Friday, April 15, 2022

Cycle-Rickshaw / ସାଇକଲ ରିକ୍ସା

 

#ବ୍ରହ୍ମପୁର ସହରୀ-ଜୀବନରେ କୋଭିଡ଼-୧୯ ମହାମାରୀ-ପର ଅବସ୍ଥାରେ କେତେକ ଉଲ୍ଲେଖନୀୟ ପରିବର୍ତ୍ତନରେ ରାସ୍ତାଘାଟରେ ସାଇକଲ ରିକ୍ସା ଚଳପ୍ରଚଳ କମି ଯାଇଥିବା ଦେଖିବାକୁ ମିଳୁଥିବା ଅନ୍ୟତମ ।
 
ବ୍ରହ୍ମପୁର ସହର ବିକଶିତ ହେବା ଆରମ୍ଭରୁ ଯାତ୍ରୀ ଓ ମାଲ ପରିବହନ ନିମନ୍ତେ ବଳଦଟଣା ଶଗଡ଼ ଓ ଘୋଡ଼ାଗାଡ଼ି ଝାଟକାର ପ୍ରଚଳନ ରହି ଆସିଥିଲା । ସାଧାରଣରେ ଉଭୟ ଯାନର ମାଲିକ ଓ ସେମାନଙ୍କ ପରିବାରବର୍ଗ ସେସବୁ ବ୍ୟବହାର କରିଆସୁଥିଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳଗାଡ଼ି ଓ ମଧ୍ୟଭାଗରୁ ମଟରଗାଡ଼ି ବସ ଚଳାଚଳ ଅବସରରେ ଝାଟକା ଭଡ଼ାରେ ମିଳିବା ପରେ ସର୍ବସାଧାରଣ ପରିବହନ ଯାନ ମାନ୍ୟତା ପାଇଥିଲା । ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ସାଇକଲ ରିକ୍ସାର ବ୍ୟବହାର ବ୍ରହ୍ମପୁରରେ ଆରମ୍ଭ ହୋଇଥିଲେ ହେଁ ସ୍ୱାଧୀନୋତ୍ତର ପରିବେଶରେ ହିଁ ପ୍ରସାର ଲାଭ କରିଥିଲା । ସହରର ପରିସୀମା ଓ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବାଣିଜ୍ୟ ବ୍ୟବସାୟ, ପ୍ରଶାସନିକ କାର୍ଯ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ମନୋରଞ୍ଜନ ଇତ୍ୟାଦି ସୁବିଧାସୁଯୋଗ ଗ୍ରହଣ କରିବାକୁ ଗଞ୍ଜାମ ତଥା ପଡ଼ୋଶୀ ଜିଲ୍ଲାରୁ ବହୁସଂଖ୍ୟକ ଲୋକ ଦୈନନ୍ଦିନ ଯିବାଆସିବା କରିବାରୁ ସହର ମଧ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାର ଗୁରୁତ୍ୱ ବଢ଼ିଥିଲା ।
 
ସାଇକଲ ରିକ୍ସା ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଦକ୍ଷିଣ-ପୂର୍ବ ରାଷ୍ଟ୍ରଗୁଡ଼ିକରେ ଲୋକପ୍ରିୟତା ହାସଲ କରିଥିଲା । ଏହି ଯାନର ବ୍ୟବହାର କୋଲକତାରେ ୧୯୩୦ରେ ଆରମ୍ଭ ହୋଇଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ସାଇକଲ ରିକ୍ସା ଚାଳନା ସରଳ ଓ ଯାନର ମୂଲ୍ୟ ବ୍ୟୟବହୁଳ ନଥିବା ହେତୁ କୋଲକତା-ପ୍ରଭାବିତ ପୂର୍ବଭାରତର ବିଭିନ୍ନ ସହରକୁ ଖୁବ କମ ସମୟ ମଧ୍ୟରେ ସଂପ୍ରସାରିତ ହୋଇଥିଲା । ସାଇକଲ ରିକ୍ସା ପ୍ରଚଳନ କୋଲକତାରୁ କଟକ ଦେଇ ବ୍ରହ୍ମପୁରରେ ପହଞ୍ଚିଥିଲା ।
 
