ଗଞ୍ଜାମ କଳା ପରିଷଦ
#ବ୍ରହ୍ମପୁର ସହରର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ
। ଏହାର ବାର୍ଷିକ ଉତ୍ସବ ବିଷୁବ ସଂକ୍ରାନ୍ତି ଅବସରରେ ଏକାଧିକ ଦିବସ ଧରି ନୃତ୍ୟ, ସଂଗୀତ,
ନାଟକାଦି କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ହୋଇଥାଏ ।
ଅନୁଷ୍ଠାନର ସଭାପତି କୃଷ୍ଣ ଚ଼ରଣ ସିଂହଙ୍କ ଅଧ୍ୟକ୍ଷତାରେ ତିନି ସଂଧ୍ୟା ବ୍ୟାପୀ ୬୫ ତମ
ବାର୍ଷିକ ଉତ୍ସବ ବିଷୁବ ସଂକ୍ରାନ୍ତି ୨୦୨୨ରେ ଅନୁଷ୍ଠିତ ହୋଇଥିଲା ।
ମହାମାରୀଜନିତ ନିୟମାବଳୀ ପାଳନରେ ଦୁଇ ବର୍ଷ ଧରି ସହରରେ ସମସ୍ତ ସାଂସ୍କୃତିକ
କାର୍ଯ୍ୟକ୍ରମ ମଞ୍ଚସ୍ଥ ବାରଣ ସାଙ୍ଗକୁ ଦୈନନ୍ଦିନ କାର୍ଯ୍ୟଧାରା ବନ୍ଦ ରହି ଆସିଥିଲା । ଏହି
କାରଣରୁ ଗଞ୍ଜାମ କଳା ପରିଷଦର କାର୍ଯ୍ୟସୂଚ଼ୀ ପ୍ରଭାବିତ ହେବା ସ୍ୱାଭାବିକ । ତେବେ ଏଥି ପୂର୍ବରୁ ବହୁ ବର୍ଷ ଧରି ଏହାର ପରିଚାଳନାଧିନ
କବିସୂର୍ଯ୍ୟ ରଙ୍ଗମଞ୍ଚ ପୁନଃନିର୍ମାଣ ହେତୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ କରିବା ପ୍ରାୟତଃ
ସଂଭବ ହୋଇପାରୁନଥିଲା । ଫଳରେ ଅନୁଷ୍ଠାନର କାର୍ଯ୍ୟଧାରା ଶିଥିଳ ହୋଇପଡିଆସିଥିଲା । ମଞ୍ଚର ନିର୍ମାଣ
କାର୍ଯ୍ୟ ୨୦୨୨ ସୁଦ୍ଧା ସରିଥିଲେ ସୁଦ୍ଧା ସେଥିରେ ଆବଶ୍ୟକୀୟ ସୁବିଧାସୁଯୋଗ ସଂଲଗ୍ନ ନହୋଇଥିବା
ହେତୁ କର୍ମକର୍ତ୍ତା ଓ କଳାକାରମାନେ ଅସନ୍ତୁଷ୍ଟ । ପରିବର୍ତ୍ତିତ ପରିବେଶରେ ଏହି ସମସ୍ୟାର
ସମାଧାନର ରାସ୍ତା ଅସ୍ପଷ୍ଟ ।
ଗଞ୍ଜାମ କଳା ପରିଷଦ ୧୯୫୮ରେ ଆତ୍ମପ୍ରକାଶ କରିଥିଲା । ସ୍ୱର୍ଗତ ବସନ୍ତ କୁମାର
ପାଣିଗ୍ରାହୀ ଏହି ଅନୁଷ୍ଠାନର ୧୯୫୮ରୁ ୧୯୮୩ ଯାଏଁ ସମ୍ପାଦକ ଓ ୧୯୮୪ରୁ ମୃତ୍ୟୁର କିଛି ସମୟ
ପୂର୍ବ ଯାଏଁ ସଭାପତି ରହି ଆସିଥିଲେ । ସେ ନିଜ ଆତ୍ମଜୀବନୀ ‘ବିସ୍ମୃତିର ସ୍ମୃତି’ ପୁସ୍ତକରେ ଗଞ୍ଜାମ କଳା
ପରିଷଦ ଗଠନର ଇତିହାସ ବର୍ଣ୍ଣନା କରିଛନ୍ତି ।
