Monday, June 13, 2016

Forecast of monsoon at Berhampur / ବ୍ରହ୍ମପୁରରେ ମୌସୁମୀ ବର୍ଷା ପୂର୍ବାନୁମାନ

ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବର୍ଷାଋତୁ ଆରମ୍ଭ ହୋଇଥାଏ | ପାରମ୍ପରିକ ଭାବେ ଜୁନ ପହିଲା ତାରିଖରେ ଏହା କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ସପ୍ତାହକ ବିଳମ୍ୱରେ ଜୁନ 8 ତାରିଖରେ କେରଳ ଉପକୂଳରେ ବର୍ଷା ଆରମ୍ଭ ହୋଇଛି | ମୌସୁମୀ କେରଳ ପହଞ୍ଚିବାର 8 ରୁ 10 ଦିନ ମଧ୍ୟରେ ଓଡ଼ିଶା ଆସିଥାଏ | ସେହି ହିସାବରେ ଜୁନ 16ରୁ 18 ତାରିଖ ବେଳକୁ ଓଡ଼ିଶାରେ ବର୍ଷା ହେବା କଥା |
          ସାଧାରଣତଃ ଓଡ଼ିଶାରେ ମୌସୁମୀ ବର୍ଷାର ଆଗମନ ସଙ୍ଗେ ବ୍ରହ୍ମପୁରରେ ବର୍ଷା ଆରମ୍ଭ ହୁଏନି | ମୌସୁମୀ ବାୟୁ କେରଳ ପହଞ୍ଚିଥିବା ମଙ୍ଗଳବାର ଦିନ ଅପରାହ୍ନରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ପ୍ରାକ୍-ମୌସୁମୀ ବର୍ଷା ହୋଇଥିଲା | #ବ୍ରହ୍ମପୁର ତୁଳନାରେ ଗୋପାଳପୁର ଅଞ୍ଚଳରେ ଘଡ଼ଘଡ଼ି, ବିଜୁଳି ଓ ବର୍ଷାର ପରିମାଣ ଅଧିକ ଥିଲା | ଅପରାହ୍ନ 2 ଟାରୁ 4 ଟା ମଧ୍ୟରେ ସେଠାରେ 52 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା | ସାପ୍ତାହକ ପରେ 13 ଜୁନ ସୋମବାର ଦିନ ମଧ୍ୟ ଅପରାହ୍ନ 4ଟା ବେଳେ ଅଧଘଣ୍ଟାଏ ବର୍ଷା ହୋଇଥିଲା | ପାରମ୍ପରିକ ଭାବେ ରଜସଂକ୍ରାନ୍ତି ବେଳକୁ ବ୍ରହ୍ମପୁରର ପାଗ ମେଘୁଆ ରହେ | କାଁ ଭାଁ ଅସରାଏ ବର୍ଷା ହୁଏ | ଗୁଳଗୁଳି ହୁଏ |
          ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସାମୁଦ୍ରିକ ବିଜ୍ଞାନ ଅଧ୍ୟାପକ ଡ଼କ୍ଟର ଏ.ଏସ୍.ଏନ୍. ମୂର୍ତ୍ତିଙ୍କ ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ବ୍ରହ୍ମପୁର ପହଞ୍ଚୁଥିଲେ ମଧ୍ୟ ଜୁନ ମାସରେ ଆଶାନୁରୂପ ବର୍ଷା ହୁଏ ନାହିଁ | ଜୁଲାଇ ମାସରେ ବୃଷ୍ଟିପାତର ପ୍ରାବଲ୍ୟ ବୃଦ୍ଧି ପାଏ | ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ପ୍ରାଚୁର୍ଯ୍ୟ ଦିନଗୁଡିକରେ ଦୈନିକ ହାରାହାରି 30 ରୁ 40 ମିଲିମିଟର ଯାଏଁ ବର୍ଷା ହୋଇଥାଏ |
          ବ୍ରହ୍ମପୁରରେ ବାର୍ଷିକ ପ୍ରାୟ 200 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥାଏ ଅଗଷ୍ଟ-ସେପ୍ଟେମ୍ୱର ମାସରେ ମୌସୁମୀକାଳୀନ ଲଘୁଚ଼ାପ ଓ ନଭେମ୍ୱର-ଡ଼ିସେମ୍ୱର ମାସରେ କ୍ରାନ୍ତୀୟ ଲଘୁଚ଼ାପ ଯୋଗୁଁ ସହରରେ ଲଗାଣ ବର୍ଷା ଦେଖିବାକୁ ମିଳିଥାଏ | ଜୁନରୁ ସେପ୍ଟେମ୍ୱର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ଅକ୍ଟୋବରରୁ ଡ଼ିସେମ୍ୱର ମାସ ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀବାୟୁ ପ୍ରଭାବରେ ବର୍ଷା ହୋଇଥାଏ |
          ପାଣିପାଗ ପୂର୍ବାନୁମାନ ଏକ ବୈଜ୍ଞାନକ ଧାରା | ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳାଚଳ ମୁଖ୍ୟତଃ ତିନିଗୋଟି ସୂତ୍ରରେ ପୂର୍ବାନୁମାନ କରାଯାଇଥାଏ | ପ୍ରଥମତଃ ଆନ୍ତର୍ଜାତିକ କ୍ଷେତ୍ରରେ ବାୟୁ ଚଳାଚଳର ପରିସଂଖ୍ୟାନ, ଦ୍ୱିତୀୟତଃ ଅତୀତରେ ବୃଷ୍ଟିପାତ ଜନିତ ତଥ୍ୟାବଳୀ ଓ ତୃତୀୟତଃ ସମକାଳୀନ ଭୁପୃଷ୍ଠ ତଥା ସାମୁଦ୍ରିକ ଅଞ୍ଚଳରେ ବାୟୁ ଚଳାଚଳ ଧାରା ବିଶ୍ଳେଷଣ ଦ୍ୱାରା ମୌସୁମୀ ବର୍ଷାର ପୂର୍ବାନୁମାନ ହୋଇଥାଏ | ଗତ କିଛି ବର୍ଷ ଧରି ପାଣିପାଗ ନିରୀକ୍ଷଣ ଦିଗରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବା ପରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରାୟତଃ ସଠିକ ଘଟୁଥିବା ଦେଖିବାକୁ ମିଳୁଛି | ତେବେ ବି ପାଣିପାଗର ପୂର୍ବାନୁମାନରେ ଶତକଡ଼ା ଶତ ପ୍ରତିଶତ ସତ୍ୟତା କେବେ ହେଁ ସମ୍ଭବପର ନୁହେଁ ବୋଲି ବୈଜ୍ଞାନିକମାନେ ସ୍ୱୀକାର କରିଥାନ୍ତି |

ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 14 ଜୁନ 2016

Friday, April 22, 2016

Neglecting the culture of water bodies / ଅବହେଳାରେ ପୁଷ୍କରଣୀ ସଂସ୍କୃତି

ପ୍ତଦଶ ଶତାଦ୍ଦୀ ମଧ୍ୟଭାଗରୁ କ୍ରମବର୍ଦ୍ଧିଷ୍ଣୁ #ବ୍ରହ୍ମପୁର ସହର ମଠ, ମନ୍ଦିର ଓ ପୁଷ୍କରଣୀମୟ ଜନବସତି ରୂପେ ଗଢ଼ି ଉଠିଥିଲା | ଐତିହାସିକମାନଙ୍କ ମତରେ ୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ଓ ତାହାର କିଛି ସମୟ ପୂର୍ବରୁ ବର୍ତ୍ତମାନର ବଡ଼ବଜାରଠାରେ ମହୁରି ରାଜବାଟୀ ପ୍ରତିଷ୍ଠା ପରେ ପରେ ସେହି ଅଞ୍ଚଳ ପରିସୀମାରେ ବହୁଳ ପରିମାଣରେ ମଠ ମନ୍ଦିରର ଉପସ୍ଥିତି କାରଣରୁ ଏହାକୁ ଦେବତାଙ୍କପୁର ବା ବ୍ରହ୍ମପୁର ନାମିତ କରାଯାଇଥିଲା | ଘନ ସବୁଜିମାର ଆସ୍ତରଣ ଓ ଜଳାଶୟ ସଂଗକୁ ପ୍ରଶସ୍ତ ରାସ୍ତାଘାଟ ଓ ପରିଚ୍ଛନ୍ନତା ବ୍ରହ୍ମପୁରକୁ ପରବର୍ତ୍ତୀ ଅବସ୍ଥାରେ ସମଗ୍ର ମାଡ୍ରାସ ପ୍ରେସିଡ଼େନ୍ସିରେ ସୁନାମ ଅର୍ଜନଲାଗି ସମର୍ଥ କରାଇପାରିଥିଲା |
          ମଠ ମନ୍ଦିର ସଂଲଗ୍ନ ପୁଷ୍କରଣୀ ଖନନ ଭାରତୀୟ ସଂସ୍କୃତିର ଏକ ଅଂଶ ବିଶେଷ | ଅତଏବ ଅଧିକ ସଂଖ୍ୟାରେ ମଠମନ୍ଦିରର ଅର୍ଥ ଅଧିକ ସଂଖ୍ୟାରେ ପୁଷ୍କରଣୀର ଉପସ୍ଥିତି ସ୍ୱାଭାବିକ | ବିଭିନ୍ନ ଧାର୍ମିକ ବିଧିବିଧାନ ପୁଷ୍କରଣୀରେ ସମାହିତ ହୋଇଥାଏ ଏବଂ ପୁଷ୍କରଣୀର ରକ୍ଷଣାବେକ୍ଷଣ ସ୍ଥାନୀୟ ନାଗରିକଙ୍କ କର୍ତ୍ତବ୍ୟରୂପେ ପରିଗଣିତ ହୋଇ ଆସିଛି |
          ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରରେ ଏହି ପରମ୍ପରାରେ ବିଚ୍ୟୁତି ଦେଖିବାକୁ ମିଳିଲା | ପ୍ରଥମତଃ ପୁଷ୍କରଣୀଗୁଡ଼ିକ ରକ୍ଷଣାବେକ୍ଷଣ ଲାଗି ସାମାଜିକ ତଥା ପ୍ରଶାସନିକସ୍ତରରେ ଅବହେଳା ପ୍ରଦର୍ଶନ କରାଗଲା, ଦ୍ୱିତୀୟତଃ ବ୍ୟକ୍ତିଗତ ମାଲିକନାରେ ଥିବା ବହୁ ପୁଷ୍କରଣୀଗୁଡ଼ିକୁ ପୋତି ଦିଆଯାଇ ଗୃହନିର୍ମାଣ ଲାଗି ଡ଼ିହ ପ୍ରସ୍ତୁତ କରାଗଲା ଓ ତୃତୀୟତଃ ସରକାରୀ ମାଲିକାନାରେଥିବା ଅନ୍ୟ କେତେକ ବୃହତ ପୁଷ୍କରଣୀକୁ ପୋତି ବିଭିନ୍ନ ସାର୍ବଜନୀନ କାର୍ଯ୍ୟରେ ଲଗାଗଲା | ଫଳରେ ବ୍ରହ୍ମପୁରରୁ ପୁଷ୍କରଣୀ ସଂସ୍କୃତି କ୍ରମଶଃ ଲୋପ ପାଇବାରେ ଲାଗିଲା | ତା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ସହରରେ ୪୨ ଗୋଟି ପୋଖରୀ ବଞ୍ଚରହିଛି |
          ଜନପଦରେ ଜନସାଧାରଣଙ୍କ ପାଇଁ ଜଳଉତ୍ସରୂପେ କାର୍ଯ୍ୟକରିବା ସାଙ୍ଗକୁ ଭୂଗର୍ଭରେ ଜଳସ୍ତର ନିୟନ୍ତ୍ରଣ ତଥା ପାରିପାର୍ଶ୍ୱିକ ବାୟୁମଣ୍ଡଳରେ ଆଦ୍ରତା ବଜାୟ ରଖିବାରେ ପୁଷ୍କରଣୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ | ବର୍ତ୍ତମାନ ପୁଷ୍କରଣୀ ଅଭାବରେ ବ୍ରହ୍ମପୁର ସହରବାସୀ ତତ୍ ଜନିତ ପ୍ରତିକୂଳ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି | ଚଳିତ ଗ୍ରୀଷ୍ମଋତୁରେ ସହରରେ ତାପମାତ୍ରା ବୃଦ୍ଧିର ଏହା ଅନ୍ୟତମ କାରଣ |
          ବ୍ରହ୍ମପୁର ପୌରପାଳିକାଙ୍କ ପକ୍ଷରୁ ସହରର ବିକାଶଲାଗି ଆନ୍ତର୍ଜାତିକ ସହାୟତା ଆବେଦନ କରାଯିବା ଅବସରରେ ଏଠାକାର ଜୀର୍ଣ୍ଣ ଅବସ୍ଥାରେ ଥିବା ପୁଷ୍କରଣୀଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅନୁଦାନକାରୀ ସଂସ୍ଥା ଗୁରୁତ୍ୱ ଆରୋପ କରିଥିଲେ | ଚ଼ବିଶି ଗୋଟି ପୁଷ୍କରଣୀର ପୁନରୁଦ୍ଧାର ପାଇଁ ପ୍ରାୟ ଷୋହଳ କୋଟି ଟଙ୍କା ମଂଜୁର ହୋଇଥିଲା | ୨୦୦୭ ମସିହାରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୭ ଗୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଗୋଟି ପୁଷ୍କରଣୀର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା | ତେବେ ସେଥିରେ ଟେଣ୍ଡର ଫିକ୍ସିଂ ଓ ନିମ୍ନମାନର କାର୍ଯ୍ୟ ସଂପର୍କରେ ଅଭିଯୋଗ ବର୍ତ୍ତମାନ ସମ୍ୱାଦପତ୍ରର ପୃଷ୍ଠା ମଣ୍ଡନ କରୁଛି |
          ସହରାଞ୍ଚଳରେ ପାରିପାର୍ଶ୍ୱିକ ପରିବେଶ ସନ୍ତୁଳନରେ ପୁଷ୍କରଣୀର ଭୂମିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଉଦାହରଣମାନ ସମୟକ୍ରମେ ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଛି | ଗତବର୍ଷ ବର୍ଷାଦିନେ ଚ଼େନ୍ନାଇରେ ଓ ପୂର୍ବବର୍ଷ ମୁମ୍ୱାଇରେ ଜଳାଶୟ ଅଭାବ କାରଣରୁ ରାସ୍ତାଘାଟର ବନ୍ୟାଜଳ ବାସଗୃହ ମଧ୍ୟକୁ ପ୍ରବେଶ ଜନିତ ସହରବାସୀଙ୍କ ଦୁର୍ଦ୍ଦଶା ଅନ୍ୟାନ୍ୟ ସହରପ୍ରତି ଚ଼େତାବନୀ ସାଜିଛି | ବ୍ରହ୍ମପୁରରେ ଆସିକାରୋଡ଼ରେ ଏକ ବିରାଟ ଜଳାଶୟ ପୋତି ସେଥିରେ ମାର୍କେଟ କମ୍ପ୍ଳେକ୍ସ  ନିର୍ମାଣଲାଗି ପ୍ରସ୍ତାବ ଦୀର୍ଘଦିନରୁ ଲଟକି ରହିଛି | ଠିକ୍ ତାହାର ସାମ୍ନାରେ ଅନ୍ୟଏକ ଜଳାଶୟ ତାମେୟା ବନ୍ଧ ପୋତି ଗୋଟିଏ ପାର୍କ ଗଢ଼ାଗଲା | ସହରର ଅନ୍ୟାନ୍ୟ ଅଞ୍ଚଳରେ ଛୋଟ ବଡ଼ ବହୁ ପୁଷ୍କରଣୀ ପୋତିବା ଯୋଜନା ଚାଲିଥିବା ଖବର ପ୍ରକାଶ ପାଉଛି | ଅନ୍ତତଃ ପକ୍ଷେ ଏଣିକି ପୁଷ୍କରଣୀ ପୋତା ସଂସ୍କୃତିକୁ ସାଧାରଣସ୍ତରରେ ପ୍ରତିବାଦ କରିବା ସମୟ ଆସିପହଞ୍ଚିଛି | ଏବର୍ଷ ପ୍ରଚ଼ଣ୍ଡ ରୌଦ୍ରତାପରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଗୃହ ମଧ୍ୟରେ କଠୋରୀଗୁଡ଼ିକରେ ଖୋଲାପାତ୍ରରେ ପାଣି ରଖିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି | ଏହାଦ୍ୱାରା କଠୋରୀରେ ଆଦ୍ରତା ବଢ଼ିବା କୁହାଯାଉଛି | ତେବେ ଜନପଦରେ ଆଦ୍ରତା ବୃଦ୍ଧି କରି ପାଣିପାଗରେ ସନ୍ତୁଳନ ରକ୍ଷା ପାଇଁ ପୁଷ୍କରଣୀ କଥା ଆମେ କିପରି ଭୂଲି ଯିବା ?


