯାତ୍ରା ମହୋତ୍ସବ ପାଳନ ଅବସରରେ ଗ୍ରାମାଞ୍ଚଳରୁ ଅଗଣିତ ଦର୍ଶନାଭିଳାଷୀ ଆକର୍ଷିତ ହୋଇଥାନ୍ତି l
ଠାକୁରାଣୀ ଯାତ୍ରା କେଉଁ ସମୟରୁ ଆରମ୍ଭ ହୋଇଛି ସେ ସମ୍ପର୍କରେ ନିର୍ଦ୍ଧିଷ୍ଟ ପ୍ରାମାଣିକ ତଥ୍ୟ ଉପଲବ୍ଧ ନଥିଲେ ହେଁ କିମ୍ୱଦନ୍ତୀକୁ ପାଥେୟ କରି ଏ ସମ୍ପର୍କରେ ଆଲୋଚନା କରାଯାଇପାରେ l ଠାକୁରାଣୀ ଯାତ୍ରା ସହ ଆଜି ସୁଦ୍ଧା ଦେବାଙ୍ଗ ବା ଡ଼େରା ବୁଣାକାର ସଂପ୍ରଦାୟ ଓ ମହୁରି ରାଜପରିବାରଙ୍କ ସଂଶ୍ଲିଷ୍ଟତାକୁ ବିଚାରକୁ ନେଇ ମହୁରି ରାଜାଙ୍କ ରାଜମହେନ୍ଦ୍ରୀ ଭ୍ରମଣ କିମ୍ୱଦନ୍ତୀକୁ ପ୍ରାଧାନ୍ୟ ଦିଆଯାଇପାରେ l
କୁହାଯାଏ ଯେ, ମହୁରି ରାଜା ହରିହର ନରେନ୍ଦ୍ର ଦେବ ଏକଦା ଦାକ୍ଷିଣାତ୍ୟ ରାଜମହେନ୍ଦ୍ରୀ ଭ୍ରମଣରେ ଯାଇଥିଲେ ଏବଂ ସେଠାକାର ବୁଣାକାରମାନଙ୍କ ଶିଳ୍ପଚାତୁର୍ଯ୍ୟରେ ମୁଗ୍ଧ ହୋଇଥିଲେ l ରାଜାଙ୍କ ସହ ପରିଚିତ ହେବା ପରେ ରାଜକୃପା ଲାଭ କରି ରାଜମହେନ୍ଦ୍ରୀରୁ କେତେକ ବୁଣାକାର ମହୁରି ରାଜ୍ୟକୁ ଆସି ନୂଆ କରି ଗଢ଼ି ଉଠିଥିବା ମହୁରି ରାଜବାଟୀ ନିକଟରେ ବସତି ସ୍ଥାପନ କରିଥିଲେ l ବଂଶାନୁକ୍ରମିକଭାବେ ସେହିମାନେ ହିଁ ଆଜିକାର ଡ଼େରା ବୁଣାକାର ସଂପ୍ରଦାୟରୂପେ ପରିଚିତ l
ବୁଣାକାର ସଂପ୍ରଦାୟଙ୍କ ମହୁରି ରାଜ୍ୟକୁ ଆଗମନ ଓ ବ୍ୟବସାୟ ଆରମ୍ଭ ପରେ ପରେ ସେମାନେ ଘଟପୂଜା ପଦ୍ଧତି ଏଠାରେ ପ୍ରଚଳନ କରିଥିଲେ l ‘ଡ଼େରାମାନଙ୍କ ପାଟମଠା ବସ୍ତ୍ରର ଖ୍ୟାତି ବଢ଼ିଚାଲିଲା ଏବଂ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ଖୁବ୍ ସ୍ୱଚ୍ଛଳ ହେଲେ l ବ୍ୟାବସାୟିକ ତଥା ଆର୍ଥିକ ସଫଳତା ଆଡ଼ମ୍ବରପୂର୍ଣ୍ଣ ଓ ବ୍ୟୟବହୁଳ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ପ୍ରଶସ୍ତ କ୍ଷେତ୍ର ଯୋଗାଉଥିଲା ବୋଲି ବିଶ୍ୱାସ କରାଯାଇପାରେ l
ତତ୍ ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବ୍ୟାବସାୟିକ କ୍ଷେତ୍ରରେ କୁମୁଟି ବୈଶ୍ୟ ସଂପ୍ରଦାୟଙ୍କ ପ୍ରାଧାନ୍ୟତା ଅନୁଭବ ହୋଇଥିଲା ଏବଂ ସେମାନଙ୍କପକ୍ଷରୁ ମଧ୍ୟ ଠାକୁରାଣୀ ଯାତ୍ରା ଆୟୋଜନ ପାଇଁ ସହଯୋଗ ଜାରୀ ରହିଥିଲା l ତେବେ ମୂଳତଃ ଧାର୍ମିକ ତଥା ପାରମ୍ପରିକ ଧାରାକୁ ବାଦ ଦେଇ ବିଶ୍ଲେଷଣ କଲେ ଫସଲ ଆମଦାନୀପର ଗ୍ରୀଷ୍ମଋତୁରେ ଏଭଳି ଏକ ଯାତ୍ରା ଆୟୋଜନ ଫଳରେ ଗ୍ରାମାଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ବଜାର ପ୍ରତି ଆକୃଷ୍ଟ ହେବା ଏବଂ ବ୍ୟବସାୟୀଗଣ ଏଥିରୁ ବ୍ୟାବସାୟିକ ଫାଇଦା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ଉଦ୍ୟମରେ ଯାକଜମକରେ ଯାତ୍ରା ପାଳନ ଲାଗି ପୃଷ୍ଠପୋଷକତା ଯୋଗାଇଥିବା ସ୍ପଷ୍ଟ ବାରି ହୁଏ l
ଭାରତବର୍ଷରେ ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍ କାଳରେ ଦେଶରେ ସର୍ବତ୍ର ଏଭଳି ଧାର୍ମିକ ମେଳନଗୁଡ଼ିକୁ ବ୍ୟାବସାୟିକ ଉନ୍ନତି ପାଇଁ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରାଯାଉଥିଲା l ଅତୀତରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଏହି ଅଞ୍ଚଳର ଜନସମାଗମ ପାଇଁ ଏକ ବିଶିଷ୍ଟ ଉତ୍ସବ ରୂପେ ବିବେଚିତ ହେଉଥିବା ଯୋଗୁ ସ୍ଥାନୀୟ ବ୍ୟାବସାୟିକ ଆଭିବୃଦ୍ଧି ନିମନ୍ତେ ଏକ ମୁଖ୍ୟ ଆକର୍ଷଣ ପାଲଟିଥିବା ଲକ୍ଷ୍ୟ କରାଯାଇପାରେ l
୧୯୩୬ରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକ ନିମନ୍ତେ ପ୍ରଶାସନିକ ମହକୁମା ତଥା ୧୯୧୮ରେ ବ୍ରହ୍ମପୁର ରେଳଷ୍ଟେସନ କାର୍ଯ୍ୟକ୍ଷମପରେ ଏହା ଏକ ବ୍ୟାବସାୟିକ କେନ୍ଦ୍ରରୂପେ ଗଢ଼ି ଉଠିବା ଅବସରରେ ସହରର ଜନସଂଖ୍ୟା ବୃଦ୍ଧି ପାଇଥିଲା l ଅପରପକ୍ଷରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ସମାଜରେ ଆର୍ଥିକ ସ୍ୱଚ୍ଛଳତା ଆଡ଼ମ୍ୱର ସହକାରେ ଉତ୍ସବଅନୁଷ୍ଠାନ ପାଳନ ନିମନ୍ତେ କ୍ରମଶଃ ସୁଯୋଗ ସୃଷ୍ଟି କରିଥିଲା l ଏହିସବୁ କାରଣ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଯାକଜମକରେ ଆୟୋଜନ ନିମନ୍ତେ ପରିବେଶ ସୃଷ୍ଟି କରିଥିବା ଜଣାଯାଏ l


