(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୨୪ ଏପ୍ରିଲ ୨୦୨୧/ ପୃଷ୍ଠା : ୮)
#ବ୍ରହ୍ମପୁର ସହରର ଇତିହାସରେ ବିଷୁବ ସଂକ୍ରାନ୍ତି ତିଥିରେ ‘ଆଶା’ ସମ୍ୱାଦପତ୍ର ପ୍ରକାଶନ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ‘ଦୈନିକ ଆଶା’ ଓଡ଼ିଆ ଭାଷାରେ ପ୍ରଥମ ଦୈନିକ ସମ୍ୱାଦପତ୍ର । ୧୯୧୩ ମସିହାରେ ଆତ୍ମପ୍ରକାଶ କରିଥିବା ସାପ୍ତାହିକ ‘ଆଶା’ ପନ୍ଦର ବର୍ଷ ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇ ୧୯୫୨ ଯାଏଁ ପ୍ରକାଶନ ଜାରୀ ରଖିଥିଲା । ମୂଳ ‘ଆଶା’ ଓ ‘ଦୈନିକ ଆଶା’ର ପ୍ରତିଷ୍ଠାତା ସମ୍ପାଦକ ଶଶିଭୂଷଣ ରଥ ।
ସ୍ୱାଧୀନୋତ୍ତର ଗଞ୍ଜାମର ଅନ୍ୟତମ ରାଜନୀତିଜ୍ଞ ବୃନ୍ଦାବନ ନାୟକଙ୍କ ଉଦ୍ୟମରେ ୧୯୮୨ରେ ‘ଦୈନିକ ଆଶା’ ପୁନଃସଂସ୍ଥାପିତ ହୋଇଥିଲା । ଗଞ୍ଜାମ ଜନ୍ମିତ ବର୍ଷିଆନ ସାମ୍ୱାଦିକ ଶ୍ରୀହର୍ଷ ମିଶ୍ର ଏହାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ ।
ଶ୍ରୀହର୍ଷ ମିଶ୍ର ଛାତ୍ରାବସ୍ଥାରେ ପାରଳାଖେମୁଣ୍ଡି ମହାରାଜା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କାଳରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଜେଲ ଦଣ୍ଡ ଆଦେଶ ପାଇଥିଲେ । ବାଳବନ୍ଦୀ ହିସାବରେ ତାଙ୍କୁ ରାଜ୍ୟବାହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବାବସ୍ଥାରେ ସେ ଜେଲରୁ ମୁକୁଳିବା ବେଳକୁ ଓଡ଼ିଶା ଫେରିବା ପାଇଁ ବାଟଖର୍ଚ୍ଚ ବାବଦରେ କିଛି ଟଙ୍କା ତତ୍ କାଳୀନ ‘ସମାଜ’ର ସମ୍ପାଦକ ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କ ନିକଟକୁ ଜେଲ ଠିକଣାରେ ପଠାଇଥିଲେ । ଶ୍ରୀହର୍ଷ ମିଶ୍ର ଗଞ୍ଜାମ ଫେରିବାପରେ ରାଧାନାଥ ରଥଙ୍କୁ ଦେଖା କରିବା ନିମନ୍ତେ କଟକ ଯାଇଥିଲେ । ରାଧାନାଥ ରଥ ଶ୍ରୀହର୍ଷ ମିଶ୍ରଙ୍କୁ ‘ସମାଜ’ରେ ସହ-ସମ୍ପାଦକଭାବେ ଯୋଗ ଦେବାକୁ କହିଥିଲେ । ଶ୍ରୀହର୍ଷ ମିଶ୍ରଙ୍କ ପାଠ ପଢ଼ାରେ ତ ଡ଼ୋର ବନ୍ଧା ସରିଥିଲା, ସ୍ୱାଧୀନତା ସଂଗ୍ରାମ ଛଡ଼ା ଅନ୍ୟ କୌଣସି