Friday, December 29, 2023

1st January 2024 / ଜାନୁୟାରୀ ପହିଲା, ୨୦୨୪

 


ଅତୀତ #ବ୍ରହ୍ମପୁର ସହରର ପ୍ରଭାବଶାଳୀ ଜନନାୟକଙ୍କ ମଧ୍ୟରେ ଶଶିଭୂଷଣ ରଥ ଅନ୍ୟତମ । ସେ ବ୍ରହ୍ମପୁରରୁ ୧୯୧୩ରେ ସାପ୍ତାହିକ ଆଶା ପତ୍ରିକା ପ୍ରକାଶନ ଆରମ୍ଭ କରିବା ଅବସରରେ ସହରର ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଥିଲେ । ଇଂଲିଶ ଶାସନରେ ୧୯୩୬ ଯାଏଁ ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନସ୍ଥ ଥିବା ହେତୁ ସହରରେ ଦାକ୍ଷିଣାତ୍ୟ ପ୍ରଶାସକ ଓ ବ୍ୟବସାୟୀଙ୍କ ଅଧିପତ୍ୟ ଜାହିର ଥିଲା । ଶଶିଭୂଷଣ ମୂଳତଃ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରୀତକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଦକ୍ଷିଣାଞ୍ଚଳ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ସଂରକ୍ଷଣ ଓ ବ୍ରହ୍ମପୁର ସହରର ବହୁମୁଖୀ ଉନ୍ନୟନ ଦିଗରେ ନେତୃତ୍ୱ ନେଇଥିଲେ ।
 
ପ୍ରାକୃତିକ ଓଡ଼ିଶାରେ ବ୍ରହ୍ମପୁରରେ ସର୍ବପ୍ରଥମ ପୌରପାଳିକା ରୂପେ ୧୮୬୭ରେ ସ୍ଥାପିତ ହୋଇଥିଲା । ତେବେ ସେ ସମୟରେ ପୌରସଭା ବା କାଉନସିଲକୁ ସଦସ୍ୟ ନିର୍ବାଚନ ବଦଳରେ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିଲେ । ସେହି ଅବସ୍ଥାରେ ଓଡ଼ିଆମାନଙ୍କ ପ୍ରତିନିଧିତ୍ୱ ପ୍ରାୟ ରହୁନଥିଲା । ସାପ୍ତାହିକ ଆଶା ପ୍ରକାଶନ ଆରମ୍ଭ ପରେ ୧୯୧୪ ପୌର ସଦସ୍ୟ ମନୋନୟନରେ ସ୍ଥାନୀୟ ଓକିଲ ସାର ପର୍ଶୁରାମ ପାତ୍ର ନଗରପାଳ ଓ ଶଶିଭୂଷଣ ରଥ ଉପ-ନଗରପାଳ ପଦବୀରେ ଅଧିଷ୍ଠିତ ହୋଇଥିଲେ । ଦୁଇଜଣ ଓଡ଼ିଆ ବ୍ୟକ୍ତି ସହରର ଉନ୍ନୟନ ଦାୟିତ୍ୱ ଗ୍ରହଣ କରିଥିବା ହେତୁ ସ୍ଥାନୀୟ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଉଦ୍ଦୀପନା ଖେଳି ଯାଇଥିଲା ।
 
କୁହାଯାଏ ଯେ ପଡ଼ୋଶୀ ମଞ୍ଜୁଷାର ରାଜା ଶଶିଭୂଷଣ ରଥଙ୍କୁ ବ୍ରହ୍ମପୁର ପୌରପାଳିକା ପଦବୀ ଗ୍ରହଣ ପରେ ଏକ ଘୋଡ଼ାଗାଡ଼ି ଉପହାର ଦେଇଥିଲେ । ସେ ଘୋଡ଼ାଗାଡ଼ି ଚଢ଼ି ସହରର ଗଳିକନ୍ଦି ବୁଲି ପରିମଳ ଓ ଉନ୍ନୟନ କାର୍ଯ୍ୟାବଳୀ ତଦାରଖ କରୁଥିଲେ । ଘୋଡ଼ାଗାଡ଼ିରେ ଏକ ଘଣ୍ଟି ଲଗାଯାଇଥିଲା ଏବଂ ଘୋଡ଼ାଗାଡ଼ିଟି ଚାଲିବା ସମୟରେ ଜଣେ ବ୍ୟକ୍ତି ଅନବରତ ଘଣ୍ଟି ବଜାଉଥିଲେ । ଏତଦ୍ୱାରା ଉପ-ନଗରପାଳଙ୍କ ପରିଦର୍ଶନ ସଂପର୍କରେ ଜନସାଧାରଣ ଅବଗତ ହେଉଥିଲେ । ବିଭିନ୍ନ ସାହିରେ ଦଳ ଦଳ ଲୋକ ଘୋଡ଼ାଗାଡ଼ି ଅଟକାଇ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଅଭିଯୋଗ ବର୍ଣ୍ଣନା କରୁଥିଲେ । ଦୀର୍ଘ ୧୧୦ ବର୍ଷ ପରେ ଘଟଣାଟି ଚଳଚ଼ିତ୍ର ଦୃଶ୍ୟ ପ୍ରତୀୟମାନ ହେଉଥିଲେହେଁ, ବାସ୍ତବ ଥିଲା ।
 