ଅକ୍ଟୋବର ୨୦୦୬ରେ ସମ୍ୱାଦପତ୍ରରେ ପ୍ରକାଶିତ ଏକ ବିବରଣୀରେ ଉଲ୍ଲେଖ ଥିଲା, ବ୍ରହ୍ମପୁର ସହରରେ ଏବେ ପ୍ରାୟ ୧୨ ହଜାର ରିକ୍ସା ଚାଳକ ଥିବା ଜଣା ପଡ଼ିଛି । ବ୍ରହ୍ମପୁରରେ ଅଟୋ ଦ୍ୱାରା ଲୋକମାନେ ଯାତାୟାତ କରୁଥିଲେ ମଧ୍ୟ ବିଭିନ୍ନ ଛକ ସ୍ଥାନକୁ ହିଁ ପହଞ୍ଚିପାରିଥାନ୍ତି । ତେଣୁ ନିର୍ଦ୍ଦିଷ୍ଟ ଗନ୍ତବ୍ୟସ୍ଥଳ ଓ ସାହୀ ମଧ୍ୟରୁ ଯିବା ପାଇଁ ଆଜି ବି ଲୋକମାନଙ୍କ ପ୍ରଥମ ପସନ୍ଦ ରିକ୍ସା ରହିଥିବା ବହୁ ଲୋକ ପ୍ରକାଶ କରିଛନ୍ତି ।” (ସମ୍ୱାଦ, ବ୍ରହ୍ମପୁର ସଂସ୍କରଣ / ୨୧ ଅକ୍ଟୋବର ୨୦୦୬)
 
ବ୍ରହ୍ମପୁରରେ ୨୦୦୫ରୁ ୨୦୧୫ ମଧ୍ୟରେ ଅଟୋରିକ୍ସା ଚଳାଚଳ ପ୍ରସାର ଲାଭ କରିବା ପରେ ୨୦୧୫ ବେଳକୁ ରିକ୍ସା ସଂଖ୍ୟା କମି ଆସିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୫ରୁ ୨୦୨୦ ପାଞ୍ଚ ବର୍ଷ ମଧ୍ୟରେ ଅଲୋଡ଼ା ହୋଇପଡୁଥିବା ଏହି ପରିବହନ ବ୍ୟବସ୍ଥା ୨୦୨୦ ଓ ୨୦୨୧ ଦୁଇ ବର୍ଷ ମଧ୍ୟରେ ମହାମାରୀଜନିତ ଦୀର୍ଘ ଜନପଦ ବନ୍ଦ ଲକଡ଼ାଉନ ପ୍ରଭାବରେ ଉଭେଇ ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନୁଧ୍ୟାନରୁ ୨୦୨୨ ଆରମ୍ଭ ସୁଦ୍ଧା ସହରରେ ମାତ୍ର ପାଞ୍ଚ ଶହରୁ କମ ରିକ୍ସା ଚଳାଚଳ କରୁଥିବା ହିସାବ କରାଯାଏ ।
 
ଉଦାହରଣରେ ସହରର ଜଣେ ବଡ଼ ରିକ୍ସା ମାଲିକଙ୍କ ୯୦ ଗୋଟି ରିକ୍ସା ଅଛି । ମହାମାରୀ ପୂର୍ବରୁ ରାତି ଓ ଦିନ ଦୁଇ ବେଳାର ଭଡ଼ାରେ ଅଶୀରୁ ନବେ ପ୍ରତିଶତ ରିକ୍ସା ଭଡ଼ାରେ ଚାଳକମାନେ ନେଉଥିଲେ । ଏପ୍ରିଲ ୨୦୨୨ ସୁଦ୍ଧା କେବଳ ଦିନବେଳା ୪୦ ରୁ ୫୦ ରିକ୍ସା ଭଡ଼ାରେ ଯାଉଛି । ରାତିବେଳା ପ୍ରାୟ ଶୂନ । ଗୁରୁବାର, ସଂକ୍ରାନ୍ତି ବିଭିନ୍ନ ପର୍ବପର୍ବାଣୀରେ ଭଡ଼ା ସଂଖ୍ୟା ଆହୁରି କମିଯାଏ । ଭଡ଼ା ବାବଦରେ ଦିନ ବେଳା ୩୦ ଓ ରାତିବେଳା ୩୦ ଟଙ୍କା ଭଡ଼ା ପାଆନ୍ତି । ରିକ୍ସା ରକ୍ଷଣାବେକ୍ଷଣ ପାଇଁ ଚାରିଜଣ ନିୟୋଜିତ ଅଛନ୍ତି । ଭଡ଼ା ପଇସା କର୍ମଚାରୀଙ୍କ ପାଉଣାରେ ଯାଏ । ମାଲିକଙ୍କ ପାଇଁ ଏହା କ୍ଷତିର ବ୍ୟବସାୟ । ସହରରେ ପ୍ରାୟ ଦଶରୁ ଅଧିକ ଛୋଟ ବଡ଼ ରିକ୍ସା ମାଲିକଙ୍କ ବ୍ୟବସାୟ ଚାଲିଥିବା ଜଣାଯାଏ ।
 