ସଂପୃକ୍ତି ନଥିବା ହେତୁ ସେ ‘ସମାଜ’ରେ ରହିଗଲେ । ଦୀର୍ଘକାଳ ଧରି କଟକରେ ସାମ୍ୱାଦିକତା ଅବସରରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ର ସମ୍ପାଦକ ରୂପେ କାର୍ଯ୍ୟକରି ବୃନ୍ଦାବନ ନାୟକଙ୍କ ନିମନ୍ତ୍ରଣକ୍ରମେ ବ୍ରହ୍ମପୁରରେ ନବପ୍ରତିଷ୍ଠିତ ‘ଦୈନିକ ଆଶା’ର ସମ୍ପାଦକ ଭାବେ ଯୋଗ ଦେଇଥିଲେ ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତତ୍ କାଳୀନ ସିଣ୍ଡିକେଟ ସଦସ୍ୟ ତଥା ରାଜନୀତିଜ୍ଞ ରାମ ଚନ୍ଦ୍ର ରଥଙ୍କ ଉଦ୍ୟମକ୍ରମେ ଓଡ଼ିଶାରେ ପ୍ରଥମ କରି ସାମ୍ୱାଦିକତା ଶିକ୍ଷା ନିମନ୍ତେ ବର୍ଷିକିଆ ଡ଼ିଗ୍ରୀ କୋର୍ସ ୧୯୭୪ରେ ପ୍ରବର୍ତ୍ତିତ ହୋଇଥିଲା । ସାମ୍ୱାଦିକତା ଅଧ୍ୟୟନ କରି ଉର୍ତ୍ତୀର୍ଣ୍ଣ ହୋଇଥିବା ଦଳେ ସ୍ଥାନୀୟ ଯୁବକ ‘ଦୈନିକ ଆଶା’ ସମ୍ପାଦନା ବିଭାଗରେ ଯୋଗ ଦେଇଥିଲେ । ପ୍ରତିଷ୍ଠିତ ସାମ୍ୱାଦିକ ଶ୍ରୀନିବାସ ଆୟଙ୍ଗାର ଓ ଅଭିଜ୍ଞ ମୁଦ୍ରଣଶିଳ୍ପ ପରାମର୍ଶଦାତା ତାରା ପ୍ରସାଦ ପାଢ଼ୀଙ୍କ ଦିଗଦର୍ଶନରେ ପ୍ରଶିକ୍ଷିତ ଯୁବ ସାମ୍ୱାଦିକମାନଙ୍କ ଉଦ୍ୟମରେ ସ୍ଥାନୀୟ ସମ୍ୱାଦ ପରିବେଷଣ କ୍ଷେତ୍ରରେ ‘ଦୈନିକ ଆଶା’ ଓଡ଼ିଆ ସାମ୍ୱାଦିକତାରେ ଏକ ନୂତନ ଯୁଗର ଅୟମାରମ୍ଭ କରିଥିଲା ।
ସେତେବେଳକୁ କଟକରୁ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି ତଥା ଭୁବନେଶ୍ୱରରୁ ଧରିତ୍ରୀ, ସ୍ୱରାଜ୍ୟ, ପ୍ରଗତିବାଦୀ ସହ ଅନ୍ୟ କେତେକ ଦୈନିକ ସମ୍ୱାଦପତ୍ର ପ୍ରକାଶିତ ହେଉଥାଏ । କଟକରେ କଟକ ସହରର ଖବର ପ୍ରତିଦିନ ସନ୍ଧ୍ୟାରେ ସମ୍ୱାଦପତ୍ରରୁ ପଢ଼ିବାର ଅନୁଭୂତି ବ୍ରହ୍ମପୁରରେ ମିଳିବାପରେ ସ୍ଥାନୀୟ ପାଠକ ଉତ୍ସାହିତ ହୋଇପଡ଼ିଥିଲେ । ଗଞ୍ଜାମର ଅନ୍ୟାନ୍ୟ ସହରରେ ତତ୍ ପରବର୍ତ୍ତୀ ପ୍ରଭାତରେ ପହଞ୍ଚୁଥିବା ‘ଦୈନିକ ଆଶା’ ପୃଷ୍ଠାରେ ସ୍ଥାନୀୟ ସମ୍ୱାଦ ପ୍ରକାଶନ ସାମାଜିକ, ସାଂସ୍କୃତିକ ଓ ରାଜନୀତିକ ଜନଜୀବନରେ ଏକ ନୂତନ ସମୀକରଣ ସୃଷ୍ଟି କରିଥିଲା । ସୁଦୂର କଟକ, ଭୁବନେଶ୍ୱର, କୋଲକତାରୁ ପ୍ରକାଶିତ ସମ୍ୱାଦପତ୍ରରେ ନିଜ ଗ୍ରାମର ନାମ କେବେ ଦେଖିନଥିବା ଜନସାଧାରଣଙ୍କ ପାଇଁ ସ୍ଥାନୀୟ ସମ୍ୱାଦ ପ୍ରକାଶନର ପାଠକୀୟ ଅନୁଭୂତି ‘ଦୈନିକ ଆଶା’ର ଲୋକପ୍ରିୟତାର ମୂଳ ପୁଞ୍ଜି ପାଲଟିଥିଲା ।