ସାର ପର୍ଶୁରାମ ପାତ୍ର ଓ ଶଶିଭୂଷଣ ରଥଙ୍କ ପୌରପାଳିକା ଦାୟିତ୍ୱ ନିର୍ବାହ କାଳରେ ସହରକୁ ପ୍ରଥମ ଥର ପାଇଁ ପାଇପ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ପ୍ରତି ସାହି ମୁଣ୍ଡରେ ସାର୍ବଜନୀନ ପାଇପ ପାଣି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଓ ଯାନବାହାନରେ ନିୟୋଜିତ ଘୋଡ଼ା, ବୁଲା ଗାଈଗୋରୁଙ୍କ ତୃଷ୍ଣା ନିବାରଣ ନିମନ୍ତେ ପଥର ନିର୍ମିତ କୁଣ୍ଡରେ ଜଳ ଗଚ୍ଛିତ ରଖିବା ଧାରା ବ୍ରହ୍ମପୁର ସହର ଜୀବନରେ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରୁଥିଲା । ଏହି ସମୟରେ ରାସ୍ତାର ଉଭୟକଡ଼ରେ ପକ୍କା ନର୍ଦ୍ଦମା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା । ସହରରେ ଅନଧିକାର ନିର୍ମାଣ କାର୍ଯ୍ୟର ଶଶିଭୂଷଣ ବିରୋଧ କରିଥିଲେ । ତାଙ୍କରି ତତ୍ତ୍ୱାବଧାନରେ ଗିରି ମାର୍କେଟ ଗଜପତି ଛକରୁ ବଡ଼ବଜାର ଛକ ଯାଏଁ ସିଧାସଳଖ ରାସ୍ତା ପୁନଃନିର୍ମାଣ ସମ୍ଭବ ହୋଇଥିଲା ।
 
ସେ ସମୟରେ ବ୍ରହ୍ମପୁରରେ ଏକମାତ୍ର ଖଲ୍ଲିକୋଟ କଲେଜରେ ସପ୍ତମ ଶ୍ରେଣୀଠାରୁ ଇଣ୍ଟରମିଡ଼ିଏଡ଼ ଯାଏଁ ଶିକ୍ଷାଦାନର ବ୍ୟବସ୍ଥା ଥିଲା । ତେବେ ସେଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ନଥିଲେ । ଓଡ଼ିଶା ଶିକ୍ଷକ ନିଯୁକ୍ତ କରି ଶଶିଭୂଷଣ ବ୍ୟକ୍ତିଗତ ଉଦ୍ୟମରେ ସ୍ଥାନୀୟ ଧନାଢ଼୍ୟ ବ୍ୟକ୍ତିଙ୍କଠାରୁ ଚାନ୍ଦା ସଂଗ୍ରହ କରି ଆସିକା ରୋଡ଼ଠାରେ ଏକ ଉଚ୍ଚବିଦ୍ୟାଳୟ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ତାହାର ପରିଚାଳନାଭାର ବ୍ରହ୍ମପୁର ପୌରପାଳିକା ଗ୍ରହଣ କରିଥିଲା ଏବଂ ସେଠାରେ ଅନ୍ୟ ଏକ ବାଳିକା ଉଚ୍ଚବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଥିଲା ।
 
ସାପ୍ତାହିକ ଆଶା ପତ୍ରିକା ୧୯୧୩ରୁ ପନ୍ଦର ବର୍ଷ ନିରବଚ୍ଛିନ୍ନ ପ୍ରକାଶିତ ହେବା ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବା ପରେ ୧୯୩୯ରେ ଦୈନିକ ଆଶା ପ୍ରକାଶନ ଶିଶିଭୂଷଣ ରାଜଧାନୀ କଟକକୁ ସ୍ଥାନାନ୍ତରିତ କରିଥିଲେ । ଫଳତଃ ବ୍ରହ୍ମପୁରରେ ତାଙ୍କରି କର୍ମମୟ ଜୀବନର ଏକରକମ ଅନ୍ତ ଘଟିଥିଲା । ଚାରିବର୍ଷ ମଧ୍ୟରେ ୧୯୪୩ରେ ପରଲୋକ ଘଟିଲା । ମୃତ୍ୟୁ ବେଳକୁ ଶିଶିଭୂଷଣଙ୍କ ବୟସ ମାତ୍ର ୫୮ ବର୍ଷ ଥିଲା ।
 
ଶଶିଭୂଷଣ ଜାନୁୟାରୀ ପହିଲା ୧୮୮୫ରେ ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ୧୪୦ତମ ଜୟନ୍ତୀ ଜାନୁୟାରୀ ପହିଲା ୨୦୨୪ରେ ପାଳିତ ହେବ । ବ୍ରହ୍ମପୁର ସହରରେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠାରେ ଶଶିଭୂଷଣ ରଥଙ୍କ ଅବଦାନ ଅବିସ୍ମରଣୀୟ ।

Image by Gerd Altmann from Pixabay


No comments:

Post a Comment