Friday, April 8, 2022

Multiplex / ମଲଟିପ୍ଳେକ୍ସ

 

#ବ୍ରହ୍ମପୁର ମଲ ଓ ମଲଟିପ୍ଳେକ୍ସ ସଂସ୍କୃତି ପ୍ରସାରରେ ପଛୁଆ ରହିଆସିଛି । ଜନସଂଖ୍ୟା ଆଧାରରେ ତୃତୀୟ ସ୍ତର ‘ତ୍ରି-ଟାୟର’ ସହର ରୂପେ ପରିଗଣିତ ହେଉଥିବା ହେତୁ ନବ-ବିକଶିତ ବ୍ୟାବସାୟିକ ପ୍ରବାହ ପ୍ରଥମ ଓ ଦ୍ୱିତୀୟ ସ୍ତରର ସହର ତୁଳନାରେ ବିଳମ୍ୱରେ ପହଞ୍ଚେ । ସାଧାରଣରେ ମଲ ଗଢ଼ିଉଠିବାପରେ ସେଥିରେ ମଲଟିପ୍ଳେକ୍ସ ଯୋଡ଼ି ହୋଇଥାଏ । ପାରମ୍ପରିକ ରୀତିରେ ବିକ୍ଷିପ୍ତ ଭାବେ ପ୍ରସାରିତ ଦୋକାନ-ବଜାର ମଲରେ ବହୁତଳ ପ୍ରାସାଦରେ ସଜ୍ଜିତ । ଗ୍ରାହକ ଶୀତତାପ-ନିୟନ୍ତ୍ରିତ ପରିବେଶରେ କିଣାବିକା ସହ ସଂଲଗ୍ନ ଭୋଜନାୟମାଳା ‘ଫୁଡ଼କୋର୍ଟ’ରେ ପରିବେଷିତ କିସମ କିସମର ଆହାର, ବିଦ୍ୟୁତଚାଳିତ ଶିଶୁଙ୍କ କ୍ରୀଡ଼ା ଉପକରଣ ଉଦ୍ୟାନ ‘ପାର୍କ’ ସାଙ୍ଗକୁ ଏକାଧିକ ରୂପେଲି ପରଦା ‘ମଲଟିପ୍ଳେକ୍ସ’ରେ ଚଳଚ଼ିତ୍ର ଉପଭୋଗର ସୁବିଧା ସୁଯୋଗ ପାଇଥାନ୍ତି ।

 

ବ୍ରହ୍ମପୁରରେ ୨୦୨୨ ଆରମ୍ଭ ସୁଦ୍ଧା ଗୋଟିଏ ମଲ ଓ କେତେଗୋଟି ମେଗା ଷ୍ଟୋର ପ୍ରତିଷ୍ଠିତ । ମଲ ବହୁବିଧ ଦୋକାନର ସମାହାର ଥିବା ସ୍ଥଳେ ମେଗା ଷ୍ଟୋରରେ ଜଣେ ବିକ୍ରେତା ବିଭିନ୍ନ ସମଗ୍ରୀର ବିପ୍ପଣୀ ଖୋଲିଥାନ୍ତି । ପୁରୁଣା ବସଷ୍ଟାଣ୍ଡସ୍ଥିତ ‘ସିଟି ମଲ’ ସଂଲଗ୍ନରେ ତିନି ରୂପେଲି ପରଦା ଅର୍ଥାତ ତିନିଗୋଟି ପ୍ରେକ୍ଷାଳୟ ସମ୍ପନ୍ନ ଏକ ମଲଟିପ୍ଳେକ୍ସର ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଆସିଛି । ସେହିପରି ଗାନ୍ଧିନଗର ଛକରେ ନିର୍ମାଣଧୀନ ଅନ୍ୟ ଏକ ମଲରେ ଚାରିଗୋଟି ପ୍ରେକ୍ଷାଳୟ ବିଶିଷ୍ଟ ଏକ ମାଲଟିପ୍ଳେକ୍ସ ୨୦୨୩ ଆରମ୍ଭ ସୁଦ୍ଧା ଖୋଲିବା ନିମନ୍ତେ ତତ୍ପରତା ପ୍ରକାଶ ପାଇଥିବା ଜଣାଯାଏ । ବ୍ରହ୍ମପୁରରେ ପୂର୍ବରୁ କେବଳ ଶକ୍ତି ଓ ଶିବା ଦୁଇ ପ୍ରେକ୍ଷାଳୟ ଏକ ପ୍ରାଙ୍ଗଣରେ ପ୍ରତିଷ୍ଠିତ ହୋଇଥିବା ସ୍ଥଳେ ଗୌତମ, ରୁକ୍ମିଣୀ ଓ ପାୟଲ ଏକକ ସ୍କ୍ରୀନରେ ଚଳଚ଼ିତ୍ର ପ୍ରଦର୍ଶନ କରିଥାନ୍ତି । ମହାମାରୀ-ପର ଅବସ୍ଥାରେ ସମସ୍ତ ପାଞ୍ଚଗୋଟି ପ୍ରେକ୍ଷାଳୟ ଖୋଲିଛି ।