ସଂବାଦ (ବ୍ରହ୍ମପୁର ସଂସ୍କରଣ) ୨୦ ଏପ୍ରିଲ ୨୦୧୬ ରେ ପ୍ରକାଶିତ

Friday, April 15, 2016

Proposal on multi-stored parking lot / ବହୁତଳ ବିଶିଷ୍ଟ ‘ପାର୍କିଂ – ଲଟ’ ପ୍ରସ୍ତାବ

କ୍ରମବର୍ଦ୍ଧିଷ୍ଣୁ #ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟା ସମାଧାନ ନିମନ୍ତେ ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟତଃ କମାପଲ୍ଲୀ ଓ ବଡ଼ବଜାରରେ ପାର୍କିଂ ଓ ଜବରଦଖଲଜନିତ କାରଣରୁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ସଜାଡ଼ିବାଲାଗି କେତେକ ନୀତିଗତ ନିଷ୍ପତ୍ତି ନିଆ ଯାଇଛି | କମାପଲ୍ଲୀ ଛକ ଅଞ୍ଚଳରେ ଓଭରବ୍ରିଜ ତଳେ ତଥା ବଡ଼ବଜାର ଅଞ୍ଚଳରେ କମଳାବାରୀ ସାହୀ ଓ ଧାନମେରା ସାହୀଠାରେ ପାର୍କିଂ ଜୋନ ଚ଼ିହ୍ନଟ କରିବା ଉଦ୍ୟମ ସେଥିମଧ୍ୟରୁ ଅନ୍ୟତମ | ଏହାଛଡ଼ା ସହରର ଅନ୍ୟାନ୍ୟ ଅଞ୍ଚଳରେ ପାର୍କିଂ ପାଇଁ ଖାଲିସ୍ଥାନ ଚ଼ିହ୍ନଟ ଲାଗି ମଧ୍ୟ ସମୟସୀମା ଧାର୍ଯ୍ୟ ହୋଇଛି |
          ଯଦିଓ ପ୍ରଶାସନିକସ୍ତରରେ ଏହା ଏକ ଧରାବନ୍ଧା ରୁଟିନ କାର୍ଯ୍ୟସୂଚ଼ୀ, ତଥାପି ସହରର ଅସଜଡ଼ା ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱର ସହ ବିଚ଼ାର କରିବା ସମୟ ଆସି ପହଞ୍ଚିଛି | ବ୍ରହ୍ମପୁରର ପରିସୀମା ପରିବ୍ୟାପ୍ତ ହୋଇ ଚାଲିଥିବା ତଥା ଦୂରଦୂରାନ୍ତରେ ବସବାସ କରୁଥିବା ସହରବାସୀ ମୁଖ୍ୟତଃ ଦୁଇଚକିଆ ଯାନରେ ସହରର କେନ୍ଦ୍ରାଞ୍ଚଳରେ ବିଭିନ୍ନ କାର୍ଯ୍ୟ ଉଦ୍ଦେଶ୍ୟରେ ପହଞ୍ଚୁଥିବା ବେଳେ ଯାନବାହାନ ପାର୍କିଂ ପାଇଁ ସ୍ଥାନ ଅଭାବ କ୍ରମଶଃ ଉତ୍କଟ ହେବାରେ ଲାଗିଛି | ତେବେ ଜନଗହଳିପୂର୍ଣ୍ଣ ବଜାରଅଞ୍ଚଳଗୁଡ଼ିକରେ ସ୍ଥାନ ଅଭାବ କାରଣରୁ ପାର୍କିଂ ଜୋନ ସ୍ଥାପନ ହୋଇ ପାରୁନାହିଁ | ଆଜକୁ ଛଅ ବର୍ଷ ପୂର୍ବେ ଜୁଲାଇ ୨୦୧୦ରେ ତତ୍ କାଳୀନ ବ୍ରହ୍ମପୁରର ପୋଲିସ ଏସପି ରାମଲିଙ୍ଗ ବନ୍ଧ ପାର୍ଶ୍ୱ ଗୌତମ ସିନେମା ହଲ ରାସ୍ତା, ରୁକ୍ମିଣୀ ସିନେମା ହଲ ପାର୍ଶ୍ୱର ଧର୍ମନଗର ରାସ୍ତା ଓ କରପୋରେସନ ରୋଡ଼ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପାର୍ଶ୍ୱ ରାସ୍ତାକଡ଼ରେ ପାର୍କିଂ ଜୋନ ଗଠନ ପାଇଁ ପ୍ରସ୍ତାବ ବିଚ଼ାରକୁ ଆଣିଥିଲେ | ସେଥି ମଧ୍ୟରୁ ଧର୍ମନଗର ରାସ୍ତାକଡ଼ରେ ଚାରି ଚକିଆ ଯାନବାହାନ ପାର୍କିଂ କରାଯିବା ବେଳେ ଗୌତମ ସିନେମା ହଲ ରାସ୍ତା ଓ ବିଜୁ ପଟ୍ଟନାୟକ ପାର୍କ ପାର୍ଶ୍ୱରାସ୍ତା କଡ଼ରେ ଦୁଇ ଚକିଆ ଯାନବାହାନ ପାର୍କିଂ ବ୍ୟବସ୍ଥା ହେବ ବୋଲି କୁହାଯାଉଥିଲା | କିନ୍ତୁ ସମୟକ୍ରମେ ସେଭଳି ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିନଥିଲା |

          ବ୍ରହ୍ମପୁରରେ ବହୁତଳ ବିଶିଷ୍ଟ ପାର୍କିଂ ଲଟ ନିର୍ମାଣ ପ୍ରସ୍ତାବକୁ ବିକଳ୍ପଭାବେ ଅନୁଧ୍ୟାନ କରାଯାଇପାରେ | ବିଦେଶରେ ସବୁ ବଡ଼ ସହର ସାଙ୍ଗକୁ ଆମ ଦେଶରେ ମୁମ୍ୱାଇ, ଚ଼େନ୍ନାଇରେ ମଧ୍ୟ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇସାରିଛି | ଭୁବନେଶ୍ୱରଠାରେ ବହୁତଳ ବିଶିଷ୍ଟ ପାର୍କିଂ ଲଟ ନିର୍ମାଣ ପ୍ରସ୍ତାବ ନୀତିଗତଭାବେ ଗୃହୀତ ହୋଇଛି | ଏଭଳି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଉଦାହରଣ ସ୍ୱରୂପ ବ୍ରହ୍ମପୁର ପୌର ନିଗମ ମାଲିକାନାରେ ଥିବା ପୁରୁଣା ବସଷ୍ଟାଣ୍ଡ କଥା ବିଚ଼ାରକୁ ନିଆଯାଉ | ଏଠାରେ ଏକ ଚ଼ାରିତଳ ବିଶିଷ୍ଟ ପାର୍କିଂ ଲଟ ନିର୍ମାଣ କରାଯାଇପାରେ | ସବା ତଳେ ଅଟୋ ରିକ୍ସା ଓ ଟ୍ୟାକ୍ସି, ପ୍ରଥମ ମହଲାରେ ଟାଉନବସ, ଦ୍ୱିତୀୟ ମହଲରେ ଦୁଇ ଚ଼କିଆ, ତୃତୀୟ ମହଲାରେ ଚ଼ାରି ଚକିଆ ଯାନବାହାନ ଓ ଚ଼ତୁର୍ଥ ମହଲାରେ ରୁଫ ଟପ ପାର୍କ ଫାଉଣ୍ଟେନ ଫୁଡ଼ ପାର୍କ ଗଢ଼ାଯାଇ ପାରେ | ଏଭଳି ଏକ ପାର୍କିଂ ଲଟର ସୁବିଧା ମିଳିଲେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟଠାରୁ ଗିରିଜା ଛକ ଯାଏଁ ଅଞ୍ଚଳର ପାର୍କିଂ ସମସ୍ୟା ସମାଧାନ ହୋଇପାରିବ, ରାସ୍ତାକଡ଼ର ଠିଆ କ୍ୟାଣ୍ଟିନଗୁଡ଼ିକୁ ଉଚ୍ଛେଦ କରି ଥଇଥାନର ବ୍ୟବସ୍ଥା ସମ୍ଭବପର ହେବ ଏବଂ ସର୍ବୋପରି ସହରର ମଧ୍ୟସ୍ଥଳରୁ ପବ୍ଳିକ ଟ୍ରାନ୍ସପୋର୍ଟର ସୁବିଧା ଦେଇହେବ | ‘ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥାରିଟି ମାଲିକାନାରେ ଥିବା ବିବାଦମାନ ଗଜପତି ପ୍ଳାଜା ଚ଼ିହ୍ନଟ ଜମିକୁ ମଧ୍ୟ ଅନ୍ୟଏକ ବହୁତଳ ବିଶିଷ୍ଟ ପାର୍କିଂ ଲଟରେ ପରିଣତ କରାଯାଇ ପାରିଲେ ତଥା ରାମଲିଙ୍ଗ ବନ୍ଧ କଡ଼ରେ ପ୍ରସ୍ତାବିତ ସ୍କାଇ-ୱାକ ଓ ପାର୍କିଂ ଜୋନ ନିର୍ମାଣ କାର୍ଯ୍ୟ ସରିଲେ ସହରର ଜନାକୀର୍ଣ୍ଣ ମଧ୍ୟଭାଗରେ ତିନି ଗୋଟି ପାର୍କିଂ ଲଟ ଦୀର୍ଘ ଭବିଷ୍ୟତ ପାଇଁ ବ୍ରହ୍ମପୁରର ଟ୍ରାଫିକ ସମସ୍ୟା ସମାଧାନରେ ସହାୟକ ହୋଇପାରିବ ବୋଲି ଆଶା କରାଯାଇପାରେ | ପୁରୁଣା ବସଷ୍ଟାଣ୍ଡ ଓ ଗଜପତି ପ୍ଳାଜା ଜମିରେ ପାର୍କିଂ ଲଟ ନିର୍ମାଣ ପାଇଁ ପ୍ରାଇଭେଟ ପବ୍ଳିକ ପାର୍ଟନରସିପ ଧାରାରେ ଘରୋଇ ପୁଞ୍ଜି ବିନିଯୋଗ କରାଯାଇ ଉପଭୋକ୍ତା ଜନସାଧାରଣଙ୍କଠାରୁ ଭଡ଼ା ଆଦାୟରେ ନିର୍ମାଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଭରଣା ସମ୍ଭବପର

Friday, April 8, 2016

What is Rahagiri / ‘ରାହଗିରି’ ...କ’ଣ ? କେବେଠୁ ? କେଉଁଠୁ ? କାହିଁକି ?...