ସମ୍ବାଦ (ବ୍ରହ୍ମପୁର ସଂସ୍କରଣ) ୧୦ ଏପ୍ରିଲ ୨୦୧୭

Friday, October 7, 2016

Berhampur Durga Puja in the pages of history / ଇତିହାସରେ ବ୍ରହ୍ମପୁର ଦୁର୍ଗାପୂଜା

ବ୍ରହ୍ମପୁରରେ ସାର୍ବଜନୀନ ଦୁର୍ଗା ପୂଜା ସହରର ପାର୍ବଣ ପଞ୍ଜିକାର ଅନ୍ୟତମ ଆକର୍ଷଣ l ଠାକୁରାଣୀ ଯାତ୍ରା ଓ ଗଣେଶ ପୂଜା ସାଙ୍ଗକୁ ଦଶହରା ପୂଜା ଏଠାରେ ସାମୂହିକ ଉଦ୍ୟମରେ ଜାକଜମକରେ ପାଳିତ ହୋଇଥାଏ l କାଳୀ, ଲକ୍ଷ୍ମୀ, ସରସ୍ୱତୀ ଓ ବିଶ୍ୱକର୍ମା ପୂଜା ତଥା ଗହ୍ମା ଡ଼ିଆଁ, ଭୋଗି ଧୂନୀ ଇତ୍ୟାଦି ଅଞ୍ଚଳଭିତ୍ତିକ ବା ଗୋଷ୍ଠୀ ମଧ୍ୟରେ ସୀମିତ ରହିଥାଏ l
          ଏଠାକାର ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ତୁଳନାତ୍ମକ ଭାବେ ନିକଟ ଅତୀତର ପରମ୍ପରା l କୋଲକତାରୁ କଟକ ମଧ୍ୟ ଦେଇ ଏହିଭଳି ଏକ ସାମୂହିକ ପୂଜା ଅର୍ଚ୍ଚନା ପ୍ରଥା ଆମ ସହରରେ ଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ଲୋକପ୍ରିୟ ହୋଇଥିଲା l ଅବଶ୍ୟ ଏଥିପୂର୍ବରୁ ବଙ୍ଗଭାଷାଭାଷୀଙ୍କ ଦ୍ୱାରା ଦୁର୍ଗାପୂଜା ଆୟୋଜନର ପରମ୍ପରା ରହିଥିଲା l 1934 ମସିହାରୁ ବିଧିବଦ୍ଧଭାବେ ଆଦି ଦୁର୍ଗାପୂଜା ସମିତିଆନୁକୂଲ୍ୟରେ ବଙ୍ଗଭାଷୀଙ୍କ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଛି l
          ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ବେଙ୍ଗାଲ ନାଗପୁର ରେଳୱେ କମ୍ପାନୀରେ ସଂଖ୍ୟାଧିକ ବଙ୍ଗଳା କର୍ମଚାରୀ କାର୍ଯ୍ୟକରୁଥିବା ଅବସରରେ ବ୍ରହ୍ମପୁର ରେଳଷ୍ଟେସନରେ ମଧ୍ୟ କିଛି ଅବସ୍ଥାପିତ ହୋଇଥାନ୍ତି l ସେମାନଙ୍କ ଉଦ୍ୟମରେ ବଙ୍ଗଳାର ପ୍ରସିଦ୍ଧ ଶାରଦୀୟ ପର୍ବ ସାର୍ବଜନୀନ ଦୁର୍ଗାପୂଜା ପ୍ରଥମ ପାଞ୍ଚବର୍ଷ ଧରି ସ୍ଥାନୀୟ ରେଳୱେ ଇନଷ୍ଟିଟିଉଟରେ ଆୟୋଜନ କରାଯାଇଥିବା ଜଣାଯାଏ l ସ୍ୱାଧୀନତା ପ୍ରାପ୍ତି ଅବସରରେ ଦେଶ ବିଭାଜନ କାଳରେ ବହୁ ବଙ୍ଗଭାଷୀ ପରିବାର ତତ୍ କାଳୀନ ପୂର୍ବ-ପାକିସ୍ଥାନ ବା ଆଜିର ବଙ୍ଗଳାଦେଶରୁ ଆସି ବ୍ରହ୍ମପୁରରେ ବସବାସ ଆରମ୍ଭ କରିଥିଲେ l ଫଳତଃ ସହରରେ ବଙ୍ଗଭାଷୀଙ୍କ ସଂଖ୍ୟା ବଢ଼ିଥିଲା ଏବଂ ପୂଜା ଆୟୋଜନ ପରିବ୍ୟାପ୍ତ ହୋଇଥିଲା l
          ସହରର ପ୍ରାଚ଼ୀନତମ ଦୁର୍ଗାମେଢ଼ମାନଙ୍କ ମଧ୍ୟରେ ସାନବଜାର-ହନୁମାନବଜାର ଦୁର୍ଗାପୂଜା ଅନ୍ୟତମ l ସ୍ୱାଧୀନୋତ୍ତର ଅବସ୍ଥାରେ ସେ ଅଞ୍ଚଳରେ କୁଆଡ଼େ ପ୍ରବଳ ମାତ୍ରାରେ ଜୁଆଖେଳ ଚାଲିଥାଏ l ମଫସଲ ଅଞ୍ଚଳରୁ କିଣାବିକା ଉଦ୍ଦେଶ୍ୟରେ ସହରରେ ଆସି ପହଞ୍ଚୁଥିବା ଗାଉଁଳି ଲୋକେ ଏଠାକାର ତିନିପତ୍ତା ହାତସଫେଇ ତାସଖେଳରେ ସର୍ବସ୍ୱାନ୍ତ ହୋଇ ଗ୍ରାମକୁ ଫେରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥାଏ l ଏଭଳି ଜୁଆଖେଳରେ ଗରାଖମାନେ ଶିକାର ହେଉଥିବା ହେତୁ ସ୍ଥାନୀୟ ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିଲା ଏବଂ ବ୍ୟବସାୟୀମାନେ ସାନବଜାର ଅଞ୍ଚଳରୁ ଜୁଆଖେଳକୁ ମୂଳପୋଚ୍ଛ କରିବା ନିମନ୍ତେ ସଂଗଠିତ ହୋଇପଡ଼ିଥିଲେ l ଏହି ଅଞ୍ଚଳର ପ୍ରତ୍ୟେକ ବ୍ୟବସାୟୀ ଦୈନିକ ଦଶ ପଇସା ହିସାବରେ ଚାନ୍ଦା ସଂଗ୍ରହ କରି ଜୁଆଖେଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ l ତେବେ ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନିକ ତତ୍ପରତା ହେତୁ ଜୁଆଖେଳ ଆପତତଃ ବନ୍ଦ ହୋଇଯିବା ଫଳରେ ଗଚ୍ଛିତ ଚାନ୍ଦାର ସଦ୍ ବିନିଯୋଗ କରିବା ନିମନ୍ତେ ସାନବଜାର ହନୁମାନ ବଜାର ଛକରେ 1956 ମସିହାରୁ ସାମୂହିକ ଦୁର୍ଗାପୂଜାର ପରିକଳ୍ପନା କରାଯାଇଥିଲା l