ରାଜ୍ୟସ୍ତରରେ ୧୯୫୨ରେ ‘ଓଡ଼ିଶା ସଙ୍ଗୀତ ନାଟକ ନୃତ୍ୟ କଳା ପରିଷଦ’ ଗଠିତ ହେବାପରେ
ବ୍ରହ୍ମପୁରଠାରେ ଗଞ୍ଜାମ ଜିଲ୍ଲା ଶାଖା ଆରମ୍ଭ ହୋଇଥିଲା । ସେ ସମୟରେ ସାଂସ୍କୃତିକ
କାର୍ଯ୍ୟକ୍ରମରେ ରୁଚ଼ି ରଖୁଥିବା କେତେକ ନେତୃସ୍ଥାନୀୟ ବ୍ୟକ୍ତି ଏକତ୍ରୀତ ହୋଇ ପ୍ରାୟ
ଅବ୍ୟବହୃତ ଅବସ୍ଥାରେ ପଡିରହିଥିବା ଉତ୍କଳ ଆଶ୍ରମ କୋଠାରେ କାର୍ଯ୍ୟାଳୟ ସ୍ଥାପନ କରିଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ପୃଷ୍ଠପୋଷକତାରେ ୧୯୫୮ରେ ‘ଗଞ୍ଜାମ କଳା ପରିଷଦ’ ସଂଗଠିତ ହୋଇଥିଲା ।
ନୃତ୍ୟ, ସଂଗୀତ ଓ ଅଭିନୟରେ ରୁଚି ରଖୁଥିବା ବର୍ହିଆଗତ କେତେକ ସରକାରୀ କର୍ମଚାରୀଙ୍କ ପରିବାରର
ସନ୍ତାନମାନଙ୍କୁ ନେଇ ୧୯୫୪ରୁ ‘ନେତାଜୀ ଷ୍ଟୁଡ଼େଣ୍ଟସ କ୍ଳବ’ ନାମରେ ଏକ ସୌଖୀନ
ସାଂସ୍କୃତିକ ସଂଗଠନ ସହ ସଂପୃକ୍ତ ନବପ୍ରତିଭା ‘ଗଞ୍ଜାମ କଳା ପରିଷଦ’ରେ ଯୋଗ ଦେଇଥିଲେ । କ୍ରମଶଃ
ଦୈନନ୍ଦିନଭିତ୍ତିରେ ନୃତ୍ୟ-ସଂଗୀତ ଅଭ୍ୟାସ ସାଙ୍ଗକୁ ସାମୟିକ ଭାବେ ନାଟକ ମଞ୍ଚସ୍ଥ ଅନୁଷ୍ଠାନର
କାର୍ଯ୍ୟପରିସରଭୁକ୍ତ ହୋଇଥିଲା । ଦୀର୍ଘକାଳ ଧରି ସନ୍ଧ୍ୟା ଚାରିରୁ ଛଅ ଯାଏଁ ବାଳିକାମାନଙ୍କ
ନୃତ୍ୟଶିକ୍ଷା, ସାତରୁ ନଅ ଯାଏଁ ଯୁବ କଳାକାରଙ୍କ ସଂଗୀତ ଚର୍ଚ୍ଚା ଏବଂ ଆବଶ୍ୟକମତେ ରାତି ଆଠରୁ
ଦଶ ଯାଏଁ ନାଟକ ପୂର୍ବାଭିନୟ ଚାଲିଥିଲା । ୧୯୭୨ରୁ କଳିଙ୍ଗ ସାହିତ୍ୟ ସମାଜ ସୌଜନ୍ୟରେ ଏକ
ପାଠାଗାର କାର୍ଯ୍ୟ ଆରମ୍ଭ ଓ ବୌଦ୍ଧିକ ସମାବେଶମାନ ଆୟୋଜନ ପରେ ଉତ୍କଳ ଆଶ୍ରମ ପ୍ରାଙ୍ଗଣ ସହରର
ସଂସ୍କୃତି-ମନସ୍କଙ୍କ ବିଚରଣସ୍ଥଳୀ ରୂପେ ପରିଣତ ହୋଇପାରିଥିଲା । ଦିନ କେତେ ଚାଋକଳାର ବିକାଶକଳ୍ପେ
କୋମଳମତିଙ୍କ ନିମନ୍ତେ ଚ଼ିତ୍ରାଙ୍କନ ଶିକ୍ଷା ଓ ଚ଼ିତ୍ର ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମମାନ
ମଧ୍ୟ ହାତକୁ ନିଆଯାଇଥିଲା ।