ବ୍ରହ୍ମପୁରରେ ରାହଗିରି ଦିବସ 10 ଏପ୍ରିଲ 2016 ରବିବାରଠୁଁ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗୃହୀତ ହୋଇଛି | ଭୁବନେଶ୍ୱରରେ 17 ଜାନୁୟାରୀ 2016 ଠାରୁ ରାହଗିରି ଆରମ୍ଭ ହେବାପରେ ପୁରୀ ପରକୁ ଏହି ଦିବସ ପାଳନରେ #ବ୍ରହ୍ମପୁର ହେବ ରାଜ୍ୟର ତୃତୀୟ ସହର |
          ରାହଗିରି ଏକ ହିନ୍ଦୀ ଶଦ୍ଦ | ‘ରାହର ଅର୍ଥ ରାସ୍ତା ଓ ଗିରି ଆଦର୍ଶ ଅର୍ଥରେ ବ୍ୟବହୃତ ହୋଇଥାଏ .... ଯେପରି କି ଗାନ୍ଧିଗିରି, ଚାମଚାଗିରି ଇତ୍ୟାଦି | ‘ରାହଗିରିର ଓଡ଼ିଆ ଅନୁବାଦ ପଥଚ଼ାରୀ ଦିବସ’ | ରାଷ୍ଟ୍ରୀୟସ୍ତରରେ ରାହଗିରି ଫାଉଣ୍ଡେସନ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ରାହଗିରିର ଟ୍ରେଡ଼ମାର୍କ ରେଜିଷ୍ଟ୍ରେସନ କରିଛି | ଅର୍ଥାତ ରାହଗିରି ଶଦ୍ଦ ସେମାନଙ୍କ ବିନାଅନୁମତିରେ ବ୍ୟବହୃତ ହୋଇପାରିବ ନାହିଁ କିମ୍ୱା ଅଞ୍ଚଳିକ ଭାଷା ସମୂହରେ ଅନୁବାଦିତ ହୋଇପାରିବ ନାହିଁ  |
          ଭାରତରେ ରାହଗିରି 17 ନଭେମ୍ୱର 2013ରେ ହରିଆନାର ଗୁରୁଗାଁଓରେ ଆରମ୍ଭ ହୋଇଥିଲା | ପରବର୍ତ୍ତୀ କାଳରେ ଦିଲ୍ଲୀ, ଲୁଧିଆନା, ନଭି ମୁମ୍ୱାଇ, ବାଙ୍ଗାଲୁର ଇତ୍ୟାଦି ସହରରେ ମଧ୍ୟ ଏହି ଉତ୍ସବ ପାଳନ ସଂପ୍ରସାରିତ ହେବାରେ ଲାଗିଲା |
          ରାହଗିରି ଦିବସ ପାଳନର ଉତ୍ପତି ଦକ୍ଷିଣ ଆମେରେକୀୟ ରାଷ୍ଟ୍ର କଲମ୍ୱିଆର ବୋଗୋଟା ସହରରେ 1976ରୁ ପାଳିତ ସାପ୍ତାହିକ ସିସ୍ଳୋଭିଆ ଦିବସକୁ ଚ଼ିହ୍ନଟ କରାଯାଇଥାଏ | ସ୍ପାନିସ ଭାଷାରେ ସିସ୍ଳୋଭିଆର ଅର୍ଥ ସାଇକଲ ଚ଼ାଳନା ପାଇଁ ରାସ୍ତା ଅବରୋଧକୁ ବୁଝାଇଥାଏ | ପ୍ରତି ସପ୍ତାହରେ ଏକ ନିର୍ଦ୍ଧିଷ୍ଟ ଦିବସର ନିର୍ଦ୍ଧିଷ୍ଟ ସମୟସୀମାରେ ରାଜରାସ୍ତା ମଟରଗାଡ଼ି ଚଳାଚଳଲାଗି ନିଷିଦ୍ଧ କରି ପଥଚ଼ାରୀ ତଥା ସାଇକଲ ଚ଼ାଳନା ପାଇଁ ରାସ୍ତା ଉନ୍ମୁକ୍ତ କରାଯାଉଥିବା କଲମ୍ୱିଆର ଏହି ପ୍ରଥା କାଳକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରାଜିଲ, ମେକ୍ସିକୋ, ବେଲଜିୟମ ଓ ଇସ୍ରାଏଲ ପ୍ରଭୃତି ରାଷ୍ଟ୍ରକୁ ବ୍ୟାପିଥିଲା | ଏହି ଉତ୍ସବକୁ ଦେଶ ବିଦେଶରେ ଲୋକପ୍ରିୟ କରାଇବା ପାଇଁ କେତେକ ଅନ୍ତଃରାଷ୍ଟ୍ରୀୟ ସ୍ୱେଚ୍ଛାସେବୀ ସଂଗଠନ ନିୟୋଜିତ ହୋଇଛନ୍ତି | ଆମ ଦେଶରେ ଗରିବ ଓ ଅବହେଳିତ ବର୍ଗଙ୍କ ଉନ୍ନୟନ ପାଇଁ ବିଗତ ଚ଼ାରି ପାଞ୍ଚ ଦଶନ୍ଧୀଧରି ସ୍ୱେଚ୍ଛାସେବୀ ସଂଗଠନମାନ କାମ କରୁଥିବା ଭଳି ବଡ଼ବଡ଼ ଦେଶରେ ସହରାଞ୍ଚଳରେ ବିଭିନ୍ନ ସୁବିଧାସୁଯୋଗ ସୃଷ୍ଟିପାଇଁ ମଧ୍ୟ ସ୍ୱେଚ୍ଛାସେବୀ ସଂଗଠନମାନ ତତ୍ପର ଅଛନ୍ତି | ବିଶେଷକରି ଜଗତୀକରଣପରେପରେ ସହରାଞ୍ଚଳ ବିକାଶ ନିମନ୍ତେ ବିଭିନ୍ନ ପ୍ରାୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି | ଗାଡ଼ିମଟରଜନିତ ପ୍ରଦୂଷଣ, ସୁସ୍ଥ ଶରୀର ନିମନ୍ତେ ବ୍ୟାୟାମ, ଗୋଷ୍ଠୀଗତ ଜୀବନରେ ଭାଗିଦାରୀ ଇତ୍ୟାଦି ତତ୍ତ୍ୱର ପ୍ରଚ଼ାର ନିମନ୍ତେ ରାହଗିରିଧରଣର ଉତ୍ସବମାନ ସୃଷ୍ଟି ହୋଇଛି | ଏଥିଲାଗି ସେଲ ଭଳି ଆନ୍ତର୍ଜାତିକ କମ୍ପାନୀମାନେ ଆର୍ଥିକ ସହାୟତା ଦେଉଛନ୍ତି ଏବଂ ଆଧୁନିକ ପରିଚ଼ାଳନା ବିଧି ଉପଯୋଗରେ ଏହିରକମର ପ୍ରଥା ବିଜ୍ଞାପିତ ହୋଇ ବହୁଳ ଜନସଂଖ୍ୟାର ଚର୍ଚ୍ଚାର ପରିସରକୁ ଆସିପାରୁଛି |

          କଲମ୍ୱିଆର ସିସ୍ଳୋଭିଆ ବ୍ରହ୍ମପୁରକୁ ରାହଗିରିରେ ସଂପ୍ରସାରିତ ହେବା ଅବସରରେ ଏଭଳି ଏକ ଗଣଉତ୍ସବ ପାଳନର ଉଦ୍ଦେଶ୍ୟ ବହୁମାତ୍ରାରେ ପରିବର୍ତ୍ତିତ ହୋଇଛି | ବ୍ରହ୍ମପୁର ସହରସାରା ଏକ ଅଗ୍ରଣୀ ବ୍ୟାଙ୍କ ସହଯୋଗରେ ଟଣା ହୋଇଥିବା ଫ୍ଳେକ୍ସ ବ୍ୟାନର ଦେଖି ମଟରସାଇକଲରେ ତ୍ରିବଲ-ଲୋଡ଼ରେ ସହରବାସୀ ଟାଉନହଲ-କଲ୍ୟାଣ ମଣ୍ଡପ କିମ୍ୱା ଷ୍ଟେସନରୋଡ଼ଠାରେ ପହଞ୍ଚିବେ | ସେଠି ମଟରସାଇକଲ ପାର୍କିଂ କରି ଖଲ୍ଲିକୋଟ କଲେଜ ଛକଠାରୁ ବିଜିପୁର ଛକରାସ୍ତା କଡ଼େ କବିତା ପାଠୋତ୍ସବ ଠାରୁ ଆରମ୍ଭ କରି ମେହେନ୍ଦୀ ଚିତା କୁଟା ଦେଖି ଘରକୁ ଫେରିବେ | ତେବେ ଏହା ବି ଏକ ଆନନ୍ଦ...... ନିତିଦିନିଆ ରୁଟିନର ଧରାବନ୍ଧା ବନ୍ଧନୀରୁ ସାମୟିକ ମୁକ୍ତିଲାଗି ଏକ ପ୍ରୟାସ .... | ଅନ୍ୟ ରାଜ୍ୟରେ ଖୁସି ପାଇଁ ମନ୍ତ୍ରଣାଳୟ ସୃଷ୍ଟି କରାଯାଉଥିବା ଅବସରରେ ଓଡ଼ିଶାର ସହରଗୁଡ଼ିକରେ ରାହଗିରି ପାଳନର ପ୍ରାସଙ୍ଗିକତା ଆମେ କାହିଁକି ଖୋଜିବା..... ? ଅନ୍ତତଃ ବର୍ତ୍ତମାନ ପାଇଁ ଆମେ ଏଭଳି ଉତ୍ସବ ପାଳନର ରାଜନୀତିକ ଦିଗପ୍ରତି ଦୃଷ୍ଟି ଦେବାନି ..... | ତେବେ ଦଣ୍ଡନାଚ଼, ଠାକୁରାଣୀ ଯାତ୍ରାର ସହରରେ ରାହଗିରିହୁଏତ ଯୋଡ଼ିବ ମନୋରଞ୍ଜନର ଏକ ନୂଆ ଫର୍ଦ୍ଦ ..... |


ସଂବାଦ (ବ୍ରହ୍ମପୁର ସଂସ୍କରଣ) ୧ ଏପ୍ରିଲ୍ ୨୦୧୬ ରେ ପ୍ରକାଶିତ

Wednesday, March 23, 2016

Tradition of Holi in Berhampur / ବ୍ରହ୍ମପୁରରେ ହୋଲି ପରମ୍ପରା

ବ୍ରହ୍ମପୁରରେ ହୋଲି ପାଳନ ପରମ୍ପରା ବିଗତ ଅର୍ଦ୍ଧଶତାଦ୍ଦୀ ମଧ୍ୟରେ ସୀମାବଦ୍ଧ ବୋଲି କୁହାଯାଇପାରେ | #ବ୍ରହ୍ମପୁର ସହରର ଉତ୍ପତ୍ତି ଓ କ୍ରମବିକାଶକାଳରେ ଦକ୍ଷିଣାତ୍ୟ ସଂସ୍କୃତି ବଳବତ୍ତର ରହିଥିବା ଏବଂ ଦକ୍ଷିଣ ଭାରତରେ ହୋଲି ଲୋକପ୍ରିୟ ଉତ୍ସବ ନଥିବା କାରଣରୁ ହୋଲିଦ୍ୱାରା ଏଠାକାର ସଂସ୍କୃତିକ ଜୀବନ ପ୍ରଭାବିତ ହୋଇପାରି ନଥିଲା | ଅବଶ୍ୟ ମଠମନ୍ଦିରମୟ ଜନପଦରୂପେ ଗଢ଼ିଉଠିଥିବା ବ୍ରହ୍ମପୁରରେ ଦୋଳ ପୂର୍ଣ୍ଣିମା ଯାକଜମକରେ ପାଳିତ ହୋଇ ଆସୁଥିଲା | ସ୍ୱାଧୀନତା ପରବର୍ତ୍ତୀ କାଳରେ ଖଲ୍ଲିକୋଟ ମହାବିଦ୍ୟାଳୟର ସଂପ୍ରସାରଣ ତଥା ଇଂଜିନିଅରିଂ ସ୍କୁଲ, ସରକାରୀ ମହିଳା ମହାବିଦ୍ୟାଳୟ ଓ ଭେଷଜ ମହାବିଦ୍ୟାଳୟ ଇତ୍ୟାଦି ଶିକ୍ଷାନୁଷ୍ଠାନ ସ୍ଥାପନ ଫଳରେ ଉଚ୍ଚ ଶିକ୍ଷିତ ଛାତ୍ରଛତ୍ରୀଙ୍କ କୋଳାହଳ ଉତ୍ତରଭାରତ ତଥା ଉତ୍ତର ଓଡ଼ିଶାର ବଡ଼ ସହରଗୁଡ଼ିକରେ ଲୋକପ୍ରିୟ ହୋଲି ଖେଳ ଏଠାକାର ଯୁବ ସମାଜ ମଧ୍ୟରେ ଆଦୃତ ହୋଇ ପାରିଥିଲା | ଗତ ଶତାଦ୍ଦୀର ଷଷ୍ଠ ଦଶକରୁ ହିନ୍ଦୀ ଚଳଚ଼ିତ୍ର ଏବଂ ନବମ ଦଶକରୁ ଟେଲିଭିଜନ ସଂସ୍କୃତିର ପ୍ରସାର ଉତ୍ତର ଓ ପଶ୍ଚିମ ଭାରତରେ ଲୋକପ୍ରିୟ ପର୍ବ ହୋଲିକୁ ଏକ ସର୍ବଭାରତୀୟ ପର୍ବରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା | ବ୍ରହ୍ମପୁରର ସାଂସ୍କୃତିକ ଜୀବନ ମଧ୍ୟ ଏଥିରୁ ବାଦ ପଡ଼ିନଥିଲା |
          ସପ୍ତଦଶ ଶତାଦ୍ଦୀ ମଧ୍ୟଭାଗରେ ୧୬୬୨ ରୁ ୧୬୭୨ ଖ୍ରୀଷ୍ଟାଦ୍ଦ ମଧ୍ୟରେ ବର୍ତ୍ତମାନର ବଡ଼ବଜାର ଛକ ନିକଟସ୍ଥ ଦେଶୀବେହରା ସାହୀ ସମ୍ମୁଖରେ ମହୁରି ରାଜନଅର ପ୍ରତିଷ୍ଠା ପରେ ପରେ ରାଜବାଟୀକୁ ଘେରି ଜନବସତି ସ୍ଥାପନ ଫଳରେ ବ୍ରହ୍ମପୁର ସହର ଗଢ଼ି ଉଠିଥିଲା | ବ୍ରହ୍ମପୁରରେ ମହୁରି ରାଜଉଆସ ସ୍ଥାପନ ପରବର୍ତ୍ତୀ ଅବସ୍ଥାରେ ଆନ୍ଧ୍ର ପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ଦେବାଙ୍ଗ ସଂପ୍ରଦାୟର ବୁଣାକରମାନେ ବ୍ରହ୍ମପୁର ଆଗମନ କରିଥିଲେ | ସେ ସମୟରେ ପାଟବସ୍ତ୍ର ବୟନ ଏକ ଲାଭଜନକ ବୃତ୍ତିରୂପେ ପ୍ରତିଷ୍ଠା ଲାଭ କରିଥିଲା ଏବଂ ଦକ୍ଷିଣାଞ୍ଚଳରୁ ଆସିଥିବା ପରିବାରବର୍ଗ ପାଟବସ୍ତ୍ର ବୟନ ସମେତ ଅନ୍ୟାନ୍ୟ ବ୍ୟବସାୟରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ | ୧୮୩୫ ଖ୍ରୀଷ୍ଟାଦ୍ଦରେ ମହୁରି ରାଜା ବ୍ରିଟିଶ ସରକାରଙ୍କୁ ସଲାମୀ କର ଦେଇ ନପାରିବା ହେତୁ ବ୍ରହ୍ମପୁର ସହରକୁ ଉକ୍ତ ସଲାମୀ ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର କିଣି ନେଇଥିଲେ | ୧୮୫୦ ଖ୍ରୀଷ୍ଟାଦ୍ଦରେ ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରିଦେଇଥିଲେ | ଫଳରେ ଏଠାରେ କେତୋଟି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା | ପୂର୍ବରୁ ବାଣିଜ୍ୟପେଣ୍ଠ ରୂପେ ଗଢ଼ିଉଠିଥିବା ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳରୁ ଆଗତ ପରିବାରବର୍ଗ ଆସ୍ଥାନ ଜମାଇଥିବାବେଳେ ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନରେ ଏଠାରେ ସରକାରୀ କାର୍ଯ୍ୟାଳୟମାନ ସ୍ଥାପନ ଅବସରରେ ଦକ୍ଷିଣ ଭାରତୀୟ ରାଜକର୍ମଚ଼ାରୀମାନଙ୍କ ଆଗମନ ସହରରେ ଦାକ୍ଷିଣାତ୍ୟ ସାଂସ୍କୃତିକ ପାଣିପାଗ ପ୍ରସାରର କାରଣ ପାଲଟିଥିଲା | ଉତ୍ତର ଓଡ଼ିଶା ଓ ଉତ୍ତର ଭାରତୀୟ ସାଂସ୍କୃତିକ ବିଭବ ବ୍ରହ୍ମପୁର ସହରରେ ପ୍ରବେଶ ଲାଗି ୧୯୩୬ ଖ୍ରୀଷ୍ଟାଦ୍ଦରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଯାଏଁ ଏହି ପରିସ୍ଥିତି ବାଧକ ସାଜିଥିଲା ବୋଲି ବିବେଚ଼ନା କରାଯାଏ |
          ତେବେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ହିନ୍ଦୀ ଚଳଚ଼ିତ୍ର ଓ ୧୯୮୨ ଖ୍ରୀଷ୍ଟାଦ୍ଦରୁ ଟେଲିଭିଜନ ପ୍ରସାରଣ ଆରମ୍ଭ ଦେଶର ଅନ୍ୟାନ୍ୟ ତୃତୀୟସ୍ତରୀୟ ସହରାଞ୍ଚଳ ଭଳି ବ୍ରହ୍ମପୁରରେ ନୂତନ ସର୍ବଭାରତୀୟ ସାଂସ୍କୃତିକଧାରା ପ୍ରସାରରେ ସହାୟକ ହୋଇପାରିଥିଲା | ହୋଲି ସାଙ୍ଗକୁ ରାକ୍ଷୀ, ଇଂରାଜୀ ନବବର୍ଷ, ସାର୍ବଜନୀନ ଦୁର୍ଗା ଓ ଗଣେଷ ପୂଜା ପାଳନ ଇତ୍ୟାଦି ସହରର ସାମାଜିକ ଜୀବନର ଅଙ୍ଗବିଶେଷରେ ପରିଣତ ହୋଇପଡ଼ିଥିଲା | ଦେଶର ଅନ୍ୟାନ୍ୟ ପ୍ରାନ୍ତ ଭଳି ବ୍ରହ୍ମପୁର ସହରରେ ମଧ୍ୟ ହୋଲି ଉତ୍ସବ ପାଳନ ଲୋକପ୍ରିୟ ହେବାରେ ଲାଗିଲା |
          ସ୍ୱାଧୀନତା ପ୍ରାପ୍ତି ପରବର୍ତ୍ତୀ ଅବସ୍ଥାରେ ଦେଶବିଭକ୍ତ କାଳରେ ବ୍ରହ୍ମପୁର ସହରକୁ ବଙ୍ଗାଳୀ, ଗୁଜରାତୀ ଓ ମାରୱାଡ଼ି ସଂପ୍ରଦାୟର କିଛି ପରିବାର ଆଗମନ କରିଥିଲେ | ଏମାନେ ମୁଖ୍ୟତଃ ବ୍ୟବସାୟକୁ ବୃତ୍ତିରୂପେ ଗ୍ରହଣ କରିଥିଲେ ଏବଂ ଖୁବ୍ କମ ସମୟମଧ୍ୟରେ ପ୍ରତିଷ୍ଠିତ ହୋଇପାରିଥିଲେ | ସହରରେ ଏମାନଙ୍କ ମଧ୍ୟରେ ପ୍ରଥମେ ହୋଲି ପାଳିତ ହୋଇଥିବା ଲକ୍ଷ୍ୟ କରାଯାଇପାରେ | ଦୀର୍ଘଦିନ ଧରି ଭାପୁର ବଜାର ନିକଟସ୍ଥ ମିଲଟାରୀ ଲାଇନ୍ସ ଅଞ୍ଚଳରେ ବସବାସ କରୁଥିବା ଗୁଜରାତୀ ପରିବାରବର୍ଗ ହୋଲି ଉତ୍ସବ ପୂର୍ବ ରାତିରେ ଧୂନୀ ଜାଳନ୍ତି | ସେ ଯାହାହେଉ, ହୋଲି ଆଜି ବ୍ରହ୍ମପୁରରେ ଏକ ସାର୍ବଜନୀନ ପର୍ବରେ ପରିଣତ ହୋଇଛି | ବିଶେଷକରି ସହରର ଶିଶୁ, ଯୁବ ଓ ମହିଳାମାନଙ୍କ ମଧ୍ୟରେ ହୋଲି ଲୋକପ୍ରିୟ ହୋଇପାରିଥିବା ଲକ୍ଷ୍ୟ କରାଯାଇପାରେ |