          #ବ୍ରହ୍ମପୁର ସହରରେ ଗତବର୍ଷ 2015ରେ 38 ଗୋଟି ସାମୂହିକ ଦୁର୍ଗପୂଜା ଅନୁଷ୍ଠିତ ହୋଇଥିଲା l ମୁଖ୍ୟତଃ ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଓ ଯୁବକ ସଂଘଗୁଡ଼ିକ ତତ୍ତ୍ୱାବଧାନରେ ଦୁର୍ଗାମେଢ଼ ଆୟୋଜନ କରାଯାଇଥାଏ l ଭିନ୍ନଭିନ୍ନ ଅଞ୍ଚଳର ଦୁର୍ଗାପୂଜାକୁ ନେଇ ବିଭିନ୍ନ ଘଟଣା ଯୋଡ଼ି ହୋଇ ରହିଥାଏ l

          ଇଞ୍ଜିନିଅରିଂ ସ୍କୁଲ ଛକରେ 1965 ମସିହାରୁ ମାଜୟଦୁର୍ଗା ନବରାତ୍ର ପୂଜା ଅବସରରେ ପ୍ରତିପଦା ତିଥି ପୂର୍ବାହ୍ନରେ ମନ୍ଦିରରୁ ଆସି ଅସ୍ଥାୟୀ ମଣ୍ଡପରେ ପୂଜିତ ହୋଇଥାନ୍ତି l ଦଶହରା ପୂଜା ଶେଷ ରାତିରେ ଦେବୀ ସାହୀ ପରିକ୍ରମା କରି ମନ୍ଦିର ଫେରନ୍ତି l ଏଠାକାର ପୂଜା ପଦ୍ଧତି ନିଆରା l ପ୍ରତିବର୍ଷ ତୋରଣ ନିର୍ମିତ ହୁଏ, ତେବେ ମୃଣ୍ମୟ ମୂର୍ତ୍ତି ଗଠନ ହୁଏନାହିଁ l କୁହାଯାଏ ଯେ ସହରର ତତ୍ କାଳୀନ ପ୍ରବେଶ ପଥ ଇଞ୍ଜିନିୟରିଂ ସ୍କୁଲ ଛକରେ ବାରମ୍ୱାର ମୋଟର ଦୁର୍ଘଟଣା ଘଟୁଥିଲା l ତେବେ ସେଠାରେ ମନ୍ଦିର ନିର୍ମିତ ହେବା ପରେ ଦୁର୍ଘଟଣାର ହାର କମିଗଲା l ମନ୍ଦିର ପ୍ରତିଷ୍ଠା ସମୟରୁ ଦଶହରା ଉତ୍ସବ ଆୟୋଜିତ ହୋଇଚାଲିଛି l
ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 3 ଅକ୍ଟୋବର 2016