 

ଓଡ଼ିଶାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ୨୦୨୨ ଆରମ୍ଭ ସୁଦ୍ଧା ସ୍ୱାଧୀନତା-ପୂର୍ବ ପରିବେଶକୁ ଫେରିଯାଇଛି । ବିଂଶ ଶତାଦ୍ଦୀ ଶେଷରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏକାଦିକ୍ରମେ ଦୁଇଗୋଟି ମହାବାତ୍ୟା ପରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ ଭାଙ୍ଗିରୁଜି ଯାଇଥିଲା । ଟେଲିଭିଜନ ପ୍ରସାରଣର ୨୦ ବର୍ଷ ଓ ଘରୋଇ ସାଟେଲାଇଟ ଚ୍ୟାନେଲ ପ୍ରଚଳନର ୧୦ ବର୍ଷ ମଧ୍ୟରେ ସାଧାରଣ ଲୋକେ ନିଜ ଘରେ ୨୪ ଘଣ୍ଟିଆ ସମ୍ୱାଦ, ଧାରାବାହିକ ଓ ଚଳଚ଼ିତ୍ର ଉପଭୋଗର ସୁଯୋଗ ପାଇବାପରେ ଅଧିକା ଅର୍ଥ ବ୍ୟୟକରି ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଯିବା ଅଭ୍ୟାସ କ୍ରମେ ଭାଙ୍ଗି ଆସିଥିଲା । ବ୍ୟବସାୟ ଅଭାବରୁ କେତେକ ପ୍ରେକ୍ଷାଳୟ ମାଲିକ ବାତ୍ୟା-ବିଧ୍ୱଂସ୍ତ କୋଠାବାଡ଼ି ସଜାଡିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ । ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନର ପ୍ରବେଶ ଓ ଷ୍ଟ୍ରୀମିଂ ପ୍ଳାଟଫରମଗୁଡ଼ିକର ପ୍ରସାର ପ୍ରେକ୍ଷାଳୟ ବ୍ୟବସାୟକୁ ପୁଣି କ୍ଷତି ପହୁଞ୍ଚାଇଥିଲା । ତେବେ ଓଡ଼ିଶାରେ ମହାମାରୀ-ପୂର୍ବ ଅବସ୍ଥାରେ ପ୍ରାୟ ୧୦୦ ଗୋଟି ପ୍ରେକ୍ଷାଳୟ କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ସ୍ଥଳେ ମହାମାରୀ ସଂକ୍ରମଣ ଭୟରେ ଦେଢ଼ ବର୍ଷ ବନ୍ଦ ରହିବାପରେ ୫୫କୁ ଆସିଯାଇଥିବା କୁହାଯାଉଛି । ଏଗୁଡ଼ିକରେ ପ୍ରାୟ ୧୨୦ଗୋଟି ସ୍କ୍ରୀନ ସଂଲଗ୍ନ ହୋଇଛି ।

 