ତେବେ ସମୟର ଗତି ବିଚ଼ିତ୍ର । ‘ଦୈନିକ ଆଶା’ ପୁନଃସଂସ୍ଥାପନାର ଦୁଇ ବର୍ଷ ପୁରୁ ପୁରୁ ବୃନ୍ଦାବନ ନାୟକ ଓ ଶ୍ରୀହର୍ଷ ମିଶ୍ରଙ୍କ ଅକସ୍ମାତ ପରଲୋକ ଘଟିଲା । ସମ୍ୱାଦପତ୍ର ପରିଚାଳନା ସହ ସଂପୃକ୍ତ ଅନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନେ ମଧ୍ୟ ବିଭିନ୍ନ କାରଣରୁ ଦାୟିତ୍ୱରୁ ଅପସରିଗଲେ । ‘ଦୈନିକ ଆଶା’ର ସ୍ଥାନୀୟ ସାମ୍ୱାଦିକତାର ସଫଳତାରେ ଉଦବୁଦ୍ଧ ‘ସମ୍ୱାଦ’ ୧୯୮୯ରେ ବ୍ରହ୍ମପୁର ସଂସ୍କରଣ ଆରମ୍ଭ ହେଲା । ବ୍ରହ୍ମପୁର ଭାପୁର ବଜାର ପ୍ରଥମ ମିଲଟରୀ ଲାଇନ୍ସ ମୂଳ ଅଧିବାସୀ ପ୍ରସାଦ ରାଓଙ୍କ ନେତୃତ୍ୱରେ ସ୍ଥାନୀୟ ମୁଦ୍ରାକର କାଳିଚ଼ରଣ ପଣ୍ଡାଙ୍କ ଲକି ଅଫସେଟରେ ମୁଦ୍ରିତ ‘ସମ୍ୱାଦ’କୁ କ୍ରମଶଃ ‘ଦୈନିକ ଆଶା’ର ଲୋକପ୍ରିୟତା ଅପସାରିତ ହୋଇଥିଲା । ୧୯୯୮ର ମହାବାତ୍ୟାରେ ‘ଦୈନିକ ଆଶା’ର ମୁଦ୍ରଣଶାଳା ବ୍ୟାପକ କ୍ଷୟକ୍ଷତି ସମ୍ମୁଖୀନ ହେବାପରେ ଏହାର ପ୍ରକାଶନ ଅନିୟମିତ ହୋଇପଡ଼ିଥିଲା ।
ବିଂଶ ଶତାଦ୍ଦୀ ଶେଷ ଦଶକ ଦ୍ୱିତୀୟର୍ଦ୍ଧରେ ‘ଅନୁପମ ଭାରତ’ ପ୍ରକାଶନ ପରେ ଏକବିଂଶ ଶତାଦ୍ଦୀ ଆରମ୍ଭରୁ ‘ଧରିତ୍ରୀ’, ‘ସମାଜ’, ‘ଓଡ଼ିଶା ଭାସ୍କର’, ‘ପ୍ରତିଦିନ’, ‘ପ୍ରମେୟ’, ‘ନିତିଦିନ’ ଓ ‘ସକାଳ’ ଭଳି ଦଶଗୋଟି ଦୈନିକ ଓଡ଼ିଆ ସମ୍ୱାଦପତ୍ରର ବ୍ରହ୍ମପୁର ସଂସ୍କରଣ ପ୍ରକାଶିତ ହେଉଛି । ତେବେ ଏତେ ସମ୍ୱାଦପତ୍ରର ଭିଡ଼ରେ ସାଧାରଣ ନାଗରିକଟିଏ ଯେ ଚ଼ଳନ୍ତି ଘଟଣା ପ୍ରବାହ ଜାଣିବା ପାଇଁ ମୋବାଇଲ ଫୋନ ପରଦାରେ ‘ଫେସବୁକ’ ବା ଟେଲିଭିଜନ ‘ଆପ’କୁ ଖୋଜୁଛି, ତା’ପର ଦିନ ସକାଳ ଯାଏଁ ଅପେକ୍ଷା କରିବାକୁ ତର ସହୁ ନାହିଁ ଏବଂ ନିଜର ବ୍ୟକ୍ତିଗତ ଅଭାବ ଅଭିଯୋଗ ଦରଜ କରିବା ନିମନ୍ତେ ସମ୍ୱାଦପତ୍ରର ଦଶରୁ କୋଡ଼ିଏ ପୃଷ୍ଠାରେ ସ୍ଥାନ ଖଣ୍ଡେ ପାଇପାରୁ ନାହିଁ – ୨୦୨୧ରେ ବିଷୁବ ସଂକ୍ରାନ୍ତି ପାଳନ ବେଳକୁ ଏହିଭଳି ଘଟଣାକ୍ରମ ହୁଏତ ସ୍ଥାନୀୟ ସାମ୍ୱାଦିକତାରେ ଏକ ବଡ଼ ଧରଣର ପରିବର୍ତ୍ତନର ଆଭାସ ଦିଏ !