Sunday, August 28, 2016

No protest for rise in city bus fare / ସିଟିବସ ଭଡ଼ା ବୃଦ୍ଧିର ବିରୋଧ ନାହିଁ

ମକାଳୀନ #ବ୍ରହ୍ମପୁର ମୌଳିକ ପୌରସେବାଗୁଡ଼ିକ ମଧ୍ୟରେ ସହରତଳି ଅଞ୍ଚଳଗୁଡ଼ିକସହ ସିଟିବସ ସଂଯୋଗସ୍ଥାପନ ଉଲ୍ଲେଖଯୋଗ୍ୟ ବିଷୟ | ବ୍ରହ୍ମପୁର ତଥା ସହରତଳି ଅଞ୍ଚଳ ଗୁଡ଼ିକରେ ସାର୍ବଜନୀନ ପରିବହନ ବା ପବ୍ଳିକ ଟ୍ରାନ୍ସପୋର୍ଟ କ୍ଷେତ୍ରରେ ଅସୁବିଧା ଲାଗି ରହିଥିଲା | ଘରୋଇ ଟ୍ରେକର ଓ କ୍ୟାଣ୍ଟର ପରିବହନରେ ବିପଦପୂର୍ଣ୍ଣ ଯାତ୍ରୀବୁହା ଓ ତ୍ରୁଟିପୂର୍ଣ୍ଣ ଯାତ୍ରା ପରିଚ଼ାଳନାରେ ଜନସାଧାରଣ ଅତିଷ୍ଠ ହୋଇପଡ଼ିଥିଲେ ହେଁ ବିକଳ୍ପ ବ୍ୟବସ୍ଥା ନଥିଲା | ଅତୀତରେ ବ୍ରହ୍ମପୁରରେ ଦୁଇଥର ଘରୋଇ ଉଦ୍ୟମରେ ଓ ଆଉଥରେ ପୌରପାଳିକା ଉଦ୍ୟମରେ ଟାଉନବସ ସେବା ଆରମ୍ଭ କରାଯାଇଥିଲେହେଁ ଚ଼ାଲିପାରି ନଥିଲା | ସରକାରୀ ଉଦ୍ୟମରେ ଗଞ୍ଜାମ ଆର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ଼ ଗଠନ ହୋଇ ଦୁଇଡ଼ଜନ ନୂଆ ବସ ସହରରେ ପହଞ୍ଚିବା ପରେ ମଧ୍ୟ ସେଗୁଡ଼ିକୁ ଚଳାଇବା ଲାଗି ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା | ଓଡ଼ିଶା ରୋଡ଼ ଟ୍ରାନ୍ସପୋର୍ଟ କରପୋରେସନ ବାଧ୍ୟବାଧକତାରେ ବର୍ଷେ ଚଳାଇବା ପରେ ତାହା ଘରୋଇ ମାଲିକନାକୁ ଗଲା |
          ବର୍ତ୍ତମାନ ସହରତଳି ଅଞ୍ଚଳ ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ ଇତ୍ୟାଦିକୁ ସଂଯୋଗକରି 10 ଗୋଟି ରୁଟରେ 32 ଗୋଟି ସିଟି ବସ ଚ଼ାଲିଛି | ଗଟସେଲ ଟାଉନବସ ସେବା ଆରମ୍ଭ କରିବା ଅବସରରେ ବସଭଡ଼ା ଧାର୍ଯ୍ୟ କରିଥିଲେ | ଖବରକାଗଜରେ ହୋହଲ୍ଲା ହେବା କାରଣରୁ ତାହାକୁ ସାମାନ୍ୟ କମାଇ ଦିଆଯାଇଥିଲା | ତେବେ ଘରୋଇ ସିଟିବସ ଅପରେଟର ଗତ ଜୁନ-ଜୁଲାଇରୁ ତାହାକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିଛନ୍ତି | ଉଦାହରଣ ସ୍ୱରୂପ ପୁରୁଣା ବସଷ୍ଟାଣ୍ଡରୁ ସେଲ୍ସଟ୍ୟାକ୍ସ ଛକ ପୂର୍ବରୁ 5 ଟଙ୍କା ଥିବା ବେଳେ ବର୍ତ୍ତମାନ 6 ଟଙ୍କା ଦେବାକୁ ପଡୁଛି କିମ୍ୱା ବ୍ରହ୍ମପୁରରୁ ଭଞ୍ଜବିହାର 10 ଟଙ୍କା ଭଡ଼ା ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ଯାତ୍ରୀଙ୍କୁ 12 ଟଙ୍କା ଗଣିବାକୁ ପଡୁଛି | ଏଥି ନେଇ ଗତ ଜୁନ 15 ତାରିଖରେ ଅନୁଷ୍ଟିତ ଗଟସେଲ ବୈଠକରେ ପୂର୍ବାନୁମୋଦିତ ବସଭଡ଼ା ଲାଗୁ କରାଯିବା ପାଇଁ ପ୍ରସ୍ତାବ ପାରିତ କରିଦିଆ ଯାଇଥିବା କଥା ମଧ୍ୟ ପ୍ରକାଶିତ ହୋଇଛି |
ପ୍ରଶ୍ନ ଉଠେ, ଗତ ଥର ଓଏସଆରଟିସିର ପରିଚ଼ାଳନାଧୀନ ସିଟିବସ ଭଡ଼ାକୁ ବିରୋଧ ହୋଇଥିବା ବେଳେ ଏଥରର ଘରୋଇ ଅପରଟେରଙ୍କ ଭଡ଼ାବୃଦ୍ଧି କିପରି ସର୍ବସାଧାରଣରେ ଚର୍ଚ୍ଚାର ପରିସରକୁ ମଧ୍ୟ ଆସିପାରିଲା ନାହିଁ ? ଗତ ଜାନୁୟାରୀ, ଫେବୃୟାରୀ, ଜୁଲାଇ ଓ ଚଳିତ ଅଗଷ୍ଟ ମାସରେ କ୍ରମାଗତ ଚ଼ାରିଥର ତୈଳଦର କମିଥିବା ଏବଂ ତଦ୍ଅନୁଯାୟୀ ଆଟୋମେଟିକ ମେକାନିଜମ ନୀତିରେ ରାଜ୍ୟରେ ଚଳାଚଳ କରୁଥିବା ରୁଟବସ ଭଡ଼ା କମିଥିବା ଅବସରରେ ବ୍ରହ୍ମପୁରରେ ସିଟିବସ ଭଡ଼ା ପରିବର୍ତ୍ତନରେ ଯଥାର୍ଥତା କେତେ ?

