Tuesday, March 22, 2016

Woes of Gopalpur-on-Sea / ଗୋପାଳପୁରର ଦୁଃଖ

#ବ୍ରହ୍ମପୁର ସହରର ଉପାନ୍ତ ଗୋପାଳପୁର, ଛତ୍ରପୁର ଓ ଗଞ୍ଜାମଠାରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଶିଳ୍ପାୟନପାଇଁ ବହୁ ପ୍ରସ୍ତାବ ଚର୍ଚ୍ଚାର ପରିସରକୁ ଆସିଛି | ତେବେ ଗଞ୍ଜାମରେ ଏକ ରାସାୟନିକ କାରଖାନା, ଛତ୍ରପୁରରେ ବିରଳ ମୃତ୍ତିକା ପ୍ରତିଷ୍ଠାନ ଏବଂ ଗୋପାଳପୁରରେ ଖୋଲିବା ଓ ବନ୍ଦହେବା ଲୁଚକାଳି ଖେଳୁଥିବା ଛୋଟକାଟିଆ ବନ୍ଦରଟିଏ ବ୍ୟତୀତ ଅନ୍ୟ କୌଣସି ପ୍ରସ୍ତାବ ଏଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ | ବିଶେଷ କରି ଗତ କୋଡ଼ିଏ ବର୍ଷ ପୂର୍ବେ ୧୯୯୫ ବେଳକୁ ଟାଟା ଓ ଲରସେନ ଏଣ୍ଡ ଟ୍ୟୁବ୍ରୋଙ୍କ ପକ୍ଷରୁ ବୃହତ ଇସ୍ପାତ ତଥା ପରେ ଋଷସହ ଯୌଥ ଉଦ୍ୟୋଗରେ ଟିଟିନିଅମ ଇତ୍ୟାଦି ପ୍ରକଳ୍ପ ପ୍ରତିଷ୍ଠା ପ୍ରସ୍ତାବ ଗୋପାଳପୁର ଉପକୂଳରେ ଦ୍ରୁତ ଶିଳ୍ପାୟନର ଆଶା ଯଥାସମୟରେ କାର୍ଯ୍ୟକାରୀ ନ ହୋଇ ପାରିବା ହେତୁ ଗଞ୍ଜାମ ଜିଲ୍ଲାବାସୀଙ୍କ ଶିଳ୍ପସମୃଦ୍ଧି ଆଶା ଚ଼ରିତାର୍ଥ ହୋଇପାରି ନାହିଁ | ଏହା ହିଁ ଗୋପାଳପୁରର ଦୁଃଖ |
          ତତକାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ବ୍ରହ୍ମପୁର ଲୋକସଭା ନିର୍ବାଚ଼ନ ମଣ୍ଡଳୀରୁ ପ୍ରତିନ୍ଦ୍ୱନ୍ଦିତା କରିବା ଅବସରରେ ଗୋପାଳପୁରଠାରେ ଟାଟା ପକ୍ଷରୁ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବ ଘୋଷିତ ହୋଇଥିଲା | ଓଡ଼ିଶା ସରକାର ୧୯୯୫ ରୁ ୧୯୯୯ ମଧ୍ୟରେ ରାଜ୍ୟର ଶିଳ୍ପବିକାଶ ସଂସ୍ଥା ଇଡ଼କୋ ଦ୍ୱାରା ୨୯୭୦ ଏକର ଜମି ଅଧିଗ୍ରହଣ କରିଥିଲେ | ତେବେ ପରବର୍ତ୍ତୀ ରାଜନୀତିକ ଘଟଣାକ୍ରମରେ ନରସିଂହ ରାଓ ବ୍ରହ୍ମପୁର ଲୋକସଭା ପ୍ରତିନିଧିତ୍ୱ କଲେ ସିନା ଆଉ ପ୍ରଧାନମନ୍ତ୍ରୀ ଗାଦୀରେ ବସି ପାରିଲେ ନାହିଁ | ଅପରପକ୍ଷେ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବ ଘୋଷଣା ବେଳକୁ ଆନ୍ତର୍ଜାତିକସ୍ତରରେ ଇସ୍ପାତର ଚ଼ାହିଦା ଥିବାବେଳେ ପରେ ପରେ ଅକସ୍ମାତ ଇସ୍ପାତର ଚ଼ାହିଦା ହ୍ରାସ ପାଇଲା | ଟାଟା କିମ୍ବା ଏଲଏଣ୍ଡଟି ଆଉ ଇସ୍ପାତ କାରଖାନା ଲାଗି ଆଗ୍ରହ ପ୍ରକାଶ କଲେ ନାହିଁ |