ସଂବାଦ (ବ୍ରହ୍ମପୁର ସଂସ୍କରଣ) ୨୩ ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ

Tuesday, March 22, 2016

Woes of Gopalpur-on-Sea / ଗୋପାଳପୁରର ଦୁଃଖ

#ବ୍ରହ୍ମପୁର ସହରର ଉପାନ୍ତ ଗୋପାଳପୁର, ଛତ୍ରପୁର ଓ ଗଞ୍ଜାମଠାରେ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଶିଳ୍ପାୟନପାଇଁ ବହୁ ପ୍ରସ୍ତାବ ଚର୍ଚ୍ଚାର ପରିସରକୁ ଆସିଛି | ତେବେ ଗଞ୍ଜାମରେ ଏକ ରାସାୟନିକ କାରଖାନା, ଛତ୍ରପୁରରେ ବିରଳ ମୃତ୍ତିକା ପ୍ରତିଷ୍ଠାନ ଏବଂ ଗୋପାଳପୁରରେ ଖୋଲିବା ଓ ବନ୍ଦହେବା ଲୁଚକାଳି ଖେଳୁଥିବା ଛୋଟକାଟିଆ ବନ୍ଦରଟିଏ ବ୍ୟତୀତ ଅନ୍ୟ କୌଣସି ପ୍ରସ୍ତାବ ଏଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ | ବିଶେଷ କରି ଗତ କୋଡ଼ିଏ ବର୍ଷ ପୂର୍ବେ ୧୯୯୫ ବେଳକୁ ଟାଟା ଓ ଲରସେନ ଏଣ୍ଡ ଟ୍ୟୁବ୍ରୋଙ୍କ ପକ୍ଷରୁ ବୃହତ ଇସ୍ପାତ ତଥା ପରେ ଋଷସହ ଯୌଥ ଉଦ୍ୟୋଗରେ ଟିଟିନିଅମ ଇତ୍ୟାଦି ପ୍ରକଳ୍ପ ପ୍ରତିଷ୍ଠା ପ୍ରସ୍ତାବ ଗୋପାଳପୁର ଉପକୂଳରେ ଦ୍ରୁତ ଶିଳ୍ପାୟନର ଆଶା ଯଥାସମୟରେ କାର୍ଯ୍ୟକାରୀ ନ ହୋଇ ପାରିବା ହେତୁ ଗଞ୍ଜାମ ଜିଲ୍ଲାବାସୀଙ୍କ ଶିଳ୍ପସମୃଦ୍ଧି ଆଶା ଚ଼ରିତାର୍ଥ ହୋଇପାରି ନାହିଁ | ଏହା ହିଁ ଗୋପାଳପୁରର ଦୁଃଖ |
          ତତକାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ବ୍ରହ୍ମପୁର ଲୋକସଭା ନିର୍ବାଚ଼ନ ମଣ୍ଡଳୀରୁ ପ୍ରତିନ୍ଦ୍ୱନ୍ଦିତା କରିବା ଅବସରରେ ଗୋପାଳପୁରଠାରେ ଟାଟା ପକ୍ଷରୁ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବ ଘୋଷିତ ହୋଇଥିଲା | ଓଡ଼ିଶା ସରକାର ୧୯୯୫ ରୁ ୧୯୯୯ ମଧ୍ୟରେ ରାଜ୍ୟର ଶିଳ୍ପବିକାଶ ସଂସ୍ଥା ଇଡ଼କୋ ଦ୍ୱାରା ୨୯୭୦ ଏକର ଜମି ଅଧିଗ୍ରହଣ କରିଥିଲେ | ତେବେ ପରବର୍ତ୍ତୀ ରାଜନୀତିକ ଘଟଣାକ୍ରମରେ ନରସିଂହ ରାଓ ବ୍ରହ୍ମପୁର ଲୋକସଭା ପ୍ରତିନିଧିତ୍ୱ କଲେ ସିନା ଆଉ ପ୍ରଧାନମନ୍ତ୍ରୀ ଗାଦୀରେ ବସି ପାରିଲେ ନାହିଁ | ଅପରପକ୍ଷେ ଇସ୍ପାତ କାରଖାନା ପ୍ରତିଷ୍ଠା ପ୍ରସ୍ତାବ ଘୋଷଣା ବେଳକୁ ଆନ୍ତର୍ଜାତିକସ୍ତରରେ ଇସ୍ପାତର ଚ଼ାହିଦା ଥିବାବେଳେ ପରେ ପରେ ଅକସ୍ମାତ ଇସ୍ପାତର ଚ଼ାହିଦା ହ୍ରାସ ପାଇଲା | ଟାଟା କିମ୍ବା ଏଲଏଣ୍ଡଟି ଆଉ ଇସ୍ପାତ କାରଖାନା ଲାଗି ଆଗ୍ରହ ପ୍ରକାଶ କଲେ ନାହିଁ |
          ଗୋପାଳପୁରରେ ଶିଳ୍ପାୟନ ଘୋଷଣା ପରେ ପରେ ବ୍ରହ୍ମପୁର ତଥା ସହରର ଉପାନ୍ତ ଅଞ୍ଚଳରେ ଜମିବାଡ଼ି କିଣାବିକା ପାଇଁ ତତ୍ପରତା ପ୍ରକାଶ ପାଇଲା | ସମ୍ଭାବ୍ୟ ଶିଳ୍ପାୟନ ଆଶାରେ ପ୍ରସ୍ତାବିତ ଶିଳ୍ପନଗରୀର ଆଖପାଖ ଅଞ୍ଚଳରେ ବସତି ସ୍ଥାପନ କରିବା ହେଉ କିମ୍ବା ଜମିରେ ପୁଞ୍ଜିଲଗାଣ ଆଶାରେ ଶହ ଶହ ଏକର ଚ଼ାଷଜମି ହସ୍ତାନ୍ତର ପ୍ରକ୍ରିୟା ଦୀର୍ଘଦିନ ଧରି ଚ଼ାଲିଲା | ତେବେ ଶିଳ୍ପାୟନ ସମ୍ଭବପର ନ ହୋଇପାରିବା ହେତୁ ଏ କ୍ଷେତ୍ରରେ ପୁଞ୍ଜିଲଗାଣକାରୀମାନେ ହତାଶ ହେଲେ | ସେହିପରି ପ୍ରସ୍ତାବିତ କଳକାରଖାନାରେ ନିଯୁକ୍ତି ଆଶାରେ ନିଜକୁ ପ୍ରସ୍ତୁତ କରୁଥିବା ଯୁବବର୍ଗ ବାଧ୍ୟବାଧକତାରେ ରାଜ୍ୟାନ୍ତର ମୁହାଁଇଲେ | ଜମିଅଧିଗ୍ରହଣରେ ଭିଟାମାଟି ହରାଇଥିବା ୯୮୯ ଯୌଥ ଓ ୬୫୬ ଏକକ ପରିବାର କଳକାରଖାନାରେ ନିଯୁକ୍ତିଲାଗି ଯେଉଁ ପ୍ରତିଶୃତି ପାଇଥିଲେ ତାହା ମଧ୍ୟ ମରୀଚ଼ିକାରେ ପରିଣତ ହେଲା | ଶିଳ୍ପାୟନ ବିଫଳତା ଗୋପାଳପୁରର ଦୁଃଖର କାରଣ ପାଲଟିଲା |