ଅପରପକ୍ଷରେ ବ୍ରହ୍ମପୁରରେ ସିଟିବସ ସେବାରେ 32 ଗୋଟି ବସ ସାମିଲ ହୋଇଥିଲେ ହେଁ ଖାସ ବ୍ରହ୍ମପୁର ସହରରେ ଯାତ୍ରୀ ପରିବହନ ନିମନ୍ତେ ଗୋଟିଏ ହେଲେ ବସ ନିୟୋଜିତ ହୋଇ ପାରିନାହିଁ | କୁହାଯାଉଛି ଯେ ଏଥି ନିମନ୍ତେ ପ୍ରସ୍ତାବ ରହିଛି ଏବଂ ରାଜ୍ୟ ସରକାରଙ୍କୁ ଅଧିକା 18 ଗୋଟି ମିନିବସ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଯାଇଛି | ପ୍ରଶ୍ନ ଉଠେ ବ୍ରହ୍ମପୁରରେ ସିଟିବସ ସେବା ପ୍ରଚଳନର ଦେଢ଼ବର୍ଷ ପରେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳ ମଧ୍ୟରେ ଗମନାଗମନ ସୁବିଧାଲାଗି କାହିଁକି ବସସେବା ଯୋଗାଇବା ଲାଗି କର୍ତ୍ତୃପକ୍ଷ ପରାଂମୁଖ ହେଉଛନ୍ତି ? ମୋଟ 32 ଗୋଟି ବସ ମଧ୍ୟରୁ ଅନ୍ତତଃ 4 ଗୋଟି ଯଦି ସହରର ମୁଖ୍ୟରାସ୍ତାଗୁଡ଼ିକରେ ଚଳାଚଳ କରନ୍ତା ତେବେ ସହରବାସୀ ଉପକୃତ ହୋଇପାରନ୍ତେ | ଆଗାମୀ ଗଟସଲ ବୈଠକରେ ଏ ସଂପର୍କରେ  ଆଲୋଚନା ହେବା ଉଚ଼ିତ | ନଚେତ ସିଟିବସ ସେବା ସବ୍-ଆର୍ବନ ବସସେବା ସ୍ତରରେ ହିଁ ରହିଯିବ |

Thursday, July 28, 2016

Statics on senior citizen in Berhampur / ବ୍ରହ୍ମପୁରରେ ବରିଷ୍ଠ ନାଗରିକ ପରିସଂଖ୍ୟାନ

ନସଂଖ୍ୟା ଆକଳନ ଅନୁଯାୟୀ ଆମ ଦେଶରେ ବର୍ତ୍ତମାନ ପ୍ରାୟ ଦଶ ପ୍ରତିଶତ ଅଧିବାସୀ 60 ବର୍ଷରୁ ଉର୍ଦ୍ଧ୍ୱ ବା ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ | ପୁଣି ଏମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ଦଶ ପ୍ରତିଶତ ବୃଦ୍ଧବୃଦ୍ଧା ଏକେତ ଶଯ୍ୟାଶାୟୀ କିମ୍ୱା ଘରୁ ବାହାରିବା ଲାଗି ଅସମର୍ଥ | ଏହି ହିସାବ ଅନୁଯାୟୀ ବ୍ରହ୍ମପୁରର ସମସାମୟିକ ସ୍ଥାୟୀ ଲୋକସଂଖ୍ୟା 4 ଲକ୍ଷ 50 ହଜାର ଧରାଗଲେ ପ୍ରାୟ 45 ହଜାର ବାସିନ୍ଦା ବରିଷ୍ଠ ନାଗରିକ ଏବଂ 4 ହଜାରର 500 ବାସିନ୍ଦା ଶଯ୍ୟାଶାୟୀ କିମ୍ୱା ଘରୁ ବାହାରିବା ଲାଗି ଅସମର୍ଥ |
          ଏହି ପରିସଂଖ୍ୟାନ ଅଧ୍ୟୟନ କଲେ ପ୍ରଥମେ ମନକୁ ଆସେ ପରିଣତ ବୟସରେ ଶାରିରୀକ ଦୃଷ୍ଟିରୁ ଅସହାୟ ସ୍ଥିତିରେ ଉପନୀତ ହୋଇଥିବା ବରିଷ୍ଠ ନାଗରିକଙ୍କ ପାଇଁ ଆମ ସହରରେ କଣ ସବୁ ସାମାଜିକ ସୁରକ୍ଷା ଉପଲବ୍ଧ | ଶିଶୁ, ନାବାଳାକ, ଯୁବବର୍ଗ, ମହିଳା, ସଂଖ୍ୟାଲଘୁ ସଭିଙ୍କ ପାଇଁ ଊଣା ଅଧିକେ କିଛି କିଛି ଘରୋଇ ଓ ସରକାରୀ ସୁବିଧାସୁଯୋଗ ଥିବାବେଳେ ବରିଷ୍ଠନାଗରିକ, ମୁଖ୍ୟତଃ ଶଯ୍ୟାଶାୟୀଙ୍କ ନିମନ୍ତେ ଘରୋଇ କିମ୍ୱା ସରକାରୀ କୌଣସିଟି ସ୍ତରରେ ଗୁରୁତ୍ୱ ଦିଆଯାଉଥିବା ମନେ ହୁଏନି | ଆପାତତଃ ପରିବାରବର୍ଗଙ୍କ ହେପାଜାତରେ ସେମାନଙ୍କୁ ଛାଡ଼ି ଦିଆଯାଇଥାଏ | ନିକଟ ଅତୀତରେ ସନ୍ତାନସନ୍ତତିଙ୍କ ଦ୍ୱାରା ବୃଦ୍ଧା ମାତାପିତାଙ୍କ ଭରଣପୋଷଣ ନିମନ୍ତେ ଏକ ଆଇନ ପ୍ରଣୟନ ହୋଇଥିଲେ ହେଁ ପ୍ରାୟତଃ ତାହାର ଉପଯୋଗ ସଂଖ୍ୟା ନଗଣ୍ୟ |
          ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ି ଚ଼ାଲିବାରେ ଲାଗିଛି | ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ମୁଣ୍ଡପିଛା ଆୟ ବୃଦ୍ଧି ତଥା ଶିକ୍ଷା ପ୍ରସାର କାରଣରୁ ପରମାୟୁ ବୃଦ୍ଧି ଘଟୁଛି | ‘ହେଲପ ଏଜ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ବିବରଣୀ ଅନୁଯାୟୀ 2050 ବେଳକୁ ଭାରତର ମୋଟ ଜନସଂଖ୍ୟାର 20 ପ୍ରତିଶତ ଲୋକ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ ହେବେ | ସେହି ହିସାବରେ 2050 ବେଳକୁ ଯଦି ବ୍ରହ୍ମପୁରର ଲୋକସଂଖ୍ୟା 10 ଲକ୍ଷ ଛୁଇଁଥିବ, ସେମାନଙ୍କ ମଧ୍ୟରେ ଦୁଇ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଦେଖିବାକୁ ମିଳିବ | ସେଥି ମଧ୍ୟରୁ 20 ହଜାର ଶଯ୍ୟାଶାୟୀ ହେବା ଆଶା କରାଯାଇପାରେ |