‘ଗଞ୍ଜାମ କଳା ପରିଷଦ’ ପକ୍ଷରୁ ‘କବିସୂର୍ଯ୍ୟ ରଙ୍ଗମଞ୍ଚ’ ନିର୍ମାଣ ଏକ ନାଟକୀୟ ଘଟଣାକ୍ରମରେ ମୂଳଦୁଆ ପଡ଼ିଥିଲା । ଗଞ୍ଜାମ ଜିଲ୍ଲା ରେଡ଼କ୍ରସ ପକ୍ଷରୁ ଅର୍ଥ ସଂଗ୍ରହ ନିମନ୍ତେ ୧୯୬୦ରେ ଏକ ବଡ଼ଧରଣର ସଂଗୀତ-ନୃତ୍ୟ ଉତ୍ସବ ଆୟୋଜନ କରାଯାଇଥିଲା । ମୁମ୍ୱାଇ ଚଳଚ଼ିତ୍ର ଜଗତରୁ ସଂଗୀତଜ୍ଞ ଶ୍ୟାମଲ ମିତ୍ର, ଗାୟକ ମାନ୍ନା ଦେ ଓ ନବଗତା ନୃତ୍ୟଶିଳ୍ପୀ ୱାହିଦା ରେହମାନ ଅଂଶଗ୍ରହଣ କରିଥିଲେ । ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଏକ ଅସ୍ଥାୟୀ ମୁକ୍ତ ମଞ୍ଚ ନିର୍ମାଣ କରାଯାଇ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଖଲ୍ଲିକୋଟ କଲେଜ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି ପ୍ରକାରେ ଉତ୍ସବ ସରିବାପରେ ମଞ୍ଚକୁ ଭାଙ୍ଗି ଦେଇ ଖେଳପଡ଼ିଆ ସଫା କରିବା ସର୍ତ୍ତ ରହିଥିଲା । ମଞ୍ଚ ଭଙ୍ଗା ବେଳେ ପ୍ରଶ୍ନ ଉଠିଲା ଏଥିରେ ବ୍ୟବହୃତ ଇଟାପଥରକୁ କ’ଣ କରାଯିବ ବା କେଉଁଠି ଫୋପଡ଼ା ଯିବ । ଏହାକୁ ଏକ ସୁଯୋଗ ରୂପେ ଗ୍ରହଣ କରି ଗଞ୍ଜାମ କଳା ପରିଷଦ ପକ୍ଷରୁ ଉତ୍କଳ ଆଶ୍ରମ କର୍ମକର୍ତ୍ତାଙ୍କ ଅନୁମତିକ୍ରମେ ଉତ୍କଳ ଆଶ୍ରମ କୋଠା ପାର୍ଶ୍ୱର ଖୋଲା ଅବ୍ୟବହୃତ ଜମିରେ ଏକ ମୁକ୍ତ ରଙ୍ଗମଞ୍ଚ ନିର୍ମାଣ କରାଗଲା । ଏଥିଲାଗି ସହରବାସୀଙ୍କଠାରୁ ପଚ଼ିଶି ହଜାର ଟଙ୍କା ଦାନ ସଂଗୃହୀତ ହୋଇଥିବା ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦଶ ହଜାର ଟଙ୍କା ଅନୁଦାନ ମିଳିଥିଲା । ମୋଟ ପଞ୍ଚତିରିଶି ହଜାର ଟଙ୍କା ବ୍ୟୟରେ ‘କବିସୂର୍ଯ୍ୟ ରଙ୍ଗମଞ୍ଚ’ ନିର୍ମିତ ହୋଇଥିଲା । ସେହି କୋଠାହିଁ ଆଜି ‘ଗଞ୍ଜାମ କଳା ପରିଷଦ’ର ପରିଚ଼ିତି ।
(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୩ ଏପ୍ରିଲ ୨୦୨୨/ ପୃଷ୍ଠା :୮)
Photo by Ricky Singh on Unsplash
No comments:
Post a Comment