ବିଭୂତି ଜେନା ବ୍ରହ୍ମପୁରରେ ଚର୍ଚ୍ଚିତ ଭାଜପା ଚ଼େହରା । ସେ ୨୦୨୧ରେ ଗଞ୍ଜାମ ଜିଲ୍ଲା ଭାଜପା ସଭାପତି ଭାବେ ମନୋନୀତ ହେବା ପରଠୁ ସହରରେ ସରକାର ବିରୋଧୀ ସଭାସମିତି ବିକ୍ଷୋଭ ନେତୃତ୍ୱ ନେଇ ଆସିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟଭାବେ ସେ ସାଂଗଠନିକ ଜୀବନ ଆରମ୍ଭ କରିଥିଲେ । ନିଜ ଗ୍ରାମ ଗୋଳନ୍ଥରାଠାରେ ଯୁବାବସ୍ଥାରେ ମଦ ବିରୋଧୀ ଆନ୍ଦୋଳନ ତାଙ୍କ ରାଜନୀତିକ ସଂଗ୍ରାମର ପ୍ରଥମ ସ୍ୱାକ୍ଷର । ସେ ୧୯୯୭ରେ ସରପଞ୍ଚ, ୨୦୦୨ରେ ଜିଲ୍ଲା ପରିଷଦ ସଭ୍ୟ, ୨୦୦୭ରୁ ୨୦୧୩ ମଧ୍ୟରେ ଦୁଇ ଥର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଅଭିଜ୍ଞତାକୁ ବିଚାରକୁ ନେଲେ ରାଜ୍ୟସ୍ତରୀୟ ଭାଜପା ସଂଗଠନ କାର୍ଯ୍ୟକ୍ରମରେ ବିଭୂତି ଜେନା ସକ୍ରିୟ ରହିଆସିଥିବା ସୁସ୍ପଷ୍ଟ । ସେ ୨୦୦୯, ୨୦୧୪ ଓ ୨୦୧୯ ତିନି ଥର ବିଧାନସଭା ନିର୍ବାଚନରେ ଗୋପାଳପୁରରୁ ଭାଜପା ପ୍ରାର୍ଥୀଭାବେ ଲଢ଼ି ପରାସ୍ତ ହୋଇଥିଲେ । ୨୦୧୯ ନିର୍ବାଚନରେ ଗୋପାଳପୁର ନିର୍ବାଚ଼ନମଣ୍ଡଳୀରୁ ବିଜୟୀ ତତ୍କାଳୀନ ବିଜୁ ଜନତା ଦଳର ପ୍ରଦୀପ କୁମାର ପାଣିଗ୍ରୀହୀଙ୍କଠାରୁ ଭୋଟ ବ୍ୟବଧାନ ଅତି କମ ରହିଥିଲା । ପରିବର୍ତ୍ତିତ ପରିସ୍ଥିତିରେ ୨୦୨୪ ନିର୍ବାଚନରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଭାଜପା ଟିକଟରେ ପ୍ରଦୀପ କୁମାର ପାଣିଗ୍ରାହୀ ସାଂସଦ ଓ ବିଭୂତି ଜେନା ବିଧାୟକ ପ୍ରାର୍ଥୀ ହୋଇଥିଲେ ।
ଗୋକୁଳାନନ୍ଦ ମଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସଙ୍କୁରୁ ପଞ୍ଚାୟତ ଘୋଳପୁର ଗ୍ରାମ ବାସିନ୍ଦା । ତେବେ ସ୍କୁଲ ଶିକ୍ଷା ଶେଷରେ ସେ ଭୁବନେଶ୍ୱରରେ କଲେଜ ଶିକ୍ଷାର୍ଜନ କରି ସେଠାରେ ହିଁ ବ୍ୟବସାୟ ଆରମ୍ଭ କରିଥିଲେ । ରାଜନୀତିରେ ଋଚି ରଖି ୨୦୧୧ରେ ଗ୍ରାମକୁ ଫେରି କଂଗ୍ରେସ ଦଳରେ ଯୋଗ ଦେଇ ୨୦୧୨ରେ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷ ଭାବେ ନିର୍ବାଚ଼ିତ ହୋଇଥିଲେ । ଦୁଇ ବର୍ଷ ପରେ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରେ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ରୂପେ ପରାଜିତ ହୋଇଥିଲେ । ତତ୍ ପରବର୍ତ୍ତୀ ଅବସ୍ଥାରେ ସେ ଭାଜପାରେ ଯୋଗ ଦେଇ ୨୦୧୯ ନିର୍ବାଚ଼ନରେ ଅବତୀର୍ଣ୍ଣ ହୋଇ ପୁଣି ହାରିଥିଲେ । ତୃତୀୟବାର ୨୦୨୪ରେ ନିର୍ବାଚ଼ିତ ହୋଇ ଭାଜପା ସରକାରରେ ସାମିଲ ହୋଇଛନ୍ତି । ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ରହିଥିଲେ ।
ରାଜ୍ୟର ପ୍ରଥମ ଭାଜପା ମନ୍ତ୍ରୀମଣ୍ଡଳର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ଦୀର୍ଘ ସାଂଗଠନିକ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଇଛି । ୨୦୨୪ ନିର୍ବାଚନ ଅବସରରେ ଦଳ ପକ୍ଷରୁ ଶାଣିତ ସଂଘର୍ଷ ଆୟୋଜନ କରାଯାଇଥିବା ଅବସରରେ ଅନ୍ୟାନ୍ୟ ରାଜନୀତିକ ଦଳରୁ ଆଗତ ବହୁ ନେତାଙ୍କୁ ଟିକଟ ଦିଆଯାଇଥିଲା ସତ, କିନ୍ତୁ ଦଳୀୟ ଅନୁଭୂତିକୁ ବିଚାରକୁ ନେଇ ମନ୍ତ୍ରୀପଦରେ ଅବସ୍ଥାପିତ କରାଯାଇନାହିଁ । ଗୋପାଳପୁର ଓ ପୋଲସରା ବିଧାୟକ ଗଞ୍ଜାମ ଜିଲ୍ଲା ପ୍ରତିନିଧିତ୍ୱ କରୁଥିବା ସ୍ଥଳେ ସେମାନଙ୍କ ନିର୍ବାଚନମଣ୍ଡଳୀ ମୁଖ୍ୟତଃ ଗ୍ରାମାଞ୍ଚଳ ଅନ୍ତର୍ଗତ ହୋଇଥିବା ହେତୁ ବ୍ରହ୍ମପୁର ଭଳି ସହରାଞ୍ଚଳ ସମସ୍ୟା ସମାଧାନ ଦିଗରେ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ ତାହା ସମୟ କହିବ ।
Image by Minh Hung Le from Pixabay