ମହାତ୍ମା ଗାନ୍ଧୀଙ୍କ ପ୍ରଥମ #ବ୍ରହ୍ମପୁର ଗସ୍ତର ଶତବାର୍ଷକୀ ୨୯ ମାର୍ଚ୍ଚ ୨୦୨୧ରେ ଆୟୋଜନ ଅବସରରେ ସହରରେ ଗାନ୍ଧୀଙ୍କ ଜନ୍ମଶତବାର୍ଷକୀ ପାଳନର ସ୍ମୃତି ମନେ ପଡ଼ିଥାଏ । ବିଂଶ ଶତାଦ୍ଦୀର ଷଷ୍ଠ ଓ ସପ୍ତମ ଦଶକରେ ବ୍ରହ୍ମପୁରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ର ଏକ ଶାଖା କାର୍ଯ୍ୟାଳୟ ସକ୍ରିୟ ଥିଲା । ସରକାରୀସ୍ତରରେ ୧୯୬୮-୬୯ ଗାନ୍ଧୀ ଶତବାର୍ଷିକୀ ପାଳନ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ତଥା ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ଓ ସାମାଜିକ ସଂଗଠନମାନଙ୍କ ଦ୍ୱାରା ବର୍ଷବ୍ୟାପୀ ଉତ୍ସବାନୁଷ୍ଠାନ ଅନୁଷ୍ଠିତ ହୋଇଥିଲେ ହେଁ ସବୁସ୍ତରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ ସାମିଲ ହୋଇଥିଲା ।
ବ୍ରହ୍ମପୁରର ଦଳୁଆ
ସାହୀର ଏକ ଦୁଇ ମହଲା କୋଠା ଭଡ଼ା ଘରରେ ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ କାର୍ଯ୍ୟକରୁଥାଏ । ଜନ୍ମ ଶତବାର୍ଷକୀ ପାଳନର କିଛି କାଳ ପରେ କାର୍ଯ୍ୟାଳୟଟି
ଖ୍ରୀଷ୍ଟିଆନ ହସପିଟାଲ ଛକସ୍ଥିତ ଅନ୍ୟ ଏକ ଦୁଇ ମହଲା କୋଠାର ଉପର ମହଲାକୁ ସ୍ଥାନାନ୍ତରିତ ହୋଇଥିଲା
। ଉଭୟ ସ୍ଥାନରେ ଅନ୍ୟୂନ କୋଡ଼ିଏ ଜଣ ବସିବା ଭଳି ପାଠନାଗାରର ବ୍ୟବସ୍ଥା ଥିଲା । କେତେକ ସମ୍ୱାଦପତ୍ର,
ପତ୍ରପତ୍ରିକା ସାଙ୍ଗକୁ ଗାନ୍ଧୀ ସାହିତ୍ୟ ପାଠର ସୁବିଧା ମିଳୁଥିଲା । ବିଭିନ୍ନ ମହାପୁରୁଷଙ୍କ
ଜୟନ୍ତୀ, ଶ୍ରାଦ୍ଧୋତ୍ସବ ଏବଂ ଯୁବନେତୃତ୍ୱ ଶିବିରମାନ ପଠନାଗାର କକ୍ଷରେ ଅନୁଷ୍ଠିତ ହେଉଥିଲା ।
ସେହି ସମୟ ବେଳକୁ ବ୍ରହ୍ମପୁରରେ ଅନ୍ୟତ୍ର ଏଭଳି ଉତ୍ସବାନୁଷ୍ଠାନ ଆୟୋଜନର ସୁବିଧା ନଥାଏ ।
ବ୍ରହ୍ମପୁର ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ରେ
ସଭାସମିତିର ବିବରଣୀ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ରେ ନିୟମିତ ପ୍ରକାଶ ପାଏ । ସେତେବେଳକୁ ଦୈନିକ
ସମ୍ୱାଦପତ୍ରଗୁଡ଼ିକର ଆଞ୍ଚଳିକ ସଂସ୍କରଣ ନଥାଏ । ଅର୍ଥାତ ଆଠ ପୃଷ୍ଠାର ସମ୍ୱାଦପତ୍ରରେ ଯେଉଁ
ସମ୍ୱାଦ ପ୍ରକାଶ ପାଏ ତାହା ସାରା ଓଡ଼ିଶାର ପାଠକ ପଢୁଥିଲେ । ଏହି କାରଣରୁ ରାଜ୍ୟସ୍ତରରେ
ବ୍ରହ୍ମପୁର ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’
ବେଶ ସୁନାମ ଅର୍ଜନ କରିଥାଏ ।
ବ୍ରହ୍ମପୁର
କାର୍ଯ୍ୟାଳୟରେ ଶ୍ରୀବତ୍ସ ନାୟକ ସଂଯୋଜକଭାବେ ଦାୟିତ୍ୱ ନିର୍ବାହ କରୁଥାନ୍ତି । ସେତେବେଳକୁ
ତାଙ୍କରି ବୟସ ୪୦ ରୁ ୫୦ । ଖାଦୀ ଧୋତି କୁର୍ତ୍ତା ପରିହିତ ବଳିଷ୍ଠ ଚେହରା, ଆଖିରେ ଚ଼ଷମା ଓ
ପଟେ ମୋଟା ନିଶ, ବେଶ୍ ଗାନ୍ଧୀବାଦୀର ପରିଚୟ । ‘ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ’ର ସଭାସମିତିରେ ‘ସମାଜ’ର
ପ୍ରତିନିଧି କୃପାସିନ୍ଧୁ ଦାସ ଓ ‘ପ୍ରଜାତନ୍ତ୍ର’ର ପ୍ରତିନିଧି ରାମାନୁଜ ପଟ୍ଟନାୟକଙ୍କୁ ବରାବର ଦେଖିବାକୁ ମିଳେ । ଦିହେଁ ମଧ୍ୟ ଖଦଡ଼