          ପରବର୍ତ୍ତୀ ଅବସ୍ଥାରେ ଟାଟା କମ୍ପାନୀ ଗୋପାଳପୁରଠାରେ ଅଧିଗ୍ରହଣ କରାଯାଇଥିବା ଜମିରେ ଇସ୍ପାତ କାରଖାନା ବଦଳରେ ଇଣ୍ଡଷ୍ଟ୍ରିଆଲ ପାର୍କ ଓ ମଲଟି-ପରପଜ ଇକନୋମିକ ଜୋନ (ଏସ୍ଇଜେଡ଼) ସ୍ଥାପନ କରିବାପାଇଁ ଓଡ଼ିଶା ସରକାରଙ୍କଠାରେ ପ୍ରସ୍ତାବ ରଖିଲା | ଏଥିରେ ରାଜ୍ୟ ସରକାର ସହମତ ହେଲେ ଏବଂ କେନ୍ଦ୍ର ସରକାରଙ୍କଠାରୁ ମଧ୍ୟ ଅନୁମତି ମିଳିଲା | ଇଣ୍ଡଷ୍ଟ୍ରିଆଲ ପାର୍କର ଅର୍ଥ ଗୋଟିଏ ସ୍ଥାନରେ ବହୁ ଶିଳ୍ପସଂସ୍ଥା ଦ୍ୱାରା ବିଭିନ୍ନ ପ୍ରକାର କଳକାରଖାନା ସ୍ଥାପନ | ଟାଟା କମ୍ପାନୀ ଅଧିକୃତ ଜମି ଦେଶବିଦେଶର ଶିଳ୍ପସଂସ୍ଥାଗୁଡ଼ିକୁ କାରଖାନା ବସାଇବା ପାଇଁ ଆନୁସଙ୍ଗିକ ସୁବିଧା ସହ ଯୋଗାଇବ | ପୁଣି ଏସ୍ଇଜେଡ଼ ମାନ୍ୟତା ପାଇଥିବା ହେତୁ ସେହି ପାର୍କରେ ପ୍ରତିଷ୍ଠିତ କଳକାରଖାନାଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଶିଳ୍ପ ପ୍ରୋତ୍ସାହନ ନୀତି ଅନୁଯାୟୀ ବହୁ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚ଼ିତ ହେବେ | ୨୦୧୦ ଅଗଷ୍ଟ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଇଣ୍ଡଷ୍ଟ୍ରିଆଲ ପାର୍କର ଭିତ୍ତି ସ୍ଥାପନ କଲେ | କିନ୍ତୁ କୌଣସିଟି ଶିଳ୍ପ କାର୍ଯ୍ୟାରମ୍ଭ କରିବା ପୂର୍ବରୁ ୨୦୧୪ ଡ଼ିସେମ୍ବରରେ କେନ୍ଦ୍ର ସରକାରଙ୍କ ପ୍ରଦତ୍ତ ଏସ୍ଇଜେଡ଼ ମାନ୍ୟତାର ଅବଧି ଶେଷ ହୋଇଗଲା | ଟାଟା କମ୍ପାନା ପୁନର୍ବାର ଏସ୍ଇଜେଡ଼ ମାନ୍ୟତା ପାଇଁ ରାଜ୍ୟସରକାରଙ୍କ ସୁପାରିଶ କ୍ରମେ ଆବେଦନ କରିଛି ଏବଂ ସର୍ବଶେଷ ଘଟଣାକ୍ରମ ଅନୁଯାୟୀ ଚଳିତ ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ମିଆଦ ବୃଦ୍ଧି ନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ଅନୁମୋଦନକାରୀ ବୋର୍ଡ଼ ସହମତି ପ୍ରକାଶ କରିଛି | ଫଳରେ ଗୋପାଳପୁର ଏସ୍ଇଜେଡ଼ର ମିଆଦ ୨୦୧୭ ଡ଼ିସେମ୍ବର ମାସଯାଏଁ ବୃଦ୍ଧି ପାଇବ ବୋଲି କୁହାଯାଉଛି | ଏହି ପ୍ରକ୍ରିୟା ଶେଷ ହେଲେ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଏକମାତ୍ର ନିର୍ମାଣଧୀନ ଫେରୋ-କ୍ରୋମ କମ୍ପ୍ଳେକ୍ସ କାର୍ଯ୍ୟ ଆରମ୍ଭ କରିବା ଆଶା କରାଯାଉଛି |
          ଟାଟା ର ପ୍ରଥମ ପର୍ଯ୍ୟାୟରେ ନିର୍ମାଣଧୀନ ଫେରୋ-କ୍ରୋମ କାରଖାନାରେ ବାର୍ଷିକ ୫୫ ହଜାର ଟନ ଉତ୍ପାଦନ କ୍ଷମତା ରହିବ | ଏଥିଲାଗି ଚ଼ାରିଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ପ୍ରକାଶ | ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କରେ ଏହା ପ୍ରଥମ କାରଖାନା ହୋଇଥିବା ହେତୁ ସଭିଏଁ ଏହାର କାର୍ଯ୍ୟ ଆରମ୍ଭକୁ ଉତ୍କଣ୍ଠାର ସହ ଅପକ୍ଷା କରିବା ସ୍ୱାଭାବିକ | ଗତବର୍ଷ ମାର୍ଚ୍ଚ, ଜୁଲାଇ, ଡ଼ିସେମ୍ବର ପରେ ଚଳିତବର୍ଷ ମାର୍ଚ୍ଚରେ ଏହା କାର୍ଯ୍ୟ ଆରମ୍ଭ ହେବ ବୋଲି ଶୁଣାଯାଉଥିଲା | ତେବେ ବର୍ତ୍ତମାନ ଏସ୍ଇଜେଡ଼ ମାନ୍ୟତା ପୁନଃ ହାସଲ ପାଇଁ ପ୍ରକ୍ରିୟା ଶେଷ ଅବସ୍ଥାରେ ପହଞ୍ଚୁଥିବା ହେତୁ ନିକଟ ଭବିଷ୍ୟତରେ କାର୍ଯ୍ୟାରମ୍ଭ ଆଶା କରାଯାଇପାରେ |
          ତେବେ ପ୍ରଶ୍ନ ଉଠେ ଫେରୋ-କ୍ରୋମ କାରଖାନା ଗୋପାଳପୁରର ଦୁଃଖ ଲାଘବରେ ସହାୟକ ହୋଇପାରିବ କି ? ଆନ୍ତର୍ଜାତିକସ୍ତରରେ ମାନ୍ଦାବସ୍ଥା କାଳକ୍ରମେ ଉତ୍କଟ ହୋଇ ଚାଲିଥିବାବେଳେ ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କରେ ଅଧିକା ଶିଳ୍ପ ପ୍ରତିଷ୍ଠା ସହଜରେ ହୋଇ ପାରିବ କି ?  ସର୍ବୋପରି ଏହି ଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କାରଖାନାଗୁଡ଼ିକରେ ସ୍ଥାନୀୟ ମାନବସମ୍ବଳ ବିନିଯୋଗର ସମ୍ଭାବନା ରହିବ କି ? ଆଖପାଖରେ କିଣାବିକା ହୋଇଥିବା ଜମିଜମାରୁ ଅନ୍ତତଃ ବ୍ୟାଙ୍କହାରରେ ସୁଧ ହାସଲ କରିହେବ କି ?

ସଂବାଦ (ବ୍ରହ୍ମପୁର ସଂସ୍କରଣ) ୧୬ ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ

Monday, March 21, 2016

Forecast of hot days in summer of 2016 / ୨୦୧୬ ରେ ପ୍ରବଳ ଗରମ ଆଶଙ୍କା (?)

