Friday, April 8, 2022

Multiplex / ମଲଟିପ୍ଳେକ୍ସ

 

#ବ୍ରହ୍ମପୁର ମଲ ଓ ମଲଟିପ୍ଳେକ୍ସ ସଂସ୍କୃତି ପ୍ରସାରରେ ପଛୁଆ ରହିଆସିଛି । ଜନସଂଖ୍ୟା ଆଧାରରେ ତୃତୀୟ ସ୍ତର ତ୍ରି-ଟାୟର ସହର ରୂପେ ପରିଗଣିତ ହେଉଥିବା ହେତୁ ନବ-ବିକଶିତ ବ୍ୟାବସାୟିକ ପ୍ରବାହ ପ୍ରଥମ ଓ ଦ୍ୱିତୀୟ ସ୍ତରର ସହର ତୁଳନାରେ ବିଳମ୍ୱରେ ପହଞ୍ଚେସାଧାରଣରେ ମଲ ଗଢ଼ିଉଠିବାପରେ ସେଥିରେ ମଲଟିପ୍ଳେକ୍ସ ଯୋଡ଼ି ହୋଇଥାଏ । ପାରମ୍ପରିକ ରୀତିରେ ବିକ୍ଷିପ୍ତ ଭାବେ ପ୍ରସାରିତ ଦୋକାନ-ବଜାର ମଲରେ ବହୁତଳ ପ୍ରାସାଦରେ ସଜ୍ଜିତ । ଗ୍ରାହକ ଶୀତତାପ-ନିୟନ୍ତ୍ରିତ ପରିବେଶରେ କିଣାବିକା ସହ ସଂଲଗ୍ନ ଭୋଜନାୟମାଳା ଫୁଡ଼କୋର୍ଟରେ ପରିବେଷିତ କିସମ କିସମର ଆହାର, ବିଦ୍ୟୁତଚାଳିତ ଶିଶୁଙ୍କ କ୍ରୀଡ଼ା ଉପକରଣ ଉଦ୍ୟାନ ପାର୍କ ସାଙ୍ଗକୁ ଏକାଧିକ ରୂପେଲି ପରଦା ମଲଟିପ୍ଳେକ୍ସରେ ଚଳଚ଼ିତ୍ର ଉପଭୋଗର ସୁବିଧା ସୁଯୋଗ ପାଇଥାନ୍ତି ।

 

ବ୍ରହ୍ମପୁରରେ ୨୦୨୨ ଆରମ୍ଭ ସୁଦ୍ଧା ଗୋଟିଏ ମଲ ଓ କେତେଗୋଟି ମେଗା ଷ୍ଟୋର ପ୍ରତିଷ୍ଠିତ । ମଲ ବହୁବିଧ ଦୋକାନର ସମାହାର ଥିବା ସ୍ଥଳେ ମେଗା ଷ୍ଟୋରରେ ଜଣେ ବିକ୍ରେତା ବିଭିନ୍ନ ସମଗ୍ରୀର ବିପ୍ପଣୀ ଖୋଲିଥାନ୍ତିପୁରୁଣା ବସଷ୍ଟାଣ୍ଡସ୍ଥିତ ସିଟି ମଲ ସଂଲଗ୍ନରେ ତିନି ରୂପେଲି ପରଦା ଅର୍ଥାତ ତିନିଗୋଟି ପ୍ରେକ୍ଷାଳୟ ସମ୍ପନ୍ନ ଏକ ମଲଟିପ୍ଳେକ୍ସର ନିର୍ମାଣ କାର୍ଯ୍ୟ ପ୍ରାୟ ସରି ଆସିଛି । ସେହିପରି ଗାନ୍ଧିନଗର ଛକରେ ନିର୍ମାଣଧୀନ ଅନ୍ୟ ଏକ ମଲରେ ଚାରିଗୋଟି ପ୍ରେକ୍ଷାଳୟ ବିଶିଷ୍ଟ ଏକ ମାଲଟିପ୍ଳେକ୍ସ ୨୦୨୩ ଆରମ୍ଭ ସୁଦ୍ଧା ଖୋଲିବା ନିମନ୍ତେ ତତ୍ପରତା ପ୍ରକାଶ ପାଇଥିବା ଜଣାଯାଏ । ବ୍ରହ୍ମପୁରରେ ପୂର୍ବରୁ କେବଳ ଶକ୍ତି ଓ ଶିବା ଦୁଇ ପ୍ରେକ୍ଷାଳୟ ଏକ ପ୍ରାଙ୍ଗଣରେ ପ୍ରତିଷ୍ଠିତ ହୋଇଥିବା ସ୍ଥଳେ ଗୌତମ, ରୁକ୍ମିଣୀ ଓ ପାୟଲ ଏକକ ସ୍କ୍ରୀନରେ ଚଳଚ଼ିତ୍ର ପ୍ରଦର୍ଶନ କରିଥାନ୍ତି । ମହାମାରୀ-ପର ଅବସ୍ଥାରେ ସମସ୍ତ ପାଞ୍ଚଗୋଟି ପ୍ରେକ୍ଷାଳୟ ଖୋଲିଛି ।