ଧୋତି, କୁର୍ତ୍ତା ପରିହିତ । କୃପାସିନ୍ଧୁ ଦାସ ସାଇକଲ ଚଢ଼ନ୍ତି, ରାମାନୁଜ ପଟ୍ଟନାୟକ ପାଦରେ
ଚାଲି ବୁଲନ୍ତି । ଶ୍ରୀନିବାସ ଆୟଙ୍ଗାର ‘ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ’, ‘ଅମୃତ ବଜାର ପତ୍ରିକା’ ଓ ‘କଳିଙ୍ଗ’ର ପ୍ରତିନିଧି । ସେ ଚିକିଟି ରାଜପୁରୋହିତ ଦକ୍ଷିଣ
ଭାରତୀୟ ବଂଶଜ । ପେଣ୍ଟ ସାର୍ଟ ପିନ୍ଧି ଲାମ୍ୱ୍ରେଟା ସ୍କୁଟରରେ ବୁଲୁଥିଲେ ।
ଶ୍ରୀବତ୍ସ ନାୟକ
ଢ଼େଙ୍କାନାଳ ଜିଲ୍ଲା ବାସିନ୍ଦା । ସପ୍ତମ ଦଶକ ଶେଷ ବେଳକୁ ‘ଗାନ୍ଧୀ
ଶାନ୍ତି ପ୍ରତିଷ୍ଠାନ’ର ବ୍ରହ୍ମପୁର ଶାଖା ବନ୍ଦ ହୋଇଯିବା ପରେ ସେ
ଢେଙ୍କାନାଳ ଫେରି ସକ୍ରିୟ ରାଜନୀତିରେ ଯୋଗ ଦେଇ କିଛି କାଳ ବିଧାୟକ ହୋଇଥିଲେ । ସେ ଭାରୀ
ମେଳାପୀ ଓ ସ୍ନେହୀ ଚରିତ୍ର । ବ୍ରହ୍ମପୁରରେ ୧୯୬୪ ରୁ ୧୯୭୨ ଯାଏଁ ଆଠ ବର୍ଷ ଛାତ୍ର ରାଜନୀତି
ବାରମ୍ୱାର ବିସ୍ପୋରକ ପରିବେଶ ସୃଷ୍ଟି କରିଥିବା ଅବସରରେ ଶ୍ରୀବତ୍ସ ନାୟକ ଛାତ୍ରନେତାମାନଙ୍କ ସହ
ଯୋଗସୂତ୍ର ସ୍ଥାପନ କରି ଯଥାସଂଭବ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରୁଥିଲେ ।
ଗାନ୍ଧୀ ଜନ୍ମ
ଶତବାର୍ଷକୀରେ କେନ୍ଦ୍ର ସରକାରଙ୍କ ପବ୍ଳିକେସନ ଡିଭିଜନ ପକ୍ଷରୁ ସମଗ୍ର ଗାନ୍ଧୀ ରଚନାବଳୀ ଶହେ
ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିଲା, ଫିଲ୍ମସ ଡ଼ିଭିଜନ ଆନୁକୁଲ୍ୟରେ ବହୁ ପ୍ରାମାଣିକ ଚ଼ିତ୍ର
ପ୍ରସ୍ତୁତ ହୋଇ ଚଳଚ଼ିତ୍ର ପ୍ରେକ୍ଷାଳୟମାନଙ୍କରେ ପ୍ରଦର୍ଶିତ ହୋଇଥିଲା ଏବଂ ଫିଲଡ଼ ପବ୍ଳିସିଟି
ପକ୍ଷରୁ ଗାନ୍ଧୀଙ୍କ ଫୋଟୋଚିତ୍ର ସମ୍ୱଳିତ ପ୍ରଦର୍ଶନୀମାନ ବିଭିନ୍ନ ପ୍ରାନ୍ତରେ ଆୟୋଜିତ
ହୋଇଥିଲା । ଅସ୍ପୃଶ୍ୟତା ନିବାରଣ, ସାଂପ୍ରଦାୟିକ ସଦଭାବ, ନାରୀ ଶିକ୍ଷା, ନିଶା ନିବାରଣ ଓ ଖଦୀ-ଗ୍ରାମଦ୍ୟୋଗ
ପ୍ରସାର ଭଳି ପ୍ରସଙ୍ଗମାନ ବିଭିନ୍ନସ୍ତରରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ବିଡ଼ମ୍ୱନାର ବିଷୟ
ଏହିଯେ ଗାନ୍ଧୀ ଶତବାର୍ଷିକୀ ପାଳନ-ପର ତିନି ବର୍ଷ ୧୯୬୯ ରୁ ୭୨ ବ୍ରହ୍ମପୁରର ଯୁବମାନସ ଅଶାନ୍ତ
ହୋଇପଡ଼ିଥିଲା । ଅଗ୍ରଣୀ ଖଲ୍ଲିକୋଟ ମହାବିଦ୍ୟାଳୟରେ ଅନବରତ ଛାତ୍ର ଅଶାନ୍ତି, ପରୀକ୍ଷାରେ ଅସତଉପାୟ
ଅବଲମ୍ୱନ ଅଭିଯୋଗ ସାଙ୍ଗକୁ ନବପ୍ରତିଷ୍ଠିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା
ପରିଚାଳନାରେ ବିଶୃଙ୍ଖଳା ଆଞ୍ଚଳିକ ଶିକ୍ଷା ପରିବେଶକୁ କଳୁଷିତ କରିପକାଇଥିଲା । ସେହି ସମୟରେ
ପଡ଼ୋଶୀ ପଶ୍ଚିମବଙ୍ଗରେ ନକ୍ସଲ ଆନ୍ଦୋଳନ ସାଙ୍ଗକୁ ଉତ୍କଟ ବେକାରୀ ଓ ଯୁବ ଅଶାନ୍ତି ଦେଖା
ଦେଇଥାଏ । ଓଡ଼ିଶା ରାଜ୍ୟ ରାଜନୀତିରେ ଅସ୍ଥିରତା ଲାଗି ରହିଥାଏ । ଗାନ୍ଧୀ ଐତିହ୍ୟ ଏ ଧରଣର
ବିଶୃଙ୍ଖଳାକୁ କେତେଦୂର ଆୟତ୍ତ କରିଥିଲା ନା ସମକାଳୀନ ଯୁବମାନସକୁ ପ୍ରଭାବିତ କରିବାରେ ବିଫଳ
ହୋଇଥିଲା, ତାହା ବିତର୍କର ବିଷୟ !