          ଗୋପାଳପୁରରେ ଶିଳ୍ପାୟନ ଘୋଷଣା ପରେ ପରେ ବ୍ରହ୍ମପୁର ତଥା ସହରର ଉପାନ୍ତ ଅଞ୍ଚଳରେ ଜମିବାଡ଼ି କିଣାବିକା ପାଇଁ ତତ୍ପରତା ପ୍ରକାଶ ପାଇଲା | ସମ୍ଭାବ୍ୟ ଶିଳ୍ପାୟନ ଆଶାରେ ପ୍ରସ୍ତାବିତ ଶିଳ୍ପନଗରୀର ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିବା ହେଉ କିମ୍ବା ଜମିରେ ପୁଞ୍ଜିଲଗାଣ ଆଶାରେ ଶହ ଶହ ଏକର ଚ଼ାଷଜମି ହସ୍ତାନ୍ତର ପ୍ରକ୍ରିୟା ଦୀର୍ଘଦିନ ଧରି ଚ଼ାଲିଲା | ତେବେ ଶିଳ୍ପାୟନ ସମ୍ଭବପର ନ ହୋଇପାରିବା ହେତୁ ଏ କ୍ଷେତ୍ରରେ ପୁଞ୍ଜିଲଗାଣକାରୀମାନେ ହତାଶ ହେଲେ | ସେହିପରି ପ୍ରସ୍ତାବିତ କଳକାରଖାନାରେ ନିଯୁକ୍ତି ଆଶାରେ ନିଜକୁ ପ୍ରସ୍ତୁତ କରୁଥିବା ଯୁବବର୍ଗ ବାଧ୍ୟବାଧକତାରେ ରାଜ୍ୟାନ୍ତର ମୁହାଁଇଲେ | ଜମିଅଧିଗ୍ରହଣରେ ଭିଟାମାଟି ହରାଇଥିବା ୯୮୯ ଯୌଥ ଓ ୬୫୬ ଏକକ ପରିବାର କଳକାରଖାନାରେ ନିଯୁକ୍ତିଲାଗି ଯେଉଁ ପ୍ରତିଶୃତି ପାଇଥିଲେ ତାହା ମଧ୍ୟ ମରୀଚ଼ିକାରେ ପରିଣତ ହେଲା | ଶିଳ୍ପାୟନ ବିଫଳତା ଗୋପାଳପୁରର ଦୁଃଖର କାରଣ ପାଲଟିଲା |
          ପରବର୍ତ୍ତୀ ଅବସ୍ଥାରେ ଟାଟା କମ୍ପାନୀ ଗୋପାଳପୁରଠାରେ ଅଧିଗ୍ରହଣ କରାଯାଇଥିବା ଜମିରେ ଇସ୍ପାତ କାରଖାନା ବଦଳରେ ଇଣ୍ଡଷ୍ଟ୍ରିଆଲ ପାର୍କ ଓ ମଲଟି-ପରପଜ ଇକନୋମିକ ଜୋନ (ଏସ୍ଇଜେଡ଼) ସ୍ଥାପନ କରିବାପାଇଁ ଓଡ଼ିଶା ସରକାରଙ୍କଠାରେ ପ୍ରସ୍ତାବ ରଖିଲା | ଏଥିରେ ରାଜ୍ୟ ସରକାର ସହମତ ହେଲେ ଏବଂ କେନ୍ଦ୍ର ସରକାରଙ୍କଠାରୁ ମଧ୍ୟ ଅନୁମତି ମିଳିଲା | ଇଣ୍ଡଷ୍ଟ୍ରିଆଲ ପାର୍କର ଅର୍ଥ ଗୋଟିଏ ସ୍ଥାନରେ ବହୁ ଶିଳ୍ପସଂସ୍ଥା ଦ୍ୱାରା ବିଭିନ୍ନ ପ୍ରକାର କଳକାରଖାନା ସ୍ଥାପନ | ଟାଟା କମ୍ପାନୀ ଅଧିକୃତ ଜମି ଦେଶବିଦେଶର