          ସମାଜରେ ଏହି କ୍ରମବର୍ଦ୍ଧିଷ୍ଣୁ ବର୍ଗଙ୍କ ନିମନ୍ତେ ସୁଯୋଗସୁବିଧା ସୃଷ୍ଟି ଲାଗି ବିଚ଼ାରବିମର୍ଷ ତଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ | ଘରୋଇ ଓ ସରକାରୀ ଉଭୟସ୍ତରରେ ଏହାକୁ ପ୍ରାଥମିକତା ଦେବାକୁ ପଡ଼ିବ | ପୌରପାଳିକାସ୍ତରରେ ଏଥି ନିମନ୍ତେ ସୁଚ଼ିନ୍ତିତ କାର୍ଯ୍ୟକ୍ରମ ପ୍ରଣୟନ ଅପରିହାର୍ଯ୍ୟ | ଗଣତାନ୍ତ୍ରିକ ଶାସନରେ ଏଥି ନିମନ୍ତେ ଚ଼ାପ ପ୍ରୟୋଗ କରିବାପାଇଁ ବରିଷ୍ଠ ନାଗରିକଙ୍କ ସାଙ୍ଗକୁ ଆସନ୍ନ ବାର୍ଦ୍ଧକ୍ୟ ପର୍ଯ୍ୟାୟଭୁକ୍ତ ନାଗରିକମାନେ ଏକଯୁଟ ହେବାର ସମୟ ଆସି ପହଞ୍ଚି ନାହିଁକି |
ସମ୍ୱାଦ (#ବ୍ରହ୍ମପୁର ସଂସ୍କରଣ) 05 ଅଗଷ୍ଟ 2016

Friday, July 15, 2016

AC compartment in Berhampur-Bhubaneswar DMU / ବ୍ରହ୍ମପୁର – ଭୁବନେଶ୍ୱର ଡ଼ିଏମୟୁରେ ଏସି ବଗି