 

ଓଡ଼ିଶାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟବସାୟ ୨୦୨୨ ଆରମ୍ଭ ସୁଦ୍ଧା ସ୍ୱାଧୀନତା-ପୂର୍ବ ପରିବେଶକୁ ଫେରିଯାଇଛି । ବିଂଶ ଶତାଦ୍ଦୀ ଶେଷରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏକାଦିକ୍ରମେ ଦୁଇଗୋଟି ମହାବାତ୍ୟା ପରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ ଭାଙ୍ଗିରୁଜି ଯାଇଥିଲା । ଟେଲିଭିଜନ ପ୍ରସାରଣର ୨୦ ବର୍ଷ ଓ ଘରୋଇ ସାଟେଲାଇଟ ଚ୍ୟାନେଲ ପ୍ରଚଳନର ୧୦ ବର୍ଷ ମଧ୍ୟରେ ସାଧାରଣ ଲୋକେ ନିଜ ଘରେ ୨୪ ଘଣ୍ଟିଆ ସମ୍ୱାଦ, ଧାରାବାହିକ ଓ ଚଳଚ଼ିତ୍ର ଉପଭୋଗର ସୁଯୋଗ ପାଇବାପରେ ଅଧିକା ଅର୍ଥ ବ୍ୟୟକରି ଚଳଚ଼ିତ୍ର ପ୍ରେକ୍ଷାଳୟକୁ ଯିବା ଅଭ୍ୟାସ କ୍ରମେ ଭାଙ୍ଗି ଆସିଥିଲା । ବ୍ୟବସାୟ ଅଭାବରୁ କେତେକ ପ୍ରେକ୍ଷାଳୟ ମାଲିକ ବାତ୍ୟା-ବିଧ୍ୱଂସ୍ତ କୋଠାବାଡ଼ି ସଜାଡିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ । ବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ଇଣ୍ଟରନେଟର ବ୍ୟାପ୍ତି, ସ୍ମାର୍ଟଫୋନର ପ୍ରବେଶ ଓ ଷ୍ଟ୍ରୀମିଂ ପ୍ଳାଟଫରମଗୁଡ଼ିକର ପ୍ରସାର ପ୍ରେକ୍ଷାଳୟ ବ୍ୟବସାୟକୁ ପୁଣି କ୍ଷତି ପହୁଞ୍ଚାଇଥିଲା । ତେବେ ଓଡ଼ିଶାରେ ମହାମାରୀ-ପୂର୍ବ ଅବସ୍ଥାରେ ପ୍ରାୟ ୧୦୦ ଗୋଟି ପ୍ରେକ୍ଷାଳୟ କେନ୍ଦ୍ର କାର୍ଯ୍ୟକ୍ଷମ ଥିବା ସ୍ଥଳେ ମହାମାରୀ ସଂକ୍ରମଣ ଭୟରେ ଦେଢ଼ ବର୍ଷ ବନ୍ଦ ରହିବାପରେ ୫୫କୁ ଆସିଯାଇଥିବା କୁହାଯାଉଛି । ଏଗୁଡ଼ିକରେ ପ୍ରାୟ ୧୨୦ଗୋଟି ସ୍କ୍ରୀନ ସଂଲଗ୍ନ ହୋଇଛି ।

 