ଶିଳ୍ପସଂସ୍ଥାଗୁଡ଼ିକୁ କାରଖାନା ବସାଇବା ପାଇଁ ଆନୁସଙ୍ଗିକ ସୁବିଧା ସହ ଯୋଗାଇବ | ପୁଣି ଏସ୍ଇଜେଡ଼ ମାନ୍ୟତା ପାଇଥିବା ହେତୁ ସେହି ପାର୍କରେ ପ୍ରତିଷ୍ଠିତ କଳକାରଖାନାଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଶିଳ୍ପ ପ୍ରୋତ୍ସାହନ ନୀତି ଅନୁଯାୟୀ ବହୁ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚ଼ିତ ହେବେ | ୨୦୧୦ ଅଗଷ୍ଟ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇଣ୍ଡଷ୍ଟ୍ରିଆଲ ପାର୍କର ଭିତ୍ତି ସ୍ଥାପନ କଲେ | କିନ୍ତୁ କୌଣସିଟି ଶିଳ୍ପ କାର୍ଯ୍ୟାରମ୍ଭ କରିବା ପୂର୍ବରୁ ୨୦୧୪ ଡ଼ିସେମ୍ବରରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏସ୍ଇଜେଡ଼ ମାନ୍ୟତାର ଅବଧି ଶେଷ ହୋଇଗଲା | ଟାଟା କମ୍ପାନା ପୁନର୍ବାର ଏସ୍ଇଜେଡ଼ ମାନ୍ୟତା ପାଇଁ ରାଜ୍ୟସରକାରଙ୍କ ସୁପାରିଶ କ୍ରମେ ଆବେଦନ କରିଛି ଏବଂ ସର୍ବଶେଷ ଘଟଣାକ୍ରମ ଅନୁଯାୟୀ ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ମିଆଦ ବୃଦ୍ଧି ନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ଅନୁମୋଦନକାରୀ ବୋର୍ଡ଼ ସହମତି ପ୍ରକାଶ କରିଛି | ଫଳରେ ଗୋପାଳପୁର ଏସ୍ଇଜେଡ଼ର ମିଆଦ ୨୦୧୭ ଡ଼ିସେମ୍ବର ମାସଯାଏଁ ବୃଦ୍ଧି ପାଇବ ବୋଲି କୁହାଯାଉଛି | ଏହି ପ୍ରକ୍ରିୟା ଶେଷ ହେଲେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଏକମାତ୍ର ନିର୍ମାଣଧୀନ ଫେରୋ-କ୍ରୋମ କମ୍ପ୍ଳେକ୍ସ କାର୍ଯ୍ୟ ଆରମ୍ଭ କରିବା ଆଶା କରାଯାଉଛି |
          ଟାଟା ର ପ୍ରଥମ ପର୍ଯ୍ୟାୟରେ ନିର୍ମାଣଧୀନ ଫେରୋ-କ୍ରୋମ କାରଖାନାରେ ବାର୍ଷିକ ୫୫ ହଜାର ଟନ ଉତ୍ପାଦନ କ୍ଷମତା ରହିବ | ଏଥିଲାଗି ଚ଼ାରିଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ପ୍ରକାଶ | ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କରେ ଏହା ପ୍ରଥମ କାରଖାନା ହୋଇଥିବା ହେତୁ ସଭିଏଁ ଏହାର କାର୍ଯ୍ୟ ଆରମ୍ଭକୁ ଉତ୍କଣ୍ଠାର ସହ ଅପକ୍ଷା କରିବା ସ୍ୱାଭାବିକ | ଗତବର୍ଷ ମାର୍ଚ୍ଚ, ଜୁଲାଇ, ଡ଼ିସେମ୍ବର ପରେ ଚଳିତବର୍ଷ ମାର୍ଚ୍ଚରେ ଏହା କାର୍ଯ୍ୟ ଆରମ୍ଭ ହେବ ବୋଲି ଶୁଣାଯାଉଥିଲା | ତେବେ ବର୍ତ୍ତମାନ ଏସ୍ଇଜେଡ଼ ମାନ୍ୟତା ପୁନଃ ହାସଲ ପାଇଁ ପ୍ରକ୍ରିୟା ଶେଷ ଅବସ୍ଥାରେ ପହଞ୍ଚୁଥିବା ହେତୁ ନିକଟ ଭବିଷ୍ୟତରେ କାର୍ଯ୍ୟାରମ୍ଭ ଆଶା କରାଯାଇପାରେ |
          ତେବେ ପ୍ରଶ୍ନ ଉଠେ ଫେରୋ-କ୍ରୋମ କାରଖାନା ଗୋପାଳପୁରର ଦୁଃଖ ଲାଘବରେ ସହାୟକ ହୋଇପାରିବ କି ? ଆନ୍ତର୍ଜାତିକସ୍ତରରେ ମାନ୍ଦାବସ୍ଥା କାଳକ୍ରମେ ଉତ୍କଟ ହୋଇ ଚାଲିଥିବାବେଳେ ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କରେ ଅଧିକା ଶିଳ୍ପ ପ୍ରତିଷ୍ଠା ସହଜରେ ହୋଇ ପାରିବ କି ?  ସର୍ବୋପରି ଏହି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କାରଖାନାଗୁଡ଼ିକରେ ସ୍ଥାନୀୟ ମାନବସମ୍ବଳ ବିନିଯୋଗର ସମ୍ଭାବନା ରହିବ କି ? ଆଖପାଖରେ କିଣାବିକା ହୋଇଥିବା ଜମିଜମାରୁ ଅନ୍ତତଃ ବ୍ୟାଙ୍କହାରରେ ସୁଧ ହାସଲ କରିହେବ କି ?

ସଂବାଦ (ବ୍ରହ୍ମପୁର ସଂସ୍କରଣ) ୧୬ ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ

Monday, March 21, 2016

Forecast of hot days in summer of 2016 / ୨୦୧୬ ରେ ପ୍ରବଳ ଗରମ ଆଶଙ୍କା (?)

କୁହାଯାଏ ବ୍ରହ୍ମପୁରରେ ଆଠମାସ ଗରମ ଆଉ ଚାରିମାସ ଗରମରୁ ନିସ୍ତାର | ସାଧାରଣତଃ ପ୍ରତିବର୍ଷ କୁମାର ପୂର୍ଣ୍ଣିମାଠାରୁ ସହରର ପାଣିପାଗ ସାମାନ୍ୟ ଥଣ୍ଡା ହୋଇ ଶିବରାତ୍ରୀ ଯାଏଁ ବଳବତ୍ତର ରହିଥାଏ | ତେବେ ଶିବରାତ୍ରୀଠାରୁ ଗରମ ଆରମ୍ଭ ହୋଇ ବସନ୍ତ, ଗ୍ରୀଷ୍ମ, ବର୍ଷା ଓ ଶରତ ଚାରିଗୋଟି ଋତୁରେ କ୍ରମଶଃ ବଢ଼ି ପୁଣି ଛିଣ୍ଡି ଥାଏ |
          ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାଯାଇଛି ଯେ ଏଲ ନିନୋ ଅନୁଭୂତ ହୋଇଥିବା ବର୍ଷର ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷରେ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥାଏ | ଏଲ ନିନୋ ଆନ୍ତର୍ଜାତିକସ୍ତରରେ ଏକ ଜଳବାୟୁ ବିଭ୍ରାଟ | ପ୍ରଶାନ୍ତମହାସାଗରର ଜଳ ଉତ୍ତପ୍ତ ହୋଇ ସୃଷ୍ଟି ହେଉଥିବା ପାଣିପାଗର ଅସନ୍ତୁଳିତ ଅବସ୍ଥା ସାଧାରଣତଃ ଭାରତରେ ମୌସୁମୀ ବର୍ଷା ହ୍ରାସର କାରଣ ପାଲଟିଯାଏ | ୨୦୧୫ ମସିହାରେ ଆମ ଦେଶରେ ଦୀର୍ଘତମ ଏଲ ନିନୋର ପ୍ରଭାବ ଅନୁଭୂତ ହୋଇଥିବା ହେତୁ ତତ୍ ପରବର୍ତ୍ତୀ ବର୍ଷ ଅର୍ଥାତ ଚଳିତ ୨୦୧୬ ଗ୍ରୀଷ୍ମଋତୁରେ ପ୍ରବଳ ଗରମ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି |
          ପାଣିପାଗ ପୂର୍ବାନୁମାନ ପାଇଁ ମୁଖ୍ୟତଃ ସମକାଳୀନ ତାପମାତ୍ରା, ବର୍ଷା ଓ ପବନର ବେଗକୁ ବିଚାରକୁ ନେଇ ଅତୀତ ବର୍ଷଗୁଡ଼ିକର ପାଣିପାଗର ଗତି ପ୍ରକୃତିର ଇତିହାସ ସହ ତର୍ଜମା କରାଯାଇଥାଏ | ଅର୍ଥାତ ବର୍ତ୍ତମାନର ପାରିପାଶ୍ୱିକ ଜଳବାୟୁର ସ୍ଥିତି ଅତୀତରେ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଥିବା ରେକର୍ଡ଼ ରହିଛି ତାହା ଭବିଷ୍ୟତ ପାଣିପାଗର କଳନାଲାଗି ସହାୟକ ହୋଇଥାଏ | ଅତଏବ ଏଲ ନିନୋ ଅନୁଭୂତ ହୋଇଥିବା ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷଗୁଡ଼ିକରେ ଅତୀତରେ ଅଧିକ ଗରମ ଅନୁଭୂତ ହୋଇଥିବା ହେତୁ ଚଳିତ ବର୍ଷ ଗ୍ରୀଷ୍ମର ପ୍ରାବଲ୍ୟ ପାଣିପାଗ ତତ୍ତ୍ବବିତମାନେ ଆଶା କରୁଛନ୍ତି ଑ |
          ୧୯୯୭ ମସିହାରେ ଓଡ଼ିଶାରେ ପ୍ରବଳ ଏଲ ନିନୋ ପ୍ରଭାବ ଅନୁଭୂତ ହୋଇଥିଲା |  ତତ୍ ପରବର୍ତ୍ତୀ ୧୯୯୮  ମସିହାରେ ଅଂଶୁଘାତରେ ରାଜ୍ୟରେ ଦୁଇ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା | ସେହିବର୍ଷ ୨୩ ଗୋଟି ଗ୍ରୀଷ୍ମପ୍ରବାହ ବା ହିଟ ଎ଓ୍ବେବ ଦିବସ ଅନୁଭୂତ ହୋଇଥିଲା | ସେହିପରି ୨୦୦୨, ୨୦୦୪, ୨୦୦୬ ଓ ୨୦୦୯ ରେ ରାଜ୍ୟରେ ଏଲ ନିନୋର ପ୍ରଭାବ ଦେଖାଯାଇଥିବା ବେଳେ ଯଥାକ୍ରମେ ୨୦୦୩ ଓ ୨୦୦୫ରେ  ୨୦ଦିନ, ୨୦୦୭ ରେ ୧୩ ଦିନ ଓ ୨୦୧୦ ରେ ୪୧ ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ରେକର୍ଡ଼ କରାଯାଇଥିଲା |