(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୨୭ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୮)
Illustration : "gandhiji in honolulu" by Brian Glanz is licensed under CC BY 2.0
#ବ୍ରହ୍ମପୁର ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ ଆୟୋଜନ ନିମନ୍ତେ ମାର୍ଚ୍ଚ ୧୯ ଶୁକ୍ରବାର ରାତ୍ରୀ ପ୍ରଥମ ପ୍ରହରରେ ଦେବାଙ୍ଗ କୁଳ ଓ ଜନପଦ ସଭାରେ କାର୍ଯ୍ୟକ୍ରମ ଚୁଡ଼ାନ୍ତ କରି ଦ୍ୱିତୀୟ ପ୍ରହରରେ ବଡ଼ ଠାକୁରାଣୀ ମନ୍ଦିରକୁ ଶୋଭାଯାତ୍ରା ଏବଂ ଆଜ୍ଞାମାଳ ପ୍ରାପ୍ତି ତଥା ଶନିବାର ପ୍ରଥମ ପ୍ରହରରେ ଶୁଭଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । ଏ ସଂପର୍କରେ ବଡ଼ ବଜାର ସଂଲଗ୍ନ ସାହୀଗୁଡ଼ିକରେ ପୂର୍ବାହ୍ନରୁ ଡ଼େଣ୍ଡୁରା ଦିଆଯାଇ ସମସ୍ତ ପୂର୍ବପ୍ରସ୍ତୁତି ମଧ୍ୟ ସରିଥିଲା ।
ମହାମାରୀଜନିତ ଅନିଶ୍ଚିତତା ମଧ୍ୟରେ #ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଳନ ନିମନ୍ତେ ନୀତିଗତଭାବେ ସ୍ଥିର ହୋଇଥିବା ସମ୍ୱାଦ ସହରବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଦେଇଛି । ଯାତ୍ରା ଆୟୋଜକଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନ ନିକଟରେ ଅନୁମତି ଆବେଦନ ପରେ ବ୍ରହ୍ମପୁର ମହାନଗର ନିଗମ ତତ୍ତ୍ୱାବଧାନରେ କୋଭିଡ଼ କଟକଣା ମାନି ଯାତ୍ରା ପାଳନ ନିମନ୍ତେ ସବୁଜ ସଙ୍କେତ ଦିଆ ଯାଇଥିବା ପ୍ରକାଶ ।
ଯାତ୍ରା ଆୟୋଜନ
ସଂପର୍କରେ ଆଲୋଚନା ଲାଗି ମହାନଗର ନିଗମ ପ୍ରଶାସକଙ୍କ ସହ ଆୟୋଜକ ଫେବୃୟାରୀ ୧୦ ତାରିଖରେ
ଏକତ୍ରୀତ ହୋଇଥିଲେ । ଏହି ଅବସରରେ ସାତଗୋଟି ମୁଖ୍ୟ ବିଷୟପ୍ରତି ଗୁରୁତ୍ୱ ଆରୋପ କରାଯାଇଥିବା
ଜଣାଯାଏ । ପ୍ରଥମତଃ, ଠାକୁରାଣୀ ଯାତ୍ରା ଅବସରରେ ଅସ୍ଥାୟୀ ମନ୍ଦିରରେ ଘଟ ସ୍ଥାପନ ନିମନ୍ତେ
ନିର୍ମିତ ପିଣ୍ଡି ଉପରକୁ ଭକ୍ତ କିମ୍ୱା ପୂଜକ ଉଭୟଙ୍କୁ ପ୍ରବେଶ ବାରଣ କରାଯିବ । ପିଣ୍ଡିଠାରୁ