ବିଶେଷଜ୍ଞଙ୍କ ବିଚାରରେ ମହାମାରୀ-ପର ପରିବେଶ ନ୍ୟୂ-ନରମାଲରେ ଏକକ ରୂପେଲି ପରଦା ବିଶିଷ୍ଟ ଚଳଚ଼ିତ୍ର ପ୍ରେକ୍ଷାଳୟ ବ୍ୟାବସାୟିକ ଦୃଷ୍ଟିରୁ ତିଷ୍ଠି ରହିବା ସଂଭାବନା କମ । ଆନ୍ତର୍ଜାତିକ ପ୍ରବାହ ଅନୁକରଣରେ ମଲଟିପ୍ଳେକ୍ସ-ଥିଏଟର-ଚ଼େନ ଅର୍ଥାତ ଅନ୍ତଃରାଜ୍ୟ ବା ଜାତୀୟସ୍ତରରେ ବହୁ ସହରରେ ବହୁ ଚଳଚ଼ିତ୍ର ପ୍ରେକ୍ଷାଳୟ-ଶୃଙ୍ଖଳ ବ୍ୟାବସାୟିକ ଆର୍ଥିକ ନିବେଶ ଓ ପରିଚାଳନାରେ ପର୍ଯ୍ୟବସିତ ହେବ । ଆମ ଦେଶରେ ପିଭିଆର ଓ ଆଇନକ୍ସ ଦୁଇଗୋଟି ବୃହତ ଥିଏଟର-ଚେନ । ପିଭିଆର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ୭୩ଗୋଟି ସହରରେ ୧୮୧ଗୋଟି ପ୍ରେକ୍ଷାଳୟରେ ୮୭୧ଗୋଟି ରୂପେଲିପରଦା ଏବଂ ଆଇନକ୍ସ ପୂର୍ବାଞ୍ଚଳରେ ୭୨ଗୋଟି ସହରରେ ୧୬୦ଗୋଟି ପ୍ରେକ୍ଷାଳୟରେ ୬୭୫ ଗୋଟି ରୂପେଲି ପରଦାରେ କାର୍ଯ୍ୟକ୍ଷମ । ଏହି ଦୁଇଗୋଟି ଚ଼େନ ମିଶ୍ରଣ ହେଉଥିବା ମାର୍ଚ୍ଚ ୨୦୨୨ରେ ଘୋଷିତ ହୋଇଛି । ନୂଆ କମ୍ପାନୀ ପିଭିଆର-ଆଇନାକ୍ସ ପରବର୍ତ୍ତୀ ସାତବର୍ଷ ମଧ୍ୟରେ ଚାରି ହଜାର କୋଟି ଟଙ୍କା ବ୍ୟୟରେ ଉପଲବ୍ଧ ବ୍ୟବସ୍ଥାର ଆଧୁନୀକରଣ ସହ ବାର୍ଷିକ ଦୁଇଶହ ନୂଆ ସ୍କ୍ରୀନ ଟାୟାର-୩, ଟାୟାର-୪ ଓ ଟାୟାର-୫ ସହରରେ ନିର୍ମାଣ କରିବପ୍ରତି ସ୍କ୍ରୀନ ପିଛା ଅଢ଼େଇ କୋଟି ଟଙ୍କା ବ୍ୟୟ ହେବ ।

 

ଭାରତର ପୂର୍ବାଞ୍ଚଳରେ ଆଇନକ୍ସ ପ୍ରଭାବ ବିସ୍ତାର କରିଥିବା ହେତୁ ପ୍ରସ୍ତାବିତ ପିଭିଆର-ଆଇନକ୍ସ ସଂପ୍ରସାରଣରେ ବ୍ରହ୍ମପୁରରେ ମଲଟିପ୍ଳେକ୍ସ ନିର୍ମାଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଇପାରେ । ଅବଶ୍ୟ ମଲଟିପ୍ଳେକ୍ସ ମଲ ସହ ଯୋଡ଼ି ହୋଇ ରହୁଥିବା ହେତୁ ସହରରେ ବଡ଼ ମଲ ନିର୍ମାଣ ଉପରେ ମଲଟିପ୍ଳେକ୍ସ ପ୍ରତିଷ୍ଠା ନିର୍ଭର କରିବ । ଅପରପକ୍ଷରେ ମହାମାରୀ-ପର ଅବସ୍ଥାରେ ଉଭୟ ମଲ ଓ ମଲଟିପ୍ଳେକ୍ସ କ୍ଷତିର ବ୍ୟବସାୟରୂପେ ପରିଗଣିତ ହେଉଥିବା ହେତୁ ଏଦିଗରେ ନିବେଶ ବହୁ ଅଙ୍କ କଷା ଲୋଡ଼ିବ !


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୯ ଏପ୍ରିଲ ୨୦୨୨/ ପୃଷ୍ଠା :୮)


Photo by Lennart Schneider on Unsplash 


No comments:

Post a Comment