ବିଶେଷଜ୍ଞଙ୍କ ବିଚାରରେ ମହାମାରୀ-ପର ପରିବେଶ ‘ନ୍ୟୂ-ନରମାଲ’ରେ ଏକକ ରୂପେଲି ପରଦା ବିଶିଷ୍ଟ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟାବସାୟିକ ଦୃଷ୍ଟିରୁ ତିଷ୍ଠି ରହିବା ସଂଭାବନା କମ । ଆନ୍ତର୍ଜାତିକ ପ୍ରବାହ ଅନୁକରଣରେ ମଲଟିପ୍ଳେକ୍ସ-ଥିଏଟର-ଚ଼େନ ଅର୍ଥାତ ଅନ୍ତଃରାଜ୍ୟ ବା ଜାତୀୟସ୍ତରରେ ବହୁ ସହରରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ-ଶୃଙ୍ଖଳ ବ୍ୟାବସାୟିକ ଆର୍ଥିକ ନିବେଶ ଓ ପରିଚାଳନାରେ ପର୍ଯ୍ୟବସିତ ହେବ । ଆମ ଦେଶରେ ପିଭିଆର ଓ ଆଇନକ୍ସ ଦୁଇଗୋଟି ବୃହତ ଥିଏଟର-ଚେନ । ପିଭିଆର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ୭୩ଗୋଟି ସହରରେ ୧୮୧ଗୋଟି ପ୍ରେକ୍ଷାଳୟରେ ୮୭୧ଗୋଟି ରୂପେଲିପରଦା ଏବଂ ଆଇନକ୍ସ ପୂର୍ବାଞ୍ଚଳରେ ୭୨ଗୋଟି ସହରରେ ୧୬୦ଗୋଟି ପ୍ରେକ୍ଷାଳୟରେ ୬୭୫ ଗୋଟି ରୂପେଲି ପରଦାରେ କାର୍ଯ୍ୟକ୍ଷମ । ଏହି ଦୁଇଗୋଟି ଚ଼େନ ମିଶ୍ରଣ ହେଉଥିବା ମାର୍ଚ୍ଚ ୨୦୨୨ରେ ଘୋଷିତ ହୋଇଛି । ନୂଆ କମ୍ପାନୀ ‘ପିଭିଆର-ଆଇନାକ୍ସ’ ପରବର୍ତ୍ତୀ ସାତବର୍ଷ ମଧ୍ୟରେ ଚାରି ହଜାର କୋଟି ଟଙ୍କା ବ୍ୟୟରେ ଉପଲବ୍ଧ ବ୍ୟବସ୍ଥାର ଆଧୁନୀକରଣ ସହ ବାର୍ଷିକ ଦୁଇଶହ ନୂଆ ସ୍କ୍ରୀନ ଟାୟାର-୩, ଟାୟାର-୪ ଓ ଟାୟାର-୫ ସହରରେ ନିର୍ମାଣ କରିବ । ପ୍ରତି ସ୍କ୍ରୀନ ପିଛା ଅଢ଼େଇ କୋଟି ଟଙ୍କା ବ୍ୟୟ ହେବ ।

 

ଭାରତର ପୂର୍ବାଞ୍ଚଳରେ ଆଇନକ୍ସ ପ୍ରଭାବ ବିସ୍ତାର କରିଥିବା ହେତୁ ପ୍ରସ୍ତାବିତ ‘ପିଭିଆର-ଆଇନକ୍ସ’ ସଂପ୍ରସାରଣରେ ବ୍ରହ୍ମପୁରରେ ମଲଟିପ୍ଳେକ୍ସ ନିର୍ମାଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଇପାରେ । ଅବଶ୍ୟ ମଲଟିପ୍ଳେକ୍ସ ମଲ ସହ ଯୋଡ଼ି ହୋଇ ରହୁଥିବା ହେତୁ ସହରରେ ବଡ଼ ମଲ ନିର୍ମାଣ ଉପରେ ମଲଟିପ୍ଳେକ୍ସ ପ୍ରତିଷ୍ଠା ନିର୍ଭର କରିବ । ଅପରପକ୍ଷରେ ମହାମାରୀ-ପର ଅବସ୍ଥାରେ ଉଭୟ ମଲ ଓ ମଲଟିପ୍ଳେକ୍ସ କ୍ଷତିର ବ୍ୟବସାୟରୂପେ ପରିଗଣିତ ହେଉଥିବା ହେତୁ ଏଦିଗରେ ନିବେଶ ବହୁ ଅଙ୍କ କଷା ଲୋଡ଼ିବ !


(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଏପ୍ରିଲ ୨୦୨୨/ ପୃଷ୍ଠା :୮)


Photo by Lennart Schneider on Unsplash 


No comments:

Post a Comment