ତୁରନ୍ତ ନ ହେଲେ ମଧ୍ୟ ଭବିଷ୍ୟତରେ #ବ୍ରହ୍ମପୁର ଭୁବନେଶ୍ୱର ଡ଼ିଏମୟୁ ତଥା ପାଲାସା କଟକ ଇତ୍ୟାଦି ଅନ୍ୟାନ୍ୟ ଡ଼ିଏମୟୁରେ ଏସି କୋଚ଼ ଯୋଡାଯିବା ପ୍ରସ୍ତାବ ବିଚ଼ାର କରାଯାଉଥିବା ଜଣାଯାଇଛି | ଭାରତୀୟ ରେଳପଥ ପକ୍ଷରୁ ପ୍ରକାଶିତ ଏକ ବିବୃତି ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରେ ଚଳାଚଳ କରୁଥିବା ଡ଼ିଏମୟୁ ଟ୍ରେନଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ବଗି ସଂଯୋଗ କରିବାଲାଗି ନିଷ୍ପତି ଗ୍ରହଣ କରାଯାଉଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁରର ରେଳଯାତ୍ରୀ ସେହିଭଳି ସୁଯୋଗ ପାଇବା ଆଶା କରାଯାଇପାରେ |
          ଡ଼ିଏମୟୁ ବା ଡ଼ିଜେଲ ଇଲେକ୍ଟ୍ରିକ ମଲ୍ଟିପୁଲ ୟୁନିଟ ଗୁଡ଼ିକ ମୁଖ୍ୟତଃ ବଡ଼ ସହରଗୁଡ଼ିକୁ ସହରତଳି ଅଞ୍ଚଳ ସହ ସଂଯୋଗ କରିଥାଏ | ଆମ ଓଡ଼ିଶାରେ ଭୁବନେଶ୍ୱର ପୁରୀ ଭଳି ମୁଖ୍ୟ ସହର ସହ ବିଭିନ୍ନ ଅଞ୍ଚଳରୁ ଡ଼ିଏମୟୁ ରେଳ ସଂଯୋଗ ରହିଛି | ଏଗୁଡ଼ିକରେ କେବଳ ଅଣ-ଶୀତତାପ ନିୟନ୍ତ୍ରିତ ବଗି ଲାଗିଥାଏ ଏବଂ ଅନେକ କ୍ଷେତ୍ରରେ ଶୌଚ଼ାଳୟର ବ୍ୟବସ୍ଥା ନଥାଏ |
          ଛଅ, ଆଠ ଓ ଦଶ କୋଚ଼ ବିଶିଷ୍ଟ ଡ଼ିଏମୟୁ ଟ୍ରେନଗୁଡ଼ିକରେ ଗୋଟିଏ କିମ୍ୱା ଦୁଇଟି ଏସି କୋଚ଼ ସାଙ୍ଗକୁ ବାୟୋ ଟଏଲଟର ସଂଯୋଗ ବ୍ୟବସ୍ଥା କରିବା ନିମନ୍ତେ ସ୍ଥିରୀକୃତ ହୋଇଛି | ଏଭଳି କୋଚ଼ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚ଼େନ୍ନଇସ୍ଥିତ ଇଣ୍ଟିଗ୍ରେଟେଡ଼ କୋଚ ଫାକ୍ଟ୍ରିରେ ଆରମ୍ଭ ହୋଇଥିବା ଜଣାଯାଇଛି | ପ୍ରଥମ ପର୍ଯ୍ୟାୟରେ ଚ଼ାରିଗୋଟି ବଗି ବ୍ୟବହୃତ ହେବାପରେ ଯାତ୍ରୀଙ୍କ ମତାମତ ନେଇ ପର୍ଯ୍ୟାୟକ୍ରମେ ଅନ୍ୟ ଡ଼ିଏମୟୁଗୁଡ଼ିକୁ ଏହି ସୁବିଧା ଯୋଗାଇ ଦିଆଯିବ |
          ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ରେଳଯାତ୍ରୀ କେବେ ଡ଼ିଏମୟୁରେ ଏସି କୋଚ଼ର ସୁବିଧା ପାଇବେ ସଠିକ ଜଣା ନପଡ଼ିଥିଲେ ହେଁ ସ୍ଥାନୀୟ ରେଳଯାତ୍ରୀଙ୍କ ଚାପ ଉପରେ ଏହି ଭଳି ସୁଯୋଗ ନିର୍ଭରଶୀଳ ବୋଲି କୁହାଯାଇପାରେ |
          ବ୍ରହ୍ମପୁର ଭୁବନେଶ୍ୱର ବା କଟକ ଯାତ୍ରା ନିମନ୍ତେ ବର୍ତ୍ତମାନ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ ଏସି ରେଳ ଯାତ୍ରା ସୁବିଧା ଦୁର୍ଲଭ | ମାସେ ଦୁଇ ମାସ ଆଗରୁ ସଂରକ୍ଷଣ ନକଲେ ଦୂରଗାମୀ ଟ୍ରେନଗୁଡ଼ିକରେ ଏସି ବର୍ଥ ମିଳେ ନାହିଁ | ଅବଶ୍ୟ ଭୁବନେଶ୍ୱରରୁ ବ୍ରହ୍ମପୁର ଯାତ୍ରା ଲାଗି ଏସି ବର୍ଥ ଅପେକ୍ଷାକୃତ ସୁଲଭ | ତେବେ ତୃତୀୟ ଏସି ବର୍ଥ ପିଛା ଅନ୍ୟୂନ 490 ଟଙ୍କା ଭଡ଼ା ଦେବାକୁ ପଡ଼ିଥାଏ | ଡିଏମୟୁରେ ଏସି ବଗି ଯୋଡ଼ାଗଲେ ସୁବିଧାରେ ବର୍ଥ ମିଳିବା ସାଙ୍ଗକୁ ରେଳଭଡ଼ା ମଧ୍ୟ ଯଥେଷ୍ଟ କମିଯିବ |

          ଗତ ଦେଢବର୍ଷ ତଳେ 2014 ନଭେମ୍ୱରରୁ ବିଶାଖା ଏକ୍ସପ୍ରେସ (ଏସ-7) ଓ କୋଣାର୍କ ଏକ୍ସପ୍ରେସ (ଏସ-4 ଓ ଏସ-5)ରେ ଅଣସଂରକ୍ଷିତ ସ୍ଳିପର କ୍ଳାସ ଟିକଟ କ୍ରୟ ବ୍ୟବସ୍ଥା ଆରମ୍ଭ ହୋଇଥିଲା | ଏହା ଫଳରେ ବ୍ରହ୍ମପୁରର ଯାତ୍ରୀ ସସମ୍ନାନେ ଭୁବନେଶ୍ୱର ରେଳଯାତ୍ରା ପାଇଁ ସଂରକ୍ଷିତ ବଗିରେ ଯାତ୍ରାର ସୁବିଧା ପାଇପାରିଛନ୍ତି | ବର୍ତ୍ତମାନ ଡିଏମୟୁରେ ଏସି ବଗି ସୁଯୋଗ ଯଦି ଶୀଘ୍ରଲାଗୁ ହୋଇ ପାରେ ତେବେ ଆରମଦାୟକ ଯାତ୍ରାର ଉପଲବ୍ଧ ପାଇପାରିବେ
ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 14 ଜୁଲାଇ 2016