          ଏହି ଅଭିଜ୍ଞତାରୁ ଚଳିତ ବ଱ର୍ଷ ଅନ୍ୟ ସାଧାରଣବର୍ଷ ତୁଳନାରେ ଅଧିକା ଗ୍ରୀଷ୍ମ ପ୍ରବାହ ଦିବସ ଆଶଙ୍କା ଅମୂଳକ ନୁହେଁ | ବ୍ରହ୍ମପୁରରେ ଗତବର୍ଷ ଶୀତ ଅନୁଭୂତ ହୋଇନାହିଁ କହିଲେ ଚଳେ | ଅନେକେ ଆଲମିରାରୁ ସ୍ପେଟର, ମଫଲର ବାହାର ହିଁ କରିନଥିଲେ | ପାଣିପାଗ ରେକର୍ଡ଼ରୁ ଜଣାଯାଏ ଯେ ସାଧାରଣତଃ ନଭେମ୍ବର ମାସରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ହାରାହାରି ୨୪ ରୁ ୨୫ ରହୁଥିବାବେଳେ ଗତ ଥର ୨୬.୬ ଥିଲା ଏବଂ ଡ଼ିସେମ୍ବର ମାସରେ ହାରାହାରି ୨୧ ରୁ ୨୨  ରହୁଥିବାବେଳେ ଗତଥର ୨୪ ଡ଼ିଗ୍ରୀ ସେଲସିଅସ ଥିଲା |
          ଗ୍ରୀଷ୍ମଋତୁରେ ପାରମ୍ପରିକଭାବେ ଅପରାହ୍ନରେ ସ୍ଥାନୀୟ ମେଘଦ୍ୱାରା #ବ୍ରହ୍ମପୁର ସହରରେ ବର୍ଷା ଦେଖାଯାଇଥାଏ | ଦିନବେଳାର ଉତ୍ତାପରେ ସମୁଦ୍ର ଜଳ ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରିଥାଏ ଏବଂ ଅପରାହ୍ନରେ ସହରର ପଶ୍ଚିମ ଦିଗରୁ କେରାଣ୍ଡିମାଳ ପର୍ବତ ପଟୁ କଳାହାଣ୍ଡିଆ ମେଘ ସ୍ବଳ୍ପ ସମ୆ୟପାଇଁ ବର୍ଷା କରାଇଥାଏ | କିନ୍ତୁ ଜଳବାୟୁ ପରିବର୍ତ୍ତନର ସ୍ରୋତରେ ଏହିଭଳି ବର୍ଷା ଦିନର ସଂଖ୍ୟା ବର୍ଷକୁ ବର୍ଷ କମି କମି ଆସୁଛି | ତେବେ ଏହା ସହରବାସୀଙ୍କୁ ଗରମର ପ୍ରକୋପରୁ ରିହାତି ଦେବାସହ ଜଳ ସମସ୍ୟା ସମାଧାନ କରିଥାଏ | ଚଳିତବର୍ଷ ଦୀର୍ଘଦିନରୁ ବର୍ଷା ଅଭାବ ହେତୁ ସହରକୁ ଜଳଯୋଗାଣର ସୂତ୍ର ଋଷିକୂଲ୍ୟା ଶୁଖିଲା ପଡ଼ିଥିବା କୁହାଯାଉଛି  | ଜଳଯୋଗାଣ କର୍ମକର୍ତ୍ତାମାନେ ହରଭଙ୍ଗୀ ନଦୀରୁ ଋଷିକୂଲ୍ୟା ନଦୀ ଦେଇ ଜଳଯୋଗାଣ ବ୍ୟବସ୍ଥା ଚ଼ିନ୍ତା କରୁଛନ୍ତି | ସେ ଯାହା ହେଉ ପାଣିପାଗର ସାମ୍ଭାବ୍ୟ ଉଗ୍ରରୂପକୁ ସାମ୍ନା କରିବା ପାଇଁ ବ୍ରହ୍ମପୁରବାସୀ ମାନସିକସ୍ତରରେ ପ୍ରସ୍ତୁତ ହେବା ନିମନ୍ତେ ସମୟଆସି ପହଞ୍ଚିଛି ବୋଲି କହିବାକୁ ହେବ |