କୁହାଯାଏ ବ୍ରହ୍ମପୁରରେ ଆଠମାସ ଗରମ ଆଉ ଚାରିମାସ ଗରମରୁ ନିସ୍ତାର | ସାଧାରଣତଃ ପ୍ରତିବର୍ଷ କୁମାର ପୂର୍ଣ୍ଣିମାଠାରୁ ସହରର ପାଣିପାଗ ସାମାନ୍ୟ ଥଣ୍ଡା ହୋଇ ଶିବରାତ୍ରୀ ଯାଏଁ ବଳବତ୍ତର ରହିଥାଏ | ତେବେ ଶିବରାତ୍ରୀଠାରୁ ଗରମ ଆରମ୍ଭ ହୋଇ ବସନ୍ତ, ଗ୍ରୀଷ୍ମ, ବର୍ଷା ଓ ଶରତ ଚାରିଗୋଟି ଋତୁରେ କ୍ରମଶଃ ବଢ଼ି ପୁଣି ଛିଣ୍ଡି ଥାଏ |
          ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାଯାଇଛି ଯେ ଏଲ ନିନୋ ଅନୁଭୂତ ହୋଇଥିବା ବର୍ଷର ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷରେ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥାଏ | ଏଲ ନିନୋ ଆନ୍ତର୍ଜାତିକସ୍ତରରେ ଏକ ଜଳବାୟୁ ବିଭ୍ରାଟ | ପ୍ରଶାନ୍ତମହାସାଗରର ଜଳ ଉତ୍ତପ୍ତ ହୋଇ ସୃଷ୍ଟି ହେଉଥିବା ପାଣିପାଗର ଅସନ୍ତୁଳିତ ଅବସ୍ଥା ସାଧାରଣତଃ ଭାରତରେ ମୌସୁମୀ ବର୍ଷା ହ୍ରାସର କାରଣ ପାଲଟିଯାଏ | ୨୦୧୫ ମସିହାରେ ଆମ ଦେଶରେ ଦୀର୍ଘତମ ଏଲ ନିନୋର ପ୍ରଭାବ ଅନୁଭୂତ ହୋଇଥିବା ହେତୁ ତତ୍ ପରବର୍ତ୍ତୀ ବର୍ଷ ଅର୍ଥାତ ଚଳିତ ୨୦୧୬ ଗ୍ରୀଷ୍ମଋତୁରେ ପ୍ରବଳ ଗରମ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି |
          ପାଣିପାଗ ପୂର୍ବାନୁମାନ ପାଇଁ ମୁଖ୍ୟତଃ ସମକାଳୀନ ତାପମାତ୍ରା, ବର୍ଷା ଓ ପବନର ବେଗକୁ ବିଚାରକୁ ନେଇ ଅତୀତ ବର୍ଷଗୁଡ଼ିକର ପାଣିପାଗର ଗତି ପ୍ରକୃତିର ଇତିହାସ ସହ ତର୍ଜମା କରାଯାଇଥାଏ | ଅର୍ଥାତ ବର୍ତ୍ତମାନର ପାରିପାଶ୍ୱିକ ଜଳବାୟୁର ସ୍ଥିତି ଅତୀତରେ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଥିବା ରେକର୍ଡ଼ ରହିଛି ତାହା ଭବିଷ୍ୟତ ପାଣିପାଗର କଳନାଲାଗି ସହାୟକ ହୋଇଥାଏ | ଅତଏବ ଏଲ ନିନୋ ଅନୁଭୂତ ହୋଇଥିବା ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷଗୁଡ଼ିକରେ ଅତୀତରେ ଅଧିକ ଗରମ ଅନୁଭୂତ ହୋଇଥିବା ହେତୁ ଚଳିତ ବର୍ଷ ଗ୍ରୀଷ୍ମର ପ୍ରାବଲ୍ୟ ପାଣିପାଗ ତତ୍ତ୍ବବିତମାନେ ଆଶା କରୁଛନ୍ତି ଑ |
          ୧୯୯୭ ମସିହାରେ ଓଡ଼ିଶାରେ ପ୍ରବଳ ଏଲ ନିନୋ ପ୍ରଭାବ ଅନୁଭୂତ ହୋଇଥିଲା |  ତତ୍ ପରବର୍ତ୍ତୀ ୧୯୯୮  ମସିହାରେ ଅଂଶୁଘାତରେ ରାଜ୍ୟରେ ଦୁଇ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା | ସେହିବର୍ଷ ୨୩ ଗୋଟି ଗ୍ରୀଷ୍ମପ୍ରବାହ ବା ହିଟ ଎ଓ୍ବେବ ଦିବସ ଅନୁଭୂତ ହୋଇଥିଲା | ସେହିପରି ୨୦୦୨, ୨୦୦୪, ୨୦୦୬ ଓ ୨୦୦୯ ରେ ରାଜ୍ୟରେ ଏଲ ନିନୋର ପ୍ରଭାବ ଦେଖାଯାଇଥିବା ବେଳେ ଯଥାକ୍ରମେ ୨୦୦୩ ଓ ୨୦୦୫ରେ  ୨୦ଦିନ, ୨୦୦୭ ରେ ୧୩ ଦିନ ଓ ୨୦୧୦ ରେ ୪୧ ଦିନ ଭୀଷଣ ଗ୍ରୀଷ୍ମପ୍ରବାହ ରେକର୍ଡ଼ କରାଯାଇଥିଲା |
          ଏହି ଅଭିଜ୍ଞତାରୁ ଚଳିତ ବ଱ର୍ଷ ଅନ୍ୟ ସାଧାରଣବର୍ଷ ତୁଳନାରେ ଅଧିକା ଗ୍ରୀଷ୍ମ ପ୍ରବାହ ଦିବସ ଆଶଙ୍କା ଅମୂଳକ ନୁହେଁ | ବ୍ରହ୍ମପୁରରେ ଗତବର୍ଷ ଶୀତ ଅନୁଭୂତ ହୋଇନାହିଁ କହିଲେ ଚଳେ | ଅନେକେ ଆଲମିରାରୁ ସ୍ପେଟର, ମଫଲର ବାହାର ହିଁ କରିନଥିଲେ | ପାଣିପାଗ ରେକର୍ଡ଼ରୁ ଜଣାଯାଏ ଯେ ସାଧାରଣତଃ ନଭେମ୍ବର ମାସରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ହାରାହାରି ୨୪ ରୁ ୨୫ ରହୁଥିବାବେଳେ ଗତ ଥର ୨୬.୬ ଥିଲା ଏବଂ ଡ଼ିସେମ୍ବର ମାସରେ ହାରାହାରି ୨୧ ରୁ ୨୨  ରହୁଥିବାବେଳେ ଗତଥର ୨୪ ଡ଼ିଗ୍ରୀ ସେଲସିଅସ ଥିଲା |
          ଗ୍ରୀଷ୍ମଋତୁରେ ପାରମ୍ପରିକଭାବେ ଅପରାହ୍ନରେ ସ୍ଥାନୀୟ ମେଘଦ୍ୱାରା #ବ୍ରହ୍ମପୁର ସହରରେ ବର୍ଷା ଦେଖାଯାଇଥାଏ | ଦିନବେଳାର ଉତ୍ତାପରେ ସମୁଦ୍ର ଜଳ ବାଷ୍ପୀଭୂତ ହୋଇ ମେଘ ସୃଷ୍ଟି କରିଥାଏ ଏବଂ ଅପରାହ୍ନରେ ସହରର ପଶ୍ଚିମ ଦିଗରୁ କେରାଣ୍ଡିମାଳ ପର୍ବତ ପଟୁ କଳାହାଣ୍ଡିଆ ମେଘ ସ୍ବଳ୍ପ ସମ୆ୟପାଇଁ ବର୍ଷା କରାଇଥାଏ | କିନ୍ତୁ ଜଳବାୟୁ ପରିବର୍ତ୍ତନର ସ୍ରୋତରେ ଏହିଭଳି ବର୍ଷା ଦିନର ସଂଖ୍ୟା ବର୍ଷକୁ ବର୍ଷ କମି କମି ଆସୁଛି | ତେବେ ଏହା ସହରବାସୀଙ୍କୁ ଗରମର ପ୍ରକୋପରୁ ରିହାତି ଦେବାସହ ଜଳ ସମସ୍ୟା ସମାଧାନ କରିଥାଏ | ଚଳିତବର୍ଷ ଦୀର୍ଘଦିନରୁ ବର୍ଷା ଅଭାବ ହେତୁ ସହରକୁ ଜଳଯୋଗାଣର ସୂତ୍ର ଋଷିକୂଲ୍ୟା ଶୁଖିଲା ପଡ଼ିଥିବା କୁହାଯାଉଛି  | ଜଳଯୋଗାଣ କର୍ମକର୍ତ୍ତାମାନେ ହରଭଙ୍ଗୀ ନଦୀରୁ ଋଷିକୂଲ୍ୟା ନଦୀ ଦେଇ ଜଳଯୋଗାଣ ବ୍ୟବସ୍ଥା ଚ଼ିନ୍ତା କରୁଛନ୍ତି | ସେ ଯାହା ହେଉ ପାଣିପାଗର ସାମ୍ଭାବ୍ୟ ଉଗ୍ରରୂପକୁ ସାମ୍ନା କରିବା ପାଇଁ ବ୍ରହ୍ମପୁରବାସୀ ମାନସିକସ୍ତରରେ ପ୍ରସ୍ତୁତ ହେବା ନିମନ୍ତେ ସମୟଆସି ପହଞ୍ଚିଛି ବୋଲି କହିବାକୁ ହେବ |

ସଂବାଦ (ବ୍ରହ୍ମପୁର ସଂସ୍କରଣ) ୭ ମାର୍ଚ୍ଚ ୨୦୧୬ ରେ ପ୍ରକାଶିତ