Monday, June 13, 2016

Forecast of monsoon at Berhampur / ବ୍ରହ୍ମପୁରରେ ମୌସୁମୀ ବର୍ଷା ପୂର୍ବାନୁମାନ

ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବର୍ଷାଋତୁ ଆରମ୍ଭ ହୋଇଥାଏ | ପାରମ୍ପରିକ ଭାବେ ଜୁନ ପହିଲା ତାରିଖରେ ଏହା କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ସପ୍ତାହକ ବିଳମ୍ୱରେ ଜୁନ 8 ତାରିଖରେ କେରଳ ଉପକୂଳରେ ବର୍ଷା ଆରମ୍ଭ ହୋଇଛି | ମୌସୁମୀ କେରଳ ପହଞ୍ଚିବାର 8 ରୁ 10 ଦିନ ମଧ୍ୟରେ ଓଡ଼ିଶା ଆସିଥାଏ | ସେହି ହିସାବରେ ଜୁନ 16ରୁ 18 ତାରିଖ ବେଳକୁ ଓଡ଼ିଶାରେ ବର୍ଷା ହେବା କଥା |
          ସାଧାରଣତଃ ଓଡ଼ିଶାରେ ମୌସୁମୀ ବର୍ଷାର ଆଗମନ ସଙ୍ଗେ ବ୍ରହ୍ମପୁରରେ ବର୍ଷା ଆରମ୍ଭ ହୁଏନି | ମୌସୁମୀ ବାୟୁ କେରଳ ପହଞ୍ଚିଥିବା ମଙ୍ଗଳବାର ଦିନ ଅପରାହ୍ନରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ହୋଇଥିଲା | #ବ୍ରହ୍ମପୁର ତୁଳନାରେ ଗୋପାଳପୁର ଅଞ୍ଚଳରେ ଘଡ଼ଘଡ଼ି, ବିଜୁଳି ଓ ବର୍ଷାର ପରିମାଣ ଅଧିକ ଥିଲା | ଅପରାହ୍ନ 2 ଟାରୁ 4 ଟା ମଧ୍ୟରେ ସେଠାରେ 52 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା | ସାପ୍ତାହକ ପରେ 13 ଜୁନ ସୋମବାର ଦିନ ମଧ୍ୟ ଅପରାହ୍ନ 4ଟା ବେଳେ ଅଧଘଣ୍ଟାଏ ବର୍ଷା ହୋଇଥିଲା | ପାରମ୍ପରିକ ଭାବେ ରଜସଂକ୍ରାନ୍ତି ବେଳକୁ ବ୍ରହ୍ମପୁରର ପାଗ ମେଘୁଆ ରହେ | କାଁ ଭାଁ ଅସରାଏ ବର୍ଷା ହୁଏ | ଗୁଳଗୁଳି ହୁଏ |
          ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସାମୁଦ୍ରିକ ବିଜ୍ଞାନ ଅଧ୍ୟାପକ ଡ଼କ୍ଟର ଏ.ଏସ୍.ଏନ୍. ମୂର୍ତ୍ତିଙ୍କ ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ବ୍ରହ୍ମପୁର ପହଞ୍ଚୁଥିଲେ ମଧ୍ୟ ଜୁନ ମାସରେ ଆଶାନୁରୂପ ବର୍ଷା ହୁଏ ନାହିଁ | ଜୁଲାଇ ମାସରେ ବୃଷ୍ଟିପାତର ପ୍ରାବଲ୍ୟ ବୃଦ୍ଧି ପାଏ | ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ପ୍ରାଚୁର୍ଯ୍ୟ ଦିନଗୁଡିକରେ ଦୈନିକ ହାରାହାରି 30 ରୁ 40 ମିଲିମିଟର ଯାଏଁ ବର୍ଷା ହୋଇଥାଏ |
          ବ୍ରହ୍ମପୁରରେ ବାର୍ଷିକ ପ୍ରାୟ 200 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥାଏ ଅଗଷ୍ଟ-ସେପ୍ଟେମ୍ୱର ମାସରେ ମୌସୁମୀକାଳୀନ ଲଘୁଚ଼ାପ ଓ ନଭେମ୍ୱର-ଡ଼ିସେମ୍ୱର ମାସରେ କ୍ରାନ୍ତୀୟ ଲଘୁଚ଼ାପ ଯୋଗୁଁ ସହରରେ ଲଗାଣ ବର୍ଷା ଦେଖିବାକୁ ମିଳିଥାଏ | ଜୁନରୁ ସେପ୍ଟେମ୍ୱର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ଅକ୍ଟୋବରରୁ ଡ଼ିସେମ୍ୱର ମାସ ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀବାୟୁ ପ୍ରଭାବରେ ବର୍ଷା ହୋଇଥାଏ |
          ପାଣିପାଗ ପୂର୍ବାନୁମାନ ଏକ ବୈଜ୍ଞାନକ ଧାରା | ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳାଚଳ ମୁଖ୍ୟତଃ ତିନିଗୋଟି ସୂତ୍ରରେ ପୂର୍ବାନୁମାନ କରାଯାଇଥାଏ | ପ୍ରଥମତଃ ଆନ୍ତର୍ଜାତିକ କ୍ଷେତ୍ରରେ ବାୟୁ ଚଳାଚଳର ପରିସଂଖ୍ୟାନ, ଦ୍ୱିତୀୟତଃ ଅତୀତରେ ବୃଷ୍ଟିପାତ ଜନିତ ତଥ୍ୟାବଳୀ ଓ ତୃତୀୟତଃ ସମକାଳୀନ ଭୁପୃଷ୍ଠ ତଥା ସାମୁଦ୍ରିକ ଅଞ୍ଚଳରେ ବାୟୁ ଚଳାଚଳ ଧାରା ବିଶ୍ଳେଷଣ ଦ୍ୱାରା ମୌସୁମୀ ବର୍ଷାର ପୂର୍ବାନୁମାନ ହୋଇଥାଏ | ଗତ କିଛି ବର୍ଷ ଧରି ପାଣିପାଗ ନିରୀକ୍ଷଣ ଦିଗରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବା ପରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରାୟତଃ ସଠିକ ଘଟୁଥିବା ଦେଖିବାକୁ ମିଳୁଛି | ତେବେ ବି ପାଣିପାଗର ପୂର୍ବାନୁମାନରେ ଶତକଡ଼ା ଶତ ପ୍ରତିଶତ ସତ୍ୟତା କେବେ ହେଁ ସମ୍ଭବପର ନୁହେଁ ବୋଲି ବୈଜ୍ଞାନିକମାନେ ସ୍ୱୀକାର କରିଥାନ୍ତି |

ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 14 ଜୁନ 2016