ସଂବାଦ (ବ୍ରହ୍ମପୁର ସଂସ୍କରଣ) ୭ ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ

Sunday, March 20, 2016

Dr Pradeep Mahapatra's Odia Blog : Berhampur Diary / ଡ଼କ୍ଟର ପ୍ରଦୀପ ମହାପାତ୍ରଙ୍କ ଓଡ଼ିଆ ବ୍ଳଗ ‘ବ୍ରହ୍ମପୁର ଡ଼ାଏରୀ’

ଫୋଟ : ମନୋଜ ଦେଓରି (ଏପ୍ରିଲ, ୨୦୧୫)
‘#ବ୍ରହ୍ମପୁର ଡ଼ାଏରୀର ପ୍ରଣେତା ଡ଼କ୍ଟର ପ୍ରଦୀପ ମହାପାତ୍ର ବ୍ରହ୍ମପୁର ବାସିନ୍ଦା | #ବ୍ରହ୍ମପୁର ଓ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ସାମ୍ୱାଦିକତାରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ ପରେ ୧୯୮୨ ରୁ ୧୯୮୯ ଆଠବର୍ଷ ସମ୍ୱାଦପତ୍ର ଓ ଫିଚ଼ର ପତ୍ରିକା ସମ୍ପାଦନା କ୍ଷେତ୍ରରେ ସଂପୃକ୍ତ ରହି ପରବର୍ତ୍ତୀ ସତେଇଶି ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ୱାଦିକତା ଅଧ୍ୟାପନା ପରେ ୨୦୧୫ରେ ଅବସର ଗ୍ରହଣ କରିଛନ୍ତି | ଅଧୁନା ମୁକ୍ତବୃତ୍ତି ସାଂବାଦିକ, ତାଲିମଦାତା ଓ ବିଶ୍ଳେଷକ ଭାବେ କାର୍ଯ୍ୟରତ | ଆବାସ: ଭୀମାରାଓପେଟା, ଭାପୁର ବଜାର, ବ୍ରହ୍ମପୁର ୭୬୦ ୦୦୧ |  ଇ-ମେଲ : pradeep.mahapatra@gmail.com | ମୋବାଇଲ : + ୯୧ ୯୪୩୭୦ ୯୬୯୪୪

          ଡ଼କ୍ଟର ମହାପାତ୍ର ୧୯୮୨ରୁ ଅନିୟମିତ ଭାବେ ବ୍ରହ୍ମପୁର ଡ଼ାଏରୀ ସ୍ତମ୍ୱରେ ସହର ସଂପର୍କରେ ବିଭିନ୍ନ ବିଷୟରେ ଚର୍ଚ୍ଚା କରି ଆସିଛନ୍ତି | ପ୍ରଥମେ ଦୈନିକ ଆଶାରେ ଆରମ୍ଭ ହୋଇଥିବା ଏହି ସ୍ତମ୍ୱଟି ଅନୁପମ ଭାରତ, ଧରିତ୍ରୀ, ଲିପିମାୟାସମ୍ୱାଦ ଇତ୍ୟାଦି ସଂବାଦପତ୍ରରେ ପ୍ରକାଶ ପାଇ ଆସିଛି | ୨୦୧ରେ ବର୍ଷକ ପାଇଁ ଏହା ଇଂଲିଶ ବ୍ଳଗ ଆକାରରେ ପ୍ରକାଶ ପାଇ ବନ୍ଦ ରହିଥିଲା | ୨୦୧୬ ଦୋଳପୂର୍ଣ୍ଣିମାରୁ ଓଡ଼ିଆ ବ୍ଳଗ ରୂପେ ଆତ୍ମପ୍ରକାଶ କରିଛି |