ବିଭିନ୍ନ ଅଞ୍ଚଳରେ ବିଭିନ୍ନ କାରଣରୁ ଦେଶାନ୍ତରୀ ଶ୍ରମିକ ପ୍ରଥା ପ୍ରଚଳିତ । ଗୋଟିଏ ଦୃଷ୍ଟିରୁ କେବଳ ନିଜ ବାସସ୍ଥଳୀରେ କାମଧନ୍ଦା ଅଭାବରୁ ଗଞ୍ଜାମ ଶ୍ରମିକ ଦେଶାନ୍ତର ଗମନ କରୁଥିବା କୁହାଯାଇ ପାରିବ ନାହିଁ । ବହୁ ଦେଶାନ୍ତରୀ ଶ୍ରମିକ ପରିବାରଙ୍କ ପର୍ଯ୍ୟାପ୍ତ ଜମିବାଡ଼ି ଅଛି । ହୁଏତ ଅଧିକ ଉପାର୍ଜନ ଆଶାରେ ସେମାନେ ଶିଳ୍ପାଞ୍ଚଳ ମୁହାଁ ହୋଇଥାନ୍ତି । ଗଞ୍ଜାମରେ ଅଢ଼େଇ ଶହ ବର୍ଷ ଧରି ଦେଶାନ୍ତର ପ୍ରଥା ପ୍ରଚଳିତ । ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁଅଲ’ରେ ମାଲଟବୀଙ୍କ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ୧୭୫୯ରେ ଫରାସୀ ଶାସନ ମହୁରି ରାଜ୍ୟରୁ ଓହରିଯିବା ଏବଂ ୧୭୬୭ରେ ବ୍ରିଟିଶ ଶାସନ ଲାଗୁ ହେବା ସନ୍ଧିକ୍ଷଣରେ ବିଜୟନଗରମର ସୀତାରାମ ରାଜୁଙ୍କ ଶାସନାଧୀନ ରହିଥିଲା । ଏହି ସମୟ ମଧ୍ୟରେ ମହୁରି ରାଜ୍ୟ ଦୁଇଗୋଟି ମରୁଡ଼ି ସମ୍ମୁଖୀନ ହୋଇଥିଲା । ତେବେ ସୀତାରାମ ରାଜୁଙ୍କ କର୍ମଚାରୀମାନେ ଜବରଦସ୍ତ ଜମି ଟିକସ ଆଦାୟ କରିବାରୁ ଅତିଷ୍ଠ ହୋଇ ସ୍ଥାନୀୟ ପରିବାର ଦେଶାନ୍ତର ଗମନ କରିବାକୁ ବାଧ୍ୟ ହୋଇଥିଲେ । ପଡ଼ୋଶୀ କୋରାପୁଟ, କନ୍ଧମାଳ ଓ କଳାହାଣ୍ଡିରେ ଗଞ୍ଜାମର ବହୁ ପରିବାର ଏହି ସମୟ ସୀମାରେ ଅବସ୍ଥାପିତ ହୋଇଥିବା ଜଣାଯାଏ । ପରବର୍ତ୍ତୀ ଅବସ୍ଥାରେ ଊନବିଂଶ ଶତାଦ୍ଦୀ ମଧ୍ୟଭାଗରେ ନ’ଅଙ୍କ ଦୁର୍ଭିକ୍ଷ ପରେ ଗଞ୍ଜାମର ଶ୍ରମିକମାନେ ଚାଷ କାର୍ଯ୍ୟ ଲାଗି ରେଙ୍ଗୁନ ଯିବା ବେଶ ଲୋକପ୍ରିୟ ହୋଇଥିଲା । ବିଂଶ ଶତାଦ୍ଦୀ ଆରମ୍ଭରୁ ନିୟମିତ ରେଳ ଯୋଗାଯୋଗ ସ୍ଥାନୀୟ ଶ୍ରମ-ନିଯୁକ୍ତି ଅନ୍ୱେଷୀଙ୍କୁ ଅହମ୍ମଦାବାଦ ଓ ମୁମ୍ୱାଇ ଯିବା ସୁଯୋଗ ଆଣିଦେଇଥିଲା ।
ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ଗ୍ରାମ ବିକାଶ’ ଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶାର ଦେଶାନ୍ତରୀ ଶ୍ରମିକଙ୍କ ସଂପର୍କରେ ୨୦୨୨ରେ ଏକ ଗବେଷଣା ଆୟୋଜନ କରାଯାଇଥିଲା । ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ଗ୍ରାମାଞ୍ଚଳରେ ଶତକଡ଼ା ୧୮ ପ୍ରତିଶତରୁ ଉର୍ଦ୍ଧ୍ୱ ପରିବାରରୁ ଅନ୍ତତଃପକ୍ଷେ ଜଣେ ସଦସ୍ୟ ଦେଶାନ୍ତରୀ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଇଥିବା ଜଣା ଯାଇଥିଲା । ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଦୀର୍ଘ ସମୟ ପାଇଁ ଶ୍ରମନିଯୁକ୍ତିରେ ପ୍ରବାସରେ ବସବାସ କରୁଥିବା ସ୍ଥଳେ ମାତ୍ର ୨୦ ପ୍ରତିଶତ ଋତୁକାଳୀନ ଭିତ୍ତିରେ ଛଅ ମାସରୁ କମ ସମୟଲାଗି ଦେଶାନ୍ତର ଗମନ କରିଥାନ୍ତି । ଅତୀତରେ କେବଳ ଗ୍ରାମାଞ୍ଚଳର ପଛୁଆବର୍ଗ ଦେଶାନ୍ତରୀ ଶ୍ରମିକ ସାଜୁଥିବା ବେଳେ ବିଂଶ ଶତାଦ୍ଦୀର ଶେଷ ଦଶକରେ ଗଞ୍ଜାମ, ଗଜପତି ଓ କନ୍ଧମାଳର ଆଦିବାସୀମାନେ ଶ୍ରମ ସଂସ୍ଥାନ ଲାଗି ଦେଶାନ୍ତର ଯିବା ପ୍ରଥା ଆରମ୍ଭ ହୋଇଥିଲା । ବିଗତ ୨୫ ବର୍ଷରେ ଆଦିବାସୀ ବହୁଳ ଅଞ୍ଚଳରୁ ବହୁ ଶ୍ରମିକ ନିର୍ମାଣ ଓ ଆତିଥ୍ୟ ‘ହସପିଟାଲିଟି’ ଶିଳ୍ପରେ କେରଳ ଓ ତାମିଲନାଡୁରେ ନିଯୁକ୍ତି ପାଇଥିବା ଜଣାଯାଏ ।
ଦକ୍ଷିଣ ଓଡ଼ିଶାର ଦେଶାନ୍ତରୀ ଶ୍ରମିକ ବନ୍ଦର ଓ ରେଳ ଷ୍ଟେସନ ସୁବିଧା ନିମନ୍ତେ ବ୍ରହ୍ମପୁର ଉପରେ ନିର୍ଭର କରି ଆସିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବବର୍ତ୍ତୀ ଅବସ୍ଥାରେ ରେଙ୍ଗୁନ ଯାତ୍ରା ନିମନ୍ତେ ବିଭିନ୍ନ ଅଞ୍ଚଳରେ ଯାତ୍ରୀଙ୍କୁ ବ୍ରହ୍ମପୁରରେ କିଛି ଦିନ ଅପେକ୍ଷା କରିବାକୁ ପଡୁଥିଲା । କାରଣ ମାସରେ ଥରେ ଦୁଇ ଥର ହିଁ ଯାତ୍ରୀବାହୀ ଜାହାଜ ରେଙ୍ଗୁନ ଯାତ୍ରା କରୁଥିଲା । ବର୍ତ୍ତମାନ ମୁମ୍ୱାଇକୁ ଦୈନିକ ରେଳ ସୁବିଧା ଥିବା ସ୍ଥଳେ ବ୍ରହ୍ମପୁରରୁ ସୁରତ ଯାତ୍ରା ପାଇଁ ସପ୍ତାହରେ ତିନି ଗୋଟି ଟ୍ରେନ ପାଞ୍ଚଦିନ ଯାତ୍ରା କରିଥାଏ ।
Image by 652234 from Pixabay