ରିକ୍ସା ଚାଳନା ନିମନ୍ତେ ରିକ୍ସା ଚାଳକ ଆବଶ୍ୟକ ପଡ଼ିଥାନ୍ତି । ୨୦୦୫ ବେଳକୁ ବ୍ରହ୍ମପୁର ସହରତଳି ଗ୍ରାମାଞ୍ଚଳରୁ ରିକ୍ସା ଚାଳକମାନେ ଏହି ବୃତ୍ତିରେ ନିୟୋଜିତ ହେଉଥିଲେ । ସେହି ସମୟରେ ଭୁବନେଶ୍ୱରରେ ଅଟୋରିକ୍ସା ସଂଖ୍ୟା ବଢ଼ିବା ଏବଂ ସହର ସଂପ୍ରସାରିତ ହେବା ହେତୁ ସାଇକଲ ରିକ୍ସାର ପ୍ରଚଳନ ବନ୍ଦ ହୋଇଯାଇଥିଲା । ସେଠାକାର ରିକ୍ସା ଚାଳନାକୁ ବୃତ୍ତି କରିଥିବା ସ୍ଥାନୀୟ ଝମ୍ପୁଡ଼ି ବାସିନ୍ଦାଙ୍କ ବ୍ୟତୀତ ନୟାଗଡ଼ ଭଳି ପଡ଼ୋଶୀ ଅଞ୍ଚଳର ବହୁ ଗ୍ରାମବାସୀ ସଂପୃକ୍ତ ଥିଲେ । ଭୁବନେଶ୍ୱରରେ ନିଯୁକ୍ତି ହରାଇବା ପରେ କେତେକ ବ୍ରହ୍ମପୁର ଆସିଥିଲେକଟକ ଓ ପୁରୀରେ ରିକ୍ସା ଚାଳକମାନେ ସଂଗଠିତ ଥିବା ଏବଂ ବାହାର ଅଞ୍ଚଳର ନୂଆ ଚାଳକଙ୍କ ପ୍ରବେଶକୁ ବାରଣ କରୁଥିବା ହେତୁ ସେମାନେ ବ୍ରହ୍ମପୁର ମୁହାଁ ହୋଇଥିବା ପ୍ରକାଶିତ ବିବରଣୀରେ ଉଲ୍ଲେଖ କରାଯାଇଥିଲା ।
 
ଆନ୍ତର୍ଜାତିକସ୍ତରରେ ସାଇକଲର ଆଦର ବଢ଼ିଛି; କିନ୍ତୁ ସାଇକଲ ରିକ୍ସାର ପ୍ରଚଳନ ଲୋପ ପାଇ ଆସିଛି । ସାଇକଲ ରିକ୍ସା ଚାଳନା ମନୁଷ୍ୟର ଶ୍ରମଶକ୍ତି ଆବଶ୍ୟକ ପଡୁଥିବା ହେତୁ ଅନ୍ୟଜଣକୁ ବୋହିନେବା ଅମାନବୀୟ ବିବେଚନା କରାଯାଉଛି । ଅପରପକ୍ଷେ ପେଟ୍ରୋଲ ଇନ୍ଧନ ବ୍ୟବହାରରେ ଅଟୋରିକ୍ସା ଚଳାଚଳ ଦ୍ୱାରା ପ୍ରଦୂଷଣ ବଢୁଥିବା ତଥା ତୈଳଦର କ୍ରମାଗତଭାବେ ବୃଦ୍ଧି ପାଇ ଚାଲିଥିବା ହେତୁ ଇ-ରିକ୍ସା ବା ଇଲେକ୍ଟ୍ରିକ-ରିକ୍ସା ପ୍ରଚଳନ ଦେଶରେ ସହରାଞ୍ଚଳରେ ଲୋକପ୍ରିୟତା ହାସଲ କରିବା ଆଶା କରାଯାଏ । ବ୍ରହ୍ମପୁରରେ ଇ-ରିକ୍ସା ପରୀକ୍ଷାମୂଳକଭାବେ ବ୍ୟବହୃତ ହୋଇଥିଲେ ହେଁ ପ୍ରସାର ଲାଭ କରିପାରିନାହିଁ । ଅଗ୍ରଣୀ ବିଦ୍ୟୁତଚାଳିତ ତିନିଚକିଆ ଯାନ ନିର୍ମାତା ମହେନ୍ଦ୍ରା ଇଲେକ୍ଟିକର ପ୍ରମୁଖ କର୍ମକର୍ତ୍ତା ଚାରିବର୍ଷ ମଧ୍ୟରେ ୨୦୨୬ ସୁଦ୍ଧା ଦେଶର ୪୦ ପ୍ରତିଶତ ତିନିଚକିଆ ଇ-ରିକ୍ସା ପର୍ଯ୍ୟାୟଭୁକ୍ତ ହେବ ବୋଲି ଆକଳନ କରିଥିବା ଜଣାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୬ ଏପ୍ରିଲ ୨୦୨୨/ ପୃଷ୍ଠା :୮)

Photo by P.M. Digital Documentation



No comments:

Post a Comment