ଦୂରତ୍ୱ ଅବଲମ୍ୱନ କରି ଦର୍ଶନ ଓ ପୂଜାପାଠ କରାଯାଇପାରିବ । ଏହା ଦ୍ୱାରା ଅସ୍ଥାୟୀ ମନ୍ଦିରରରେ
ଜନଗହଳି ନିୟନ୍ତ୍ରଣ କରାଯିବ ।
ଦ୍ୱିତୀୟତଃ,
ଯାତ୍ରା ଅବଧିରେ ପ୍ରତ୍ୟେହ ସନ୍ଧ୍ୟାରେ ଘଟ ପରିକ୍ରମାରେ କେତେକ କଟକଣା ଲାଗୁ ହେବ । ପୂର୍ବ
ତୁଳନାରେ ଚଳିତ ବର୍ଷ ସାହୀ ସଂଖ୍ୟା କମାଇ ଦିଆଯିବ । ଘଟଧାରୀଙ୍କ ପାଦ ଧୋଇ ପୂଜାଅର୍ଚ୍ଚନା
ନିମନ୍ତେ ମହିଳାମାନଙ୍କୁ ଅନୁମତି ମିଳିବ ନାହିଁ ।
ତୃତୀୟତଃ, ଘଟ
ଶୋଭାଯାତ୍ରାରେ ଦୁଇ ଶହ ବ୍ୟକ୍ତି ଯୋଗ ଦେଇ ପାରିବେ । ଯେକୌଣସି ଆଗ୍ରହୀ ଜନସାଧାରଣଙ୍କ
ବ୍ୟତିରେକେ କେବଳ ମନୋନୀତ ସ୍ୱେଚ୍ଛାସେବୀଙ୍କୁ ନେଇ ଘଟ ପରିକ୍ରମା ଆୟୋଜିତ ହେବ । ଯାତ୍ରାପାଳନର
ରୀତିନୀତିରେ ପାରମ୍ପରିକ ଭାବେ ଡ଼େରା ‘ଦେବାଙ୍ଗ’ ସଂପ୍ରଦାୟର ସଂପୃକ୍ତି
ହେତୁ ସେଇମାନେ ହିଁ ଅଧିକ ସଂଖ୍ୟକ ସାମିଲ ହେବା ସ୍ୱାଭାବିକ ।
ଚ଼ତୁର୍ଥତଃ,
ମାନସିକ କରିଥିବା ବ୍ୟକ୍ତିବିଶେଷଙ୍କୁ ବେଶ ଧାରଣ ନିମନ୍ତେ ସୁଯୋଗ ପ୍ରଦାନ କରାଯିବ ନାହିଁ ।
ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ ବେଶ ଧାରଣ ଯାତ୍ରାର ଉପସ୍ଥିତି ବଡ଼ବଜାରରୁ ସମଗ୍ର ସହର ଓ
ସହରତଳି ଅଞ୍ଚଳକୁ ପରିବ୍ୟାପ୍ତ କରିଥାଏ । ଏତଦ୍ୱାରା ଜନସାଧାରଣଙ୍କୁ ଯାତ୍ରାରେ ସାମିଲ ହେବା
ସୁଯୋଗ ମିଳିଥାଏ । କିନ୍ତୁ ବେଶ ପଟୁଆରରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ସଂଭବ ନଥିବା ହେତୁ
କୋଭିଡ଼ କଟକଣାରେ ବେଶଧାରଣକୁ ଅନୁମତି ଦିଆନଯିବା ସ୍ଥିରୀକୃତ ହୋଇଥିବା ଜଣାଯାଏ ।
ପଞ୍ଚମତଃ, ରଥ ଓ
କଳାକୁ୍ଞ୍ଜ ସାଙ୍ଗକୁ ସାହୀଗୁ଼ଡ଼ିକରେ ସନ୍ଧ୍ୟାରେ ଆଲୋକସଜ୍ଜା ବନ୍ଦ ରହିବ । ଏତଦ୍ୱାରା
ଏକପକ୍ଷରେ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଭିଡ଼ କମାଇବା ସଂଭବପର ହେବା ସ୍ଥଳେ
ଅପରପକ୍ଷରେ ଯାତ୍ରାର ଆଡ଼ମ୍ୱର ପ୍ରଭାବିତ ହେବ । ରଥ ଓ କଳାକୁଞ୍ଜ ବିଭିନ୍ନ ସାହୀ
ବାସିନ୍ଦାଙ୍କଠାରୁ ଚାନ୍ଦାଭେଦା କରି ଆୟୋଜିତ ହୋଇଥାଏ । ଯାତ୍ରାର ଶେଷ ସପ୍ତାହରେ ୫୦ ସରିକି ରଥ
ଓ କଳାକୁଞ୍ଜ ବାହାରେ । ମହାମାରୀରେ ଦୀର୍ଘ ବର୍ଷକ ଧରି ମାନ୍ଦା ଅର୍ଥନୀତିକ ଅବସ୍ଥା ହେତୁ ହୁଏତ
ଚଳିତବର୍ଷ ଜାକଜମକରେ ଆୟୋଜନ ସଂଭବପର ହୋଇପାରି ନଥାନ୍ତା ।
ଷଷ୍ଠତଃ, ଯାତ୍ରା
ଅବସରରେ ଅସ୍ଥାୟୀ ମନ୍ଦିରରେ ଶୁଖିଲା ଓ ଅନ୍ନଭୋଗ ବଣ୍ଟନଠାରୁ ଆରମ୍ଭ କରି ଯାତ୍ରା
ଦେଖଣାହାରୀଙ୍କ ମଧ୍ୟରେ ଜଳପାନ ବ୍ୟବସ୍ଥା ବିଗତ କିଛି ବର୍ଷରୁ ଜମିଥିଲା । ଚଳିତ ବର୍ଷ ସମସ୍ତ
ରକମ ଭୋଗ ଓ ଖାଦ୍ୟପାନୀୟ ବିତରଣ ବନ୍ଦ ରହିବ ।
ସପ୍ତମତଃ, ପରମ୍ପରା
ଅନୁଯାୟୀ ବ୍ରହ୍ମପୁର ଠାକୁରାଣୀଯାତ୍ରାରେ ଠାକୁରାଣୀ ବାପଘର ଆସୁଥିବା ବିଧି ହେତୁ
ଠାକୁରାଣୀମନ୍ଦିର ସନ୍ନିକଟ ବିଭିନ୍ନ ସାହୀବସ୍ତିରେ ସ୍ଥାୟୀ ବସବାସ କରୁଥିବା ପରିବାରବର୍ଗଙ୍କ
ପକ୍ଷରୁ ବିବାହିତା ଝିଅମାନଙ୍କୁ ଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ଯାତ୍ରା ପାଳନ
ଅବସରରେ ପାରିବାରିକ ସୌହାଦ୍ଦ୍ୟ ବୃଦ୍ଧି ନିମନ୍ତେ ପ୍ରଚଳିତ ଏହି ଧାରା ଚଳିତବର୍ଷ ପାଇଁ ବନ୍ଦ
ରଖିବାକୁ କୁହାଯାଇଛି । ବାହାର ଜିଲ୍ଲାର ଆତ୍ମୀୟଙ୍କୁ ସହର ଆସିବାକୁ ମନା କରାଯିବ ।
ପ୍ରଶାସନର
ନିର୍ଦ୍ଦେଶ ଅନୁଯାୟୀ ଯାତ୍ରା ଆୟୋଜକ ଏହିଭଳି କେତେକ ସର୍ତ୍ତାବଳୀ ପାଳନ କରିବା ନିମନ୍ତେ
ବିଧିବଦ୍ଧ ସତ୍ୟପାଠ ପ୍ରସ୍ତୁତ କରି ଦାଖଲ କରିବେ । ଉଲଂଘନ ନିମନ୍ତେ ଆୟୋଜକ ଦାୟୀ ରହିବେ ।
ଯାତ୍ରା ତିଥି
ନିର୍ଦ୍ଧାରିତ ହେବା ପରେ ଘଟ ସ୍ଥାପନ ନିମନ୍ତେ ଦେଶୀବେହରା ସାହୀରେ ଅସ୍ଥାୟୀ ମନ୍ଦିର ପୌର
ପ୍ରଶାସନ ପକ୍ଷରୁ ନିର୍ମାଣ ଲାଗି ସହାୟତା ଯୋଗାଇ ଦିଆଯାଇଥାଏ । ଅସ୍ଥାୟୀ ମନ୍ଦିର ସଂଲଗ୍ନ
ସୁଉଚ୍ଚ ଛାମୁଣ୍ଡିଆ ଦେଶୀବେହରା ସାହୀର ବ୍ୟବସାୟୀ ଓ ପରିବହନ ଶ୍ରମିକଙ୍କ ତତ୍ତ୍ୱାବଧାନରେ
ନିର୍ମିତ ହୁଏ । ଏଥି ନିମନ୍ତେ ନିୟମିତ ବର୍ହିଆଗତ ମାଲବାହୀ ଯାନବାହାନରୁ ଚାନ୍ଦା ସଂଗ୍ରହ ହୋଇ
ଗଚ୍ଛିତ ରହିଥାଏ । ଯାତ୍ରା ତିଥି ନିର୍ଦ୍ଧାରିତ ହେବା ମାତ୍ରେ ଅସ୍ଥାୟୀ ମନ୍ଦିର ଓ ସଂଲଗ୍ନ
ଛାମୁଣ୍ଡିଆ ନିର୍ମିତ ହୋଇଥାଏ ।
(‘ଅନୁପମ ଭାରତ’ ବ୍ରହ୍ମପୁର ସଂସ୍କରଣ / ୧୩ ମାର୍ଚ୍ଚ ୨୦୨୧/ ପୃଷ୍ଠା : ୫)
Illustration : Laxmi Bej